ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ
ସବୁ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ସଚିବ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ
• ବ୍ୟକ୍ତିଗତଭାବେ ଏସବୁ ମାମଲରେ ହସ୍ତକ୍ଷେପ କରିବାକୁ ଅନୁରୋଧ
Posted On:
25 AUG 2020 12:51PM by PIB Bhubaneshwar
2013 ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ଯୋଗ୍ୟ ଭିନ୍ନକ୍ଷମଙ୍କୁ ସାମିଲ କରିବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ଏବଂ ସାଧାରଣ ବଣ୍ଟନ ବିଭାଗ ସଚିବ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଏସବୁ ବ୍ୟକ୍ତିବିଶେଷ ଯେପରି ଏହି ଯୋଜନାର ଲାଭ ପାଆନ୍ତି ତାହା ତୁରନ୍ତ ନିଶ୍ଚିତ କରିବା ପାଇଁ ସେ ସଂପୃକ୍ତ ମୁଖ୍ୟ ସଚିବମାନଙ୍କୁ ବ୍ୟକ୍ତିଗତଭାବେ ଦେଖିବାକୁ ଅନୁରୋଧ କରିଛନ୍ତି । ଏହି ଚିଠିରେ କୁହାଯାଇଛି ଯେ ସଂପୃକ୍ତ ବର୍ଗର ଲୋକମାନଙ୍କୁ ଯୋଜନାରେ ଅବିଳମ୍ବେ ଅନ୍ତର୍ଭୁକ୍ତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଜିଲା ପ୍ରଶାସନ ପକ୍ଷରୁ କରିବାକୁ ପଡିବ । କୌଣସି ପରିସ୍ଥିତିରେ ଏହି କେନ୍ଦ୍ରୀୟ ନିର୍ଦେଶକୁ ପାଳନ କରିବାରେ ବିଳମ୍ବ ହେବାକୁ ଦିଆଯିବ ନାହିଁ ।
ପୂର୍ବରୁ ଅଗଷ୍ଟ 22 ତାରିଖରେ ଏହି ମର୍ମରେ କେନ୍ଦ୍ର ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସଂପୃକ୍ତ ଭିନ୍ନକ୍ଷମମାନଙ୍କୁ ତୁରନ୍ତ ଚିହ୍ନଟ କରି ଖାଦ୍ୟ ନିରାପତ୍ତା ଆଇନରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା ସହିତ ଖାଦ୍ୟଶସ୍ୟ ଯୋଗାଣ ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବ୍ୟବସ୍ଥା ଅନୁସାରେ ସେ ବାବଦ ଖାଦ୍ୟଶସ୍ୟ ଯୋଗାଣ ନିଶ୍ଚିତ କରିବା ପାଇଁ କୁହାଯାଇଥିଲା ।
ଅଗଷ୍ଟ 22 ତାରିଖର ଏହି ଚିଠିରେ କୁହାଯାଇଥିଲା ଯେ ଯେଉଁମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ସାନି ରାସନକାର୍ଡ ତତ୍କାଳ ଯୋଗାଇ ଦେବାକୁ ପଡିବ । ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଭିନ୍ନକ୍ଷମଙ୍କ ସ୍ଥିତିକୁ ଆଧାର କରି ବ୍ୟକ୍ତିବିଶେଷଙ୍କୁ ଅନ୍ତ୍ୟୋଦୟ ଅନ୍ନ ଯୋଜନା ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇପାରିବ । ଭିନ୍ନକ୍ଷମମାନେ ଦୁର୍ବଳ ଓ ଅସହାୟ ବର୍ଗର ହୋଇଥିବାରୁ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ସ୍ପଷ୍ଟ ନିର୍ଦେଶ ଦେଇଥିଲେ । ରାଜ୍ୟ ସରକାରମାନେ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀ ବାଛିବାବେଳେ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ବର୍ଗରେ ବିବେଚିତ କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।
ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ଧାରା 38 ଅନୁସାରେ କେନ୍ଦ୍ର ସରକାର ଏହାର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ବିଭିନ୍ନ ସମୟରେ ଆବଶ୍ୟକ ନିର୍ଦେଶ ଓ ପରାମର୍ଶ ଦେଇଥାନ୍ତି ।
**********
(Release ID: 1648576)
Visitor Counter : 205
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Tamil
,
Telugu
,
Malayalam