କ୍ୟାବିନେଟ

ସରକାର-ଘରୋଇ ସହଭାଗିତାରେ ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍‌ ବିମାନ ବନ୍ଦରକୁ ଲିଜ୍‌ ଦେବା ଲାଗି କ୍ୟାବିନେଟର ଅନୁମୋଦନ

Posted On: 19 AUG 2020 4:31PM by PIB Bhubaneshwar

ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍‌ ବିମାନ ବନ୍ଦରକୁ ଘରୋଇ-ସରକାରୀ ସହଭାଗିତାରେ ଚଳାଇବା ପାଇଁ  ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏବେ ଏହି 3ଟିଯାକ ବିମାନ ବନ୍ଦର ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା ଏଏଆଇ ଅଧୀନରେ କାର୍ଯ୍ୟ କରୁଛି । ନୂଆ ବ୍ୟବସ୍ଥାରେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ ଏହି 3ଟିଯାକ ବିମାନ ବନ୍ଦରର ପରିଚାଳନା, ବିମାନ ଚଳାଚଳ ଓ ବିକାଶ କାର୍ଯ୍ୟ କରିବ । ଏଏଆଇ ଦ୍ୱାରା ଏଥିପାଇଁ ହୋଇଥିବା ଆନ୍ତର୍ଜାତିକ ନିଲାମରେ ଆଦାନୀ ଗୋଷ୍ଠୀ ସର୍ବାଗ୍ରେ ରହି ଏହି ଅଧିକାର ପାଇଛି । ଏହି କଂପାନୀ 50 ବର୍ଷ ପର୍ଯ୍ୟନ୍ତ ଏହି 3ଟି ବିମାନ ବନ୍ଦରର ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ବୁଝିବ । ଏହି ଲିଜ୍‌ ବ୍ୟବସ୍ଥା ଦ୍ୱାରା ସଂପୃକ୍ତ 3 ବିମାନ ବନ୍ଦରର ସେବା ପ୍ରଦାନରେ ଉନ୍ନତି, ବୃତ୍ତିଗତ ଉତ୍କର୍ଷ, ବିଶେଷଜ୍ଞତା ଏବଂ ପୁଞ୍ଜି ନିବେଶ ଆଦି ପ୍ରୋତ୍ସାହିତ ହେବ ।

ପୃଷ୍ଠଭୂମି

10 ବର୍ଷ ପୂର୍ବେ ସରକାର ଏଏଆଇ ଦ୍ୱାରା ପରିଚାଳିତ ଦିଲ୍ଲୀ ଓ ମୁମ୍ବଇ ବିମାନ ବନ୍ଦରକୁ ଘରୋଇ-ସରକାରୀ ଅଂଶୀଦାରୀ (ପିପିପି)ରେ ପରିଚାଳନା ପାଇଁ ଲିଜ୍‌ ଦେଇଥିଲେ । ଏହି ସରକାରୀ-ଘରୋଇ ସହଭାଗିତା ବା ପିପିପି ଅନୁଭୂତି ବିଶ୍ୱସ୍ତରୀୟ ବିମାନ ବନ୍ଦର ସୃଷ୍ଟି କରିବାରେ ସଫଳ ହୋଇଛି । ସେବା ଯୋଗାଣରେ ଦକ୍ଷତା ବୃଦ୍ଧି ସହିତ ବିମାନ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ସେବାର ମାନ ମଧ୍ୟ ବଢିଛି । ଏହାଫଳରେ ଏଏଆଇର ରାଜସ୍ୱ ବୃଦ୍ଧି ପାଇଛି । ଏହାଦ୍ୱାରା ଏହି ପ୍ରାଧିକରଣ ଦେଶର ବିଭିନ୍ନ ପ୍ରାନ୍ତରରେ ବିମାନ ବନ୍ଦରର ବିକାଶ ଓ ବିମାନ ସୁବିଧା ଯୋଗାଣ କାର୍ଯ୍ୟକ୍ରମ ହାତକୁ ନେଇଛି । ପିପିପି ଅଂଶୀଦାରୀ ଭିତ୍ତିରେ ଏଏଆଇ ଯେଉଁ ରାଜସ୍ୱ ପାଇବ ତାହାକୁ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ନଗରୀରେ ଥିବା ବିମାନ ବନ୍ଦର ଭିତ୍ତିଭୂମି ବିକାଶ ପାଇଁ ଖର୍ଚ୍ଚ କରିବ । ଏହାଫଳରେ ଏସବୁ ବିମାନ ବନ୍ଦର ଆନ୍ତର୍ଜାତିକ ମାନର ହୋଇପାରିବ । ଆନ୍ତର୍ଜାତିକ ଏୟାରପୋର୍ଟ କାଉନ୍‌ସିଲର ବର୍ଗୀକରଣରେ ଭାରତରେ ପିପିପି ମୋଡରେ କାର୍ଯ୍ୟକାରୀ ହେଉଥିବା 5ଟି ବିମାନ ବନ୍ଦର ରହିଛି । ଉଭୟ ସେବାର ମାନ ଓ ଦକ୍ଷତାକୁ ବିଚାରକୁ ନେଇ ଏହି ବର୍ଗୀକରଣ କରାଯାଇଛି । ପିପିପି ମୋଡରେ ଭଲ କାମ ହେଉଥିବାରୁ ଭାରତ ସରକାର ଅଧିକରୁ ଅଧିକ ବିମାନ ବନ୍ଦରକୁ ଏବେ ସହଭାଗିତାରେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ପିପିପି ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚକ୍ଷମତା ସଂପନ୍ନ ଗୋଷ୍ଠୀ ଗଠନ କରିଛନ୍ତି । ଏଥିରେ ବିଭିନ୍ନ ମନ୍ତ୍ରଣାଳୟର ସଚିବମାନେ ସଦସ୍ୟ ଅଛନ୍ତି । ଏହି ଗୋଷ୍ଠୀର ସୁପାରିସ କ୍ରମେ ବିମାନ ବନ୍ଦରଗୁଡିକୁ ଘରୋଇ ସହଯୋଗରେ ଚଳାଇବା ପାଇଁ  କାର୍ଯ୍ୟ କରାଯାଉଛି । ଏହାଛଡା ଏଥିପାଇଁ ଏକ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍‌ କମିଟି ବା ପିପିପିଏସି ଗଠନ ହୋଇଛି । ଏହି କମିଟି ଏ ସଂକ୍ରାନ୍ତ ସବୁ ପ୍ରାରମ୍ଭିକ କାର୍ଯ୍ୟ ତଦାରଖ କରୁଥିବାବେଳେ କ୍ଷମତା ପରିସରର ଅନ୍ୟକାମ ସଚିବସ୍ତରୀୟ ଗୋଷ୍ଠୀ ତୁଲାଉଛି । ଯେଉଁ ପିପିପିଏସି ଗଠନ କରାଯାଇଛି ତାହା ବିମାନ ବନ୍ଦର ହସ୍ତାନ୍ତରଣ କାର୍ଯ୍ୟକ୍ରମକୁ ତନଖି କରିବା ପରେ ଅନୁମୋଦନ ଦେଉଛି । ତାପରେ ଏଥିପାଇଁ ଆନ୍ତର୍ଜାତିକ ନିଲାମ କରାଯାଉଛି । ଏଥିରେ ଯାତ୍ରୀ ପିଛା କେତେ ଭଡା ଧାର୍ଯ୍ୟ ହେବ ତାହାର ମଧ୍ୟ ଏକ ମାନଦଣ୍ଡ ରହିଛି ।

ସଚିବ ସ୍ତରୀୟ ଗୋଷ୍ଠୀରେ ମଧ୍ୟ ନୀତି ଆୟୋଗ, ବ୍ୟୟ ବିଭାଗ, ଅର୍ଥ, ବ୍ୟାପାର ଓ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧିମାନେ ସଦସ୍ୟ ଅଛନ୍ତି । ଉପରୋକ୍ତ 3ଟି ବିମାନ ବନ୍ଦରର ମିଳିତ ପରିଚାଳନା ପାଇଁ 2018 ଡିସେମ୍ବର 14ରେ ଆନ୍ତର୍ଜାତିକ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିରେ ମୁଣ୍ଡପିଛା ଯାତ୍ରୀଙ୍କ ଭଡା ଏକ ସର୍ତ୍ତ ଥିଲା । 2019 ଫେବୃୟାରୀ 16 ତାରିଖରେ ଏହି ଟେକ୍‌ନିକାଲ ନିଲାମ ଖୋଲାଯାଇଥିଲା ଏବଂ ସେହି ମାସ 25 ଓ 26 ତାରିଖରେ ଆର୍ଥିକ ନିଲାମ ଖୋଲାଗଲା । ଉଭୟ ନିଲାମରେ ମୁଣ୍ଡ ପିଛା ଯାତ୍ରୀଭଡା ଧାର୍ଯ୍ୟ କ୍ଷେତ୍ରରେ ସବୁଠୁ ସର୍ବାଧିକ ଡାକ ଦେଇ ଆଦାନୀ ଶିଳ୍ପଗୋଷ୍ଠୀ ଏହି 3ଟି ବିମାନ ବନ୍ଦର ପରିଚାଳନାରେ ଅଂଶୀଦାର ହେବାକୁ ଯୋଗ୍ୟତା ଅର୍ଜନ କରିଛି ।

 

**********

 



(Release ID: 1647088) Visitor Counter : 197