ନୀତି ଆୟୋଗ

ଜାତିସଂଘର ଉଚ୍ଚସ୍ତରୀୟ ରାଜନୈତିକ ମଞ୍ଚରେ ନୀତି ଆୟୋଗ ପକ୍ଷରୁ ଭାରତର ସ୍ୱେଚ୍ଛାକୃତ ଜାତୀୟ ନିରନ୍ତର ବିକାଶ ଲକ୍ଷ୍ୟ ସମୀକ୍ଷା ରିପୋର୍ଟ ଉପସ୍ଥାପିତ

• ଦଶନ୍ଧିର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟରେ ସହଶ୍ରାବ୍ଦୀର ଲକ୍ଷ୍ୟ ବୈଶ୍ୱିକରୁ କିପରି ସ୍ଥାନୀୟ ହୋଇଛି ସେ ସଂପର୍କରେ ତଥ୍ୟ ଉପସ୍ଥାପନ

Posted On: 13 JUL 2020 11:14AM by PIB Bhubaneshwar

ନୀତି ଆୟୋଗ ପକ୍ଷରୁ ଜାତିସଂଘର ସର୍ବୋଚ୍ଚ ରାଜନୈତିକ ମଞ୍ଚ (ଏଚ୍‌ଏଲ୍‌ପିଏଫ୍‌)ରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସଂକ୍ରାନ୍ତ ଭାରତର ଦ୍ୱିତୀୟ ସ୍ୱେଚ୍ଛାକୃତ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରାଯାଇଛି । ଏଚ୍‌ଏଲ୍‌ପିଏଫ୍‌ ଜାତିସଂଘ ଦ୍ୱାରା ଧାର୍ଯ୍ୟ ହୋଇଥିବା 17ଟି ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ମଞ୍ଚ । ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାର ଏହି ରିପୋର୍ଟ (ଭିଏନ୍‌ଆର 2020) ଉପସ୍ଥାପନ କରିଛନ୍ତି । ଏହାର ନାମ ରଖାଯାଇଛି ଡିକେଡ ଅଫ୍‌ ଆକ୍ସନ: ଟେକିଂ ଏସ୍‌ଡିଜି ଫ୍ରମ ଗ୍ଲୋବାଲ ଟୁ ଲୋକାଲ (ଦଶନ୍ଧିର କାର୍ଯ୍ୟାନୁଷ୍ଠାନ: ନିରନ୍ତର ବିକାଶ ଲକ୍ଷ୍ୟକୁ ବିଶ୍ୱରୁ ସ୍ଥାନୀୟ ସ୍ତରକୁ ନେବାକୁ ପ୍ରୟାସ) । ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର, ଆୟୋଗର ସଦସ୍ୟ ଡଃ ଭି.କେ. ପାଲ୍‌, ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ନିରନ୍ତର ବିକାଶ ଲକ୍ଷ୍ୟ ସଂକ୍ରାନ୍ତ ପରାମର୍ଶଦାଦାତା ଶ୍ରୀମତୀ ସଂଯୁକ୍ତା ସମାଦାର ପ୍ରମୁଖ ଉପସ୍ଥିତ ଥିଲେ । ଏଚ୍‌ଏଲ୍‌ପିଏଫ୍‌ର ଚଳିତବର୍ଷର ଏହି ବୈଠକ ଏଥର ମହାମାରୀ ସମୟରେ ଆୟୋଜିତ ହେଉଛି । ଏଥିରେ 47 ସଭ୍ୟ ରାଷ୍ଟ୍ର ସେମାନଙ୍କର ସ୍ୱେଚ୍ଛାକୃତ ରିପୋର୍ଟ ଜୁଲାଇ 10ରୁ 20 ତାରିଖ ମଧ୍ୟରେ ଉପସ୍ଥାପିତ କରିବା ପାଇଁ ବ୍ୟବସ୍ଥା ରହିଛି ।

ଏଚ୍‌ଏଲ୍‌ପିଏଫ୍‌ ପ୍ରତିବର୍ଷ ଜୁଲାଇ ମାସରେ 8 ଦିନ ପାଇଁ ଅନୁଷ୍ଠିତ  ହୋଇଥାଏ । ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ ଇକୋସକ୍‌ ଆନୁକୂଲ୍ୟରେ ଏହା ଆୟୋଜିତ ହୁଏ । 2030 ସୁଦ୍ଧା ଯେଉଁ 17ଟି ପ୍ରମୁଖ ବିଷୟରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ତାହାର ଗତିବିଧି, ରୂପାୟନ ଓ ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥାଏ । ଏଥିପାଇଁ ସଂପୃକ୍ତ ସଭ୍ୟ ରାଷ୍ଟ୍ରମାନେ ନିଜ ନିଜର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥାନ୍ତି । ଅବଶ୍ୟ ଏହି ରିପୋର୍ଟ ଉପସ୍ଥାପନ ଇଛାଧୀନ । ତେବେ ସଂପୃକ୍ତ ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ଦେଶର ସଫଳତା ବିଫଳତା, ରଣନୀତି ଏବଂ ଅନ୍ୟାନ୍ୟ ବିଷୟରେ ସଭ୍ୟ ରାଷ୍ଟ୍ରମାନେ ତଥ୍ୟ ଜାଣିବାକୁ ପାଆନ୍ତି ଏବଂ ତଦନୁସାରେ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥାନ୍ତି । ଏହା ମଧ୍ୟ ଦେଶ-ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗୀତା ବୃଦ୍ଧିରେ ସହାୟକ ହୋଇଥାଏ । ଭାରତ ପକ୍ଷରୁ ନୀତି ଆୟୋଗ ପ୍ରଥମ ଭିଏନ୍‌ଆର  2017ରେ ଉପସ୍ଥାପିତ କରିଥିଲା ।

ଭାରତର ଭିଏନ୍‌ଆର 2020

ଭାରତ ସହିତ ଦ୍ୱିତୀୟ ଥର ପାଇଁ ଏହି ରିପୋର୍ଟ ଯେଉଁସବୁ ଦେଶ ଉପସ୍ଥାପନ କରିଛନ୍ତି ସେଗୁଡିକ ହେଲେ ବାଂଲାଦେଶ, ଜର୍ଜିଆ, କେନିଆ, ମରକ୍କୋ, ନେପାଳ, ନାଇଜର, ନାଇଜେରିଆ ଏବଂ ଉଗାଣ୍ଡା । ରିପୋର୍ଟ ଉପସ୍ଥାପନକାରୀ ଦେଶଙ୍କୁ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଉପସ୍ଥାପିତ କରିବାକୁ ପଡିଥାଏ । ଯେଉଁଥିରେ ସହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ ପୂରଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ରୂପାୟନ ତଥ୍ୟାବଳୀ ଥାଏ । ଭାରତ ଏ କ୍ଷେତ୍ରରେ ଯାହାସବୁ ସଫଳତା ହାସଲ କରିଛି ଏଥର ଭିଏନ୍‌ଆରରେ ତାହା ସ୍ଥାନିତ ହୋଇଛି । ରାଜୀବ କୁମାର ତାଙ୍କ ଉଦ୍‌ଘାଟନ ଭାଷଣରେ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ସଂଗ୍ରାମ କରୁଥିବା ରାଷ୍ଟ୍ରଗୁଡିକୁ ସମର୍ଥନ କରି କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସେମାନେ ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ । ଭାରତ ଏହି ମହାମାରୀର ମୁକାବିଲା ପାଇଁ ଗ୍ରହଣ କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସଂପର୍କରେ ସେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏହି ସଂକଟ କାଳରେ ଆମେ ସମସ୍ତେ ଭେଦଭାବ ଭୁଲି ଏକାଠି ହୋଇ ଲଢେଇ କରିବା ଉଚିତ । ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହାଦ୍ୱାରା ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହଜ ହୋଇପାରିବ ବୋଲି ସେ କହିଥିଲେ ।

ଭାରତର ସ୍ଥିତି ସଂପର୍କରେ ଉଲ୍ଲେଖକରି ସେ କହିଛନ୍ତି ଯେ ଏହା ଠିକଣା ବାଟରେ ଚାଲିଛି ଏବଂ କେହି ପଛରେ ପଡିଯାଇନାହିଁ । ବହୁମୁଖୀ ଦ୍ରାରିଦ୍ର୍ୟର ଦୂରୀକରଣ, ଖାଦ୍ୟ ନିରାପତ୍ତା ଯୋଗାଣ, ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା, ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗଣ, ସ୍ୱଚ୍ଛ ରନ୍ଧନ ଗ୍ୟାସ ସୁବିଧା ଓ ପରିଚ୍ଛନ୍ନତା ତଥା ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ମାଧ୍ୟମରେ 50 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି । ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହିତ ଲୋକଙ୍କ ଜୀବନ ଜୀବିକାରେ ଏକ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବା ପାଇଁ ଭାରତରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି । ରାଜ୍ୟ-ରାଜ୍ୟ ଭିତରେ ତଥ୍ୟ ଓ ଜ୍ଞାନକୌଶଳର ଆଦାନପ୍ରଦାନ, ପରସ୍ପରର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରିବାର ସୁଯୋଗ ଏବଂ ସହଯୋଗ ଭିତ୍ତିରେ ଏହି କାର୍ଯ୍ୟ ଚାଲିଛି ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି । ଏଥର ଭାରତର ସମୀକ୍ଷା ରିପୋର୍ଟରେ ଏକ ବିରାଟ ପରିବର୍ତ୍ତନର ଚିତ୍ର ରହିଛି । ଏଥିରେ ସମାଜର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଏହି ରିପୋର୍ଟ ପ୍ରସ୍ତୁତ କରିବାରେ ନୀତି ଆୟୋଗ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ନାଗରିକ ସମାଜ, ସ୍ଥାନୀୟ ଜନଗୋଷ୍ଠୀ, ଦରିଦ୍ର ବଞ୍ଚିତ ବର୍ଗ ଏବଂ ଘରୋଇ ଉଦ୍ୟୋଗର ସହାୟତା ନେଇଛି । ଏଥିପାଇଁ 50ରୁ ଅଧିକ ଜାତୀୟ ଏବଂ 1000ରୁ ଅଧିକ କ୍ଷୁଦ୍ର କ୍ଷୁଦ୍ର ପରାମର୍ଶ ଶିବିର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ମହିଳା, ଶିଶୁ, ବୟସ୍କ, ଶାରୀରିକ ଭିନ୍ନକ୍ଷମ, ଏଚଆଇଭି ସଂକ୍ରମିତ ବ୍ୟକ୍ତି ଆଦିଙ୍କ ମତାମତ ସଂଗ୍ରହ କରାଯାଇ ଏଥିରେ ଉପସ୍ଥାପିତ କରାଯାଇଛି ।

ଏଥର ଏ ରିପୋର୍ଟ ପ୍ରସ୍ତୁତିରେ ଆନ୍ତର୍ଜାତିକ ସହଯୋଗର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି । ଆନ୍ତର୍ଜାତିକ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧ, ଭିତ୍ତିଭୂମି ନିର୍ମାଣରେ ସହଯୋଗ ତଥା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସେଣ୍ଡାଇ ଚୁକ୍ତି ଓ ପ୍ୟାରିସ ଚୁକ୍ତିର କାର୍ଯ୍ୟକାରିତା କ୍ଷେତ୍ରରେ ଭାରତର ଉପଲବ୍‌ଧି ଓ ଭୂମିକା ସଂପର୍କରେ ସେ ଉଲ୍ଲେଖ କରିଛନ୍ତି ।

ଏହି ରିପୋର୍ଟ ଉପସ୍ଥାପନ ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଇକ୍ୱେଡର, ବାଂଲାଦେଶ ତଥା ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇଥିଲେ । ଅକ୍ଷୟଶକ୍ତି, ବିତ୍ତୀୟ ସମାବେଶୀ ବ୍ୟବସ୍ଥା ଏବଂ ସରକାରଙ୍କ ଭବିଷ୍ୟତ ରଣନୀତି ଆଦି ସଂପର୍କରେ ଏଥିରେ ଆଲୋକପାତ କରାଯାଇଥିଲା ।

ଦଶବର୍ଷର ଉପଲବ୍ଧି ବିଶ୍ୱରୁ ସ୍ଥାନୀୟ

ଏହି ଅବସରରେ ଭାରତର ଭିଏନ୍‌ଆର 2020 ରିପୋର୍ଟ ଉନ୍ମୋଚିତ ହୋଇଥିଲା । ଏଥିରେ 2030 ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ 17ଟି ବିଷୟକ- ସହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ଉଲ୍ଲେଖ ରହିଛି । ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱସ୍ତରରୁ ଆଣି କିପରି ସ୍ଥାନୀୟ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ସେ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ଲକ୍ଷ୍ୟ ହାସଲର ପ୍ରକ୍ରିୟା, ଯୋଜନା, ନୀତି, ପରିସର, ପରିବେଶ ଆଦି ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା ।

ଏହି ରିପୋର୍ଟରେ ନିରନ୍ତର ବିକାଶ ସଂକ୍ରାନ୍ତ ପ୍ରସଙ୍ଗଗୁଡିକ ଉପରେ ବିଭିନ୍ନ ପକ୍ଷ ଓ ସମୁଦାୟରୁ ସଂଗୃହୀତ ତଥ୍ୟାବଳୀମାନ ଉପସ୍ଥାପିତ ହୋଇଛି । ଏହା ସହିତ ସଂକ୍ଷେପରେ ସମସ୍ୟା ବା ପ୍ରସଙ୍ଗ, ଏହାର ସମାଧାନ ମାର୍ଗ ଓ ଲକ୍ଷ୍ୟ ପୂରଣର ଉପାୟ ଆଦି ବର୍ଣ୍ଣନା କରଯାଇଛି । ମୋଟାମୋଟି ଭାବେ ଦୀର୍ଘ 10 ବର୍ଷର ଏହି କାର୍ଯ୍ୟକ୍ରମର ରୂପାୟନ ପ୍ରକ୍ରିୟା, ଏହାର ବିଭିନ୍ନ ଦିଗ, ପ୍ରଗତି ଓ ଫଳାଫଳ ଏଥିରେ ସ୍ଥାନ ପାଇଛି । ନିର୍ଦ୍ଧାରିତ 17ଟି ମଧ୍ୟରୁ ପ୍ରତ୍ୟେକ ଲକ୍ଷ୍ୟରେ କେତେ ପ୍ରଗତି ହାସଲ କରାଯାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ପ୍ରତିବନ୍ଧକ ରହିଛି ତଥା ସମସ୍ୟା ସମାଧାନର ସଫଳତା ପଥ ଆଦି ସଂପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି ।

ଲକ୍ଷ୍ୟ ହାସଲରେ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ଉପଯୋଗ, କାର୍ଯ୍ୟକ୍ରମର ବ୍ୟୟ ଏବଂ ଏଥିପାଇଁ ସମ୍ବଳ ଯୋଗାଡ଼ ରୂପାୟନ ପ୍ରକ୍ରିୟାରେ ବିଶେଷ ମହତ୍ୱ ରଖୁଥିବାରୁ ସେ ବିଷୟରେ ରିପୋର୍ଟରେ ଉଲ୍ଲେଖ ରହିଛି । ବିଭିନ୍ନ ରାଜ୍ୟ ବିଶେଷକରି ଆକାଂକ୍ଷୀ ଜିଲାଗୁଡିକରୁ ବିଭିନ୍ନ ସଫଳ ଉଦାହରଣମାନ ସଂଗ୍ରହ କରାଯାଇ ନିରନ୍ତର ବିକାଶ ସଂକ୍ରାନ୍ତ, ବୈଶ୍ୱିକ ଚିନ୍ତନ କିପରି ସ୍ଥାନୟୀଭାବରେ ସଫଳତାର ସହ ପ୍ରୟୋଗ ହୋଇପାରୁଛି ତାହା ମଧ୍ୟ ରିପୋର୍ଟରେ ସ୍ଥାନୀତ ହୋଇଛି । ସୂଚନାଯୋଗ୍ୟ ଯେ ନୀତି ଆୟୋଗ ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଏହାର ତଦାରଖ କାର୍ଯ୍ୟ କରୁଛି ।

 

**********



(Release ID: 1638380) Visitor Counter : 234