ରସାୟନ ଓ ସାର ମନ୍ତ୍ରଣାଳୟ

ସ୍ୱଦେଶୀ ଉତ୍ପାଦନ ବଢାଇବା ପାଇଁ ସରକାର ସାର ଉଦ୍ୟୋଗକୁ ପୁନର୍ଜୀବିତ କରୁଛନ୍ତି

Posted On: 23 JUL 2020 5:43PM by PIB Bhubaneshwar

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ଚାଷୀଙ୍କୁ ଫସଲ ବୁଣାବୁଣି ସମୟରେ ପର୍ଯ୍ୟାପ୍ତ ପରିମାଣର ସାର ଯୋଗାଇ ଦେବାପାଇଁ ଏନ୍‌ଡିଏ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିମଧ୍ୟରେ ସ୍ୱଦେଶୀ ଉତ୍ପାଦନ ବଢାଇବା ପାଇଁ ସରକାରୀ ସାର ଉଦ୍ୟୋଗଗୁଡିକୁ ପୁନର୍ଜୀବିତ କରାଯାଉଛି । 2012 ନୂଆ ନିବେଶ ନୀତି ଏବଂ 2014 ସଂଶୋଧନ ଅନୁସାରେ ଚମ୍ବଲ ଫର୍ଟିଲାଇଜର ଏଣ୍ଡ କେମିକାଲ୍ସ ଲିମିଟେଡ (ସିଏଫସିଏଲ୍‌) ରାଜସ୍ଥାନର ଗଡ଼େପାନଠାରେ ଏକ ପୁରୁଣା ସାର ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିଛି । ବର୍ଷକୁ 12.7 ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ କରିବାର କ୍ଷମତା ଏହି କାରଖାନାର ରହିଛି । ଏହି କାରଖାନାରୁ 2019 ଜାନୁୟାରୀ ପହିଲାରୁ ବ୍ୟାବସାୟିକ ଭିତ୍ତିରେ ଉତ୍ପାଦନ ଆରମ୍ଭ ହୋଇଛି । 2019-20 ଆର୍ଥିକ ବର୍ଷରେ ଏଥିରୁ 244 ଲକ୍ଷ ମେଟ୍ରିକ ଟନ ଦେଶୀ ୟୁରିଆ ଉତ୍ପାଦିତ ହୋଇଛି ।

ସେ କହିଛନ୍ତି ଯେ ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ସରକାର ଏଫ୍‌ସିଆଇର ବନ୍ଦ ହୋଇଯାଇଥିବା ରାମଗୁଣ୍ଡମ୍‌, ତାଳଚେର, ଗୋରଖପୁର, ସିନ୍ଦ୍ରି ଏବଂ ହିନ୍ଦୁସ୍ଥାନ ଫର୍ଟିଲାଇଜର କଂପାନୀର ବାରାଉଣୀ କାରଖାନାକୁ ପୁନର୍ବାର ଚାଲୁ କରିବାକୁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟ ମିଳିତ ଉଦ୍ୟୋଗରେ ଚାଲିଛି । ଏଥିପାଇଁ କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ମନୋନୀତ କରାଯାଇଛି । ଗ୍ୟାସ୍‌ ଉପଯୋଗ କରି ଏସବୁ ସାର କାରଖାନାରୁ ଉତ୍ପାଦନ କରାଯିବ । ପ୍ରତ୍ୟେକ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା 1.27 ଏମ୍‌ଏମ୍‌ଟିପିଏ ରଖାଯାଇଛି । ଏସବୁ ପ୍ରକଳ୍ପ ସବିଶେଷ ତଥ୍ୟ ନିମ୍ନ ଟେବୁଲରେ ଦିଆଯାଇଛି ।

ପ୍ରକଳ୍ପ                   ପ୍ରଗତି ହାର            କାର୍ଯ୍ୟକ୍ଷମ ଲକ୍ଷ୍ୟ

ରାମଗୁଣ୍ଡମ୍‌             99.58%             କାର୍ଯ୍ୟକ୍ଷମ ହେବା ସ୍ଥିତିରେ

ତାଳଚେର              59.48%             2023

ଗୋରଖପୁର            88.10%             2021

ସିନ୍ଦ୍ରି                     77.80%             2021

ବାରାଉଣୀ              77.60%             2021

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗୌଡା କହିଛନ୍ତି ଯେ ସଂଶୋଧିତ ନୂଆ ମୂଲ୍ୟ ଯୋଜନା ଏମ୍‌ପିଏସ୍‌ 3 ଅନୁସାରେ ସବୁ କାରଖାନା ଯେଉଁଗୁଡିକ ନାପ୍‌ଥାକୁ ଇନ୍ଧନ ବା କଞ୍ଚାମାଲଭାବେ ବ୍ୟବହାର କରୁଛନ୍ତି ସେମାନେ ତାହା ବନ୍ଦ କରି ଗ୍ୟାସ୍‌ ବ୍ୟବହାର କରିବେ । ମାଡ୍ରାସ ଫର୍ଟିଲାଇଜର କଂପାନୀ ଇତିମଧ୍ୟରେ ନାପ୍‌ଥା ବ୍ୟବହାର ବନ୍ଦ କରି ଗ୍ୟାସ୍‌ ବ୍ୟବହାର କଲାଣି । ଗ୍ୟାସ୍‌ ପାଇପ ଲାଇନ ସଂଯୋଗ ପରେ ଏହି କାରଖାନାରୁ 2019 ଜୁଲାଇ 29ରୁ ଉତ୍ପାଦନ ଆରମ୍ଭ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ ଟ୍ରାଭାନ୍‌କୋର ସାର କାରଖାନାର ଆଧୁନିକୀକରଣ ପାଇଁ 900 କୋଟି ଟଙ୍କା ବିନିଯୋଗ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

 

*********

 



(Release ID: 1640743) Visitor Counter : 143