ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଯୁବକମାନେ କୁଶଳୀ ହୁଅନ୍ତୁ, ନିଜକୁ ପୁନଃକୁଶଳୀ କରନ୍ତୁ ଏବଂ ନିଜ ଅର୍ଜିତ କୌଶଳର ବିକାଶ ଘଟାନ୍ତୁ

• ସ୍କିଲ୍ ଇଣ୍ଡିଆ ଅଭିଯାନ ଉଭୟ ସ୍ଥାନୀୟ ଓ ବିଶ୍ୱସ୍ତରରେ ନିଯୁକ୍ତି ସୁଯୋଗ ସଂପ୍ରସାରିତ କରିଛି : ପ୍ରଧାନମନ୍ତ୍ରୀ
• ଶ୍ରମିକମାନଙ୍କ ଦକ୍ଷତା ମ୍ୟାପିଂ ପାଇଁ ନିକଟରେ ଶୁଭାରମ୍ଭ କରାଯାଇଥିବା ପୋର୍ଟାଲର ଅବତାରଣା କଲେ ପ୍ରଧାନମନ୍ତ୍ରୀ
• ଏହା ଶ୍ରମିକମାନଙ୍କୁ ହେବ ସହାୟକ; ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ସହଜ କର୍ମସଂସ୍ଥାନ : ପ୍ରଧାନମନ୍ତ୍ରୀ
• ଦେଶରେ ଭରି ରହିଥିବା ବିଶାଳ ସାମର୍ଥ୍ୟକୁ ପୁଞ୍ଜିକରି ଦକ୍ଷତା ବିକାଶ ସୁଯୋଗ ସୃଷ୍ଟି ସହ ବୈଶ୍ୱିକ ଚାହିଦା ପୂରଣ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

Posted On: 15 JUL 2020 11:33AM by PIB Bhubaneshwar

ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଏବଂ ସ୍କିଲ୍ ଇଣ୍ଡିଆଅଭିଯାନ ଆରମ୍ଭ ହେବାର ପଞ୍ଚମବାର୍ଷିକୀ ଅବସରରେ ଆଜି ଆୟୋଜିତ ଏକ ଡିଜିଟାଲ ଇଣ୍ଡିଆ କନକ୍ଲେଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଯୁବକମାନଙ୍କୁ କୁଶଳୀ, ପୁନଃକୁଶଳୀ ହେବା ସହିତ ନିଜର କୌଶଳ ସାମର୍ଥ୍ୟକୁ ବଢ଼ାଇବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଏପରି କରିବା ଦ୍ୱାରା ଦ୍ରୁତ ବେଗରେ ବିଶ୍ୱ ବ୍ୟବସାୟିକ ବାତାବରଣ ଓ ବଜାର ସ୍ଥିତିରେ ଘଟୁଥିବା ପରିବର୍ତ୍ତନ ସହ ସେମାନେ ନିଜକୁ ଯୋଗ୍ୟ ଓ ଉପଯୋଗୀ ବୋଲି ସାବ୍ୟସ୍ତ କରିପାରିବେ । ଏହି ଅବସରରେ ଦେଶର ଯୁବଗୋଷ୍ଠୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜିର ବିଶ୍ୱ ହେଉଛି ଯୁବକମାନଙ୍କ ବିଶ୍ୱ ଏବଂ ସେମାନଙ୍କ ଠାରେ ସଦାବେଳେ ନୂଆ ନୂଆ କୌଶଳ କରିବାର ସାମର୍ଥ୍ୟ ମହଜୁଦ ରହିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍କିଲ୍ ଇଣ୍ଡିଆ ଅଭିଯାନ ଆଜକୁ ପାଞ୍ଚବର୍ଷ ପୂର୍ବେ ଆଜିର ଦିନରେ ଶୁଭାରମ୍ଭ ହୋଇଥିଲା ଏବଂ ଇତିମଧ୍ୟରେ ଦେଶରେ କୌଶଳ, ପୁନଃକୌଶଳ ଏବଂ କୌଶଳର ଉନ୍ନତିକରଣ କ୍ଷେତ୍ରରେ ବିଶାଳ ଭିତ୍ତିଭୂମି ସୃଷ୍ଟି ହୋଇପାରିଛି ଯାହାକି ଯୁବକମାନଙ୍କ ସକାଶେ କର୍ମନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିପାରିଛି । ଏହା ସେମାନଙ୍କୁ ସ୍ଥାନୀୟ ଏବଂ ବୈଶ୍ୱିକ ସ୍ତରରେ ନିଯୁକ୍ତି ସୁବିଧା ଯୋଗାଇଛି ।  ଦେଶରେ ଶହ ଶହ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ସ୍ଥାପନ କରାଯାଉଛି ଏବଂ ଆଇଟିଆଇ ଇକୋସିଷ୍ଟମର ଦକ୍ଷତାକୁ ବୃଦ୍ଧି କରାଯାଉଛି। ସରକାରଙ୍କ ନିରବଚ୍ଛିନ୍ନ ଓ ନିଷ୍ଠାପର ପ୍ରୟାସ ଫଳରେ ପାଞ୍ଚ କୋଟିରୁ ଅଧିକ ଯୁବକଙ୍କୁ ଗତ ପାଞ୍ଚବର୍ଷ ମଧ୍ୟରେ କୁଶଳୀ କରାଯାଇପାରିଛି । ନିକଟରେ ଶ୍ରମିକମାନଙ୍କ କୌଶଳ ଦକ୍ଷତା ମାପିବା ସକାଶେ ଆରମ୍ଭ କରାଯାଇଥିବା ପୋର୍ଟାଲ୍ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଏହାଦ୍ୱାରା ନିଯୁକ୍ତିଦାତା ଏବଂ କର୍ମଚାରୀମାନଙ୍କ ସକାଶେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇଛି । ଏହା କୁଶଳୀ ଶ୍ରମିକମାନଙ୍କୁ ସର୍ବାଧିକ ସହାୟକ ହେବ । ବିଶେଷ କରି ଯେଉଁ ପ୍ରବାସୀ ଶ୍ରମିକମାନେ ଯେଉଁମାନେ କରୋନା ସମୟରେ ଘରକୁ ଲେଉଟିଛନ୍ତି, ସେମାନେ ସହଜରେ କର୍ମସଂସ୍ଥାନ ଯୋଗାଡ଼ କରିପାରିବେ ଏବଂ କୁଶଳୀ ଶ୍ରମିକମାନେ ସେମାନଙ୍କର ନ୍ୟାର୍ଯ୍ୟ ପାରିଶ୍ରମିକ ପାଇପାରିବେ । ଏଥିପାଇଁ କେବଳ କମ୍ପ୍ୟୁଟର ମାଉସ୍ ଟିପିବା ଦରକାର । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଜୋର ଦେଇ କହିଲେ ଯେ ପ୍ରବାସୀ ଶ୍ରମିକଙ୍କ ଦକ୍ଷତା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ପରିବର୍ତ୍ତନ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦକ୍ଷତା ହେଉଛି ଏକ ଈଶ୍ୱରୀୟ ଦାନ ଏବଂ ତାହା ଆମେ ନିଜେ ନିଜକୁ ହିଁ ଉପହାର ଭାବେ ଦେଇପାରିବା। କୌଶଳ ସମୟାତୀତ ଓ ଅନନ୍ୟ । ଏହା ଏକ ସଂପଦ ଏବଂ ସାଧନ ଯାହା ମାଧ୍ୟମରେ ଜଣେ ବ୍ୟକ୍ତି ଚାହିଁଲେ କେବଳ ନିଜକୁ ନିୟୋଜନକ୍ଷମ ହୋଇପାରିବେ ଅପରନ୍ତୁ ଏକ ସନ୍ତୋଷଜନକ ଜୀବନ ବଞ୍ଚିପାରିବସେ କହିଲେ ଯେ ଦକ୍ଷତା ଆହରଣ କରିବା ନିମନ୍ତେ ପ୍ରତ୍ୟେକ ଯୁବକଙ୍କ ମନରେ ସ୍ୱାଭାବିକ ଆଗ୍ରହ ଜାଗ୍ରତ ହେବା ବାଞ୍ଛନୀୟ । ଅନ୍ୟମାନଙ୍କୁ ତାହା ଅନୁପ୍ରାଣିତ କରିବା ଉଚିତ । ଦକ୍ଷତା କେବଳ ଉପାର୍ଜନର ଏକ ସାଧନ ନୁହେଁ, ଅପରନ୍ତୁ ତାହା ଦୈନନ୍ଦିନ ଜୀବନକୁ ଅଧିକ ଜୀବନ୍ତ ଓ ସତେଜ ବୋଲି ଅନୁଭବ କରିହେବ ।

ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ନିଜର ମତ ପୋଷଣ କରି କହିଲେ ଯେ ଜ୍ଞାନ ଏବଂ କୌଶଳ ଭିତରେ ଥିବା ମୌଳିକ ପାର୍ଥକ୍ୟକୁ ସଭିଏଁ ହୃଦୟଙ୍ଗମ କରିବା ଆବଶ୍ୟକ । ଏହାର ଏକ ଉଦାହରଣ ଅବତାରଣା କରି ସେ କହିଲେ ଯେ ସାଇକେଲକୁ  କିଭଳି ଚଳାଇବାକୁ ପଡ଼େ ତାହା ଜାଣିବା ହେଉଛି ଜ୍ଞାନ । କିନ୍ତୁ ବାସ୍ତବରେ ସାଇକେଲକୁ ଚଳାଇବା ହେଉଛି କୌଶଳ । ତେଣୁ ଯୁବକମାନଙ୍କୁ ଏହା ଭିତରେ ଥିବା ମୌଳିକ ପାର୍ଥକ୍ୟକୁ ହୃଦୟଙ୍ଗମ କରିବା ପ୍ରତ୍ୟେକ ଯୁବକଙ୍କ କର୍ତ୍ତବ୍ୟ । ପୁଣି ଏହାର ଉପଯୋଗିତା ଏବଂ ପରିଣାମକୁ ମଧ୍ୟ ସେମାନେ ଭଲଭାବେ ଜାଣିବା ଆବଶ୍ୟକ । ଏପରିକି କାଠକାମରେ ସୁଦ୍ଧା କୌଶଳ, ପୁନଃକୌଶଳ ଏବଂ କୌଶଳକୁ ଆହୁରି ପରିମାର୍ଜିତ କରିବା ଏକାନ୍ତ ଜରୁରି ।

ପ୍ରଧାନମନ୍ତ୍ରୀ ଆହୁରି କହିଲେ ଯେ କୌଶଳକୁ ପୁଞ୍ଜି କରି ଦେଶର ସାମର୍ଥ୍ୟ ବଢ଼ିବା ଆବଶ୍ୟକ ଏବଂ ଏହାକୁ ସୁଯୋଗରେ ପରିଣତ କରିବା ଉଚିତ । ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ କୁଶଳୀ ମାନବସମ୍ବଳ ବିଶ୍ୱ ଚାହିଦାକୁ ପୂରଣ କରିବା ଦିଗରେ ଅନେକାଂଶରେ ସକ୍ଷମ ହୋଇପାରିଛନ୍ତି । ଏହି ସାମର୍ଥ୍ୟକୁ ମ୍ୟାପିଂ କରିବା ଆବଶ୍ୟକ ଓ ଭାରତୀୟ ମାନଙ୍କୁ କିଭଳି ଅନ୍ୟ ଦେଶରେ ପହଞ୍ଚାଯାଇପାରିବ ସେ ଦିଗରେ ପ୍ରୟାସ କରାଯିବା ଉଚିତ । ସେହିଭଳି ସେ କହିଥିଲେ ଯେ ଭାରତୀୟ ଯୁବଶକ୍ତିଙ୍କର ଦୀର୍ଘ ଦିନର ନୌସାମର୍ଥ୍ୟ ପରମ୍ପରା ରହିଛି  । ସେମାନେ ଅତି ଅଭିଜ୍ଞ ନାବିକଭାବେ ଦରିଆପାରି ବ୍ୟବସାୟ ବାଣିଜ୍ୟ କରିଆସିଛନ୍ତି । ଏହି କ୍ଷେତ୍ରରେ ଥିବା ଚାହିଦାକୁ ମଧ୍ୟ ଉତ୍ତମ ରୂପେ ଚିହ୍ନଟ କରାଯିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱ ଯୁବ ଦକ୍ଷତା ଦିବସ ଯାହାକି ଜୁଲାଇ 15 ତାରିଖ ଦିନ ପ୍ରତିବର୍ଷ ପାଳିତ ହୋଇଥାଏ ଚଳିତ ବର୍ଷ ତାହା ଭର୍ଚୁଆଲ ମୋଡ଼ରେ ପାଳନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେ, ଦକ୍ଷତା ବିକାଶ ଓ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର କେ ସିଂହ, ଲାର୍ସେନ ଏଣ୍ଡ୍ ଟ୍ୟୁବ୍ରୋ ଲିମିଟେଡ଼ର ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ଏ ଏମ ନାୟକ ପ୍ରମୁଖ ସମ୍ମିଳନୀରେ ଉଦବୋଧନ ଦେଇଥିଲେ । ଏହି ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ଅଂଶୀଦାର ଏବଂ ଲକ୍ଷାଧିକ ସଂଖ୍ୟାରେ ପହଞ୍ଚିଥିବା ବ୍ୟାପକ ନେଟୱର୍କ ଟ୍ରେନିମାନେ ମଧ୍ୟ ଡିଜିଟାଲ ମୋଡ଼ରେ ଏଥିରେ ସାମିଲ ହୋଇଥିଲେ ।

 

**********

 



(Release ID: 1638858) Visitor Counter : 211