ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏକ କୋଟିରୁ ଅଧିକ ଯାତ୍ରୀ କରିଛନ୍ତି ବିମାନ ଯାତ୍ରା
● 25 ମଇ 2020 ଠାରୁ ଏକ ଲକ୍ଷରୁ ଅଧିକ ଘରୋଇ ବିମାନର ହୋଇଛି ଚଳାଚଳ
● ଗୋଟିଏ ଦିନରେ ବିମାନ ଯୋଗେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା 1,19,702କୁ ବୃଦ୍ଧି
ପୋଷ୍ଟ କରାଯିବା ଦିନାଙ୍କ:
25 SEP 2020 4:08PM by PIB Bhubaneshwar
25 ମେ 2020ରୁ ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରେ ସମୁଦାୟ 1,08,210 ବିମାନ ଚଳାଚଳ କରିଛି ଯେଉଁଥିରେ ଏକ କୋଟିରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଯାତ୍ରା କରିଛନ୍ତି ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଘରୋଇ ବିମାନ ସେବା ବର୍ତ୍ତମାନ କ୍ରମଶଃ କୋଭିଡ-19 ପୂର୍ବ ସ୍ଥିତିକୁ ଫେରୁଛି । ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ ଦିଗରେ ଏହି ପ୍ରମୁଖ ସଫଳତା ହାସଲ କରିଥିବାରୁ ସେ ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପୁରୀ କହିଛନ୍ତି ଯେ, ସେପ୍ଟେମ୍ବର 24, 2020ରେ ଗୋଟିଏ ଦିନରେ ଘରୋଇ ବିମାନରେ ମୋଟ ଯାତ୍ରୀଙ୍କ ସଂଖ୍ୟା 1,19,702 ଏବଂ ଫେରସ୍ତ ଯାତ୍ରୀଙ୍କ ସଂଖ୍ୟା 1,21,126 ଥିଲା । ସେ ଆହୁରି କହିଥିଲେ ଯେ, ଏହି ସମୟ ମଧ୍ୟରେ ସମୁଦାୟ ପ୍ରସ୍ଥାନ ବିମାନ ସଂଖ୍ୟା 1393 ଥିବାବେଳେ ଆଗମନ ବିମାନ ସଂଖ୍ୟା 1394 ଥିଲା । ଏହା ସହିତ ଗୋଟିଏ ଦିନରେ ମୋଟ 2787 ବିମାନ ଚଳାଚଳ କରିଥିଲା । ଏଥିସହ ଦେଶର ବିଭିନ୍ନ ବିମାନବନ୍ଦରକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଦିନକୁ 2,40,828 ରହିଥିଲା ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି 25 ମାର୍ଚ୍ଚ 2020ରୁ ଘରୋଇ ବିମାନ ସମ୍ପୂର୍ଣ୍ଣ ରୂପେ ସ୍ଥଗିତ ରହିଥିଲା । ଦୁଇ ମାସ ପରେ ଅର୍ଥାତ 25 ମଇ 2020 ଠାରୁ ଏଗୁଡିକ ପୁନଃ ଚଳାଚଳ କରିଥିଲା ।
**********
(ରିଲିଜ ଆଡି: 1659177)
ପରିଦର୍ଶକ କାଉଣ୍ଟର : 236