ଅର୍ଥ ମନ୍ତ୍ରଣାଳୟ

କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି 71,229 କୋଟି ଟଙ୍କା ରିଫଣ୍ଡ କରିଛି

Posted On: 17 JUL 2020 6:00PM by PIB Bhubaneshwar

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ 71,229 କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି । ଚଳିତ ଜୁଲାଇ 11 ତାରିଖ ସୁଦ୍ଧା 21.24 ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ  ରିଫଣ୍ଡ କରାଯାଇଛି । କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ଏପ୍ରିଲ 8 ତାରିଖରେ କେନ୍ଦ୍ର ସରକାର ଏକ ନିଷ୍ପତ୍ତି ନେଇ ଫେରସ୍ତ ହେବାକୁ ଥିବା ଆୟକର (ରିଫଣ୍ଡ) କରଦାତାଙ୍କୁ ଯଥାଶୀଘ୍ର ଫେରାଇବାକୁ ନିର୍ଦେଶ ଦେଇଥିଲେ ।

24,603 କୋଟି ଟଙ୍କାର ଆୟକର ରିଫଣ୍ଡ 19.79 ଲକ୍ଷ ମାମଲାରେ ଟିକସଦାତାଙ୍କୁ ଫେରାଯାଇଥିବାବେଳେ 1.45 ଲକ୍ଷ ଘଟଣାରେ 46,626 କୋଟି ଟଙ୍କାର କର୍ପୋରେଟ ଟିକସ ରିଫଣ୍ଡ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ ରିଫଣ୍ଡ କରୋନା ମହାମାରୀ ସମୟରେ ଦିଆଯାଇଛି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ମହାମାରୀ ଭଳି ଏକ ଜଟିଳ ସମୟରେ କରଦାତାମାନେ ନିଜର ପ୍ରାପ୍ୟ ଯେପରି ଠିକ୍‌ ସମୟରେ ପାଆନ୍ତି ସେଥିପାଇଁ ଆବଶ୍ୟକ ଗୁରୁତ୍ୱ ପ୍ରଦାନ କରାଯାଉଛି । ଟିକସ ବାବଦ ମାମଲାର ତ୍ୱରିତ ସମାଧାନ ଏବଂ ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହା ନିଶ୍ଚିତ କରିବାକୁ ଆୟକର ବିଭାଗକୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି । ତଦନୁସାରେ ଆୟକର ବିଭାଗ ଯଥାସମ୍ଭବ ଲୋକଙ୍କୁ ସେମାନଙ୍କର ରିଫଣ୍ଡ ପ୍ରଦାନ କରୁଛି । ଆସନ୍ତା ଅଗଷ୍ଟ 31 ତାରିଖ ସୁଦ୍ଧା କରଦାତାଙ୍କ ସବୁ ରିଫଣ୍ଡ ମାମଲାର ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି । ଏ କ୍ଷେତ୍ରରେ ଯେଉଁ କରଦାତାମାନେ ସଂଶୋଧନ ଆବେଦନ କରୁଛନ୍ତି ସେମାନେ ଆଇଟିବିଏରେ ଅର୍ଜି ଅପ୍‌ଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ତଦ୍ଦ୍ୱାରା ଏହାର ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ।

ଆୟକର ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ କରଦାତାମାନେ ସେମାନଙ୍କର ରିଫଣ୍ଡର ଶୀଘ୍ର ପ୍ରୋସେସିଂ ପାଇଁ ଆଇଟି ବିଭାଗର ଇ-ମେଲ ସହ ତୁରନ୍ତ ଯୋଗାଯୋଗ କରିବା ଆବଶ୍ୟକ । କରଦାତା ଯେତେ ଶୀଘ୍ର ସେମାନଙ୍କର ଆପତ୍ତି ଅଭିଯୋଗ ପଠାଇବେ ତାହାକୁ ବିଚାର କରି ସେତେଶୀଘ୍ର ସେମାନଙ୍କର ଦେୟ ପ୍ରଦାନ କରାଯିବ । ସୂଚନାଯୋଗ୍ୟ ଯେ ଅନେକ ଟିକସଦାତା ଇଲେକ୍‌ଟ୍ରୋନିକ୍‌ ବ୍ୟବସ୍ଥାରେ ସେମାନଙ୍କର ଅର୍ଜି ପ୍ରେରଣ କରି ସଂଶୋଧନ ପାଇଁ ଆବେଦନ କରିଛନ୍ତି । ଏସବୁ ଆବେଦନକୁ ସମୟବଦ୍ଧ ଭିତ୍ତିରେ ବିଚାର କରି ପଦକ୍ଷେପ ନେବାକୁ ଉଦ୍ୟମ କରାଯାଉଛି । ସମସ୍ତ ରିଫଣ୍ଡ ଅନ୍‌ଲାଇନ ବ୍ୟବସ୍ଥାରେ ସିଧାସଳଖ ଟିକସଦାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି ।

 

**********



(Release ID: 1639435) Visitor Counter : 190