ନୀତି ଆୟୋଗ

ବିଭିନ୍ନ ମନ୍ତ୍ରଣାଳୟ ସହ ଅଟଳ ଅଭିନବ ମିଶନର ଗଠବନ୍ଧନ

• କୋଭିଡ଼-19 ପରିସ୍ଥିତିରେ ଷ୍ଟାର୍ଟ ଅପମାନଙ୍କୁ ସହାୟତା ଯୋଗାଣ ସକାଶେ ସହଭାଗୀତା
• କୋଭିଡ଼ ଡେମୋ ଦିବସ ସିରିଜର ଆୟୋଜନ

Posted On: 14 JUL 2020 6:41PM by PIB Bhubaneshwar

ବିଶ୍ୱ ଅର୍ଥନୀତି ଉପରେ କୋଭିଡ଼-19 ବୈଶ୍ୱିକ ମହାମାରୀ ପରିସ୍ଥିତି ଏବଂ ତଦ୍‌ ଜନିତ ଆର୍ଥିକ ସଟ୍‌ ଡାଉନ୍‌ କଟକଣା ପ୍ରବଳ ଚାପ ପକାଉଥିବା ବେଳେ ନୀତି ଆୟୋଗ ପକ୍ଷରୁ ଏହାର ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଅଟଳ ଅଭିନବ ମିଶନ୍‌ (ଏଆଇଏମ) ଏବେ ପୂର୍ଣ୍ଣ ମାତ୍ରାରେ ଅଣ୍ଟା ଭିଡ଼ିଛି । ସାରା ଦେଶରେ ଉଦ୍ୟମିତା ମନୋଭାବକୁ ସକ୍ରିୟ ରଖିବା ଉଦ୍ଦେଶ୍ୟରେ ଏହା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହିତ ହାତ ମିଳାଇଛି । ସେହିସବୁ ମନ୍ତ୍ରଣାଳୟଗୁଡ଼ିକୁ ସହଭାଗୀ କରି କୋଭିଡ଼-19 ପରସ୍ଥିତିରେ ଷ୍ଟାର୍ଟ ଅପ୍‌ମାନଙ୍କ ସକାଶେ ଆବଶ୍ୟକ ସହାୟତା ତଥା ସକଳ ପ୍ରକାର ସମାଧାନ ପନ୍ଥା ଯୋଗାଇ ଦେଉଛି । ଏହାଦ୍ୱାରା ଷ୍ଟାର୍ଟ ଅପଗୁଡିକ କୋଭିଡ଼-19 ପରିସ୍ଥିତି ଯୋଗୁ ସମ୍ମୁଖୀନ ହେଉଥିବା ସମସ୍ୟାକୁ ମୁକାବିଲ କରିବା ନିମନ୍ତେ ସକ୍ଷମ ହୋଇପାରୁଛନ୍ତି ।

ଏହି ପରିପ୍ରେକ୍ଷୀରେ ଅଟଳ ଅଭିନବ ମିଶନ୍‌ ସମନ୍ୱୟରେ ଆଜି ଅନେକଗୁଡ଼ିଏ କୋଭିଡ଼-19 ଡ଼େମୋ ଦିବସ ସଂପାଦିତ ହୋଇଛି । ଏହି ପ୍ରୟାସ ଜରିଆରେ ଉତ୍ସାହୀ ଷ୍ଟାର୍ଟ ଅପଗୁଡ଼ିକୁ ଚିହ୍ନଟ କରାଯାଇ କୋଭିଡ଼-19 ବିରୁଦ୍ଧରେ ଲଢ଼ିବା ଭଳି ସେମାନଙ୍କ ସାମର୍ଥକୁ ଚିହ୍ନିତ କରାଯାଉଛି । ଦେଶବ୍ୟାପୀ ଚାଲିଥିବା ଏହି କାର୍ଯ୍ୟକ୍ରମ ଜରିଆରେ କୋଭିଡ଼-19 ପରିସ୍ଥିତିର ସମାଧାନ ଉପାୟମାନ ଚିନ୍ତା କରାଯାଉଛି ।

ଏହି ପ୍ରୟାସ ଅନ୍ୟାନ୍ୟ ସରକାରୀ ସଂସ୍ଥାମାନଙ୍କ ସହଭାଗୀତାରେ ଆରମ୍ଭ କରାଯାଇଥିଲା । ଏଥିରେ ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀ ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍‌ (ବିଆଇଆରଏସି), ଜୈବପ୍ରଯୁକ୍ତି ବିଭାଗ (ଡ଼ିବିଟି), ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (ଡ଼ିଏସଟି), ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଅଗ୍ନି ଏବଂ ଅନ୍ୟାନ୍ୟ ମନ୍ତ୍ରଣାଳୟମାନଙ୍କ ସହ ସାମିଲ ହୋଇଛନ୍ତି । ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ବିଜୟ ରାଘବନ ଏବଂ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ବିନୋଦ ପଲଙ୍କ ନିର୍ଦ୍ଦେଶ କ୍ରମେ ଏହି ଉପକ୍ରମ ଆରମ୍ଭ କରାଯାଇଛି ।

ଏହି ଉପକ୍ରମରେ ବିଭିନ୍ନ ବର୍ଗରୁ 1000ରୁ ଉର୍ଦ୍ଧ୍ଵ କୋଭିଡ଼19 ସଂପର୍କୀତ ଷ୍ଟାର୍ଟ ଅପ୍‌ ଆରମ୍ଭ କରାଯାଇଛି । ସେଥିରେ ଉପଶମାତ୍ମକ, ପ୍ରତିଷେଧାତ୍ମକ ଏବଂ ସହାୟତା ପ୍ରଦାନକାରୀ ସମାଧାନ ଉପାୟମାନଙ୍କୁ ଦୁଇ ପର୍ଯ୍ୟାୟରେ ମୂଲ୍ୟାୟନ କରାଯାଇଥିଲା । ସେଥି ମଧ୍ୟରୁ 70ରୁ ଉର୍ଦ୍ଧ୍ଵ ଷ୍ଟାର୍ଟ ଅପ୍‌ଙ୍କୁ ଭର୍ଚୁଆଲ କୋଭିଡ଼19 ଡେମୋ ଡେଜ୍‌ ପାଇଁ ଚୟନ କରାଯାଇଛି । ଏହିସବୁ ଷ୍ଟାର୍ଟ ଅପ୍‌ଗୁଡ଼ିକ ଫଣ୍ଡିଂ ଆକାରରେ ସହାୟତା ଲାଭ କରିବେ ଏବଂ ସେମାନଙ୍କୁ ଉତ୍ପାଦନ ଦକ୍ଷତା ସଂପର୍କୀତ ପ୍ରବେଶର ଅନୁମତି ମିଳିବ । ସେହିଭଳି ଯୋଗାଣ ଚେନ୍‌ ଏବଂ ଲଜିଷ୍ଟିକ୍ସ ତଥା ଉପଯୁକ୍ତ ଭେଣ୍ଡର ଓ ମେଣ୍ଟର ଖୋଜି ପାଇବା ନିମନ୍ତେ ସେମାନଙ୍କୁ ସକଳ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ।

ଚିକିତ୍ସା ଉପକରଣ, ପିପିଇ, ସାନିଟାଇଜେସନ୍‌, ପ୍ରଯୁକ୍ତି ସମାଧାନ ଇତ୍ୟାଦି ସକାଶେ ମୋଟ ନଅଟି ଡ଼େମୋ ଡ଼େଜ୍‌ ଆୟୋଜିତ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ନୀତି ଆୟୋଗର ଅଟଳ ଅଭିନବ ମିଶନର ନିର୍ଦ୍ଦେଶକ ଆର ରମଣନ୍‌ । ଏହି କାର୍ଯ୍ୟକ୍ରମ ସଂପର୍କରେ ତାଙ୍କର ଅନୁଭୂତି ପ୍ରସଙ୍ଗରେ ସୂଚନା ଦେଇ  ଶ୍ରୀ ରମଣନ୍‌ କହିଲେ ଯେ ଏଭଳି ମିଳିତ ପ୍ରୟାସ ଭାରତର ସକଳ ପ୍ରକାର କୋଭିଡ଼-19 ସଂପର୍କୀତ ଉତ୍ପାଦ/ ସେବା/ ସମାଧାନ ନିମନ୍ତେ ଅତ୍ୟାବଶ୍ୟକ ସହାୟତା ଯୋଗାଇ ଦେବ । ଏହା ଏଭଳି ଏକ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମର ସଫଳ ପ୍ଲାଟଫର୍ମ ସୃଷ୍ଟି କରିବ ଯାହା ବର୍ତ୍ତମାନର ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଏକାନ୍ତ ଜରୁରି ।

ଏଭଳି ସମାଧାନ ପନ୍ଥାର ଉନ୍ନତ ଗୁଣାତ୍ମକ ମାନ ଭାରତୀୟ ଉଦ୍ୟୋଗ ଦୃଶ୍ୟପଟ୍ଟରେ ଅଭିନବତ୍ୱର ପରିଚୟ ପ୍ରଦାନ କରେବୋଲି ଶ୍ରୀ ରମଣନ୍‌ ଦୃଢ଼ତା ବ୍ୟକ୍ତ କରି କହିଛନ୍ତି ।

ଜୈବପ୍ରଯୁକ୍ତି ବିଭାଗ ସଚିବ ଡକ୍ଟର ରେଣୁ ସ୍ୱରୂପ ଏହି ଡ଼େମୋ ଦିବସ କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ଉଦ୍‌ବୋଧନ ଦେଇ କହିଲେ ଯେ ଏହା ସୁନିଶ୍ଚିତ ଯେ ସାମୂହିକ ପ୍ରୟାସ ହିଁ ସର୍ବାଧୁନିକ ଅଭିନବତ୍ୱ ଏବଂ ପ୍ରଯୁକ୍ତିକୁ ଏହି କୋଭିଡ଼-19 ଡ଼େମୋ ଦିବସରେ ପ୍ରଦର୍ଶିତ କରିପାରିଛି ଯାହା କରୋନା ମହାମାରୀକୁ ମୁକାବିଲା କରିବା ଦିଗରେ ବିଶେଷ ଭାବେ ସହାୟକ ହୋଇପାରିବ ।

ସେହିଭଳି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା ଗୁରୁତ୍ୱ ଆରୋପ କରି କହିଲେ ଯେ ଏଥିରେ ସମସ୍ତ ସରକାରୀ ବିଭାଗଙ୍କର ପ୍ରୟାସ ଗତ ଛଅ ବର୍ଷ ଧରି ଜାରି ରହିଛି । ସେଇଥିପାଇଁ ଏଭଳି ଏକ ଅଭିନବତ୍ୱ ଏବଂ ଇନକୁବେସନର ସଶକ୍ତ ବାତାବରଣ ସୃଷ୍ଟି ହୋଇପାରିଛି । ଅଭିନବ ଷ୍ଟାର୍ଟ ଅପମାନଙ୍କ ସହ ସେମାନେ ଘନିଷ୍ଠ ସହଯୋଗୀତାର ସହ କାର୍ଯ୍ୟ କରି ଏଭଳି ଜଟିଳ ସମୟରେ ଦ୍ରୁତମାତ୍ରାରେ ସମାଧାନ ପନ୍ଥାର ବିକାଶ ଓ ମୁତୟନ କରିପାରିଛନ୍ତି ।

ଏଭଳି ଇକୋସିଷ୍ଟମର ସଫଳତା ପ୍ରାୟ 60ରୁ ଉର୍ଦ୍ଧ୍ଵ ଷ୍ଟାର୍ଟ ଅପମାନଙ୍କରେ ପ୍ରଦର୍ଶିତ ହୋଇଛି ଯାହାକି ବର୍ତ୍ତମାନ କୋଭିଡ଼-19 ସଂପର୍କୀତ ବିଭିନ୍ନ ସାମଗ୍ରୀ ଉତ୍ପାଦନ ନିମନ୍ତେ ବେଶ ଦ୍ରୁତ ମାତ୍ରାରେ କାର୍ଯ୍ୟକ୍ଷମ ହୋଇପାରିଛନ୍ତି ଏବଂ ସେମାନଙ୍କୁ ଅଟଳ ଅଭିନବ ମିଶନ ଓ ଜୈବ ପ୍ରଯୁକ୍ତି ବିଭାଗ ପକ୍ଷରୁ ସହଯୋଗ ଯୋଗାଇ ଦିଆଯାଉଛିବୋଲି ସେ ଦୃଢ଼ତା ବ୍ୟକ୍ତ କରିଛନ୍ତି ।

ଇତ୍ୟବସରେ, ଏଭଳି ଭର୍ଚୁଆଲ୍‌  ଡ଼େମୋ ଡ଼େର ପରିଣାମ ସ୍ୱରୂପ, 340ରୁ ଅଧିକ ସଂଯୋଗ ସ୍ଥାପନ କରାଯାଇଛି ଯେଉଁଥିରେ 50ରୁ ଅଧିକ ଷ୍ଟାର୍ଟ ଅପ୍‌ଙ୍କୁ ସାମିଲ କରାଯାଇଛି । ବିଭିନ୍ନ ଷ୍ଟାର୍ଟ ଅପ୍‌ ଏବଂ ଅନ୍ୟାନ୍ୟ ନିବେଶକ ଗୋଷ୍ଠୀ/ ସଂଗଠନମାନଙ୍କ ମଧ୍ୟରେ ଏଥିପାଇଁ ସହଯୋଗ ସ୍ଥାପନ କରାଯାଇଛି

ଏହାତିରିକ୍ତ, ଆୟୋଜକମାନଙ୍କ ପକ୍ଷରୁ ଷ୍ଟାର୍ଟ ଅପମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ଯଦ୍ୱାରା ସେମାନେ ସେମାନଙ୍କର ପିଚ୍‌ରେ ଅନେକ ଜଟିଳ ସଂଯୋଗ କରିପାରିଛନ୍ତି । ସେଥି ମଧ୍ୟରେ ସେମାନଙ୍କୁ ବିଭିନ୍ନ ପ୍ରକାର ସ୍ୱୀକୃତି ହାସଲ ସଂକ୍ରାନ୍ତ ଉପଦେଶିକା, ଟେଷ୍ଟିଂ ଆବଶ୍ୟକତା ଇତ୍ୟାତି ସଂପର୍କରେ ସଚେତନ କରାଯାଇଛି । ଏହାଛଡ଼ା, ବଜାର ପ୍ରବେଶ ସଂକ୍ରାନ୍ତ ପରାମର୍ଶ, କ୍ରେତା ଏବଂ ଜିଇଏମ ଭାବେ ପୋର୍ଟାଲରେ ପଞ୍ଜିକରଣ ସୁବିଧା ଆଦିର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ସରକାରଙ୍କର ଏହି ପ୍ରୟାସକୁ ପ୍ରଶଂସା କରି ଇଣ୍ଡିଆନ୍‌ ଆଞ୍ଜେଲ ନେଟୱାର୍କ, ପଶ୍ଚିମ ଭାରତ, କ୍ଷେତ୍ର ମୁଖ୍ୟ କାଞ୍ଚି ଦୟା କହିଲେ ଯେ ଭାରତ ସରକାରଙ୍କର ଏହା ଏକ ମହାନ୍‌ ଉପକ୍ରମ ଯଦ୍ୱାରା ଷ୍ଟାର୍ଟ ଅପମାନେ ସଶକ୍ତ ହୋଇପାରିବେ ଓ ସେମାନେ ଅଭିନବତା ଦିଗରେ ପ୍ରୋତ୍ସାହିତ ହେବେ । ସରକାର ଏଥିପାଇଁ ବିଭିନ୍ନ ବିଭାଗ ଏବଂ ଘରୋଇ ସଂସ୍ଥାମାନଙ୍କୁ କୋଭିଡ଼-19 ବିରୋଧରେ ମିଳିତ ସଂଗ୍ରାମ ନିମନ୍ତେ ଏକଜୁଟ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଏକ ପ୍ରମୁଖ ଷ୍ଟାର୍ଟ ଅପ୍‌ ସଂସ୍ଥା ମ୍ୟାକ୍‌ଗିକ୍ସ ମେକାଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡ଼ ମଧ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଡ଼େମୋ ଡ଼େଜ୍‌ ଅନେକ କାରଣରୁ ସହାୟକ ହୋଇପାରିବ । ସେଥିରେ ପ୍ରଗତି ମାର୍ଗ ଉନ୍ମୁକ୍ତ ହେବା ସହିତ ବ୍ୟବସାୟୀକରଣ ଏବଂ ଅଧିକ ନିୟୋଜନ ସକାଶେ ଉପକାରସିଦ୍ଧ ପରାମର୍ଶମାନ ସାମିଲ । ଆମେ ଏହା ମାଧ୍ୟମରେ ଆମର କେତେକ ସମ୍ଭାବ୍ୟ ସହଯୋଗୀଙ୍କୁ ଠାବ କରିପାରିଛୁ ଯାହାକି ଆମକୁ ନିକଟ ଭବିଷ୍ୟତରେ ଆମର ଉପକ୍ରମର ବୃଦ୍ଧିରେ ସହାୟକ ହୋଇପାରିବ ।

ଆୟୋଜିତ ସମସ୍ତ ଭର୍ଚୁଆଲ୍ ଡ଼େମୋ ଦିବସ କାର୍ଯ୍ୟକ୍ରମରେ ନୀତି ଅୟୋଗ, ଅଟଳ ଅଭିନବ ମିଶନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ, ଇସିତା ଅଗ୍ରୱାଲ, ୟୁଏନଡ଼ିପିର ଇନକ୍ଲୁସିଭ୍‌ ଗ୍ରୋଥ୍‌ ମୁଖ୍ୟ, ଅମିତ କୁମାର, ୟୁଏନଡ଼ିପି ଆସିଲେରେଟର ଲାବ୍‌ମ୍ୟାପିଂ ସଲୁସନ ମୁଖ୍ୟ, ରୋଜିତା ସିଂହ, ନାସକମ୍‌ 10 ହଜାର ଷ୍ଟାର୍ଟ ଅପ୍‌ର ନିର୍ଦ୍ଦେଶକ କୃତ୍ତିକା ମୁରୁଗେଶନ୍‌, ଏଭିପି ଏବଂ ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଇନଭେଷ୍ଟ ଇଣ୍ଡିଆ ମୁଖ୍ୟ, ଆସ୍ଥା ଗ୍ରୋଭର, ଅଗ୍ନି, ଇନଭେଷ୍ଟ ଇଣ୍ଡିଆ ଉପାଧ୍ୟକ୍ଷ, ରାହୁଲ ନାୟାର ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

 

**********



(Release ID: 1638856) Visitor Counter : 265