ରେଳ ମନ୍ତ୍ରଣାଳୟ

2022 ଡିସେମ୍ବର ସୁଦ୍ଧା ଭାରତୀୟ ରେଳବାଇ ସବୁ ୱାଗନକୁ ଆରଏଫ୍‌ଆଇଡି ଦ୍ୱାରା ଟ୍ୟାଗ କରିବ

• ଏ ପର୍ଯ୍ୟନ୍ତ 23 ହଜାର ୱାଗନ ଆରଏଫ୍‌ଆଇଡି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି

Posted On: 24 JUL 2020 2:55PM by PIB Bhubaneshwar

ଭାରତୀୟ ରେଳବାଇ ଦେଶର ସବୁ ରେଳ ୱାଗନକୁ 2022 ସୁଦ୍ଧା ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ (ଆରଏଫ୍‌ଆଇଡି ଟ୍ୟାଗ) ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଲକ୍ଷ୍ୟ ରଖିଛି । ଏହି ସମୟ ସୁଦ୍ଧା ସବୁ ରେଳ ୱାଗନରେ ରେଡିଓ ଫ୍ରିକ୍ୱେନ୍ସି ବ୍ୟବସ୍ଥା ଖଞ୍ଜାଯାଇ ସହଜରେ ଏହାର ସ୍ଥିତି ନିର୍ଦ୍ଧାରଣ କରିହେବ । ରେଳବାଇର ଏକ ବିରାଟ ଓ ବ୍ୟାପକ ବ୍ୟବସ୍ଥାରେ କେଉଁ ୱାଗନ କେଉଁଠି ରହିଲା ତାହାକୁ ଠାବ କରିବାରେ ଏହି ପଦ୍ଧତି ବିଶେଷ ସହାୟକ ହେବ । ବର୍ତ୍ତମାନ ସୁଦ୍ଧା 23 ହଜାର ୱାଗନ ଆରଏଫ୍‌ଆଇଡି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି । ଏବେ ଏହି କାର୍ଯ୍ୟ ମଧ୍ୟ ଜାରି ରହିଛି; କିନ୍ତୁ କରୋନା ମହାମାରୀ ଯୋଗୁଁ କାମ ଶିଥିଳ ହୋଇପଡିଛି । 2022 ସୁଦ୍ଧା ଦେଶର ସବୁ ରେଳ ୱାଗନରେ ଆରଏଫ୍‌ଆଇଡି ଲଗାଯାଇ ତାକୁ ଟ୍ୟାଗିଂ କରାଯିବ ।

ଏବେ ଭାରତୀୟ ରେଳବାଇ ୱାଗନ ଚିହ୍ନଟ ଓ ଗଣତି କାର୍ଯ୍ୟ ମଣିଷଙ୍କ ଦ୍ୱାରା କରାଯାଉଛି । ମଣିଷ ଏହି କାର୍ଯ୍ୟ କରୁଥିବାରୁ ଏଥିରେ ଭୁଲ ହେବାର ସମ୍ଭାବନା ରହିଛି । ଆରଏଫ୍‌ଆଇଡି ବ୍ୟବସ୍ଥା ଉପଯୋଗ କରାଗଲେ ପ୍ରତ୍ୟେକ ୱାଗନ, ଇଞ୍ଜିନ, କୋଚ୍‌ କେଉଁଠି କିଭଳି ଅବସ୍ଥାରେ ଅଛି ତାହା ନିର୍ଭୁଲଭାବେ ଜଣାପଡିବ । ଇଞ୍ଜିନଗୁଡିକରେ ମଧ୍ୟ ଆରଏଫ୍‌ଆଇଡି ଟ୍ୟାଗ ଲଗାଯିବ ।  ବିଭିନ୍ନ ଷ୍ଟେସନ ଏବଂ ରେଳପଥ ପାଶ୍ୱର୍ରେ ଟ୍ରାକ୍‌ ସାଇଡ୍‌ ରିଡ୍‌ର ଲଗାଯିବ । ଏହି ରିଡ୍‌ର ଦୁଇ ମିଟର ଦୂରରୁ ଇଞ୍ଜିନ, ଡବା ଓ କୋଚ୍‌ରେ ଖଞ୍ଜାଯାଇଥିବା ଟ୍ୟାଗରୁ ତଥ୍ୟ ସଂଗ୍ରହ କରି ତାହାକୁ କେନ୍ଦ୍ରୀୟ କମ୍ପ୍ୟୁଟରକୁ ପଠାଇବ । ଏହା ଫଳରେ ସବୁ ଚଳନଶୀଳ ଟ୍ରେନର ଇଞ୍ଜିନ ଓ ବଗିର ଗତିବିଧିକୁ ମଧ୍ୟ ଠାବ କରାଯାଇପାରିବ ।

ଆରଏଫ୍‌ଆଇଡିର ପ୍ରଚଳନ ପରେ ୱାଗନ, ଇଞ୍ଜିନ ଏବଂ କୋଚର ବାସ୍ତବ ସଂଖ୍ୟା ସେସବୁ ଅଭାବ ଓ ଅନ୍ୟାନ୍ୟ ପ୍ରସଙ୍ଗଗୁଡିକୁ ଠିକ୍‌ଭାବେ ଅନୁଧ୍ୟାନ କରି ସମାଧାନ କରାଯାଇପାରିବ । ଏହା ମଧ୍ୟ ତ୍ରୁଟିଶୂନ୍ୟ ଭାବେ ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ।

 

**********



(Release ID: 1641003) Visitor Counter : 212