ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ସଂଯୋଗ କରୁଥିବା ସମୁଦ୍ର ତଳ କେବୁଲ ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

• ଏହି ସଂଯୋଗ ଆଣ୍ଡାମାନ ନିକୋବର ଦ୍ୱୀପରେ ସୁବିଧା ସୁଯୋଗକୁ ପ୍ରୋତ୍ସାହିତ କରିବ : ପ୍ରଧାନମନ୍ତ୍ରୀ
• ଏହାଦ୍ୱାରା ସେଠାରେ ବେପାର ବଣିଜ ବ୍ୟବସ୍ଥା ସହଜ ହେବ ଏବଂ ସାମୁଦ୍ରିକ ସୁବିଧା ସୁଯୋଗ ପ୍ରକ୍ରିୟାରେ ଉନ୍ନତି ଘଟିବ
• ବନ୍ଦରଭିତ୍ତିକ ଶିଳ୍ପକେନ୍ଦ୍ରଭାବେ ଆଣ୍ଡାମାନ ନିକୋବର ବିକଶିତ ହେବାକୁ ଯାଉଛି, କହିଲେ ପ୍ରଧାନମନ୍ତ୍ରୀ
• ଏହା ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟର ହେବ ପେଣ୍ଠସ୍ଥଳୀ : ପ୍ରଧାନମନ୍ତ୍ରୀ

Posted On: 10 AUG 2020 12:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଭାରତୀୟ ମୂଳଭୂଖଣ୍ଡରେ ଯୋଡିବା ପାଇଁ ଉଦ୍ଦିଷ୍ଟ ସମୁଦ୍ରତଳ କେବୁଲ ସଂଯୋଗ ବ୍ୟବସ୍ଥାର ଆଜି ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ପ୍ରକଳ୍ପ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି । 2018 ଡିସେମ୍ବରେ 30ରେ ପୋର୍ଟବ୍ଲେୟାରଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ, ଉକ୍ତ ସଂଯୋଗ ଫଳରେ ଏବେ ସଂପୃକ୍ତ ଦ୍ୱୀପଗୁଡିକରେ ଅସୀମ ସୁଯୋଗ ସୃଷ୍ଟି ହେବ । ସେ କହିଛନ୍ତି ଯେ 2300 କିମି ଲମ୍ବର ସମୁଦ୍ର ତଳେ ଏହି କେବୁଲ ବିଛାଇବା କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବା ପ୍ରଶଂସାଯୋଗ୍ୟ । ଆଜିଠାରୁ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭାରତୀୟ ମୁଖ୍ୟ ଭୂଖଣ୍ଡ ଚେନ୍ନଇ ସହିତ ଟେଲି ଯୋଗାଯୋଗ କ୍ଷେତ୍ରରେ ସିଧାସଳଖ ସଂଯୁକ୍ତ ହୋଇପାରିଛି । ଆଜିଠାରୁ ଏହି ଦୁଇ ଦ୍ୱୀପର ଅଧିକାଂଶ ଅଞ୍ଚଳରେ ଏହାର ସେବା ଉପଲବ୍ଧ ହୋଇଛି । ଚେନ୍ନଇରୁ ପୋର୍ଟବ୍ଲେୟାର, ପୋର୍ଟବ୍ଲେୟାରରୁ ଲିଟିଲ ଆଣ୍ଡାମାନ ଏବଂ ପୋର୍ଟବ୍ଲେୟାରରୁ ସ୍ୱରାଜ ଆଇଲାଣ୍ଡ ମଧ୍ୟରେ କେବୁଲ ସେବା କାର୍ଯ୍ୟକ୍ଷମ ହୋଇଛି ।

ପ୍ରଧାନମନ୍ତ୍ରୀ ସମୁଦ୍ର ତଳେ 2300 କିମି ଲମ୍ବ କେବୁଲ ବିଛା କାମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଗଭୀର ସମୁଦ୍ର ତଳେ ଏଥିପାଇଁ ସର୍ଭେ କରିବା, କେବୁଲର ମାନ ବଜାୟ ରଖିବା ଏବଂ ସ୍ୱତନ୍ତ୍ର ପୋତଦ୍ୱାରା କେବୁଲ ବିଛାଇବା କାମ ସଂପୂର୍ଣ୍ଣ କରିବା ସହଜ ନୁହେଁ । ଉଚ୍ଚ ଲହଡି, ଝଡବାତ୍ୟା ଏବଂ ମୌସୁମି ତଥା କରୋନା ମହାମାରୀ ଜନିତ ପ୍ରତିକୂଳ ପରିବେଶ ମଧ୍ୟରେ ଏହି କାର୍ଯ୍ୟ ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହେବା ଏକ ପ୍ରଶଂସାଯୋଗ୍ୟ ଘଟଣା । ସେ କହିଛନ୍ତି ଯେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଲୋକମାନେ ଦୀର୍ଘଦିନ ଧରି ଏହି ସେବା ଲୋଡୁଥିଲେ; କିନ୍ତୁ ତାହାକୁ ପୂରଣ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉନଥିଲା । ବିଭିନ୍ନ ଗୁରୁତର ଆହ୍ୱାନ ସତ୍ତ୍ୱେ ଏହି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇ ଏହା ଜନତାଙ୍କ କାର୍ଯ୍ୟରେ ଲାଗିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଉତ୍ତମ ତଥା ଶସ୍ତା ସଂଯୋଗ ବ୍ୟବସ୍ଥା ଯୋଗାଇ ଦେବା ଦେଶର ଦାୟିତ୍ୱ । ଏହି ପ୍ରକଳ୍ପ ସହିତ ଯେଉଁମାନେ ସଂପୃକ୍ତ ସେମାନେ ଅଭିନନ୍ଦନୀୟ । ଏବେ ସମୁଦ୍ର ତଳ କେବୁଲ ସଂଯୋଗ ବ୍ୟବସ୍ଥାରେ ଆଣ୍ଡାମାନ ଓ ନିକୋବର ସଂଯୁକ୍ତ ହେବା ଫଳରେ ଏହା ଏବେ ଭାରତର ମୁଖ୍ୟ ଭୂଖଣ୍ଡ ଏବଂ ରାଜଧାନୀ ଦିଲ୍ଲୀଠାରୁ ଦୂରରେ ରହିବ ନାହିଁ ।

ସବୁ ନାଗରିକଙ୍କ ଜୀବନ ସହଜ କରିବାରେ ସୁଯୋଗ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକ ଏବଂ ପ୍ରତ୍ୟେକ କ୍ଷେତ୍ରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ସରକାର ଅଙ୍ଗୀକାରବଦ୍ଧ । ଏହାଫଳରେ ସଂପୃକ୍ତ ଅଞ୍ଚଳର ବିକାଶ ଓ ନାଗରିକଙ୍କ ଜୀବନଧାରଣର ମାନରେ ଉନ୍ନତି ଘଟିବ । ସେମାନେ ସୁବିଧାରେ ଏବଂ ସହଜରେ ବଞ୍ଚିପାରିବେ । ସେ କହିଛନ୍ତି ଯେ ଏହି ଅପ୍‌ଟିକାଲ ଫାଇବର ପ୍ରକଳ୍ପ ଯାହା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜକୁ ଅବଶିଷ୍ଟ ଭାରତ ସହ ଯୋଡିଛି ତାହା ଲୋକଙ୍କ ଜୀବନଯାପନକୁ ସହଜ କରିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାର ଏକ ବଳିଷ୍ଠ ଉଦାହରଣ । ଦ୍ୱୀପରାଜ୍ୟ ଏବଂ ସୀମାନ୍ତ ଅଞ୍ଚଳଗୁଡିକର ନିରାପତ୍ତା ରକ୍ଷା ସହିତ ସେସବୁ ଅଞ୍ଚଳର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସରକାର ଅଙ୍ଗୀକୃତ ।

ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ଅଧିକ ସୁଯୋଗ ସୃଷ୍ଟି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସମୁଦ୍ରତଳ କେବୁଲ ସଂଯୋଗ ଦ୍ୱାରା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜବାସୀ ସୁଲଭ ଓ ଉତ୍ତମ ସଂଯୋଗ ସୁବିଧା ପାଇବେ ଏବଂ ଡିଜିଟାଲ ଇଣ୍ଡିଆର ସମସ୍ତ ଲାଭ ସେମାନଙ୍କୁ ମିଳିବ । ଅନ୍‌ଲାଇନ ଶିକ୍ଷା, ଟେଲି ମେଡିସିନ୍‌, ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଅନ୍‌ଲାଇନ ବାଣିଜ୍ୟ କାରବାର ଏବଂ ପର୍ଯ୍ୟଟନର ବିକାଶରେ ଏହା ବିଶେଷ ସହାୟକ ହେବ । ସେ କହିଛନ୍ତି ଯେ ଭାରତ ମହାସାଗର ହଜାର ହଜାର ବର୍ଷ ଧରି ଭାରତର ସାମୁଦ୍ରିକ ବାଣିଜ୍ୟ ଓ ରଣକୌଶଳାତ୍ମକ ସାମର୍ଥ୍ୟର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । ଏହାଛଡା ଆଣ୍ଡାମାନ ଓ ନିକୋବର ଦ୍ୱୀପ ଭାରତର ଆର୍ଥିକ ରଣକୌଶଳାତ୍ମକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଭାବେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଭାରତର ସବୁ ଦ୍ୱୀପ ଭାରତ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଦେଶର ନୂଆ ବାଣିଜ୍ୟ ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ପ୍ରାଚ୍ୟାଭିମୁଖୀ ନୀତି ବା ଆକ୍ଟ ଇଷ୍ଟ ପଲିସି ଅନୁସାରେ ଏହି ଦୁଇ ଦ୍ୱୀପ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଙ୍କ ସହ ସଂପର୍କ ବୃଦ୍ଧିରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସେ କହିଛନ୍ତି ଯେ 3 ବର୍ଷ ତଳେ ଗଠିତ ହୋଇଥିବା ଦ୍ୱୀପ ବିକାଶ ସଂସ୍ଥା ଏବେ ଅଧିକ ମଜଭୁତ ହୋଇ ତାହାର ଦାୟିତ୍ୱ ନିର୍ବାହ କରୁଛି । ବର୍ଷ ବର୍ଷ ଧରି ଆଣ୍ଡାମାନ ଓ ନିକୋବରରେ ପଡି ରହିଥିବା ପ୍ରକଳ୍ପମାନ ଏବେ ତ୍ୱରିତ ଗତିରେ ସଂପୂର୍ଣ୍ଣ ହେବାରେ ଲାଗିଛି ।

ଉଚ୍ଚ ପ୍ରଭାବଶାଳୀ ପ୍ରକଳ୍ପ ଏବଂ ଉତ୍ତମ ଜଳ, ସ୍ଥଳ ଓ ଆକାଶ ପଥ

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଣ୍ଡାମାନ ଓ ନିକୋବରର 12ଟି ଯାକ ଦ୍ୱୀପରେ ଉଚ୍ଚ ପ୍ରଭାବଶାଳୀ ପ୍ରକଳ୍ପମାନ କାର୍ଯ୍ୟକାରୀ ହେବା ସହ ତାହାର କାୟା ବିସ୍ତାରିତ ହୋଇଛି । ଉତ୍ତମ ଇଣ୍ଟରନେଟ ଓ ମୋବାଇଲ ସଂଯୋଗ ସହିତ ଏସବୁ ଦ୍ୱୀପକୁ ଜଳ, ସ୍ଥଳ ଓ ଆକାଶ ପଥରେ ସଂଯୁକ୍ତ କରିବା ପାଇଁ ନୂଆ ନୂଆ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ସେ କହିଛନ୍ତି ଯେ ଉତ୍ତର ଏବଂ ମଧ୍ୟ ଆଣ୍ଡାମାନ ମଧ୍ୟରେ ସଡକ ସଂଯୋଗ ପ୍ରତିଷ୍ଠା ପାଇଁ ଦୁଇଟି ବଡ଼ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହା ଜାତୀୟ ରାଜପଥ-4ରେ ନିର୍ମିତ ହେଉଛି । ଏହାଛଡା ପୋର୍ଟବ୍ଲେୟାର ବିମାନଘାଟିର କଳେବର ବୃଦ୍ଧି କରାଯାଇ 1200 ଯାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟ ଚାଲିଛି । ଏହା ସହିତ ଡିଗ୍ଲିପୁର, କାରନିକୋବର ଏବଂ କ୍ୟାମ୍ଫବେଲ୍‌-ବେରେ 3ଟି ନୂଆ ବିମାନଘାଟି ନିର୍ମାଣ କାର୍ଯ୍ୟ ସରିଛି । ଏସବୁ ଏବେ ସେବା ଯୋଗାଇଦେବା ପାଇଁ ପ୍ରସ୍ତୁତ । ଏହାଛଡା ସ୍ୱରାଜ ଦ୍ୱୀପରେ ଯାତ୍ରୀ ଟର୍ମିନାଲ ସହିତ ଡିପ୍‌ ଓ ଲଙ୍ଗ୍‌ ଆଇଲାଣ୍ଡରେ ୱାଟର ଏରୋଡ୍ରମ ସୁବିଧା କରାଯାଉଛି । କେତେକ ସ୍ଥାନରେ ମଧ୍ୟ ଭାସମାନ ଜେଟି ନିର୍ମାଣ କାର୍ଯ୍ୟ ଚାଲିଛି । ଖୁବ୍‌ଶୀଘ୍ର ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । କୋଚି ଜାହାଜ ତିଆରି କାରଖାନାରେ ନିର୍ମାଣ ହେଉଥିବା 4ଟି ଜାହାଜ ଖୁବ୍‌ଶୀଘ୍ର ଆଣ୍ଡାମାନ ଓ ନିକୋବରକୁ ଯୋଗାଇ ଦିଆଯିବ । ଏହି ଦ୍ୱୀପ ଏବଂ ଭାରତୀୟ ମୁଖ୍ୟ ଭୂଖଣ୍ଡ ସହ ସଂପର୍କ ରକ୍ଷାରେ ଏହା ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।

ବନ୍ଦରଭିତ୍ତିକ ବିକାଶ

ଶ୍ରୀ ମୋଦୀ କହିଛନ୍ତି ଯେ ବନ୍ଦରଭିତ୍ତିକ ବିକାଶ ଶୈଳୀରେ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ନବନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହାକୁ ଏକ ବନ୍ଦରଭିତ୍ତିକ ହବ୍‌ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହି ଦୁଇ ଦ୍ୱୀପର ବନ୍ଦର ସମୂହ ବିଶ୍ୱର ପ୍ରମୁଖ ବନ୍ଦରଗୁଡିକ ସହ ସମକକ୍ଷ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ଓ ସହଜରେ ଏସବୁ ବନ୍ଦରରୁ ମାଲ ପରିବହନ ସେବା ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁ ଦେଶର ବନ୍ଦର ସଂଯୋଗ ଯେତେ ଉନ୍ନତ ସେ ଦେଶ ଏକବିଂଶ ଶତାବ୍ଦୀରେ ଉତ୍ତମ ବାଣିଜ୍ୟ କାରବାର ପାଇଁ ସେତେ ଅଧିକ ସମର୍ଥ ହେବ । ଆଜି ଯେତେବେଳେ ଭାରତ ଆତ୍ମନିର୍ଭରତାର ସଂକଳ୍ପ ନେଇ କାର୍ଯ୍ୟ କରୁଛି ଏବଂ ବିଶ୍ୱ ଯୋଗାଣ ତଥା ଭ୍ୟାଲୁଚେନ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଦେଶଭାବରେ କାର୍ଯ୍ୟ କରୁଛି ସେତେବେଳେ ଆମକୁ ଆମର ଜଳପଥ ଓ ବନ୍ଦରର ସଂଯୋଗ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବାକୁ ପଡିବ । ବନ୍ଦର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଯେଉଁସବୁ ଆଇନଗତ ପ୍ରତିବନ୍ଧକ ଥିଲା ସରକାର ସେଗୁଡିକୁ ନିରନ୍ତର ଭାବରେ ଦୂର କରୁଛନ୍ତି ବୋଲି ସେ କହିଛନ୍ତି

ଆନ୍ତର୍ଜାତିକ ସାମୁଦ୍ରିକ ବାଣିଜ୍ୟ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆନ୍ତର୍ଜାତିକ ବାଣିଜ୍ୟ ଉପରେ ନଜର ରଖିବା ସହ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ସାମୁଦ୍ରିକ ଭିତ୍ତିଭୂମି ଓ ସୁବିଧା ସୁଯୋଗ ସଂକ୍ରାନ୍ତ ନିୟମାବଳୀର ସରଳୀକରଣ କରାଯାଉଛି । ଏହି ଅବସରରେ ସେ ଆଣ୍ଡାମାନରେ ନିର୍ମାଣାଧୀନ ଡିପ୍‌ଡ୍ରାଫ୍ଟ ଇନର ହାର୍ବର ନିର୍ମାଣ କାର୍ଯ୍ୟ ଏବଂ ଗ୍ରେଟ ନିକୋବରରେ ନିର୍ମାଣ ହେବାକୁ ଥିବା ଟ୍ରାନ୍ସସିପ୍‌ମେଣ୍ଟ ବନ୍ଦର ସଂପର୍କରେ ସୂଚନା ଦେଇଥିଲେ । ଗ୍ରେଟ ନିକୋବରର ଏହି ପ୍ରକଳ୍ପ ପାଇଁ 10 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଫଳରେ ଏହି ବନ୍ଦରରେ ବଡ ବଡ ଜାହାଜ ଲଙ୍ଗର ପକାଇବାର ସୁବିଧା ପାଇବେ । ଏହାଦ୍ୱାରା ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବଢିବ ଏବଂ ନିଯୁକ୍ତିର ଉତ୍ତମ ସୁଯୋଗ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟଚାଷ, ସିଉଇଡ୍‌ ଫାର୍ମିଂ ଓ ଆକ୍ୱାକଲ୍‌ଚର ଆଦି ଯାହା ନୀଳ ଅର୍ଥନୀତି ଭାବରେ ପରିଚିତ ତଦ୍ଦ୍ୱାରା ଏହି ଦ୍ୱୀପପୁଞ୍ଜର ଅର୍ଥନୀତିରେ ଉନ୍ନତି ଆସିବ । ସେଥିପାଇଁ ଉଭୟ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ନୂଆ ପ୍ରକଳ୍ପ ଏବଂ ଭିତ୍ତିଭୂମି ମାନ ତିଆରି ହେଉଛି । ସରକାରଙ୍କ ଏସବୁ କାର୍ଯ୍ୟ କେବଳ ଏହି ଦ୍ୱୀପପୁଞ୍ଜବାସୀଙ୍କୁ ସୁବିଧା ସୁଯୋଗ ଦେବାକୁ ଉଦ୍ଦିଷ୍ଟ ନୁହେଁ, ବରଂ ଆଣ୍ଡାମାନ ଓ ନିକୋବରକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି ।

 

**********



(Release ID: 1644895) Visitor Counter : 188