ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତିଙ୍କ ଦ୍ୱାରା ଭର୍ଚୁଆଲ ବ୍ୟବସ୍ଥାରେ ଜାତୀୟ କ୍ରୀଡ଼ା ଓ ଦୁଃସାହସିକତା ପୁରସ୍କାର-2020 ପ୍ରଦାନ

Posted On: 29 AUG 2020 2:09PM by PIB Bhubaneshwar

ପ୍ରଥମ ଥର ପାଇଁ ଆୟୋଜିତ ଏକ ଭର୍ଚୁଆଲ ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରୁ ଜାତୀୟ କ୍ରୀଡା ଓ ଦୁଃସାହସିକତା ପୁରସ୍କାର-2020 ପ୍ରଦାନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏହିସବୁ ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ଉପଲବ୍ଧି କ୍ରୀଡା କ୍ଷେତ୍ରରେ ଭାରତର ପ୍ରଚୁର ସମ୍ଭାବନାକୁ ସ୍ମରଣ କରାଉଛି ।

ଭାରତ କ୍ରୀଡା କ୍ଷେତ୍ରରେ ବସ୍ତୁତଃ ଏକ ମହାଶକ୍ତିରେ ପରିଣତ ହେବ ବୋଲି ଏକ ଉଚ୍ଚ ଆଶା ରଖି ରାଷ୍ଟ୍ରପତି କହିଛନ୍ତି 2028 ଅଲିମ୍ପିକ୍‌ ପ୍ରତିଯୋଗିତାରେ ଶ୍ରେଷ୍ଠ 10ଟି ପଦକ ବିଜୟୀ ରାଷ୍ଟ୍ରଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଭାରତ ଆଶା ରଖିବ । ସେ କହିଛନ୍ତି ଯେ ମୁଁ ନିଶ୍ଚିତ, ଆମେ ଏହି ଲକ୍ଷ୍ୟ ପୂରଣ କରିପାରିବା ।ଦେଶର 11ଟି ବିଭିନ୍ନ ସ୍ଥାନରେ ସମବେତ କର୍ମକର୍ତ୍ତା, ଅଧିକାରୀ, କ୍ରୀଡାବିତ୍‌ ଏବଂ ପ୍ରଶିକ୍ଷକଙ୍କୁ ରାଷ୍ଟ୍ରପତି ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ । ଯେଉଁ 11ଟି ସ୍ଥାନରେ ଏହି ସମାବେଶ ଆୟୋଜିତ ହୋଇଥିଲା ସେଗୁଡିକ ହେଲା- ବେଙ୍ଗାଲୁରୁ, ପୁଣେ, ସୋନିପତ, ଚଣ୍ଡୀଗଡ, କୋଲକାତା, ଲକ୍ଷ୍ନୌ, ଦିଲ୍ଲୀ, ମୁମ୍ବାଇ, ଭୋପାଲ, ହାଇଦ୍ରାବାଦ ଓ ଇଟାନଗର । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ କିରେନ ରିଜିଜୁ ଭର୍ଚୁଆଲ ବ୍ୟବସ୍ଥାରେ ସାମିଲ ହୋଇ ନୂଆଦିଲ୍ଲୀରୁ ସ୍ୱାଗତ ଭାଷଣ ଦେଇଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ କ୍ରୀଡା ଜଗତ ଉପରେ କରୋନା ମହାମାରୀର କୁପ୍ରଭାବ ବିଶେଷ ପଡିଛି । ଅଲିମ୍ପିକ୍‌ କ୍ରୀଡା ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି । ଆମ ଦେଶର କ୍ରୀଡା କାର୍ଯ୍ୟକ୍ରମ ମଧ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଛି । କ୍ରୀଡାବିତ୍‌ ଓ ସେମାନଙ୍କ ପ୍ରଶିକ୍ଷକମାନେ ଅଭ୍ୟାସ ଏବଂ ପ୍ରତିଯୋଗିତା ଅଭାବରୁ ଉତ୍ସାହ ହରାଇ ଥାଇପାରନ୍ତି । ଏହା ସେମାନଙ୍କ ମାନସିକ ଓ ଶାରୀରିକ ପ୍ରସ୍ତୁତି ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହା ସତ୍ତ୍ୱେ କ୍ରୀଡାବିତ୍‌ ଓ ପ୍ରଶିକ୍ଷକମାନେ ଅନ୍‌ଲାଇନ କୋଚିଂ ଏବଂ ୱେବିନାର ମାଧ୍ୟମରେ ଯୋଗାଯୋଗରେ ଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି । ବୈଶ୍ୱିକ ମହାମାରୀ ସତ୍ତ୍ୱେ ଆଜିର ଏହି ଆୟୋଜନ କ୍ରୀଡା ସଂପର୍କିତ କାର୍ଯ୍ୟକ୍ରମକୁ ଜାରି ରଖିବାର ଏକ ଭଲ ଉଦ୍ୟମ ବୋଲି ସେ କହିଛନ୍ତି ।

ଆମ ଦେଶରେ କ୍ରୀଡା କ୍ଷେତ୍ରରେ ବିବିଧତା ବୃଦ୍ଧି ପାଇଥିବାରୁ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଜି ଯେଉଁମାନେ ପୁରସ୍କୃତ ହୋଇଛନ୍ତି ସେମାନେ 20ରୁ ଅଧିକ ଖେଳକୁଦର ପ୍ରତିନିଧିତ୍ୱ କରୁଛନ୍ତି । କବାଡି, ଖୋଖୋ ଓ ମାଲଖମ୍ବ ଭଳି ଆମର ପାରମ୍ପରିକ କ୍ରୀଡା ପ୍ରତି ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକେ ଖେଳ ପ୍ରତି ବିଶେଷ ଆକର୍ଷିତ ହେବେ । ଏବେ କ୍ରିକେଟ ଓ ଫୁଟବଲ ବ୍ୟତୀତ ଭଲିବଲ ଏବଂ କବାଡି ଭଳି ଲିଗ୍‌ ଟୁର୍ଣ୍ଣାମେଣ୍ଟ କ୍ରମଶଃ ଲୋକପ୍ରିୟ ହେଉଛି ଏବଂ ଏହା ଏକ ଆନନ୍ଦଦାୟକ ପରିବର୍ତ୍ତନ ।

ରାଷ୍ଟ୍ରପତି କହିଛନ୍ତି ଯେ ସବୁ ସଂପୃକ୍ତ ପକ୍ଷଙ୍କ ଅଂଶଗ୍ରହଣ ବଢିଲେ କ୍ରୀଡା ସଂସ୍କୃତି ପ୍ରୋତ୍ସାହିତ ହେବ । ଏହା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ । କ୍ରୀଡା କ୍ଷେତ୍ରରେ ପୁଞ୍ଜି ନିବେଶ ଏକ ସାମୂହିକ ଉଦ୍ୟମର କଥା; ଯାହା ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରିଥାଏ ଏବଂ ସମାଜକୁ ଶକ୍ତିଶାଳୀ କରେ । ଅନେକ କର୍ପୋରେଟ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ ଓ ଶିକ୍ଷାନୁଷ୍ଠାନ କ୍ରୀଡାର ପ୍ରୋତ୍ସାହନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗାଉଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ସାମୂହିକ ଉଦ୍ୟମ ଫଳରେ ଭାରତ କ୍ରୀଡା କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ରର ମାନ୍ୟତା ପାଇବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।

କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରଦର୍ଶନକୁ ପୁରସ୍କୃତ କରିବା ପାଇଁ  ପ୍ରତିବର୍ଷ ଦେଶରେ କ୍ରୀଡା ପୁରସ୍କାର ପ୍ରଦାନ କରାଯାଉଛି । କ୍ରମାଗତ ଚାରିବର୍ଷ ନିର୍ଦ୍ଦିଷ୍ଟ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡାବିତ୍‌ଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଦିଆଯାଉଛି । ସେହିଭଳି କ୍ରମାଗତ 4ବର୍ଷ ଗୋଟିଏ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଏବଂ ପଦକ ବିଜୟୀ କ୍ରୀଡାବିତ୍‌ ପ୍ରସ୍ତୁତ କରୁଥିବା ପ୍ରଶିକ୍ଷକମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଉଛି । ଏହାଛଡା  କ୍ରୀଡାର ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜୀବନବ୍ୟାପୀ ସାଧନା ଓ ଉପଲବ୍‌ଧିଭାବେ ଧ୍ୟାନଚାନ୍ଦ ପୁରସ୍କାର ତଥା ଉଭୟ ସରକାର ଏବଂ ବେସରକାରୀ ଉଦ୍ୟୋଗ ଦ୍ୱାରା ପ୍ରାୟୋଜିତ କ୍ରୀଡା ପ୍ରୟାସକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଉଛି । ସେହିଭଳି ବିଶ୍ୱବିଦ୍ୟାଳୟ ସ୍ତରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନକୁ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ମୌଲାନା ଅବୁଲ କଲାମ ଆଜାଦ ଟ୍ରଫି ପ୍ରବର୍ତ୍ତନ କରାଯାଇଛି । ଏସବୁ କ୍ରୀଡା ପୁରସ୍କାର ବ୍ୟତୀତ ଲୋକମାନଙ୍କ ମଧ୍ୟରେ ଦୁଃସାହସିକ ଭାବନା ବୃଦ୍ଧି ଓ ସେଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ତେନ୍‌ଜିଙ୍ଗ ନର୍ଗେ ଜାତୀୟ ଦୁଃସାହସିକ ପୁରସ୍କାର ପ୍ରଦାନ କରାଯାଉଛି ।

 

**********



(Release ID: 1649648) Visitor Counter : 148