ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
6ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବନ୍ୟା ପରିସ୍ଥିତିର ସମୀକ୍ଷା
• ବନ୍ୟା ପୂର୍ବାଭାସ ଓ ସତର୍କତା ପାଇଁ ଅଭିନବ ଜ୍ଞାନକୌଶଳ ବ୍ୟବହାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
• ସ୍ଥାନୀୟ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ନିମନ୍ତେ ଅଧିକ ନିବେଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
• ବନ୍ୟା ପରିସ୍ଥିତ ଏବଂ ସାହାଯ୍ୟ ଉଦ୍ଧାର କାର୍ଯ୍ୟ ସଂପର୍କରେ ସଂପୃକ୍ତ ମୁଖ୍ୟମନ୍ତ୍ରୀଗଣ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ, ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାଙ୍କ ସମୟୋଚିତ ସହଯୋଗ ଓ କାର୍ଯ୍ୟକୁ ପ୍ରଶଂସା କଲେ
प्रविष्टि तिथि:
10 AUG 2020 3:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଆସାମ, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ଆଦି 6ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସେସବୁ ରାଜ୍ୟର ବନ୍ୟା ପରିସ୍ଥିତି ଏବଂ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ସେ ମଧ୍ୟ ମୌସୁମି ପ୍ରବାହ ଜନିତ ବର୍ଷା ଓ ବନ୍ୟା ବିତ୍ପାତର ମୁକାବିଲା ପାଇଁ ସଂପୃକ୍ତ ରାଜ୍ୟମାନେ କି ପ୍ରକାର ପ୍ରସ୍ତୁତି କାର୍ଯ୍ୟ କରିଛନ୍ତି ତାହା ମଧ୍ୟ ପଚାରି ବୁଝିଛନ୍ତି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦୁଇ ରାଷ୍ଟ୍ରମନ୍ତ୍ରୀ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ତଥା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ବନ୍ୟା ପୂର୍ବାଭାସ ବ୍ୟବସ୍ଥା ସୃଷ୍ଟି ଏବଂ ଲୋକଙ୍କୁ ଆଗୁଆ ସତର୍କ କରାଇବା ପାଇଁ ଅଭିନବ ଟେକ୍ନୋଲଜି ବ୍ୟବହାର କରିବାକୁ ଗୁରୁତ୍ୱ ଦେଇଥିଲେ । ଏ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥାଗୁଡିକ ମଧ୍ୟରେ ଅଧିକ ସହଯୋଗ ରକ୍ଷା କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କେତେବର୍ଷ ହେଲା ଭାରତୀୟ ପାଣିପାଗ ବିଭାଗ ଓ କେନ୍ଦ୍ରୀୟ ଜଳ ଆୟୋଗ ଏ କ୍ଷେତ୍ରରେ ସମନ୍ୱିତ ଉଦ୍ୟମ ଜାରି ରଖିଛନ୍ତି । ଏହି ଦୁଇ ସଂସ୍ଥା ବର୍ଷା ଓ ସମ୍ଭାବ୍ୟ ବନ୍ୟା ସଂପର୍କରେ ରାଜ୍ୟମାନଙ୍କୁ ଅଧିକ ବିଶ୍ୱାସଯୋଗ୍ୟ ଆଗୁଆ ତଥ୍ୟ ପ୍ରଦାନ କରୁଛନ୍ତି । ସେମାନଙ୍କ କାର୍ଯ୍ୟ ଆଉ ବର୍ଷା ଏବଂ ନଦୀର ଜଳପତ୍ତନ ସଂକ୍ରାନ୍ତ ତଥ୍ୟରେ ସୀମିତ ନାହିଁ । ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଅତି ଅଧିକ ବର୍ଷାହେବ ଏବଂ କେଉଁଠି ବନ୍ୟା ବିତ୍ପାତ ଦେଖାଦେବ ସେ ବିଷୟରେ ମଧ୍ୟ ଏହି ଦୁଇ ସଂସ୍ଥା ଆଗୁଆ ତଥ୍ୟ ପ୍ରଦାନ କରୁଛନ୍ତି । ବର୍ଷା ଓ ବନ୍ୟା ସଂପର୍କରେ ନିର୍ଦ୍ଦିଷ୍ଟ ସ୍ଥାନଭିତ୍ତିକ ପୂର୍ବାନୁମାନ କରିବା ପାଇଁ ଏବେ ପାଇଲଟ ଭିତ୍ତିରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସି ଭଳି ଅଭିନବ ଟେକ୍ନୋଲଜି ବ୍ୟବହାର କରାଯାଉଛି । ଏ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ସହଯୋଗ କରି ସ୍ଥାନୀୟ ଲୋକଙ୍କୁ ଯଥେଷ୍ଟ ଆଗରୁ ସତର୍କ ସୂଚନା ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟଭାବେ ସତର୍କ ସୂଚନା ପ୍ରଦାନ କରିବା ବ୍ୟବସ୍ଥା ଉପରେ ଅଧିକରୁ ଅଧିକ ଅର୍ଥ ବିନିଯୋଗର ଆବଶ୍ୟକତା ରହିଛି । ଏହାଫଳରେ ଆଗୁଆ ଠିକ୍ ସୂଚନା ମିଳିଲେ ସ୍ଥାନୀୟ ଅଞ୍ଚଳର ଲୋକେ ବଡ଼ ବନ୍ୟା ବା ବର୍ଷା ବିତ୍ପାତ, ବନ୍ଧ ଭାଙ୍ଗିବା, ବଜ୍ରପାତ ଏବଂ ପ୍ଳାବନଜନିତ କ୍ଷତିରୁ ନିଜକୁ ସୁରକ୍ଷିତ ରଖିପାରିବେ । କୋଭିଡ୍ ମହାମାରୀ ଭଳି ପରିସ୍ଥିତିରେ ଯେତେବେଳେ ବନ୍ୟାଞ୍ଚଳରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚାଲୁଛି ସେତେବେଳେ ସମସ୍ତେ ଯେପରି ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ମାସ୍କ ପିନ୍ଧିବା, ହ୍ୟାଣ୍ଡ ସାନିଟାଇଜେସନ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସେ କହିଛନ୍ତି । ରିଲିଫ ସାମଗ୍ରୀ ମଧ୍ୟରେ ହାତଧୁଆ ସାମଗ୍ରୀ ଯଥା ସାନିଟାଇଜର ଏବଂ ଫେସ୍ ମାସ୍କ ଆଦି ବିପନ୍ନ ଲୋକଙ୍କୁ ଯୋଗାଇ ଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଏ କ୍ଷେତ୍ରରେ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ପୁରୁଣା ବ୍ୟାଧି ଥିବା ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସେ କହିଛନ୍ତି । ଆବଶ୍ୟକ ପଡିଲେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେ ନିର୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟ ବିତ୍ପାତର ମୁକାବିଲା ପାଇଁ ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ସ୍ୱଚ୍ଛତା ଓ ନିଷ୍ଠାର ସହିତ କାର୍ଯ୍ୟକାରୀ କରିବାକୁ ରାଜ୍ୟମାନେ ଗୁରୁତ୍ୱ ଦେବା ଆବଶ୍ୟକ । ଏହା ଫଳରେ କ୍ଷୟକ୍ଷତିର ପରିମାଣ ଯଥେଷ୍ଟ ହ୍ରାସ ପାଇବ ।
ଆସାମ, ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କେରଳର ମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକର ଘରୋଇ ବିଭାଗ ମନ୍ତ୍ରୀ ନିଜ ନିଜର ରାଜ୍ୟର ବନ୍ୟା ପରିସ୍ଥିତିର ସର୍ବଶେଷ ତଥ୍ୟ ଏବଂ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଅବଗତ କରାଇଥିଲେ । ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ଉପଯୁକ୍ତ ସମୟରେ ଏନ୍ଡିଆରଏଫ ଦଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥା ସହଯୋଗ କରୁଥିବାରୁ ସେମାନେ ସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ । ବନ୍ୟାର ସ୍ଥାୟୀ ପ୍ରତିକାର ଏବଂ ଲୋକଙ୍କ ଦୁର୍ଦ୍ଦଶା ହ୍ରାସ ପାଇଁ କେତେକ ସ୍ୱଳ୍ପ ଓ ଦୀର୍ଘମିଆଦୀ ପଦକ୍ଷେପ ସଂପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ରାଜ୍ୟଗୁଡିକ ଦେଇଥିବା ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ସଂସ୍ଥାଗୁଡିକର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ସମେତ ବିଭିନ୍ନ ବିପତ୍ତିର ମୁକାବିଲା ପାଇଁ ରାଜ୍ୟଗୁଡିକୁ ସବୁମନ୍ତେ ସାହାଯ୍ୟ ସହଯୋଗ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
**********
(रिलीज़ आईडी: 1644896)
आगंतुक पटल : 232
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam