ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଭାରତକୁ ଏକ ମ୍ୟାନୁଫ୍ୟାକ୍‌ଚରିଂ ହବ୍‌ରେ ପରିଣତ କରିବା ପାଇଁ କୁଶଳୀ ଲୋକଶକ୍ତି ଅପରିହାର୍ଯ୍ୟ: ମନ୍ତ୍ରୀ ଶ୍ରୀ ଗଡ଼କରୀ

• ଭିୱାଡ଼ିରେ ଶ୍ରୀ ଗଡ଼କରୀଙ୍କ ଦ୍ୱାରା ଟେକ୍ନୋଲଜି ସେଣ୍ଟର ଉଦ୍‌ଘାଟିତ; ଆଉ ଏଭଳି 15ଟି ନୂଆ କେନ୍ଦ୍ର ପ୍ରତିଷ୍ଠା ହେବ

Posted On: 31 AUG 2020 3:37PM by PIB Bhubaneshwar

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ତଥା ସଡ଼କ ପରିବହନ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ରାଜସ୍ଥାନର ଅଲୱାର ଜିଲା ଅନ୍ତର୍ଗତ ଭିୱାଡ଼ିଠାରେ ଏକ ଟେକ୍ନୋଲଜି ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି । ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହାକୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ଯେ ଦେଶର ଜିଡିପିକୁ ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗର ଅବଦାନ ପ୍ରାୟ 22ରୁ 24 ଶତାଂଶ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନ ଆହ୍ୱାନ ପରିପ୍ରେକ୍ଷୀରେ ଆମେ ଆଉ 15ଟି ନୂଆ ଟେକ୍ନୋଲଜି ସେଣ୍ଟର ପ୍ରତିଷ୍ଠା କରିବା ସହ 18ଟି ପୁରୁଣା ଟେକ୍ନୋଲଜି କେନ୍ଦ୍ରର ଉନ୍ନତୀକରଣ କରୁଛୁ । କୁଶଳୀ ଲୋକଶକ୍ତି ସୃଷ୍ଟି କରିବାରେ ଏସବୁ କେନ୍ଦ୍ରର ଜରୁରୀ ଆବଶ୍ୟକତା ରହିଛି । ଭାରତକୁ ଏକ ମ୍ୟାନୁଫ୍ୟାକ୍‌ଚରିଂ ହବ୍‌ରେ ପରିଣତ କରିବାକୁ ହେଲେ ଦକ୍ଷ ଓ କୁଶଳୀ ଲୋକଶକ୍ତିର ଆବଶ୍ୟକତା ଅପରିହାର୍ଯ୍ୟ ।

ଶ୍ରୀ ଗଡକରୀ ଆହୁରି କହିଛନ୍ତି ଯେ ଟେକ୍ନୋଲଜି ସେଣ୍ଟରଗୁଡିକ କୁଶଳ ବିକାଶ କ୍ଷେତ୍ରରେ ଏକ ଅଣୁଘଟକର ଭୂମିକା ନିର୍ବାହ କରିବ । ଏସବୁ କେନ୍ଦ୍ରକୁ ଆମେ ଋଣ ଯୋଗାଇ ଦେବାକୁ ଚିନ୍ତା କରୁଛୁ । ଏହାଦ୍ୱାରା ସେମାନେ ସ୍ଥାନୀୟ ଶିଳ୍ପସଂସ୍ଥାଙ୍କ ଆବଶ୍ୟକତା ପୂରଣ ପାଇଁ ନୂଆ ଯନ୍ତ୍ରପାତି ଓ ଟେକ୍ନୋଲଜି କିଣିପାରିବେ । ଏସବୁ ଟେକ୍ନୋଲଜି ସେଣ୍ଟରଗୁଡିକର ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଚାଲିଛି । ଏହି ସଂପ୍ରସାରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାରମାନେ ଜମି ଓ ଅନ୍ୟାନ୍ୟ ସାମଗ୍ରୀଗତ ସହାୟତା ଯୋଗାଇ ଦେବାପାଇଁ ସେ ନିବେଦନ କରିଛନ୍ତି । ଏହିସବୁ ସଂପ୍ରସାରିତ କେନ୍ଦ୍ର ସଂପୃକ୍ତ ଅଞ୍ଚଳରେ ଥିବା ନୂଆ ଓ ପୁରୁଣା ଶିଳ୍ପସଂସ୍ଥାଗୁଡିକର ଆବଶ୍ୟକତା ପୂରଣ କରିପାରିବ ।  ସେ ଆହୁର କହିଛନ୍ତି ଯେ ଏବେ କାର୍ଯ୍ୟ କରୁଥିବା ପଲିଟେକ୍‌ନିକ, ଆଇଟିଆଇ ଓ ଇଂଜିନିୟରିଂ କଲେଜଗୁଡିକୁ ଯୁବକମାନଙ୍କ କୁଶଳ ବିକାଶ କାର୍ଯ୍ୟ ପାଇଁ ବର୍ତ୍ତମାନ ସ୍ଥିତିରେ ବିନିଯୋଗ କରାଯାଇପାରେ । ଏଥିପାଇଁ ଶିଳ୍ପସଂସ୍ଥାମାନେ ସହାୟତା ଯୋଗାଇ ଦେବାପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

ଏଥିରେ ଉଦ୍‌ବୋଧନ ଦେଇ ଏମ୍‌ଏସ୍‌ଏମ୍‌ଇ, କୃଷି ପଶୁସଂପଦ, ଦୁଗ୍ଧ ଓ ମତ୍ସ୍ୟସଂପଦ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଏହି ଟେକ୍ନୋଲଜି ସେଣ୍ଟର ପ୍ରତିଷ୍ଠା ପାଇଁ ଭିୱାଡି ଏବଂ ରାଜସ୍ଥାନର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି କେନ୍ଦ୍ର ସଂପୃକ୍ତ ଅଞ୍ଚଳର ବିକାଶରେ ଏକ ମାଇଲଖୁଣ୍ଟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଦେଶ ଆର୍ଥିକ ସଂକଟର ସମ୍ମୁଖୀନ । ଏଭଳି ସ୍ଥିତିରେ ଏସବୁ କେନ୍ଦ୍ର ଉତ୍ପାଦନ ବୃଦ୍ଧି, ବେକାରୀ ହ୍ରାସ କରିବା ସହ ଆତ୍ମନିର୍ଭର ଭାରତ ଗଠନର ସ୍ୱପ୍ନ ସାକାର କରିବାରେ ସହାୟକ ହୋଇପାରିବ । ଦେଶର ଯୁବ ସମାଜ ନିଜର ଦକ୍ଷତା ଓ କୁଶଳତାକୁ ବଢାଇ ଉଦ୍ୟୋଗ ପାଇଁ ନିଜକୁ ପ୍ରସ୍ତୁତ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ଅଭିନବ ଭାରତ ଆହ୍ୱାନକୁ ସାକାର କରିବା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି ।

ମନ୍ତ୍ରଣାଳୟର ସଚିବ ଶ୍ରୀ ଏ.କେ. ଶର୍ମା କହିଛନ୍ତି ଯେ ନୂଆକରି ପ୍ରତିଷ୍ଠା ହେବାକୁ ଥିବା ଟେକ୍ନୋଲଜି ସେଣ୍ଟରଗୁଡିକ ମୁଖ୍ୟତଃ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗକୁ ସହାୟତା ଯୋଗାଇବ । ଜେନେରାଲ ଇଂଜିନିୟରିଂ, ଅଟୋମୋଟିଭ, ଫ୍ରାଗ୍ରାନ୍ସ ଓ ଫ୍ଲାବର ତଥା ଇଏସ୍‌ଡିଏମ୍‌ ଆଦି କ୍ଷେତ୍ରରେ ଏହି କେନ୍ଦ୍ରଗୁଡିକ ବିଶେଷ ସହାୟତା ଯୋଗାଇଦେବ । ଏହିସବୁ କେନ୍ଦ୍ରରେ ବିଭିନ୍ନ ପ୍ରକାର ମ୍ୟାନୁଫ୍ୟାକ୍‌ଚରିଂ ଟେକ୍‌ନୋଲଜି ଯଥା ସିଏମ୍‌ସି ମେସିନ, ଥ୍ରିଡି ମ୍ୟାନୁଫ୍ୟାକ୍‌ଚରିଂ/ ଆଡିଟିଭ୍‌ ମ୍ୟାନୁଫ୍ୟାକ୍‌ଚରିଂ/ଲାଜର/ଅଲ୍‌ଟ୍ରାସୋନିକ ମେସିନିଂ/ରୋବୋଟିକ୍ସ ଓ ପ୍ରୋସେସ ଅଟୋମେସନ, ପ୍ରିସିସନ ମେଜରମେଣ୍ଟ/ମେଟ୍ରୋଲଜି ଇକ୍ୟୁପମେଣ୍ଟ, ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍‌ଚରିଂ ସୁବିଧା, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଏବଂ ମ୍ୟାନୁଫ୍ୟାକ୍‌ଚରିଂ ପାଇଁ କାଲିବ୍ରେସନ ଓ ଟେଷ୍ଟିଂ ସୁବିଧା ଆଦି ଉପଲବ୍ଧ । ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏହାର ଉନ୍ନୟନ କମିସନରଙ୍କ ଜରିଆରେ ଟେକ୍ନୋଲଜି ସେଣ୍ଟର ସିଷ୍ଟମ ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରୁଛି । ଏହା ମାଧ୍ୟମରେ 15ଟି ନୂଆ ଟେକ୍ନୋଲଜି ସେଣ୍ଟର ସ୍ଥାପନ କରାଯିବ ଏବଂ ଏବେ ଦେଶରେ ଥିବା ଏଭଳି ଅନ୍ୟ 18ଟିର ବିକାଶ କାର୍ଯ୍ୟ ହାତକୁ ନିଆଯିବ ।

ଏହି କାର୍ଯ୍ୟକ୍ରମରେ ରାଜସ୍ଥାନର ଶିଳ୍ପମନ୍ତ୍ରୀ ଶ୍ରୀ ପ୍ରସାଦୀଲାଲ ମୀଣା, ଲୋକସଭା ସଦସ୍ୟ ଶ୍ରୀ ମହନ୍ତ ବାଳକନାଥ ଏବଂ ବିଧାନସଭା ସଦସ୍ୟ ଶ୍ରୀ ସନ୍ଦୀପ ଯାଦବ ପ୍ରମୁଖ ଭାଗ ନେଇଥିଲେ ।

 

**********



(Release ID: 1650161) Visitor Counter : 152