ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
'ସାମାଜିକ ସଶକ୍ତିକରଣ ପାଇଁ ଉତ୍ତରଦାୟୀ ଏଆଇ 2020' ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
05 OCT 2020 9:20PM by PIB Bhubaneshwar
ଭାରତ ଓ ବିଦେଶରୁ ଆସିଥିବା ମାନ୍ୟଗଣ୍ୟ ସମ୍ମାନିତ ଅତିଥିଗଣ, ନମସ୍ତେ!
ଆପଣମାନଙ୍କୁ ଆରଏଆଇଏସଇ-ଉତ୍ତରଦାୟୀ ଏଆଇ ସାମାଜିକ ସଶକ୍ତିକରଣ ସମ୍ମିଳନୀକୁ ସ୍ୱାଗତ କରୁଛି । କୃତ୍ରିମ ବୁଦ୍ଧିମତା (ଏଆଇ) ସମ୍ପର୍କରେ ଆଲୋଚନା ଉଦ୍ଦେଶ୍ୟରେ ଆୟୋଜିତ ଏହି ଉଦ୍ୟମ ବେଶ ପ୍ରଶଂସନୀୟ । ମାନବ ସଶକ୍ତିକରଣ ଓ ପ୍ରଯୁକ୍ତି ସହ ଜଡିତ ବିଭିନ୍ନ ଦିଗ ଉପରେ ଆପଣମାନେ ଆଲୋକପାତ କରିଛନ୍ତି । ପ୍ରଯୁକ୍ତି କର୍ମସ୍ଥଳୀରେ ଆମୂଳଚୁଳ ପରିବର୍ତ୍ତନ ଆଣିପାରିଛି । ଏହାଦ୍ୱାରା ସଂଯୋଗୀକରଣ ବଢିଛି । ପ୍ରମୁଖ ସମସ୍ୟାଗୁଡିକୁ ସମାଧାନ କରିବାରେ ପ୍ରଯୁକ୍ତି ଆମକୁ ଲଗାତର ସାହାଯ୍ୟ କରିଆସୁଛି । ସାମାଜିକ ଉତ୍ତରଦାୟିତ୍ୱ ସହ କୃତ୍ରିମ ବୁଦ୍ଧିମତା (ଏଆଇ)ର ମିଶ୍ରଣ ଓ ମାନବୀୟ ସ୍ପର୍ଶ ଦ୍ୱାରା ଏଆଇ ସମୃଦ୍ଧ ହେବା ନେଇ ମୁଁ ନିଶ୍ଚିତ ।
ବନ୍ଧୁଗଣ,
କୃତ୍ରିମ ବୁଦ୍ଧିମତା ମାନବୀୟ ବୌଦ୍ଧିକ ଶକ୍ତିର ଉପହାର । ଚିନ୍ତା କରିବାର ଶକ୍ତି ଯୋଗୁଁ ମାନବ ବିଭିନ୍ନ ପ୍ରକାର ଉପକରଣ ଓ ପ୍ରଯୁକ୍ତି ବିକାଶ କରିପାରିଛି । ବର୍ତ୍ତମାନ ଏହି ଉପକରଣ ଓ ପ୍ରଯୁକ୍ତିଗୁଡିକ ଜାଣିବା ତଥା ଚିନ୍ତା କରିବାର ଶକ୍ତି ମଧ୍ୟ ହାସଲ କରି ସାରିଲେଣି ! ଏଥି ମଧ୍ୟରୁ ବେଶୀ ଚର୍ଚ୍ଚିତ ହୋଇଛି ଏଆଇ । ମାନବ ଓ ଏଆଇ ଏକାଠି ହୋଇ କାମ କଲେ ପୃଥିବୀ ବେଶ ଲାଭବାନ ହେବ ।
ବନ୍ଧୁଗଣ,
ଇତିହାସର ପ୍ରତିଟି ପଦକ୍ଷେପରେ ଜ୍ଞାନ ଓ ଶିକ୍ଷାରେ ଭାରତ ବିଶ୍ୱରେ ନେତୃତ୍ୱ ଦେଇଆସିଛି । ଆଜିର ସୂଚନା ପ୍ରଯୁକ୍ତି ଯୁଗରେ ଭାରତର ଆଖିଦୃଶିଆ ଅବଦାନ ରହିଛି । ପ୍ରଯୁକ୍ତି କ୍ଷେତ୍ରରେ କିଛି ଭାରତୀୟ ପ୍ରଯୁକ୍ତିବିତ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ବିଶ୍ୱ ସୂଚନା ପ୍ରଯୁକ୍ତି ଶିଳ୍ପ ଜଗତରେ ଭାରତ ନିଜକୁ ଶକ୍ତିକେନ୍ଦ୍ର ଭାବେ ଗଢି ତୋଳିଛି । ଆମେ ପ୍ରଯୁକ୍ତି କ୍ଷେତ୍ରରେ ଆଗେଇ ଚାଲିବା ଓ ବିଶ୍ୱକୁ ଆନନ୍ଦ ପ୍ରଦାନ କରିବା ।
ବନ୍ଧୁଗଣ,
ଭାରତରେ ଆମେ ଅନୁଭବ କରିଛୁ ଯେ, ପ୍ରଯୁକ୍ତି ଦ୍ୱାରା ପାରଦର୍ଶିତା ବଢିଛି ଓ ସେବା ପ୍ରଦାନ ସହଜ ହୋଇଛି । ଆମ ଦେଶରେ ବିଶ୍ୱର ସବୁଠାରୁ ବଡ ବ୍ୟକ୍ତିଗତ ପରିଚୟପତ୍ର ବ୍ୟବସ୍ଥା- ଆଧାର ରହିଛି । ସେହିପରି ଆମ ଦେଶରେ ନିଆରା ଡିଜିଟାଲ ଦେୟ ପ୍ରଦାନ ବ୍ୟବସ୍ଥା- ୟୁପିଆଇ ରହିଛି । ଏହାଦ୍ୱାରା ଡିଜିଟାଲ ସେବା ବ୍ୟବହାର କରାଯାଇ ପାରୁଛି । ଗରିବ ଓ ପଛୁଆ ବର୍ଗଙ୍କ ପାଇଁ ସିଧାସଳଖ ନଗଦ ସ୍ଥାନାନ୍ତରଣ ଭଳି ଆର୍ଥିକ ସେବା ପ୍ରଦାନ କରାଯାଇପାରୁଛି । ମହାମାରୀ ପରିସ୍ଥିତି ବେଳେ କିପରି ଭାରତର ଡିଜିଟାଲ ପ୍ରସ୍ତୁତି ସାହାଯ୍ୟ କଲା ତାହା ଆମେ ଦେଖିପାରିଲୁ । ତ୍ୱରିତ ଓ ଦକ୍ଷତାର ସହ ଲୋକଙ୍କ ପାଖରେ ପହଂଚି ସାହାଯ୍ୟ କଲୁ । ଭାରତ ଏହାର ଅପ୍ଟିକାଲ ଫାଇବର ନେଟୱର୍କ ବୃଦ୍ଧି କରିଚାଲିଛି । ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ ଯୋଗାଇବା ଏହାର ଲକ୍ଷ୍ୟ ।
ବନ୍ଧୁଗଣ,
ଆମେ ଭାରତକୁ ଏଆଇ ଗ୍ଲୋବାଲ ହବରେ ପରିଣତ କରିବାକୁ ଚାହୁଁ । ବହୁ ଭାରତୀୟ ଏ ଦିଗରେ କାମ କରୁଛନ୍ତି । ଆଗାମୀ ଦିନରେ ଆହୁରି ଅନେକେ ଏଥିରେ ଭାଗ ନେବେ ବୋଲି ମୋର ଆଶା । ଆମ ଆଭିମୁଖ୍ୟ ଦଳଗତ ଉଦ୍ୟମ, ବିଶ୍ୱାସ, ସହଯୋଗ, ଉତ୍ତରଦାୟିତ୍ୱ ଓ ଅର୍ନ୍ତଭୁକ୍ତି ଭଳି ସିଦ୍ଧାନ୍ତ ଦ୍ୱାରା ପ୍ରଭାବିତ ।
ବନ୍ଧୁଗଣ,
ଭାରତ ନିକଟରେ ଜାତୀୟ ଶିକ୍ଷା ନୀତି 2020 ଆପଣାଇଛି । ଏଥିରେ ପ୍ରଯୁକ୍ତିଭିତ୍ତିକ ଶିକ୍ଷା ଓ ଦକ୍ଷତା ବିକାଶକୁ ପ୍ରାଥମିକତା ଦିଆଯାଇଛି । ବିଭିନ୍ନ ଆଂଚଳିକ ଭାଷା ଓ ଲିପିରେ ଇ-ପାଠ୍ୟକ୍ରମ ବିକଶିତ କରାଯିବ । ଏ ସମସ୍ତ ଉଦ୍ୟମ ଏଆଇ ମଂଚର ନ୍ୟାସନାଲ ଲାଙ୍ଗୁଏଜ ପ୍ରୋସେସିଂ (ଏନଏଲପି) ଦ୍ୱାରା ଲାଭାନ୍ୱିତ ହେବ । ଚଳିତ ବର୍ଷ ଏପ୍ରିଲରେ ଆମେ ଯୁବ କାର୍ଯ୍ୟକ୍ରମ ପାଇଁ ଉତ୍ତରଦାୟୀ ଏଆଇ ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ ଅଧୀନରେ 11 ହଜାରରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ମୌଳିକ ଶିକ୍ଷା ଲାଭ କରି ପାରିଛନ୍ତି । ସେମାନେ ଏବେ ଏଆଇ ପ୍ରୋଜେକ୍ଟ ନିର୍ମାଣ କରୁଛନ୍ତି ।
ବନ୍ଧୁଗଣ,
ଜାତୀୟ ବୈଷୟିକ ଶିକ୍ଷା ମଂଚ (ଏନଇଟିଏଫ) ଗଠନ କରାଯାଇଛି । ଡିଜିଟାଲ ଭିତ୍ତିଭୂମି, ଡିଜିଟାଲ ବିଷୟବସ୍ତୁ ଓ ଦକ୍ଷତା ବିକାଶ ପାଇଁ ଏହା ଇ-ଏଜୁକେଶନ ୟୁନିଟ ଗଠନ କରିବ । ନବାଚାର ଓ ଉଦ୍ୟୋଗୀ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ଅଟଳ ଇନୋଭେସନ ମିଶନ ଆରମ୍ଭ କରିଛୁ । ଏସବୁ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ଉପକାର ପାଇଁ ନୂତନ ପ୍ରଯୁକ୍ତି ସହ ତାଳ ଦେବା ଆମର ଲକ୍ଷ୍ୟ ।
ବନ୍ଧୁଗଣ,
କୃତ୍ରିମ ବୁଦ୍ଧିମତା ଉପରେ ଜାତୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିବାକୁ ଚାହୁଁଛି । ସମାଜର ସମସ୍ୟା ସମାଧାନ ପାଇଁ ଏଆଇର ଉପଯୁକ୍ତ ବ୍ୟବହାର ପାଇଁ ଏହାକୁ ଉତ୍ସର୍ଗ କରାଯିବ । ସମସ୍ତ ଅଂଶୀଦାରଙ୍କ ସହାୟତାରେ ଏହାର କାର୍ଯ୍ୟାନ୍ୱୟନ ହେବ । ଏ ସମ୍ପର୍କରେ ବିଚାର ବିମର୍ଷ ପାଇଁ ଆରଏଆଇଏସଇ ଏକ ମଂଚ ହେବ । ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ ପାଇଁ ମୁଁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଉଛି ।
ବନ୍ଧୁଗଣ,
ଉପସ୍ଥିତ ଶ୍ରୋତାଙ୍କ ନିକଟରେ କିଛି ପ୍ରଶ୍ନ ଉତଥାପିତ କରିବାକୁ ଚାହୁଁଛି । ନିଜର ସମ୍ପତି ଓ ସମ୍ବଳର ସର୍ବୋତମ ପ୍ରବନ୍ଧନ ପାଇଁ ଆମେ ଏଆଇ ବ୍ୟବହାର କରିପାରିବା କି ? କିଛି ସ୍ଥାନରେ ସମ୍ବଳ ବ୍ୟବହାର ହୋଇ ପାରୁନାହିଁ । କେତେକ ସ୍ଥାନରେ ସମ୍ବଳର ଅଭାବ ରହିଛି । ଆମେ ସେଗୁଡିକର ସର୍ବୋତମ ବ୍ୟବହାର ପାଇଁ ଗତିଶୀଳ ସ୍ଥାନାନ୍ତରଣ କରିପାରିବା କି ? ନିଜ ନାଗରିକମାନଙ୍କୁ ସେମାନଙ୍କ ଘରେ ଆମେ ସକ୍ରିୟ ଓ ତ୍ୱରିତ ସେବା ଯୋଗାଇ ପାରିବା କି ?
ବନ୍ଧୁଗଣ,
ଭବିଷ୍ୟତ ଯୁବପିଢିଙ୍କ ପାଇଁ । ପ୍ରତ୍ୟେକ ଯୁବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରତି ଶିଶୁର ନିଆରା ପ୍ରତିଭା, ଦକ୍ଷତା ଓ କୁଶଳତା ରହିଛି । ବେଳେବେଳେ ଠିକ ଲୋକ ଭୁଲ ସ୍ଥାନରେ ପହଁଚି ଯାଇଥାନ୍ତି । ଆମେ ଏହାକୁ ବଦଳାଇ ପାରିବା । ବଡ ହେବା ସମୟରେ ପିଲାଟି ନିଜକୁ କିପରି ଦେଖୁଛି ? ଅଭିଭାବକ, ଶିକ୍ଷକ ଓ ବନ୍ଧୁମାନେ ଦାୟିତ୍ୱସମ୍ପନ୍ନ ଭାବେ ପିଲାଙ୍କୁ ନିରୀକ୍ଷଣ କରିପାରିବେ କି ? ପିଲାବେଳୁ କୈଶୋରାବସ୍ଥା ଆରମ୍ଭ ପର୍ଯ୍ୟନ୍ତ ନିରୀକ୍ଷଣ କରନ୍ତୁ । ସେମାନଙ୍କ ରେକର୍ଡ ରଖାଯାଉ । ପିଲାଟିକୁ ନିଜ ପ୍ରାକୃତିକ ଆହ୍ୱାନ ଖୋଜି ପାଇବାରେ ଏହା ଅନେକାଂଶରେ ସାହାଯ୍ୟ କରିବ । ପ୍ରତ୍ୟେକ ଯୁବକ/ଯୁବତୀଙ୍କ ପାଇଁ ଏହି ନୀରିକ୍ଷଣ ବେଶ ପ୍ରଭାବଶାଳୀ ମାର୍ଗଦର୍ଶକ ଶକ୍ତି ସାଜିବ । ପ୍ରତ୍ୟେକ ଶିଶୁର କୌଶଳ ସମ୍ପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରସ୍ତୁତ ପାଇଁ ଆମେ କୌଣସି ବ୍ୟବସ୍ଥା କରିପାରିବା କି ? ଏହା ବହୁ ପିଲାଙ୍କ ପାଇଁ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିପାରିବ । ଏଭଳି ମାନବ ସମ୍ବଳ ରେଖାଙ୍କନର ଦୀର୍ଘସ୍ଥାୟୀ ଲାଭ ସରକାର ଓ ବ୍ୟବସାୟ ଜଗତ ଉଠାଇ ପାରିବ ।
ବନ୍ଧୁଗଣ,
କୃଷି ଓ ସ୍ୱାସ୍ଥ୍ୟ ସେବା ସଶକ୍ତିକରଣରେ ଏଆଇର ବେଶ ବଡ ଭୂମିକା ରହିଥିବା ଦେଖିପାରୁଛି । ଆଗାମୀ ପିଢିର ସହରୀ ଭିତ୍ତିଭୂମି ସୃଷ୍ଟି ଓ ଟ୍ରାଫିକ ଜାମ ଭଳି ସହରୀ ସମସ୍ୟା କମାଇବାରେ ଏଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସିୱେଜ ପ୍ରଣାଳୀ ଓ ବିଦ୍ୟୁତ ଗ୍ରିଡ ବ୍ୟବସ୍ଥା ଉନ୍ନତ ହୋଇପାରିବ । ଆମ ବିପର୍ଯ୍ୟୟ ପ୍ରବନ୍ଧନ ବ୍ୟବସ୍ଥାକୁ ଏହା ଦୃଢୀଭୂତ କରିପାରିବ । ପରିବେଶ ପରିବର୍ତ୍ତନ ଜନିତ ସମସ୍ୟା ମଧ୍ୟ ଏହା ସମାଧାନ କରିପାରିବ ।
ବନ୍ଧୁଗଣ,
ପୃଥିବୀରେ ଅନେକ ପ୍ରକାର ଭାଷା ରହିଛି । ଭାରତରେ ଅନେକ ଭାଷା ଓ ଲିପି ରହିଛି । ଏହି ବିବିଧତା ହିଁ ଆମ ସମାଜକୁ ଉନ୍ନତ କରିଛି । ଏଆଇ ବ୍ୟବହାର କରି ଭାଷାର ପ୍ରତିବନ୍ଧକ ଦୂରେଇବାକୁ ପ୍ରଫେସର ରାଜ ରେଡ୍ଡି ପରାମର୍ଶ ଦେଇଛନ୍ତି । ଏଆଇ ମାଧ୍ୟମରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କର ସରଳ ଓ ସଫଳତାର ସହ ସଶକ୍ତିକରଣ ସମ୍ପର୍କରେ ଆସନ୍ତୁ ଚିନ୍ତା କରିବା ।
ବନ୍ଧୁଗଣ,
ଜ୍ଞାନ ବାଣ୍ଟିବାରେ ଆମେ ଏଆଇ କାହିଁକି ବ୍ୟବହାର କରିପାରିବା ନାହିଁ ? ଜ୍ଞାନ, ସୂଚନା ଓ କୌଶଳକୁ ସହଜଲଭ୍ୟ କରି ସଶକ୍ତିକରଣ ହାସଲ କରା ଯାଇପାରିବ ।
ବନ୍ଧୁଗଣ,
ଏଆଇର କିପରି ବ୍ୟବହାର ହେଉଛି ତାହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଏହି ବିଶ୍ୱାସ ସ୍ଥାପନ ପାଇଁ ଆଲଗୋରିଦିମ ସ୍ୱଚ୍ଛତାର ପ୍ରମୁଖ ଭୂମିକା ରହିଛି । ଉତ୍ତରଦାୟିତ୍ୱ ମଧ୍ୟ ସମ ଗୁରୁତ୍ୱପୂର୍ଣ୍ଣ । ବେସରକାରୀ ହିତଧାରକଙ୍କ ଦ୍ୱାରା ଏଆଇ ଆୟୁଧ କବଳରୁ ବିଶ୍ୱକୁ ରକ୍ଷା କରିବାକୁ ପଡିବ ।
ବନ୍ଧୁଗଣ,
ଆମେ ଯେତେବେଳେ ଏଆଇ ସମ୍ପର୍କରେ ଆଲୋଚନା କରୁଛେ, ସେତେବେଳେ ଆମ ମନରେ ମାନବୀୟ ସୃଜନଶୀଳତା ଓ ମାନବୀୟ ଭାବନା ସମ୍ପର୍କରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ ନୁହେଁ । ଏସବୁ ଆମର ସବୁଠାରୁ ବଡ ଶକ୍ତି । ଏହି ନିଆରା ଗୁଣ ଯୋଗୁଁ ହିଁ ଆମେ ମେସିନ ତୁଳନାରେ ଆଗୁଆ । ଆମର ବୁଦ୍ଧିମତା ଓ ସହାନୁଭୂତି ବିନା ସବୁଠାରୁ ସ୍ମାର୍ଟ ଏଆଇ ମାନବଜାତିର ସମସ୍ୟା ସମାଧାନ କରିପାରିବ ନାହିଁ । ମେସିନ ଉପରେ ବୌଦ୍ଧିକ ନିୟନ୍ତ୍ରଣ କିପରି ରଖିବା ତାହା ଆମକୁ ଭାବିବାକୁ ହେବ । ଏଆଇ ଠାରୁ ମାନବୀୟ ବୁଦ୍ଧିମତା କେଇ ପାଦ ଆଗରେ ବୋଲି ଆମକୁ ସୁନିଶ୍ଚିତ କରିବାକୁ ହେବ । ମାନବୀୟ ଦକ୍ଷତା ବୃଦ୍ଧିରେ କିପରି ଏଆଇ ସାହାଯ୍ୟ କରିବ ତାହା ଆମକୁ ଭାବିବାକୁ ହେବ । ମୁଁ ପୁଣି ଥରେ କହିବାକୁ ଚାହୁଁଛି- ଏଆଇ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଥିବା ନିଆରା ଦକ୍ଷତାକୁ ଲୋକଲୋଚନକୁ ଆଣିପାରିବ । ପ୍ରଭାବଶାଳୀ ଢଙ୍ଗରେ ସମାଜକୁ ଅବଦାନ ଦେବାରେ ସେମାନଙ୍କୁ ସଶକ୍ତ କରିବ ।
ବନ୍ଧୁଗଣ,
ଆରଏଆଇଏସଇ 2020ରେ ଆମେ ବିଶ୍ୱର ଅଗ୍ରଣୀ ହିତଧାରକମାନଙ୍କ ପାଇଁ ବିଶ୍ୱସ୍ତରୀୟ ମଂଚ ସୃଷ୍ଟି କରିଛୁ । ଆସନ୍ତୁ ଆମେମାନେ ଚିନ୍ତାଧାରା ଆଦାନପ୍ରଦାନ କରିବା କୃତ୍ରିମ ବୁଦ୍ଧିମତା ଆପଣାଇବାକୁ ଏକ ସଂଯୁକ୍ତ ରୋଡ ମ୍ୟାପ ପ୍ରସ୍ତୁତ କରିବା । ସମସ୍ତେ ଏକାଠି ହୋଇ କାମ କରିବା ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆଗେଇ ଆସିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ଏହି ବିଶ୍ୱସ୍ତରୀୟ ସମ୍ମିଳନୀର ସଫଳତା କାମନା କରୁଛି । ଆଗାମୀ ଚାରି ଦିନରେ ହେବାକୁ ଥିବା ଆଲୋଚନା ଉତ୍ତରଦାୟୀ ଏଆଇ ପାଇଁ ଏକ କାର୍ଯ୍ୟକ୍ଷମ ରୋଡ ମ୍ୟାପ ପ୍ରସ୍ତୁତିରେ ସାହାଯ୍ୟ କରିବା ନେଇ ମୁଁ ଆଶାବାଦୀ । ଏହି ରୋଡମ୍ୟାପ ସାରା ବିଶ୍ୱର ଲୋକଙ୍କ ଜୀବନ ଓ ଜୀବିକାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାରେ ଏହା ସାହାଯ୍ୟ କରିବ । ଆପଣମାନଙ୍କୁ ମୋର ଶୁଭେଚ୍ଛା ।
ଧନ୍ୟବାଦ, ଅଶେଷ ଧନ୍ୟବାଦ ।
***************
(Release ID: 1662092)
Visitor Counter : 271
Read this release in:
Kannada
,
Manipuri
,
Assamese
,
Punjabi
,
Gujarati
,
Marathi
,
English
,
Urdu
,
Hindi
,
Bengali
,
Tamil
,
Telugu
,
Malayalam