ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣରେ ରଖି ମୃତ୍ୟୁହାର ଶତକଡା 1 ପ୍ରତିଶତରୁ କମ କରିବାକୁ ରାଜ୍ୟଗୁଡିକୁ କେନ୍ଦ୍ରର ପରାମର୍ଶ

• ଅଧିକ ମୃତ୍ୟୁହାର ଥିବା 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୃତ୍ୟୁହାର ସମୀକ୍ଷା କଲେ କ୍ୟାବିନେଟ ସଚିବ

Posted On: 27 AUG 2020 6:05PM by PIB Bhubaneshwar

କେନ୍ଦ୍ର କ୍ୟାବିନେଟ ସଚିବ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର କରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନଙ୍କ ସହ ଆଜି ଭିଡିଓ କାନଫରେନ୍ସ ମାଧ୍ୟମରେ ସ୍ଥିତି ସମୀକ୍ଷା କରିଛନ୍ତି ଏହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଏବଂ ଜମ୍ମୁ ଓ କଶ୍ମୀର । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ମହାନିର୍ଦ୍ଦେଶକ ଓ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ମଧ୍ୟ ଯୋଗଦେଇଥିଲେ ।

ଏହି ରାଜ୍ୟଗୁଡ଼ିକର କୋଭିଡ-19 ସମ୍ପର୍କିତ ସ୍ଥିତି ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଲୋକପାତ କରିଥିଲେ । ସେସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନମୁନା ପରିକ୍ଷାକୁ ଜୋରଦାର କରାଯିବା ସହ ଘରୋଇ ଏକାନ୍ତବାସ, ନିରୀକ୍ଷଣ, ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ, ଆମ୍ବୁଲାନ୍ସର ଉପଲବ୍ଧତା, ହସ୍ପିଟାଲ ଶଯ୍ୟା ଓ ଉପଚାର ନିୟମାବଳୀ ଅନୁପାଳନ କରାଯାଉଥିବା ଉପରେ ସୂଚନା ଦେଇଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ ଶତକଡା 89 ଭାଗ କୋଭିଡ-19 ଜନିତ ମୃତ୍ୟୁ ଏହି 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ଲକ୍ଷ୍ୟ କରାଯାଇଥିବାରୁ ଏହାକୁ ରୋକିବା ପାଇଁ କେତେକ କଠୋର ପଦକ୍ଷେପ ନେବାର ଆବଶ୍ୟକତା ଉପୁଜିଛି । ମୃତ୍ୟୁହାର ଶତକଡା 1 କୁ ହ୍ରାସ କରିବା ଲାଗି ନିମ୍ନଲିଖିତ ପଦକ୍ଷେପ ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ସେଗୁଡିକ ହେଲା –

  1. ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଚିହ୍ନଟ ଓ ନିରୀକ୍ଷଣ
  2. ନୂଆକରି ସଂକ୍ରମିତ ହେଉଥିବା ଅନ୍ୟୁନ ଶତକଡା 80 ଭାଗ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ 72 ଘଣ୍ଟା ମଧ୍ୟରେ ଚିହ୍ନଟ କରିବା 
  3. ସମସ୍ତ ଜିଲ୍ଲାରେ ଦିନକୁ ନିୟୁତ ପିଛା ଅନ୍ୟୁନ 140ଟି ପରୀକ୍ଷା ସୁନିଶ୍ଚିତ କରିବା, ଯେପରି ସଂକ୍ରମଣ ହାର ଶତକଡା 5ରୁ ନିମ୍ନରେ ରହେ, ତାହା ଦେଖିବାକୁ ହେବ 
  4. ଆବଦ୍ଧାଞ୍ଚଳରେ ଆଣ୍ଟିଜେନ ଟେଷ୍ଟ କରିବା ସହ ନେଗେଟିଭ ବାହାରୁଥିବା ସମସ୍ତ ଲକ୍ଷଣଯୁକ୍ତ ବ୍ୟକ୍ତିଙ୍କ ଆରଟିପିସିଆର କରିବା
  5. ଘରୋଇ ଏକାନ୍ତବାସରେ ରହୁଥିବା ରୋଗୀମାନଙ୍କ ନିୟମିତ ଯାଞ୍ଚ (ଫୋନ ଓ ପରିଦର୍ଶନ ଜରିଆରେ) ଏବଂ ଅମ୍ଳଜାନ ସ୍ତର ନିର୍ଦ୍ଦିଷ୍ଟ ସ୍ତରରୁ ତଳକୁ ଖସିଲେ ଉପଯୁକ୍ତ ସମୟରେ ହସ୍ପିଟାଲରେ ଭର୍ତ୍ତି
  6. ହସ୍ପିଟାଲ ବେଡ ଓ ଆମ୍ବୁଲାନ୍ସ ସୁବିଧା ସମ୍ପର୍କିତ ତଥ୍ୟ ନେଇ ଜନସାଧାରଣଙ୍କୁ ଅବଗତ କରାଇବା ଓ ଆମ୍ବୁଲାନ୍ସ ସେବା ଠିକ ସମୟରେ ଯୋଗାଇବା
  7. ସମସ୍ତ ସକ୍ରିୟ ମାମଲାଗୁଡିକର ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା
  8. 60 ବର୍ଷରୁ ଉର୍ଦ୍ଧ୍ଵ ବା ଅନ୍ୟାନ୍ୟ ପୁରାତନ ରୋଗରେ ପୀଡିତ ରୋଗୀଙ୍କ ସମେତ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରତି ସପ୍ତାହରେ ବିଶ୍ଳେଷଣ କରିବା
  9. ମାମଲା ବୃଦ୍ଧି ସହିତ ଉତ୍ସର୍ଗୀକୃତ ସେବା କେନ୍ଦ୍ରରେ ଆନୁସଙ୍ଗିକ ସୁବିଧା ଉନ୍ନୀତ କରିବା
  10. ଆବଶ୍ୟକ ଔଷଧ, ମାସ୍କ, ପିପିଇ ଇତ୍ୟାଦିର ନିୟମିତ ଯାଞ୍ଚ
  11. ବ୍ୟାବହାରିକ ପରିବର୍ତ୍ତନ ଯଥା – ସାମାଜିକ ଦୂରତ୍ଵ, ମାସ୍କ ପିନ୍ଧିବା, ହାତ ଧୋଇବା ଓ କାଶିବା ସଂକ୍ରାନ୍ତ ନିୟମଗୁଡିକ ପାଳନ

ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ସେମାନଙ୍କ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମୁକାବିଲା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କିତ ସୂଚନା ଦେଇଥିଲେ । ମୃତ୍ୟୁହାର ରୋକିବା ସହ କରୋନା ସମ୍ପର୍କିତ ଜନସଚେତନତା ଉପରେ ନିଆଯାଉଥିବା ପଦକ୍ଷେପ ଉପରେ ମଧ୍ୟ ସୂଚନା ଦେଇଥିଲେ

 

**********



(Release ID: 1649018) Visitor Counter : 173