ଅର୍ଥ ମନ୍ତ୍ରଣାଳୟ

ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ 750 ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଜରୁରୀକାଳୀନ ସହାୟତା ଯୋଗାଣ ବାବଦରେ ଏହି ଅର୍ଥ ବିନିଯୋଗ ହେବ

Posted On: 06 JUL 2020 4:19PM by PIB Bhubaneshwar

ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଆଜି ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତଦନୁସାରେ ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ଯ୍ୟକ୍ରମ ବାବଦରେ 750 ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ । ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ 19 ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ ପଡିବ ।

ଭାରତରେ ପ୍ରାୟ 1.5 ନିୟୁତ ସମର୍ଥ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ରହିଛି । ଏଥିରେ ଲକ୍ଷ ଲକ୍ଷ ଲୋକ କାର୍ଯ୍ୟ କରୁଛନ୍ତି । କରୋନା ଲକ୍‌ଡାଉନ କାରଣରୁ ଏହି ଉଦ୍ୟୋଗଗୁଡିକ ବନ୍ଦ ରହିବାରୁ ସଂପୃକ୍ତ ଉଦ୍ୟୋଗୀମାନଙ୍କ ପାଖରେ ନଗଦ ଅର୍ଥର ଘୋର ଅଭାବ ଦେଖାଦେଇଛି । ସେହି ଆବଶ୍ୟକତା ପୂରଣ ପାଇଁ ବିଶ୍ୱବ୍ୟାଙ୍କ ଦେବାକୁ ଥିବା ଅର୍ଥ ବ୍ୟବହାର କରାଯିବ । ଏହି ଉଦ୍ୟୋଗରେ ସଂସ୍କାର ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ମଧ୍ୟ ଏହି ଆର୍ଥିକ ସହାୟତା ତ୍ୱରାନ୍ୱିତ କରିବ ।

ଭାରତ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ଜୁନେଦ୍‌ ଅହମ୍ମଦ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ।

ଶ୍ରୀ ଖରେ କହିଛନ୍ତି ଯେ କରୋନା ମହାମାରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପକାଇଛି । ଫଳରେ ଅନେକ ବ୍ୟକ୍ତି ଜୀବିକା ଓ ନିଯୁକ୍ତି ହରାଇଛନ୍ତି । ଏହି ଉଦ୍ୟୋଗ ପାଇଁ ଦରକାର ହେଉଥିବା ନଗଦ ଅର୍ଥ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଉପାୟମାନ କରୁଛନ୍ତି । ତେବେ ଏହି କ୍ଷେତ୍ରକୁ ବ୍ୟାଙ୍କ ଓ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଋଣଦେବାକୁ କୁଣ୍ଠିତ ହେଉଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରୁଛନ୍ତି । ଆବଶ୍ୟକସ୍ଥଳେ ଋଣ ପ୍ରଦାନ କ୍ଷେତ୍ରରେ ଉଦ୍ୟୋଗୀଙ୍କ ପାଇଁ ସରକାର ଗ୍ୟାରେଣ୍ଟର ହେବାର ବ୍ୟବସ୍ଥା କରିଛନ୍ତି । ଏହି ଉଦ୍ୟୋଗକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ସରକାର ସବୁମନ୍ତେ ଚେଷ୍ଟା ଚଳାଇଛନ୍ତି । ତେବେ ଯେଉଁ ଉଦ୍ୟୋଗଗୁଡିକ ଅପେକ୍ଷାକୃତ ଅଧିକ ସକ୍ଷମ ସ୍ଥିତିରେ ଅଛନ୍ତି ଏବଂ କିଛି ଋଣ ମିଳିଲେ ପୁଣି ସ୍ୱାଭାବିକଭାବେ ଉତ୍ପାଦନ କରିପାରିବେ; ସେଗୁଡିକୁ ପୁଣି ଚାଲୁ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ ବିଶ୍ୱବ୍ୟାଙ୍କରୁ ଏବଂ ଏହାର ଘରୋଇ ସହଯୋଗୀ ସଂସ୍ଥା ଆନ୍ତର୍ଜାତିକ ଅର୍ଥ ନିଗମ ଭାରତ ସରକାରଙ୍କ ଏହି ଉଦ୍ୟମକୁ ସମର୍ଥନ ଜଣାଇବା ସହ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି ।

ନଗଦ ଯୋଗାଣ ବ୍ୟବସ୍ଥା

କରୋନା ମହାମାରୀକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଓ ଭାରତ ସରକାର ଆଗୁଆ ଯେଉଁ ପଦକ୍ଷେପ ନେଇଥିଲେ ତାହା ବଜାରରେ ନଗଦ ପ୍ରବେଶ କରାଇବାରେ ବିଶେଷ ସହାୟକ ହୋଇଛି । ବର୍ତ୍ତମାନର ସ୍ଥିତିକୁ ଦେଖି ଋଣଦାତାମାନେ ଋଣୀଙ୍କ ପରିଶୋଧ ଦକ୍ଷତା ନେଇ ସନ୍ଦୀହାନ ଅଛନ୍ତି । ତେଣୁ ସେମାନେ ଆର୍ଥିକ ଦୃଷ୍ଟିରୁ ସୁସ୍ଥ ଓ ସମ୍ବଳବାନ ଉଦ୍ୟୋଗ/ ଉଦ୍ୟୋଗୀ ନ ପାଇଲେ ଅନ୍ୟମାନଙ୍କୁ ଋଣ ଦେଉନାହାନ୍ତି । ବ୍ୟାଙ୍କ ଓ ଅନ୍ୟାନ୍ୟ ଅଣବ୍ୟାଙ୍କିଙ୍ଗ ସଂସ୍ଥା ମଧ୍ୟ ଏ କ୍ଷେତ୍ରରେ ଋଣ ଦେବାପାଇଁ କୁଣ୍ଠିତ । ତେଣୁ ସରକାର ଏହି ଉଦ୍ୟୋଗକୁ ସାହାଯ୍ୟ ସହଯୋଗ କରିବା ନିମନ୍ତେ କ୍ରେଡିଟ ଗ୍ୟାରେଣ୍ଟି ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ।

ଅଣବ୍ୟାଙ୍କିଙ୍ଗ ବିତ୍ତୀୟ କମ୍ପାନୀ ଏବଂ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କଗୁଡିକର ସ୍ଥିତିକୁ ମଜଭୁତ କରାଯାଇ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଋଣ ସହାୟତ ଦେବାର ବ୍ୟବସ୍ଥା କରାଯାଇଛି । ଏଥିରେ ସରକାରଙ୍କ ପୁନଃ ଅର୍ଥଲଗାଣ ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ସହ ଆବଶ୍ୟକସ୍ଥଳେ ଋଣ ଓ ଇକ୍ୟୁଟି ମାଧ୍ୟମରେ ଅର୍ଥ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।

ବିତ୍ତୀୟ ନବସୃଜନ

ଏବେ ମାତ୍ର 8 ଶତାଂଶ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଆନୁଷ୍ଠାନିକ ଋଣ ବ୍ୟବସ୍ଥାର ପରିସରଭୁକ୍ତ । ଅଧିକରୁ ଅଧିକ ଉଦ୍ୟୋଗକୁ ଏହି ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରିବା ପାଇଁ ଫିନ୍‌ଟେକ୍‌ ଓ ଡିଜିଟାଲ ପ୍ଲାଟଫର୍ମର ଉପଯୋଗ କରାଯାଉଛି । ଏହା ମାଧ୍ୟମରେ ଋଣ ପ୍ରଦାନକାରୀ, ଗ୍ରହୀତା ଓ କ୍ରେତା ଶୀଘ୍ର ପରସ୍ପର ସହ ସଂପର୍କ ସ୍ଥାପନ କରି ବ୍ୟବସ୍ଥା ବାହାରେ ଥିବା ଉଦ୍ୟୋଗୀଙ୍କ ନିକଟରେ ପହଞ୍ଚିବେ ।

ଶ୍ରୀ ଜୁନେଦ୍‌ ଅହମ୍ମଦ କହିଛନ୍ତି ଯେ ଭାରତୀୟ ଆର୍ଥିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । କରୋନା ମହାମାରୀ ପରବର୍ତ୍ତୀ ସ୍ଥିତିରେ ଭାରତର ଆର୍ଥିକ ପୁନରୁଦ୍ଧାର କାର୍ଯ୍ୟରେ ଏହି ଉଦ୍ୟୋଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ତେଣୁ ବର୍ତ୍ତମାନର ଜରୁରୀ ଆବଶ୍ୟକତା ହେଲା ଏହି ଉଦ୍ୟୋଗକୁ ନଗଦ ଅର୍ଥ ଯୋଗାଣ । ଏଥିରେ ଅଣବ୍ୟାଙ୍କିଙ୍ଗ ସଂସ୍ଥା, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ ଆର୍ଥିକ ଉଦ୍ୟୋଗଗୁଡିକର ବିଶେଷ ଭୂମିକା ରହିଛି । ଏସବୁ ସଂସ୍ଥାଙ୍କ ସହଯୋଗ ରହିଲେ ଏହି ଉଦ୍ୟୋଗର ପୁନରୁଦ୍ଧାର ସମ୍ଭବ ।

ବିଶ୍ୱବ୍ୟାଙ୍କ ଏପର୍ଯ୍ୟନ୍ତ ଭାରତକୁ 2.75 ବିଲିୟନ ଡଲାର ଜରୁରୀ କୋଭିଡ ରେସପନ୍ସ ସହାୟତା କାର୍ଯ୍ୟକ୍ରମରେ ଯୋଗାଇଦେବାକୁ ସମ୍ମତି ପ୍ରଦାନ କରିଛି । ଏଥିରେ ଏମ୍‌ଏସ୍‌ଏମ୍‌ଇ ସହାୟତା ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ପ୍ରଥମେ ଏକ ବିଲିୟନ ଡଲାର ଜରୁରୀ ସହାୟତା ରାଶି ଘୋଷଣା କରିଥିଲା । ଗତ ମେ ମାସରେ ଗରିବ ଲୋକଙ୍କ ପାଇଁ ଖାଦ୍ୟ, ଯୋଗାଣ ଏବଂ ନଗଦ ଟ୍ରାନ୍ସଫର ପରିମାଣ ବୃଦ୍ଧି ପାଇଁ ଏକ ବିଲିୟନ ଡଲାର ବିଶ୍ୱବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଭାରତ ଯେଉଁ 750 ନିୟୁତ ଡଲାର ବିଶ୍ୱବ୍ୟାଙ୍କରୁ ପାଇବ ତାହା ପରିଶୋଧ କରିବା ପାଇଁ 19 ବର୍ଷ ଧାର୍ଯ୍ୟ କରାଯାଇଛି । ଏଥିରେ 5 ବର୍ଷର ରିହାତି ସମୟ ଅନ୍ତର୍ଭୁକ୍ତ ।

 

**********



(Release ID: 1636885) Visitor Counter : 217