ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
4ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଭବନ ଶିକ୍ଷାମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ
• ଓଡିଶା, ରାଜସ୍ଥାନ, ହରିୟାଣାରେ ନୂତନ ଭାବେ ବିକଶିତ ଏହି ଶିକ୍ଷା ପରିସର ଦ୍ଵାରା 4 ହଜାର ବିଦ୍ୟାର୍ଥୀ ହେବେ ଉପକୃତ - ଶିକ୍ଷାମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
08 OCT 2020 4:04PM by PIB Bhubaneshwar
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି (08.10.2020) 4ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଭବନ ଉଦଘାଟନ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟିତ ଏହି 4ଟି ବିଦ୍ୟାଳୟ ଭବନ ମଧ୍ୟରେ ଓଡିଶାର ନୟାଗଡ ଓ ମହୁଲଡ଼ିହ (ରାଇରଙ୍ଗପୁର), ହନୁମାନଗଡ (ରାଜସ୍ଥାନ) ଏବଂ ଫରିଦାବାଦ (ହରିୟାଣା) ସାମିଲ । ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ନିଶଙ୍କ କହିଛନ୍ତି ଯେ, ପ୍ରାୟ 70 କୋଟି ଟଙ୍କା ବ୍ୟୟରେ ଏହି 4ଟି କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମିତ ହୋଇଛି । ଏଗୁଡିକ ଆଗରୁ ଅସ୍ଥାୟୀ ଭବନରେ କାର୍ଯ୍ୟ କରୁଥିଲା । ଏହି ନୂତନ ଶିକ୍ଷା ପରିସର ବିକଶିତ ହେବା ଯୋଗୁଁ ଓଡିଶା, ରାଜସ୍ଥାନ ଓ ହରିୟାଣାର ପ୍ରାୟ 4 ହଜାର ବିଦ୍ୟାର୍ଥୀ ଉପକୃତ ହେବେ । ଏହି ଅବସରରେ ଶ୍ରୀ ନିଶଙ୍କ ଛାତ୍ରଛାତ୍ରୀ, ସେମାନଙ୍କ ପିତାମାତା, ଶିକ୍ଷକ ଶିକ୍ଷୟତ୍ରି, ବିଦ୍ୟାଳୟର ଅଧ୍ୟକ୍ଷ ଓ ପରିଚାଳନା ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଯେ, ଏହି ନୂତନ ବିଦ୍ୟାଳୟଗୁଡ଼ିକରେ ଥିବା ଅତ୍ୟାଧୁନିକ ବ୍ୟବସ୍ଥା ଯୋଗୁଁ ଶିକ୍ଷାଦାନ ପଦ୍ଧତିରେ ଅନେକ ଉନ୍ନତି ଆସିବ । ଶ୍ରୀ ପୋଖରିୟାଲ ବିଶେଷକରି ରାଜ୍ୟ ସରକାରଗୁଡିକୁ ଜମି ସ୍ଥାନାନ୍ତର ପ୍ରକ୍ରିୟା ଶୀଘ୍ର କାର୍ଯ୍ୟାକାରୀ କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପୋଖରିୟାଲ ଆହୁରି କହିଛନ୍ତି ଯେ, ଏହି 4ଟି ଯାକ କେନ୍ଦ୍ରୀୟ ବିଦ୍ୟାଳୟର ନୂତନ ଭବନ ଗ୍ରୀନ ବିଲଡିଙ୍ଗ ନିୟମ ଅନୁସାରେ ଜଳ ଅମଳ ପଦ୍ଧତି ସହ ନିର୍ମିତ ହୋଇଛି । ଏହାଦ୍ଵାରା ପର୍ଯ୍ୟାପ୍ତ ପରିମାଣର ବର୍ଷା ଜଳ ସଂଗ୍ରହ କରିହେବ । ଏହି ଭବନଗୁଡିକୁ ଦିବ୍ୟାଙ୍ଗମାନେ ଯେପରି ଅନାୟାସରେ ଯାତାୟାତ କରିପାରିବେ ତାହାର ସମସ୍ତ ସୁବିଧା କରାଯାଇଛି । କ୍ରିଡା ଏବଂ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ଏହି ବିଦ୍ୟାଳୟଗୁଡ଼ିକରେ ଉପଲବ୍ଧ ହେବ ଓ ଛାତ୍ରାଛାତ୍ରୀ ନିଜକୁ ସୁସ୍ଥ ରଖିବା ପାଇଁ ଉତ୍ସାହିତ ହେବେ । ନୂତନ ଭାବେ ନିର୍ମିତ ଏହି ଭବନଗୁଡିକ ସଂକ୍ରାନ୍ତରେ ନିମ୍ନରେ ସବିଶେଷ ତଥ୍ୟ ଦିଆଯାଇଛି ।
- କେନ୍ଦ୍ରୀୟ ବିଦ୍ୟାଳୟ, ନୟାଗଡ, ଓଡିଶା – ଏହି ବିଦ୍ୟାଳୟଟି 2010-11 ଆର୍ଥିକ ବର୍ଷରେ ସ୍ଥାପିତ ହୋଇଥିଲା । ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଟି ଅସ୍ଥାୟୀ ଭବନରେ ଚାଲୁଅଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ 16.39 କୋଟି ଟଙ୍କା ବ୍ୟୟରେ ସମସ୍ତ ଅତ୍ୟାଧୁନିକ ସୁବିଧା ଥିବା ଏକ ମନଲୋଭା ଭବନ ନିର୍ମାଣ କରିଛନ୍ତି । ବର୍ତ୍ତମାନ ଓଡିଶାରେ 62ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।
- କେନ୍ଦ୍ରୀୟ ବିଦ୍ୟାଳୟ, ମହୁଲଡିହ, ରାଇରଙ୍ଗପୁର, ଓଡିଶା – ଏହି ବିଦ୍ୟାଳୟଟି 2016-17 ଆର୍ଥିକ ବର୍ଷରେ ପ୍ରଥମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହା ଅସ୍ଥାୟୀ ଭବନରେ କାର୍ଯ୍ୟ କରିଆସୁଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ 16.06 କୋଟି ଟଙ୍କା ବ୍ୟୟରେ ସମସ୍ତ ଆଧୁନିକ ସୁବିଧା ଥାଇ ଏହି ସୁନ୍ଦର ଭବନ ନିର୍ମାଣ କରାଯାଇଛି ।
- କେନ୍ଦ୍ରୀୟ ବିଦ୍ୟାଳୟ, ହନୁମାନଗଡ, ରାଜସ୍ଥାନ – 2014-15 ଆର୍ଥିକ ବର୍ଷରେ ଏହି ବିଦ୍ୟାଳୟ ନିର୍ମିତ ହୋଇଥିଲା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଟି ଏକ ଅସ୍ଥାୟୀ ଭାବନରୁ କାର୍ଯ୍ୟ କରିଆସୁଛି । 16.06 କୋଟି ଟଙ୍କା ବ୍ୟୟରେ ସମସ୍ତ ଆଧୁନିକ ସୁବିଧା ଥାଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଏକ ସୁନ୍ଦର ଭବନ ନିର୍ମାଣ କରିଛି । ବର୍ତ୍ତମାନ ରାଜସ୍ଥାନରେ 77ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।
- କେନ୍ଦ୍ରୀୟ ବିଦ୍ୟାଳୟ – 3, ଫରିଦାବାଦ, ହରିୟାଣା – 2003-04 ଆର୍ଥିକ ବର୍ଷରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ପ୍ରଥମରୁ ଏକାଦଶ ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ଏକ ଅସ୍ଥାୟୀ ଭବନରେ କାର୍ଯ୍ୟ କରୁଛି । 20.19 କୋଟି ଟଙ୍କା ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସମସ୍ତ ଅତ୍ୟାଧୁନିକ ସୁବିଧା ଥାଇ ଏକ ସୁନ୍ଦର କୋଠା ନିର୍ମାଣ କରିଛି । ବର୍ତ୍ତମାନ ହରିୟାଣା ରାଜ୍ୟରେ 34ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ।
**********
(ରିଲିଜ ଆଡି: 1662851)
ପରିଦର୍ଶକ କାଉଣ୍ଟର : 201