ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କୋଭିଡ-19 ପରିପ୍ରେକ୍ଷୀରେ ୟୁଜିସି ପକ୍ଷରୁ ଜାରି କରାଗଲା ସଂଶୋଧିତ ପରୀକ୍ଷା ଓ ଏକାଡେମିକ କ୍ୟାଲେଣ୍ଡର ନିର୍ଦ୍ଦେଶାବଳୀ

Posted On: 07 JUL 2020 2:40PM by PIB Bhubaneshwar

କୋଭିଡ-19 ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ବିଭିନ୍ନ ପରୀକ୍ଷା ଓ ଏକାଡେମିକ କ୍ୟାଲେଣ୍ଡର ସଂକ୍ରାନ୍ତ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ସଂଶୋଧିତ ନିର୍ଦ୍ଦେଶାବଳୀକୁ ଗତକାଲି ନୂଆଦିଲ୍ଲୀଠାରେ ଭର୍ଚୁଆଲ ବ୍ୟବସ୍ଥାରେ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ନିରାପତ୍ତା ଓ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ନୀତିରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ଏହି ସମୟରେ ପିଲାଙ୍କ ପାଠପଢା ଓ ପରୀକ୍ଷାର ମଧ୍ୟ ବିଶେଷ ଗୁରୁତ୍ୱ ରହିଛି ।  ପାଠପଢାର ସୁବିଧା ଦେଇ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ଏକ ବଡ ଦାୟିତ୍ୱ । କରୋନା ମହାମାରୀ କାଳରେ ଶିକ୍ଷାଦାନ, ଅଧ୍ୟୟନ, ପରୀକ୍ଷା, ଏକାଡେମିକ କ୍ୟାଲେଣ୍ଡର ପ୍ରସ୍ତୁତି ଆଦି ସହଜ କାମ ନୁହେଁ । ଏହା ସତ୍ତ୍ୱେ ୟୁଜିସି ବିଭିନ୍ନ ସମୟରେ ଏସବୁ ବିଷୟରେ ନାନାବିଧ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରୁଥିବାରୁ ସେ ଏହି ସଂସ୍ଥାକୁ ପ୍ରଶଂସା କରିଛନ୍ତି ।

ପରୀକ୍ଷା ଏବଂ ଏକାଡେମିକ କ୍ୟାଲେଣ୍ଡର ସଂପର୍କରେ ଅନୁଧ୍ୟାନ କରି ଆବଶ୍ୟକ ସୁପାରିସ କରିବାକୁ 2020 ଏପ୍ରିଲରେ ୟୁଜିସି ଏକ ବିଶେଷଜ୍ଞ କମିଟି ଗଠନ କରିଥିଲା । ସେହି କମିଟିର ସୁପାରିସ ଅନୁସାରେ ୟୁଜିସି ପରୀକ୍ଷା ଓ ଏକାଡେମିକ କ୍ୟାଲେଣ୍ଡର ସଂପର୍କରେ ଏକ ନିର୍ଦ୍ଦେଶାବଳୀ ଏପ୍ରିଲ 29ରେ ଜାରି କରିଥିଲା । ତେବେ ପରବର୍ତ୍ତୀ ସମୟରେ କରୋନ ସଂକ୍ରମଣ ବଢିବାରୁ ୟୁଜିସି ପୁନର୍ବାର ଏହି କମିଟିକୁ ଏ ସଂକ୍ରାନ୍ତରେ ଏକ ନୂଆ ସୁପାରିସ କରିବାକୁ ଅନୁରୋଧ କରିଥିଲା । ଏଥିରେ ପରୀକ୍ଷା ପରିଚାଳନା, ପାଠପଢା, ନାମଲେଖା ଆଦି ସଂପର୍କରେ ଆବଶ୍ୟକ ପ୍ରସ୍ତାବ ଦେବାକୁ କୁହାଯାଇଥିଲା । ଏହି କମିଟି ଏହାର ରିପୋର୍ଟ ଦେବାପରେ ୟୁଜିସିର ଏକ ଜରୁରୀ ବୈଠକ ଗତକାଲି ଅନୁଷ୍ଠିତ ହୋଇ ତାହାକୁ ଅନୁମୋଦନ କରିଥିଲା । ଏହାପରେ ୟୁଜିସି ପକ୍ଷରୁ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ନିର୍ଦ୍ଦେଶାବଳୀର ମୁଖ୍ୟାଂଶ

କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଗୁରୁତ୍ୱ ଦେବାସହ ସମସ୍ତଙ୍କୁ ସମ୍ମାନ ଓ ନ୍ୟାୟୋଚିତ ସୁବିଧା ସୁଯୋଗ ଯୋଗାଣା ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ଶିକ୍ଷାନୁଷ୍ଠାନଗୁଡିକର ପାଠପଢା, ପରୀକ୍ଷା, ଶୈକ୍ଷିକ କ୍ୟାଲେଣ୍ଡର ଏବଂ ଅନ୍ୟାନ୍ୟ ବିଷୟର ସଂଶୋଧନ ଜରୁରି ହୋଇଛି । ଆହୁରି ମଧ୍ୟ ଶିକ୍ଷାଦାନ, ପରୀକ୍ଷା ପରିଚାଳନା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା ଦୃଷ୍ଟିରୁ କିଛି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି । ସେ ଦୃଷ୍ଟିରୁ ମହାମାରୀ ସମୟରେ ଶୈକ୍ଷିକ ବ୍ୟବସ୍ଥାରେ କେତେକ ସଂଶୋଧନ ଓ ପରିବର୍ତ୍ତନ ଜରୁରୀ ହୋଇଛି ।

ଟର୍ମିନାଲ ସିମେଷ୍ଟର/ଶେଷବର୍ଷର ପରୀକ୍ଷା ସଂପୃକ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନ ଦ୍ୱାରା 2020 ସେପ୍ଟମ୍ବର ଶେଷସୁଦ୍ଧା ସଂପନ୍ନ ହେବ । ଏହି ପରୀକ୍ଷା ଉଭୟ ଅଫ ଲାଇନ (ଖାତା କଲମ)/ଅନ୍‌ଲାଇନ/ଉଭୟ ମିଶ୍ରିତ ବା ଅନ୍‌ଲାଇନ + ଅଫ୍‌ଲାଇନରେ କରାଯିବ ।

ବ୍ୟାକ୍‌ ପେପର ଥିବା ଟର୍ମିନାଲ ସିମେଷ୍ଟର/ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ଅଫ୍‌ଲାଇନ/ଅନଲାଇନ୍‌ କିମ୍ବା ଉଭୟ ପରୀକ୍ଷା ଦେବାକୁ ପଡିବ । ଏହି ପରୀକ୍ଷା ମାଧ୍ୟମରେ ସେମାନଙ୍କ ମୂଲ୍ୟାୟନ କରାଯିବ । ତିନୋଟି ଯାକ ପଦ୍ଧତିର ପରୀକ୍ଷା ମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ନିଜର ସୁବିଧା ଅନୁସାରେ ଯେକୌଣସି ଗୋଟିଏ ବାଛିବାକୁ ପଡିବ ।

ଯଦି କୌଣସି କାରଣରୁ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇ ନ ପାରନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପରୀକ୍ଷା ବ୍ୟବସ୍ଥା କରିବାକୁ ପଡିବ । ଏହି ପରୀକ୍ଷା ନିଜ ସୁବିଧା ମତେ ଏବଂ ପରିସ୍ଥିତିକୁ ଦେଖି ସଂପୃକ୍ତ ବିଶ୍ୱବିଦ୍ୟାଳୟ କରାଇବେ । କୌଣସି ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଅସୁବିଧାରେ ପକାଯିବ ନାହିଁ । ଏଭଳି ବ୍ୟବସ୍ଥାଟି କେବଳ ଚଳିତବର୍ଷ ପାଇଁ ଲାଗୁ ହେବ ।

ଇଣ୍ଟରମିଡିଏଟ ସିମେଷ୍ଟର/ବାର୍ଷିକ ପରୀକ୍ଷା ସଂପର୍କରେ ନିର୍ଦ୍ଦେଶାବଳୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ଏପ୍ରିଲ 29 ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କରାଯିବ ।

ଆବଶ୍ୟକ ପଡିଲେ ବିଶ୍ୱବିଦ୍ୟାଳୟ ଓ କଲେଜରେ ନାମଲେଖା ଏବଂ ଏକାଡେମିକ କ୍ୟାଲେଣ୍ଡର ସଂକ୍ରାନ୍ତ ସବିଶେଷ ବିବରଣୀ ସ୍ୱତନ୍ତ୍ରଭାବେ ପ୍ରକାଶ କରାଯିବ । ଏ କ୍ଷେତ୍ରରେ 29 ଏପ୍ରିଲରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ସେଥିରେ ଆବଶ୍ୟକସ୍ଥଳେ ପରିବର୍ତ୍ତନ ହୋଇପାରେ ।

 

**********



(Release ID: 1637032) Visitor Counter : 172