ରାଷ୍ଟ୍ରପତିଙ୍କ ସଚିବାଳୟ

ଜାତୀୟ ଶିକ୍ଷାନୀତି ଭାରତକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତା ପୂରଣ ଦିଗରେ ଆଗେଇ ନେବ

• ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ
• ଜାତୀୟ ଶିକ୍ଷାନୀତି 2020 ଉପରେ ଅନୁଷ୍ଠିତ ରାଜ୍ୟପାଳମାନଙ୍କ ସମ୍ମିଳନୀ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍‌ଘାଟିତ

Posted On: 07 SEP 2020 2:15PM by PIB Bhubaneshwar

ନୂତନ ଶିକ୍ଷାନୀତି 2020 ଉପରେ ଆଜି (ସେପ୍ଟେମ୍ବର 7) ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି । ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ନୂଆ ଶିକ୍ଷାନୀତିକୁ ସରକାରୀ ବ୍ୟବସ୍ଥା ମଧ୍ୟରେ ସୀମିତ କରିବା ଠିକ୍‌ ହେବନାହିଁ । ସେ କହିଛନ୍ତି ବୈଦେଶିକ ଅଥବା ପ୍ରତିରକ୍ଷା ନୀତି ଭଳି ଶିକ୍ଷାନୀତି ସରକାର ନିର୍ବିଶେଷରେ ସମଗ୍ର ଦେଶର ନଥି ଓ ନୀତି ।ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଗତ ଭାଷଣରେ ଏହା କହିବା ସହ ଆଲୋଚନାର ଶୁଭାରମ୍ଭ କରିଥିଲେ ।

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ମତ ସହ ଏକମତ ହୋଇଥିଲେ । ସେ କହିଥିଲେ ଯେ ଯେଉଁ ଢଙ୍ଗରେ ନୂଆ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ତାହା ପ୍ରଶଂସାଯୋଗ୍ୟ । ସମାଜର ବିଭିନ୍ନ ବର୍ଗରୁ ଲକ୍ଷ ଲକ୍ଷ ମତାମତ ଓ ପ୍ରସ୍ତାବ ସଂଗ୍ରହ କରାଯାଇ ଏହାକୁ ଏକ ସୁସମନ୍ୱିତ ଓ ସଫଳ ନଥିରେ ପରିଣତ କରାଯାଇଛି । ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନୀତି ନିର୍ଦ୍ଧାରଣର ନେତୃତ୍ୱ ନେଉଛନ୍ତି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ । ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି । ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି । ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ । ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ନୀତି କେବଳ ଶିକ୍ଷା ସଂକ୍ରାନ୍ତ ନୁହେଁ, ଏହା ମଧ୍ୟ ଭାରତକୁ ଏକବିଂଶ ଶତାବ୍ଦୀର ନୂଆ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରିବ । ଏହା ଭାରତକୁ ଆତ୍ମନିର୍ଭର ଭାରତ ନୀତିରେ ଆତ୍ମନିର୍ଭରଶୀଳ କରିବ । ତେଣୁ ଏହାକୁ ସଫଳ କରିବା ପାଇଁ ପ୍ରଥମରୁ ଏହି ନୀତି ସଂକ୍ରାନ୍ତ ସମସ୍ତ ସନ୍ଦେହ ଓ ପ୍ରଶ୍ନବାଚୀ ସ୍ପଷ୍ଟ ହୋଇଯିବାର ଆବଶ୍ୟକତା ରହିଛି ।

ନୂଆ ଶିକ୍ଷାନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଗବେଷଣା ଉପରେ ଜୋର୍‌ ଦେଇଛି । କେବଳ ପୋଥିବିଦ୍ୟାରେ ସୀମିତ ନରହି ଗବେଷଣା, ଧନ୍ଦାମୂଳକ ଓ ବାସ୍ତବ ଶିକ୍ଷାର ଯଥାର୍ଥତାକୁ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି । ଆଗରୁ ଯେଉଁ ଶିକ୍ଷାନୀତି ପ୍ରଚଳିତ ଥିଲା ତାହା ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଏବଂ ବାଧ୍ୟତାମୂଳକ ଥିଲା । ନୂଆ ଶିକ୍ଷାନୀତିରେ ସେହି ପାରମ୍ପରିକତାକୁ ପରିହାର କରାଯାଇଛି ଏବଂ ଏହା ଏକ ଅସାଧାରଣ ଉଦ୍ୟମ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଛନ୍ତି ଯେ ଶିକ୍ଷା ସହିତ ସଂସ୍କୃତି, ଭାଷା ଓ ପରମ୍ପରାକୁ ସମନ୍ୱିତ କରିବା ନିତାନ୍ତ ଜରୁରୀ । ଏହାଦ୍ୱାରା ପିଲାମାନେ ଏହାକୁ ସମନ୍ୱିତଭାବେ ଗ୍ରହଣ କରିପାରିବେ । ଏହି ବିଷୟଟି ଶିକ୍ଷାନୀତିରେ ଗୁରୁତ୍ୱ ପାଇଛି । ଏବେ ଛାତଛାତ୍ରୀମାନେ ସାମାଜିକ ଚାପରୁ ବାଧ୍ୟହୋଇ ନିଜ ପସନ୍ଦର ବିଷୟ ପଢିପାରୁ ନ ଥିଲେ । ବାଧ୍ୟବଧକତାରେ ସେମାନେ ନିଜର ପସନ୍ଦ ନ ଥିବା ବିଷୟ ପଢୁଥିଲେ । ନୂଆ ଶିକ୍ଷାନୀତିରେ ସେ ବ୍ୟବସ୍ଥାର ଅବସାନ ଘଟିଛି । ଏଣିକି ଛାତ୍ରଛାତ୍ରୀ ନିଜ ମନପସନ୍ଦର ଯେକୌଣସି ବିଷୟ ପଢିବାର ସୁଯୋଗ ପାଇବେ । ଏହି ଲକ୍ଷ୍ୟରେ ଧନ୍ଦାମୂଳକ ଶିକ୍ଷା ସେମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହାଦ୍ୱାରା ଭବିଷ୍ୟତରେ ସେମାନେ ନିଯୁକ୍ତି ପାଇବାର ଯୋଗ୍ୟତା ଓ କୌଶଳ ଶିଖିପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ଜ୍ଞାନର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏଥିପାଇଁ ସର୍ବଶ୍ରେଷ୍ଠ ଆନ୍ତର୍ଜାତିକ ଅନୁଷ୍ଠାନ ଭାରତରେ ପ୍ରତିଷ୍ଠା କରାଯିବ । ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥିବା ଗୋଷ୍ଠୀଙ୍କ ପାଇଁ ଶିକ୍ଷାଲାଭର ସୁଯୋଗ ସୃଷ୍ଟି କରିବା ନିମନ୍ତେ ଟେକ୍ନୋଲଜି ଦ୍ୱାରା ସମାଧାନର ସୂତ୍ର ବାହାର କରିବାର ଆବଶ୍ୟକତା ରହିଛି । ସେହିଭଳି ସାଧାରଣ ଲୋକଙ୍କୁ ସୁଲଭ ଓ ସହଜ ଶୈକ୍ଷିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ନୂଆ ଶିକ୍ଷାନୀତିରେ ଅଗ୍ରାଧିକାର ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାଗୁଡିକୁ ସରଳ ଏବଂ ସୁସଂହତ କରାଯାଇଛି । ବାସ୍ତବରେ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ବାତାବରଣର ସୃଷ୍ଟି ପାଇଁ ପର୍ଯ୍ୟାୟକ୍ରମିକ ସ୍ୱୟଂଶାସନ ପ୍ରଦାନ ନୀତି ପ୍ରବର୍ତ୍ତନ କରିବାର ବ୍ୟବସ୍ଥା ରହିଛି । ଏହାଦ୍ୱାରା ଶିକ୍ଷାନୁଷ୍ଠାନଗୁଡିକ ଉତ୍ତମମାନର ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଅନୁପ୍ରାଣିତ ହେବେ । ସେ ଆହୁରି କହିଛନ୍ତି ଯେ ସେପ୍ଟେମ୍ବର 25 ପୂର୍ବରୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଯେତେ ସମ୍ଭବ ସେତେ ଅଧିକ ଏଭଳି ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରି ଏହି ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହେବା ଉଚିତ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ପଟରୁ ଯେତେବେଳେ ସର୍ବାଧିକ ନମନୀୟତା ପ୍ରଦର୍ଶନ କରିବା ସେତେବେଳେ ଯାଇ ଏହି ନୂଆ ଶିକ୍ଷାନୀତି ବିଶେଷ ଫଳ ଦେଇପାରିବ । ଏହି ନୀତି ସମଗ୍ର ଦେଶର ଏବଂ କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ ବୋଲି ସେ ଗୁରୁତ୍ୱର ସହ କହିଛନ୍ତି । ଏହି ନୀତି ଲୋକଙ୍କ ଆଶା ଆକାଂକ୍ଷାର ଫଳ ବୋଲି ସେ ଦୃଢତାର ସହ ମତ ଦେଇଛନ୍ତି  । ତେଣୁ ନୂଆ ଶିକ୍ଷାନୀତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍‌କ୍ଷା ପୂରଣ ଦିଗରେ ଆଗେଇ ନେବ । ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ. କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି । ରାଷ୍ଟ୍ରପତି କହିଛନ୍ତି ଯେ ଦେଶର 2.5 ଲକ୍ଷ ଗ୍ରାମପଞ୍ଚାୟତ, 12,500ରୁ ଅଧିକ ପୌରସଂସ୍ଥା ଏବଂ ପ୍ରାୟ 675 ଜିଲାରୁ ଯେଉଁସବୁ ପ୍ରସ୍ତାବମାନ ଆସିଥିଲା ତାହାକୁ ବିଚାରକୁ ନିଆଯାଇଛି । ସେ କହିଛନ୍ତି ଯେ ଯଦି ପରିବର୍ତ୍ତନଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଏ, ତାହାହେଲେ ଭାରତ ଏକ ଶିକ୍ଷା ମହାଶକ୍ତିରେ ପରିଣତ ହେବ ।

ନୂଆ ଶିକ୍ଷାନୀତି ବିଷୟରେ ବିସ୍ତାରିତଭାବେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳମାନେ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇଥିବାରୁ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଦେଶରେ ଏବେ ପ୍ରାୟ 400 ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏସବୁ ସହ ପ୍ରାୟ 40 ହଜାର କଲେଜ ସହବନ୍ଧିତ । ତେଣୁ  ଏସବୁ ବିଶ୍ୱବିଦ୍ୟାଳୟ ସହ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଏବଂ ସମନ୍ୱୟ ରଖିବା ଏକାନ୍ତ ଅପରିହାର୍ଯ୍ୟ । ରାଜ୍ୟପାଳମାନେ କୁଳାଧିପତି ହୋଇଥିବାରୁ ଏ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିପାରିବେ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି ।

ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା ସାମାଜିକ ନ୍ୟାୟର ସବୁଠୁ ସଫଳ ମାର୍ଗ । ସେଥିପାଇଁ ଜାତୀୟ ଶିକ୍ଷାନୀତିରେ ଶିକ୍ଷା ବାବଦ ବ୍ୟୟକୁ ଜିଡିପିର 6 ଶତାଂଶ କରିବା ପାଇଁ ଉଲ୍ଲେଖ କରାଯାଇଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଅର୍ଥ ନିବେଶ କରିବାକୁ ପଡିବ । ନୂଆ ଶିକ୍ଷାନୀତି ଏକ ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି ପାଇଁ ସରକାରୀ ଶିକ୍ଷା ପ୍ରତିଷ୍ଠାନଗୁଡିକୁ ଦୃଢୀଭୂତ କରିବା ନିମନ୍ତେ ଗୁରୁତ୍ୱ ଦେଇଛି । ଏହାଛଡା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ଅଧିକାର, କର୍ତ୍ତବ୍ୟ, ସାମ୍ବିଧାନିକ ମୂଲ୍ୟବୋଧ ଓ ଦେଶାତ୍ମବୋଧ ସୃଷ୍ଟି ପାଇଁ  ଏଥିରେ ବ୍ୟବସ୍ଥା ରହିଛି ।

ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରେ 2025 ସୁଦ୍ଧା ପ୍ରାଥମିକ ଶ୍ରେଣୀସ୍ତରରେ ସମସ୍ତଙ୍କୁ ମୌଳିକ ସାକ୍ଷରତା ଏବଂ ସର୍ବନିମ୍ନ ଗଣିତ ଦକ୍ଷତା ନିଶ୍ଚିତ କରିବାର ପ୍ରୟାସ କରାଯାଇଛି ।

ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ । ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ । ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ ।

ଧନ୍ଦାମୂଳକ ଶିକ୍ଷା ସଂପର୍କରେ ଉଲ୍ଲେଖକରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଶ୍ରମଶକ୍ତିର ପାଞ୍ଚ ଭାଗରୁ କମ୍‌ ଲୋକ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି । ପାଶ୍ଚାତ୍ୟ ଦେଶଗୁଡିକରେ ଦିଆଯାଉଥିବା ଧନ୍ଦାମୂଳକ ଶିକ୍ଷା ତୁଳନାରେ ଏହା ନଗଣ୍ୟ । ତେଣୁ ନୂଆ ଶିକ୍ଷାନୀତିର ଧନ୍ଦାମୂଳକ ଶିକ୍ଷା ଏବେ ପ୍ରମୁଖ ଧାରାର ଶିକ୍ଷାର ଏକ ଅଂଶଭାବେ ବିବେଚିତ ହେବ ଏବଂ ଏହାକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯିବ । ଏହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ କୁଶଳୀ ହେବାସହ ସେମାନଙ୍କ ମଧ୍ୟରେ ଶ୍ରମ ପ୍ରତି ମର୍ଯ୍ୟାଦା ଓ ସମ୍ମାନ ସୃଷ୍ଟି ହେବ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି । ତେଣୁ ତାହାକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି । ଏହା ଫଳରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ଲାଭ ମିଳିବ ଏବଂ ଏହା ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ ।

ରାଷ୍ଟ୍ରପତି କହିଛନ୍ତି ଯେ ଉନ୍ନତମାନର ଶିକ୍ଷା ଲକ୍ଷ୍ୟ ହାସଲ ପାଇଁ ବହୁବିଷୟକ ଶିକ୍ଷା ଏବେ ବିଶ୍ୱବ୍ୟାପୀ ଆଦୃତ ହେଉଛି । ସେଥିପାଇଁ ନୂଆ ଶିକ୍ଷାନୀତିରେ ବହୁବିଷୟକ ଗବେଷଣା ବିଶ୍ୱବିଦ୍ୟାଳୟ ସମୂହ ବା ମଲ୍‌ଟି ଡିସ୍‌ପ୍ଲିନାରୀ ରିସର୍ଚ୍ଚ ୟୁନିର୍ଭସିଟିଜ (ମେରୁ) ଗଠନ କରାଯିବ । ଏହା ଶିକ୍ଷିତ, ସୃଜନାତ୍ମକ ଓ ପାରଙ୍ଗମ ଯୁବ ଶକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରିବ । ସେ କହିଛନ୍ତି ଯେ ଗୋଟିଏ ବୃହତ୍‌ ମଲ୍‌ଟି ଡିସିପ୍ଲିନାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲା କିମ୍ବା ତାହାର ଆଖପାଖରେ 2030 ସୁଦ୍ଧା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି । ଏ ସବୁ ଶିକ୍ଷାନୁଷ୍ଠାନ ଶିକ୍ଷା ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ପ୍ରତିଷ୍ଠା କରାଯିବ । ନୂଆ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି । ଏହା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉତ୍ତମମାନର ଉଚ୍ଚଶିକ୍ଷା ପାଇବାର ସୁଯୋଗ ଲାଭ କରିବେ । ଏହାଛଡା ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଉଛି । ସେଥିପାଇଁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟ ସମୂହକୁ ଭାରତରେ ଶିକ୍ଷାଦାନ କରିବା ପାଇଁ ଅନୁମତି ଦିଆଯିବ ।

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଶିକ୍ଷାନୀତିର ସଫଳତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯଥାର୍ଥ ଅବଦାନ ଉପରେ ନିର୍ଭର କରେ । ଶିକ୍ଷା ସମ୍ବିଧାନର ଯୁଗ୍ମ ତାଲିକାର ବିଷୟବସ୍ତୁ ହୋଇଥିବାରୁ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ଦାୟିତ୍ୱ ରହିଛି । ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ । ରାଜ୍ୟପାଳମାନଙ୍କର ଆଗ୍ରହକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ନୂଆ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେମାନେ ନିଜ ନିଜର ଶିକ୍ଷାମନ୍ତ୍ରୀ ଓ କୁଳପତିମାନଙ୍କ ସହ କଥାବାର୍ତ୍ତା କଲେଣି । ଏହାକୁ ସେ ସ୍ୱାଗତ କରିବା ସହ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ ଏକ ବିଷୟଭିତ୍ତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ମଧ୍ୟ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳବୃନ୍ଦ ଓ ଶିକ୍ଷାମନ୍ତ୍ରୀଗଣଙ୍କ ଅବଦାନ ଫଳରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହୋଇପାରିବ ଏବଂ ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିପାରିବା ଘେନି ସେ ଆଶାବାଦୀ ।

 

**********

 



(Release ID: 1652103) Visitor Counter : 273