ରେଳ ମନ୍ତ୍ରଣାଳୟ

ନିରାପଦ ଯାତ୍ରା ନିମନ୍ତେ ରେଳବାଇର ପୋଷ୍ଟ କୋଭିଡ କୋଚ୍‌

• କପୁରତଲା ରେଲକୋଚ ଫ୍ୟାକ୍ଟ୍ରି ଦ୍ୱାରା କୋଭିଡ-19 ବିରୋଧୀ ସ୍ୱତନ୍ତ୍ର କୋଚ୍‌ର ଡିଜାଇନ ପ୍ରସ୍ତୁତ
• ଏଥିରେ ବିନା ହାତ ସ୍ପର୍ଶରେ ମିଳିବ ସୁବିଧା ସୁଯୋଗ, ହ୍ୟାଣ୍ଡରେଲ୍‌, ଲ୍ୟାଚ ଉପରେ ତମ୍ବା ପ୍ରଲେପ, ପ୍ଲାଜାମା ବାୟୁ ବିଶୋଧକ ଓ ଟାଇଟାନିଅମ ଡାଇଅକ୍ସାଇଡ କୋଟିଂ

Posted On: 14 JUL 2020 2:26PM by PIB Bhubaneshwar

କୋଭିଡ-19 ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।  କପୁରତଲା ସ୍ଥିତ ଭାରତୀୟ ରେଳଡବା କାରଖାନା ପକ୍ଷରୁ କୋଭିଡ ପରବର୍ତ୍ତୀ କୋଚ୍‌ ନିର୍ମାଣ ପାଇଁ ସ୍ୱତନ୍ତ୍ର ଧରଣର ନିରାପଦ କୋଚ ଡିଜାଇନ୍‌ ପ୍ରସ୍ତୁତ ହୋଇଛି । ଏଥିରେ ରେଳଡବା ଭିତରେ ଯେଉଁସବୁ ସୁବିଧା ସୁଯୋଗ ରହିଛି ତାହାକୁ ନ ଛୁଇଁ ସେସବୁର ବ୍ୟବହାର କରାଯାଇପାରିବ । ଏହି କୋଚରେ ହ୍ୟାଣ୍ଡ ରେଲ୍‌ ଓ ଲ୍ୟାଚେସ୍‌ ଉପରେ ତମ୍ବାର ଆବରଣ ଦିଆଯାଇଛି । ଡବା ଭିତରେ ପ୍ଲାଜାମା ବାୟୁ ବିଶୋଧକ ବ୍ୟବସ୍ଥା ଓ ଟାଇଟାନିଅମ ଡାଇଅକ୍ସାଇଡ କଲେଇ (କୋଟିଂ) କରାଯାଇଛି, ଯାହା କରୋନା ଭୂତାଣୁକୁ ନଷ୍ଟ କରିବା ସହିତ ଯାତ୍ରୀମାନଙ୍କୁ ନିରାପଦ ରଖିପାରିବ ।

ତଳେ ଏହି କୋଚ୍‌ର ବିଭିନ୍ନ ସୁବିଧା ସୁଯୋଗ ସଂପର୍କରେ ଉଲ୍ଲେଖ କରାଯାଇଛି ।

1. ହ୍ୟାଣ୍ଡ୍‌ ଫ୍ରି ସୁବିଧା- ଏହି ନୂଆ କୋଚ୍‌ରେ ଏଣିକି ଆଉ ହାତରେ ପାଣି ଟ୍ୟାପ ଖୋଲିବାକୁ କିମ୍ବା ସାବୁନ ଉଠାଇବାକୁ ପଡିବ ନାହିଁ । ନୂଆ ବ୍ୟବସ୍ଥାରେ ଗୋଡ଼ରେ ଚାପିଦେଲେ ପାଣି ଟ୍ୟାପ ଖୋଲିବ ଏବଂ ସାବୁନ ବ୍ୟବହାରର ସୁବିଧା ମିଳିପାରିବ । ଶୌଚାଳୟର ଦ୍ୱାରଗୁଡିକୁ ଯାତ୍ରୀମାନେ ସହଜରେ ଗୋଡଦ୍ୱାରା ଖୋଲିପାରିବେ । ସେହିଭଳି ପାଇଖାନାର ଫ୍ଲସ ଭାଲ୍‌ବ ଗୋଡଦ୍ୱାରା ଚାଳିତ ହେବ । ପ୍ରତ୍ୟେକ କମ୍ପାର୍ଟମେଣ୍ଟର ଦ୍ୱାରକୁ ଆଉ ହାତରେ ନ ଖୋଲି କହୁଣି ସାହାଯ୍ୟରେ ଖୋଲାଯାଇପାରିବ ।

2. ହ୍ୟାଣ୍ଡରେଲ୍‌ ଓ ଲ୍ୟାଚ ଉପରେ ତମ୍ବା ଆବରଣ- ପୋଷ୍ଟ କୋଭିଡ କୋଚରେ ଥିବା ହ୍ୟାଣ୍ଡରେଲ୍‌ ଓ ଲ୍ୟାଚଗୁଡିକ ଉପରେ ତମ୍ବାର ଆବରଣ ଦିଆଯାଇଛି । କାରଣ ତମ୍ବାର ଜୀବାଣୁନାଶକ ଗୁଣ ଥିବାରୁ ତାହା ସଂସ୍ପର୍ଶରେ ଆସିଲେ କରୋନା ଭୂତାଣୁ ଶୀଘ୍ର ମରିଯାଇଥାନ୍ତି । ଏହା ଉପରେ ଭାଇରସ୍‌ ଲାଗିବା କ୍ଷଣି ତମ୍ବାର ଆୟନ ପ୍ରଭାବରେ ଜୀବାଣୁର ପାଥୋଜେନ୍‌ ବିସ୍ଫୋରିତ ହୋଇ ଏହାର ଡିଏନ୍‌ଏ ଓ ଆରଏନ୍‌ଓକୁ ନଷ୍ଟ କରିଥାଏ ।

3. ପ୍ଲାଜାମା ବାୟୁ ବିଶୋଧକ- ନୂଆ କୋଚ୍‌ରେ ବ୍ୟବହୃତ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ପ୍ଲାଜାମା ବିଶୋଧକ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଶୀତତାପ ଯନ୍ତ୍ରରୁ ବାହାରୁଥିବା ପବନ ଭୂତାଣୁ ଓ ଜୀବାଣୁମୁକ୍ତ ହେବା ସହିତ ଡବା ଭିତରର ପରିବେଶକୁ ନିରାପଦ ରଖିଥାଏ । ଏସବୁ ଶୀତତାପ ନିୟନ୍ତ୍ରକର ଭିତରେ ଆୟନଯୁକ୍ତ ପବନ ବ୍ୟବହାର କରାଯାଉଛି । ଏହା ଫଳରେ ଡବା ଭିତରେ ଆୟନର ଉପସ୍ଥିତି 100 ଗୁଣରୁ 6 ହଜାର ଗୁଣ ବଢିପାରିବ । ଫଳରେ ସଂକ୍ରମଣର ଆଂଶକା ରହିବ ନାହିଁ ।

4. ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ- ପୋଷ୍ଟ କୋଭିଡ କୋଚ୍‌ରେ ଟାଇଟାନଅୟମ ଡାଇଅକ୍‌ସାଇଡ ପ୍ରଲେପର ବ୍ୟବହାର କରାଯାଇଛି । ଏହି ପ୍ରଲେପରେ ଥିବା କ୍ଷୁଦ୍ରାତି କ୍ଷୁଦ୍ର ଟାଇଟାନିଅମ ଡାଇଅକ୍‌ସାଇଡ ଏକ ବିଶୋଧକଭାବେ କାର୍ଯ୍ୟକରେ । ଏହା ପରିବେଶ ଅନୁକୂଳ । ଏହା ଜୀବାଣୁ, ଭୂତାଣୁ, ଫଙ୍ଗସ୍‌ ଏବଂ ଅନ୍ୟାନ୍ୟ କ୍ଷତିକାରକ କୀଟାଣୁକୁ ନିପାତ କରିଥାଏ । ଏହି ପ୍ରଲେପ ମଣିଷ ପାଇଁ ବିଷାକ୍ତ ନୁହେଁ । ଏହାର ବ୍ୟବହାର ଆମେରିକାର ଖାଦ୍ୟ ଓ ଭେଷଜ ପ୍ରତିଷ୍ଠାନ ଏଫ୍‌ଡିଏ ଦ୍ୱାରା ଅନୁମୋଦିତ ହୋଇଛି । ଏହା ମଣିଷର କୌଣସି କ୍ଷତି କରିନଥାଏ । ଏହି ଟାଇଟାନିଅମ ଡାଇଅକ୍‌ସାଇଡ ପ୍ରଲେପ ୱାଶ ବେସିନ, ଶୌଚାଳୟ, ସିଟ୍‌ ଓ ବର୍ଥ, ସ୍ନାକ ଟେବୁଲ, ଗ୍ଲାସ ୱିଣ୍ଡୋ, ଚଟାଣ ତଥା ଡବା ମଧ୍ୟରେ ଯାତ୍ରୀ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସ୍ଥାନରେ ଦିଆଯିବ । ଏହି ପ୍ରଲେପ ଏକବର୍ଷ ପର୍ଯ୍ୟନ୍ତ କାମ କରିବ । ଏହାଦ୍ୱାରା ରେଳଯାତ୍ରା ସଂପୂର୍ଣ୍ଣ ରୋଗ ନିରୋଧକ ଏବଂ ନିରାପଦ ହୋଇପାରିବ ।

 

**********



(Release ID: 1638596) Visitor Counter : 205