ପ୍ରତିରକ୍ଷା ମନ୍ତ୍ରଣାଳୟ

ଆତ୍ମନିର୍ଭର ପ୍ରୟାସରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ

• ନିର୍ଦ୍ଧାରିତ ସମୟସୀମା ବାହାରେ 101ଟି ସାମଗ୍ରୀର ଆମଦାନୀ ଉପରେ କଟକଣା ଲାଗିଲା
• ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସ୍ୱଦେଶୀ ଉଦ୍ୟମକୁ ପ୍ରୋତ୍ସାହନ ବ୍ୟବସ୍ଥା

Posted On: 09 AUG 2020 4:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ମେ 12 ତାରିଖରେ ଆତ୍ମନିର୍ଭର ଭାରତ ଗଠନ ପାଇଁ ରାଷ୍ଟ୍ର ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତା ଦେଇଥିଲେ ସେଥିରେ 5ଟି କ୍ଷେତ୍ର ଗୁରୁତ୍ୱ ପାଇଥିଲା । ସେଗୁଡିକ ହେଲା ଅର୍ଥନୀତି, ଭିତ୍ତିଭୂମି, ବ୍ୟବସ୍ଥା, ଲୋକସାଂକ୍ଷିକ ସାମର୍ଥ୍ୟ ଓ ଚାହିଦା । ଏହି 5ଟି ବିଷୟକୁ ସ୍ତମ୍ଭ ଆକାରରେ ନେଇ ତା ଉପରେ ଆତ୍ମନିର୍ଭର ଭାରତ ଗଢିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଏହାଛଡା ସେ ଆତ୍ମନିର୍ଭର ଭାରତ ଗଢିବା ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଧ୍ୟ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତାରୁ ସୂତ୍ର ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ସାମରିକ ବ୍ୟାପାର ବିଭାଗ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପ୍ରୟାସ ଆରମ୍ଭ କରିଛି । ନୂଆ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ସମୟସୀମା ବାହାରେ 101ଟି ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ କଟକଣା ଲାଗୁ କରାଯାଇଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାପାଇଁ ଏହା ଏକ ବଡ ପଦକ୍ଷେପ । ଏହା ମଧ୍ୟ ଭାରତୀୟ ଉଦ୍ୟୋଗୀ ଓ ଉତ୍ପାଦକଙ୍କୁ ଏକ ବଡ ସୁଯୋଗ ଦେଇଛି । ସେମାନେ ଏହାର ସଦୁପଯୋଗ କରି ଏସବୁ ସାମଗ୍ରୀର ଉତ୍ପାଦନ କରିପାରିଲେ ଦେଶ ଆତ୍ମନିର୍ଭରଶୀଳ ହେବା ସହ ନିଜେ ମଧ୍ୟ ଉପକୃତ ହୋଇପାରିବେ । ଏଥିପାଇଁ ସେମାନଙ୍କୁ ନିଜର ଡିଜାଇନ ଓ ନିର୍ମାଣ କୌଶଳ ବିକଶିତ କରିବାକୁ ପଡିବ । ସେମାନେ ଚାହିଁଲେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆରଡିଓ) ଦ୍ୱାରା ବିକଶିତ ଟେକ୍‌ନୋଲଜିକୁ ମଧ୍ୟ ଏ କ୍ଷେତ୍ରରେ ବ୍ୟବହାର କରିପାରିବେ ।

ସେନା, ବାୟୁସେନା, ନୌସେନା, ଡିଆରଡିଓ, ଡିଫେନ୍ସ ପବ୍ଳିକ୍‌ ସେକ୍ଟର ଅଣ୍ଡରଟେକିଂ, ଅର୍ଡାନ୍‌ସ ଫ୍ୟାକ୍ଟ୍ରି ବୋର୍ଡ ସମେତ ବିଭିନ୍ନ ସଂପୃକ୍ତ ପକ୍ଷଙ୍କ ସହିତ ବ୍ୟାପକ ବିଚାର ବିମର୍ଶ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ କେଉଁ କେଉଁ ପ୍ରତିରକ୍ଷା ଉପକରଣ ଆମଦାନୀକୁ ନିଷିଦ୍ଧ  କରାଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିଛି । ଭାରତ ପ୍ରାୟ 260 ପ୍ରକାର ସାମରିକ ଉପକରଣ ବିଦେଶରୁ ଆମଦାନୀ କରୁଛି । 2015 ଏପ୍ରିଲଠାରୁ 2020 ଅଗଷ୍ଟ ମଧ୍ୟରେ ଭାରତ ପ୍ରାୟ 3.5 ଲକ୍ଷ କୋଟି ଟଙ୍କାର ଏସବୁ ସାମଗ୍ରୀ କିଣିଛି । ଏବେ ସରକାର ଯେଉଁ 101ଟି ସାମରିକ ଉପକରଣ କ୍ରୟ ଉପରେ ନିଷେଧାଦେଶ ଜାରି କରିଛନ୍ତି ତଦ୍ଦ୍ୱାରା ଆଗାମୀ 5ରୁ 7 ବର୍ଷ ମଧ୍ୟରେ ଭାରତ ପ୍ରାୟ 4ଲକ୍ଷ କୋଟି ଟଙ୍କା ବଞ୍ଚାଇପାରିବ । ସେହି ଅର୍ଥ ଭାରତୀୟ ଉଦ୍ୟୋଗରେ ବିନିଯୋଗ ହେଲେ ଏବଂ ଦେଶୀ ସାମଗ୍ରୀ ଭାରତ କିଣିଲେ ଦେଶର ଅର୍ଥନୀତି ଲାଭବାନ ହେବା ସହ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ ।

ଆସନ୍ତା 5ରୁ 7 ବର୍ଷ ମଧ୍ୟରେ ଭାରତ ଏସବୁ ସାମଗ୍ରୀ କିଣିବା ପାଇଁ ଦେଶୀ ଉଦ୍ୟୋଗୀଗୁଡିକୁ ବରାଦ ଦେଲେ ଏ ବାବଦରେ ସଂପୃକ୍ତ ଉଦ୍ୟୋଗକୁ ବିପୁଳ ଅର୍ଥ ମିଳିବ । ଏକ ହିସାବ ଅନୁସାରେ ଆଗାମୀ 7 ବର୍ଷ ମଧ୍ୟରେ ଉଭୟ ସ୍ଥଳ ଓ ବାୟୁସେନା ପ୍ରତ୍ୟେକ 1,30,000 କୋଟି ଟଙ୍କାର ସାମଗ୍ରୀ କିଣିବାକୁ ବରାଦ ଦେବେ । ସେହିଭଳି ନୌସେନା ପକ୍ଷରୁ ମଧ୍ୟ ଏହି ସମୟରେ 1,40,000 କୋଟି ଟଙ୍କାର ସାମଗ୍ରୀ କିଣାଯିବ ।

ଯେଉଁ 101ଟି ସାମରିକ ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି ସେଥିରେ କେତେକ ଉଚ୍ଚମାନ ଓ ଜ୍ଞାନକୌଶଳର ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି । ସେଥିମଧ୍ୟରେ ଆର୍ଟିଲେରି ଗନ୍‌, ଆସଲ୍‌ର୍ଟ ରାଇଫଲ୍‌, କର୍ଭେଟସ, ସୋନାର ସିଷ୍ଟମ, ପରିବହନ ବିମାନ, ହାଲୁକା ଲଢୁଆ ବିମାନ, ରେଡାର ଏବଂ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ଉପକରଣ ରହିଛି । ଏସବୁ ଆମ ପ୍ରତିରକ୍ଷାବାହିନୀ ପାଇଁ ବିଶେଷ ଉପଯୋଗୀ । ଆହୁରି ମଧ୍ୟ ଏଏଫ୍‌ଭି ସାଞ୍ଜୁଆ ଗାଡ଼ିର ଆମଦାନୀ 2021 ଡିସେମ୍ବର ପରେ ଆଉ ହେବନାହିଁ । ଏବେ 5 ହଜାର କୋଟି ଟଙ୍କା ବ୍ୟୟରେ 200ଟି ଏଭଳି ଗାଡି କିଣିବାକୁ ସ୍ଥଳସେନା ଚୁକ୍ତିବଦ୍ଧ ହୋଇସାରିଛି । ଏହି ଲଢୁଆ ଗାଡି ପହଞ୍ଚିବା ପରେ ଆଉ ବିଦେଶରୁ ତାହା ଆମଦାନୀ ହେବନାହିଁ । ସେହିଭଳି ନୌସେନା ପକ୍ଷରୁ ମଧ୍ୟ 2021 ଡିସେମ୍ବର ପରେ ନୂଆ ବୁଡାଜାହାଜ କିଣିବା ଉପରେ କଟକଣା ଲାଗିଛି । ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ 2021 ମଧ୍ୟରେ ଭାରତ 42 ହଜାର କୋଟି ଟଙ୍କା ବ୍ୟୟରେ  6ଟି ବୁଡାଜାହାଜ କିଣିବାକୁ ଚୁକ୍ତିବଦ୍ଧ ହେବାକୁ ଯାଉଛି । ସେହିଭଳି ବାୟୁସେନା ପାଇଁ ଯେଉଁ କ୍ରୟ କଟକଣା ବ୍ୟବସ୍ଥା ଲାଗୁ ହୋଇଛି ତଦନୁସାରେ 2020 ଡିସେମ୍ବର ପରେ ଏହା କୌଣସି ଏମ୍‌କେଏକେ-1ଏ ହାଲ୍‌କା ଲଢୁଆ ବିମାନ ଆମଦାନୀ କରିପାରିବ ନାହିଁ । ତେବେ ତା ପୂର୍ବରୁ 123ଟି ଏଭଳି ବିମାନ ଭାରତ 85 ହଜାର କୋଟି ଟଙ୍କା ବ୍ୟୟରେ ବିଦେଶରୁ ସଂଗ୍ରହ କରିବାକୁ ଚୁକ୍ତିବଦ୍ଧ ହୋଇଛି । ଅତଏବ ଏଭଳି ବହୁତ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ଓ ଉପକରଣ ଆମଦାନୀ ଉପରେ କଟକଣା ଜାରି କରାଯାଇଛି । ଏହାଫଳରେ ଏହିସବୁ ସାମଗ୍ରୀ ଭାରତରେ ଉତ୍ପାଦନ କରିବା ପାଇଁ ବିପୁଳ ସୁଯୋଗ ସୃଷ୍ଟି ହୋଇଛି ।

ଏହି ନିଷେଧାଦେଶ କ୍ରମାନ୍ୱୟରେ 2020ରୁ 2024 ମଧ୍ୟରେ କାର୍ଯ୍ୟକାରୀ ହେବ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗକୁ ଦେଶୀ ଅସ୍ତ୍ରଶସ୍ତ୍ର ଓ ଉପକରଣର ଆନୁମାନିକ ଆବଶ୍ୟକତା ସଂପର୍କରେ ଅବଗତ କରାଇବା ଏବଂ ସେସବୁର ଉତ୍ପାଦନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା । ପ୍ରତିରକ୍ଷା ଉଦ୍ୟୋଗକୁ ଦେଶୀ ଜ୍ଞାନକୌଶଳ ଦ୍ୱାରା ସମୃଦ୍ଧ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷକରି ଯେଉଁସବୁ ସାମଗ୍ରୀର ଆମଦାନୀ ନିଷିଦ୍ଧ କରାଯାଇଛି ସେଥିରେ ଆତ୍ମନିର୍ଭରଶୀଳ ହେବା ଏବଂ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଯେଉଁସବୁ ଉଦ୍ୟୋଗ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଆଗ୍ରହୀ ସେମାନଙ୍କୁ ବ୍ୟବସାୟର ସୁବିଧା ପ୍ରଦାନ ସହିତ ଆବଶ୍ୟକ ଦିଗ୍‌ଦର୍ଶନ ଦେବାକୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରୟାସ ଆରମ୍ଭ କରିଛି । ଆଗକୁ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିକରୁ ଅଧିକ ସାମରିକ ଉପକରଣ ଆମଦାନୀ ନିଷିଦ୍ଧ କରିବାକୁ ବିଚାର କରୁଛି । ସେଥିପାଇଁ ପ୍ରତିରକ୍ଷା ସାମଗ୍ରୀ କ୍ରୟ ନିୟମରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଉଛି ।

ଆଉ ଏକ ଯଥାର୍ଥ ପଦକ୍ଷେପ ଗ୍ରହଣ କରାଯାଇ ପ୍ରତିରକ୍ଷା ମନ୍ତ୍ରଣାଳୟ 2020-21 ବର୍ଷର କ୍ୟାପିଟାଲ ପ୍ରୋକ୍ୟୁରମେଣ୍ଟ ବଜେଟକୁ ଦୁଇ ଭାଗରେ ବିଭକ୍ତ କରିଛି । ଏହାକୁ ଘରୋଇ ଓ ବିଦେଶୀ କ୍ୟାପିଟାଲ ପ୍ରୋକ୍ୟୁରମେଣ୍ଟ ରୁଟ୍‌ରେ ରଖାଯାଇଛି ।  52 ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ବଜେଟ ବ୍ୟୟବରାଦ କରାଯାଇଛି, ଯାହା କେବଳ ଚଳିତବର୍ଷ ଦେଶୀ ଉଦ୍ୟୋଗରୁ ସାମରିକ ଉପକରଣ ଓ ଯନ୍ତ୍ରପାତି କିଣିବାକୁ ଉଦ୍ଦିଷ୍ଟ ।

IMPORT EMBARGO LIST OF DEFENCE WEAPONS/PLATFORMS

 

**********

 



(Release ID: 1644628) Visitor Counter : 291