ଗୃହ ନିର୍ମାଣ ଓ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ 5 ଲକ୍ଷରୁ ଅଧିକ ଆବେଦନପତ୍ର ହସ୍ତଗତ ହୋଇଛି

• ଏହି ଯୋଜନାରେ ଏକ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି

Posted On: 12 AUG 2020 12:56PM by PIB Bhubaneshwar

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ବା ପିଏମ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି କାର୍ଯ୍ୟକ୍ରମରେ 5 ଲକ୍ଷରୁ ଅଧିକ ଆବେଦନପତ୍ର ମିଳିଛି । ସେଥିମଧ୍ୟରୁ ଏକ ଲକ୍ଷରୁ ଅଧିକ ଆବେଦନକାରୀଙ୍କୁ ଋଣ ମଞ୍ଜୁର କରାଯାଇଛି । ଚଳିତବର୍ଷ ଜୁଲାଇ 2 ତାରିଖରେ ଏହି ଯୋଜନା ପ୍ରବର୍ତ୍ତିତ ହୋଇଥିଲା ଏବଂ 41 ଦିନ ଭିତରେ ଆବେଦନକାରୀଙ୍କ ସଂଖ୍ୟା 5 ଲକ୍ଷରୁ ଅଧିକ ହୋଇଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଋଣ ମଞ୍ଜୁର କରାଯାଇଛି । ରାସ୍ତାରେ ବେପାର କରୁଥିବା ଲୋକ ଏବଂ ଛୋଟମୋଟ ବ୍ୟବସାୟୀ ବା ଷ୍ଟ୍ରିଟ ଭେଣ୍ଡରଙ୍କ ମଧ୍ୟରେ ଏହି ଯୋଜନା ପ୍ରତି ବିଶେଷ ଆଗ୍ରହ ପ୍ରକାଶ ପାଇଛି । କରୋନା ସଂକ୍ରମଣଜନିତ ସ୍ଥିତି ଯୋଗୁଁ ଲକ୍‌ଡାଉନ କାରଣରୁ ଏହି ବର୍ଗର ଛୋଟମୋଟ ବେପାରୀ ଯେଉଁମାନେ ନିଜର ବ୍ୟବସାୟ ହରାଇଥିଲେ ସେମାନଙ୍କ ଆବଶ୍ୟକତା ଅନୁସାରେ ଋଣ ସହାୟତା ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ । ଲକ୍‌ଡାଉନ ଉଠିବା ପରେ ସେମାନେ ଏହି ଅର୍ଥ ବିନିଯୋଗ କରି ପୁନର୍ବାର ନିଜର ବେପାର ବଣିଜ ଆରମ୍ଭ କରିପାରିବେ ।

ପିଏମ୍‌ ସ୍ୱନିଧି ଯୋଜନାକୁ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି । ଏହା ଆତ୍ମନିର୍ଭର ଭାରତର ଏକ ଅଂଶବିଶେଷ । ଏହି ଯୋଜନା ମାଧ୍ୟମରେ ଆବେଦନକାରୀଙ୍କୁ ବିନା ବନ୍ଧକରେ ବର୍ଷକ ପାଇଁ 10 ହଜାର ଟଙ୍କା ଋଣ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଦେଶର ସବୁ ସହରାଞ୍ଚଳ ଏବଂ ସହରତଳି ଅଞ୍ଚଳ ତଥା ଗ୍ରାମାଞ୍ଚଳର ରାସ୍ତାଘାଟରେ ଏଭଳି ଛୋଟମୋଟ ବେପାର କରୁଥିବା 50 ଲକ୍ଷ ବ୍ୟବସାୟୀଙ୍କୁ ଏହି ଋଣ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ଯେଉଁମାନେ ନିୟମିତ ଋଣ ପରିଶୋଧ କରିବେ ସେମାନଙ୍କୁ ସୁଧ ଉପରେ ରିହାତି ମିଳିବ ଏବଂ ନିୟମିତ ପରିଶୋଧକାରୀଙ୍କୁ ବାର୍ଷିକ 7 ଶତାଂଶ ହାରରେ ସୁଧ ଦେବାକୁ ହେବ । ଆହୁରି ମଧ୍ୟ ଯେଉଁମାନେ ଡିଜିଟାଲ ନେଣଦେଣ ବ୍ୟବସ୍ଥାରେ ଋଣ ପରିଶୋଧ କରିବେ ସେମାନଙ୍କୁ ବାର୍ଷିକ 12 ଶହ ଟଙ୍କା ପର୍ଯ୍ୟନ୍ତ ଅର୍ଥ କ୍ୟାଶ ବ୍ୟାକ୍‌ ଆକାରରେ ପ୍ରୋତ୍ସାହନ ଦିଆଯିବ । ନିୟମିତ ଋଣ ପରିଶୋଧ କରିଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ ରହିଛି ।

ପିଏମ୍‌ ସ୍ୱନିଧି ଯୋଜନାରେ ଏହି କ୍ଷୁଦ୍ର ଉଦ୍ୟମୀମାନଙ୍କ ନିକଟକୁ ବ୍ୟାଙ୍କ ଆସି ଋଣ ଯୋଗାଣ ସେବା ଯୋଗାଇଦେବ । ଏଥିରେ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କଂପାନୀ, ମାଇକ୍ରୋ ଫାଇନାନ୍ସ ପ୍ରତିଷ୍ଠାନ, ବିଭିନ୍ନ ଅନୁସୂଚିତ ବ୍ୟାବସାୟିକ ବ୍ୟାଙ୍କ, ଘରୋଇ ଓ ସରକାରୀ ବ୍ୟାଙ୍କ ସମୂହ, କୋଅପରେଟିଭ ବ୍ୟାଙ୍କ ଓ ଏସ୍‌ଏଚ୍‌ଜି ବ୍ୟାଙ୍କ ଆଦି ସଂପୃକ୍ତ ହିତାଧିକାରୀଙ୍କୁ ଋଣ ଦେବେ । ସବୁ ହିତାଧିକାରୀଙ୍କୁ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ଯୋଡି ହେବାକୁ ପଡିବ । ଏହା ଫଳରେ ସେମାନେ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ ହୋଇପାରିବେ ଏବଂ ସେମାନଙ୍କର ଋଣ ପରିମାଣ, ନାମଧାମ ତାଲିକା ଆଦି ପ୍ରସ୍ତୁତି ସହଜ ହୋଇପାରିବ ।

ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ କ୍ଷୁଦ୍ରଶିଳ୍ପ ଉନ୍ନୟନ ବ୍ୟାଙ୍କ ବା ସିଡ୍‌ବି ଅଂଶୀଦାର ହୋଇଛି । ଏଥିରେ ପର୍ଯ୍ୟାୟକ୍ରମିକ ଗ୍ୟାରେଣ୍ଟି କଭର ବ୍ୟବସ୍ଥା ଯୋଗାଇ ଦିଆଯାଉଛି । ଅର୍ଥଲଗାଣକାରୀ ଅନୁଷ୍ଠାନଗୁଡିକ ଏଥିପାଇଁ କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟରୁ ଅର୍ଥ ପାଇବେ । ଅଳ୍ପ ପୁଞ୍ଜିରେ ଷ୍ଟ୍ରିଟ ଭେଣ୍ଡରମାନେ ସେମାନଙ୍କ ବେପାର ବଣିଜ କରିଥାନ୍ତି । ସେମାନଙ୍କର ଲାଭ ଅତି ଅଧିକ ନ ହେଲେ ମଧ୍ୟ ସେମାନଙ୍କ ଗୁଜୁରାଣ ମେଣ୍ଟାଇବା ପାଇଁ ଯଥେଷ୍ଟ ହୋଇଥାଏ । ସରକାରଙ୍କ ଏହି କ୍ଷୁଦ୍ର ଋଣ ସହାୟତା ଯୋଜନା ଦ୍ୱାରା ଏସବୁ ଭେଣ୍ଡରମାନେ ବିଶେଷ ଉପକୃତ ହେବେ । ଏହାଛଡା ଏକ ଜଟିଳ ସ୍ଥିତିରୁ ଉଦ୍ଧାର ପାଇ ଆର୍ଥିକ ସୋପାନ ଚଢିବାରେ ସେମାନଙ୍କୁ ଏହା ସହାୟତା ଯୋଗାଇବ । ଏଥିପାଇଁ ଏକ ସମନ୍ୱିତ ଆଇଟି ପ୍ଲାଟଫର୍ମ (pmsvanidhi.mohua.org.in), ୱେବ ପୋର୍ଟାଲ ଏବଂ ମୋବାଇଲ ଆପ୍‌ର ବ୍ୟବସ୍ଥା କରାଯାଇଛି । ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ ନୀତିରେ ସଂପୃକ୍ତ ହିତାଧିକାରୀଙ୍କ ପାଖରେ ଏହି ଯୋଜନାର ଲାଭ ପହଞ୍ଚାଇବାକୁ ଏସବୁ ବ୍ୟବସ୍ଥା ମାଧ୍ୟମରେ ଉଦ୍ୟମ କରାଯାଉଛି ।

 

**********

 



(Release ID: 1645399) Visitor Counter : 212