ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମରିସସ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକାକୁ ମିଳିତ ଭାବେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ

Posted On: 28 JUL 2020 7:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ମରିସସ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକାକୁ ଗୁରୁବାର, ଜୁଲାଇ 30, 2020ରେ ଉଦଘାଟନ କରିବେ । ମରିସସ ନ୍ୟାୟପାଳିକାର ବରିଷ୍ଠ ସଦସ୍ୟଗଣ ଏବଂ ଉଭୟ ଦେଶର ଅନ୍ୟ ପ୍ରତିନିଧିମାନଙ୍କର ଭିଡିଓ କନଫରେନ୍ସିଂ ଜରିଆରେ ଉପସ୍ଥିତିରେ ଏ ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭାରତର ଅନୁଦାନ ସହାୟତାରେ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି ଏବଂ କୋଭିଡ ପରେ ରାଜଧାନୀ ସହର ପୋର୍ଟ ଲୁଇସରେ ଭାରତ ସହାୟତା ପ୍ରାପ୍ତ ପ୍ରଥମ ଭିତ୍ତିଭୂମି ପ୍ରକଳ୍ପ ।

ଭାରତ ସରକାର ମରିସସକୁ 2016ରେ 353 ନିୟୁତ ଆମେରିକୀୟ ଡଲାର ‘ସ୍ଵତନ୍ତ୍ର ଅର୍ଥନୈତିକ ପ୍ୟାକେଜ’ ଯୋଗାଇ ଦେଇଥିଲେ । ଏହାର ଅଧୀନରେ କାର୍ଯ୍ୟକାରୀ ହେଉଥିବା 5ଟି ପ୍ରକଳ୍ପ ମଧ୍ୟରୁ ନୂଆ ସୁପ୍ରିମକୋର୍ଟ କୋଠା ଅନ୍ୟତମ । ଏହି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ଏବଂ ଆନୁମାନିକ ମୂଲ୍ୟ ମଧ୍ୟରେ ନିର୍ମିତ ହୋଇଛି । ଏହି ଅଟ୍ଟାଳିକା 47ଶହ ବର୍ଗମିଟର ଅଞ୍ଚଳରେ ନିର୍ମିତ ହୋଇଥିବା ବେଳେ ଏଥିରେ 10 ମହଲା ରହିଛି ଏବଂ ଏହାର ସମ୍ପୂର୍ଣ୍ଣ ପରିଧି 25 ହଜାର ବର୍ଗମିଟର। ଏହି ଅଟ୍ଟାଳିକାରେ ଅତ୍ୟାଧୁନିକ ଡିଜାଇନ ଏବଂ ସବୁଜ ବୈଶିଷ୍ଟ୍ୟ ରହିଛି । ଏଥିରେ ତାପ ଏବଂ ଶବ୍ଦ ନିରୋଧୀ ବ୍ୟବସ୍ଥା ସହିତ ଉଚ୍ଚ ଶକ୍ତି ଦକ୍ଷତା ଉପରେ ଜୋର ଦିଆଯାଇଛି ।

ଅକ୍ଟୋବର 2019ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ମିଳିତ ଭାବେ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଏବଂ ମରିସସରେ ଏକ ନୂଆ ଇଏନଟି ଡାକ୍ତରଖାନାର ଉଦଘାଟନ କରିଥିଲେ । ଏ ଦୁଇଟି ପ୍ରକଳ୍ପ ମଧ୍ୟ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ ଅଧୀନରେ ନିର୍ମାଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ମେଟ୍ରୋ ଏକ୍ସପ୍ରେସ ପ୍ରକଳ୍ପରେ 12 କିମି ମେଟ୍ରୋ ଲାଇନ ନିର୍ମାଣ ଗତବର୍ଷ ସେପ୍ଟେମ୍ବରରେ ଶେଷ ହୋଇଥିଲା । ଦ୍ଵିତୀୟ ପର୍ଯ୍ୟାୟରେ 14 କିମି ମେଟ୍ରୋ ଲାଇନ ନିର୍ମାଣ ଜାରି ରହିଛି । ଇଏନଟି ହସ୍ପିଟାଲ ପ୍ରକଳ୍ପ ଜରିଆରେ ଭାରତ ମରିସସରେ ଏକ ଅତ୍ୟାଧୁନିକ 100 ଶଯ୍ୟା ବିଶିଷ୍ଟ ଇଏନଟି ହସ୍ପିଟାଲ ନିର୍ମାଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦେଇଛି ।

ନୂଆ ସୁପ୍ରିମକୋର୍ଟ ଅଟ୍ଟାଳିକା ସହରର କେନ୍ଦ୍ରସ୍ଥଳୀରେ ଏକ ଗୁରୁତ୍ଵପୂର୍ଣ୍ଣ ସ୍ମାରକୀ ହୋଇପାରିବ ଯାହା ଦୁଇ ଦେଶର ଦୃଢ଼ ଦ୍ଵିପାକ୍ଷିକ ଭାଗିଦାରୀକୁ ପ୍ରତିଫଳିତ କରିବ ।

 

*********

 



(Release ID: 1641944) Visitor Counter : 195