ପ୍ରତିରକ୍ଷା ମନ୍ତ୍ରଣାଳୟ

ମେକ୍‌ ଇନ୍‌ ଇଣ୍ଡିଆକୁ ପ୍ରୋତ୍ସାହନ; ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର 2580 କୋଟି ଟଙ୍କାର ଚୁକ୍ତି

Posted On: 31 AUG 2020 6:08PM by PIB Bhubaneshwar

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଆଜି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି ।  ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା ପାୱାର କଂପାନୀ ଲିମିଟେଡ଼, ଲାର୍ସନ ଆଣ୍ଡ ଟୁବ୍ରୋ ସଂସ୍ଥା ସହ 2580 କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି । ଏହି 3ଟି କଂପାନୀ ଭାରତୀୟ ସେନାର ଆର୍ଟିଲାରି ରେଜିମେଣ୍ଟ ନିମନ୍ତେ 6ଟି ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ବା ରେଜିମେଣ୍ଟ ଯୋଗାଇବ । ଏହି ରେଜିମେଣ୍ଟ ମଧ୍ୟରେ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଉପକରଣ ଆଦି ଅନ୍ତର୍ଭୁକ୍ତ । ଏହି 6ଟି ପିନାକ ରେଜିମେଣ୍ଟରେ 114ଟି ଲଞ୍ଚର, ସ୍ୱୟଂକ୍ରିୟ ଲକ୍ଷ୍ୟଭେଦୀ କମାଣ ବା ଏଜିଏପିଏସ୍‌, ୪୫ଟି କମାଣ୍ଡ ପୋଷ୍ଟ ଅନ୍ତର୍ଭୁକ୍ତ । ଟାଟା ପାୱାର କଂପାନୀ ଓ ଲାର୍ସନ ଆଣ୍ଡ ଟୁବ୍ରୋଠାରୁ ମୁଖ୍ୟତଃ ଏହି ରେଜିମେଣ୍ଟ କିଣାଯିବ । ସେହିଭଳି ଭାରତ ଆର୍ଥମୁଭର୍ସ ସେନାକୁ 330ଟି ଭାରୀଯାନ ବିକ୍ରି କରିବ । ଏହି 6ଟି ପିନାକ ରେଜିମେଣ୍ଟକୁ ଦେଶର ଉତ୍ତର ଓ ପୂର୍ବାଞ୍ଚଳ ସୀମାନ୍ତରେ ମୁତୟନ କରାଯିବ । ଏହାଫଳରେ ସେନାର ଲଢେଇ ଦକ୍ଷତା ଓ ପ୍ରସ୍ତୁତି ବୃଦ୍ଧି ପାଇବ । ଏହି 6ଟି ପିନାକ ରେଜିମେଣ୍ଟ 2024 ସୁଦ୍ଧା ହାସଲ କରିବାକୁ ଭାରତୀୟ ସେନା ଲକ୍ଷ୍ୟ ରଖିଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (ଡିଆରଡିଓ)ର ଡିଜାଇନ୍‌ ଏବଂ ଜ୍ଞାନକୌଶଳ ଅନୁସାରେ ଏହି ସଂସ୍ଥାଗୁଡିକ ପିନାକ କ୍ଷେପଣାସ୍ତ୍ର ବ୍ୟବସ୍ଥା ନିର୍ମାଣ କରିବେ ।

ଏହି କ୍ରୟ ଯୋଜନାରେ ହୋଇଥିବା ଚୁକ୍ତି ଅନୁସାରେ ସଂପୃକ୍ତ ପିନାକ ରେଜିମେଣ୍ଟଗୁଡିକ 70 ଶତାଂଶ ଦେଶୀ କାରିଗରୀ ଜ୍ଞାନକୌଶଳରେ ନିର୍ମିତ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅନୁମୋଦନ କରିଛନ୍ତି ।

ପିନାକ ବହୁମୁଖୀ ଲଞ୍ଚ ରକେଟ ସିଷ୍ଟମ୍‌ ବା ଏମ୍‌ଏଲ୍‌ଆରଏସ୍‌ ଡିଆରଡିଓ ଦ୍ୱାରା ଦେଶୀ କାରିଗରୀ ନକ୍ସା ଓ ଜ୍ଞାନକୌଶଳରେ ନିର୍ମିତ ହୋଇ ଉପର 3ଟି ସଂସ୍ଥା ଦ୍ୱାରା ଉତ୍ପାଦିତ ହେବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଭାରତ ଯେଉଁ ନିଷ୍ପତ୍ତି ନେଇଛି ତଦନୁସାରେ ପ୍ରଥମ ଥର ପାଇଁ ଘରୋଇ-ସରକାରୀ ସହଭାଗିତାରେ  ଦେଶ ଭିତରେ ଏହି କ୍ଷେପଣାସ୍ତ୍ର ଉତ୍ପାଦିତ ହେବ ।

 

**********

 

 

 



(Release ID: 1650169) Visitor Counter : 179