ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତବର୍ଷ ଏପ୍ରିଲରୁ ନଭେମ୍ବର ମଧ୍ୟରେ ହିତାଧିକାରୀଙ୍କୁ ଯେଉଁ ଖାଦ୍ୟଶସ୍ୟ ଓ ଡାଲି ଯୋଗାଇ ଦିଆଯିବ ତାହାର ମୂଲ୍ୟ ପ୍ରାୟ 1,48,938 କୋଟି ଟଙ୍କା

• ଏଥିରେ କେନ୍ଦ୍ର ସରକାରଙ୍କ ଖାଦ୍ୟ ସବ୍‌ସିଡି, ପରିବହନ ଓ ଡିଲର ଖର୍ଚ୍ଚ ବାବଦରେ 46,061 କୋଟି ଟଙ୍କା ଅନ୍ତର୍ଭୁକ୍ତ

Posted On: 01 JUL 2020 5:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସଂପ୍ରସାରଣ ଚଳିତବର୍ଷ ନଭେମ୍ବର ଶେଷ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ଜୁନ୍‌ରେ ଶେଷ ହୋଇଥିବା ଏହି ଯୋଜନାର ମିଆଦକୁ ଆଉ 5ମାସ ବଢାଇ ଦିଆଯାଇଛି ଏବଂ ଜୁଲାଇ ମାସରୁ ଏହି ପରିବର୍ଦ୍ଧିତ ବ୍ୟବସ୍ଥା ଲାଗୁ ହେବ । ଏହି 5ମାସ ମଧ୍ୟରେ 80 କୋଟିରୁ ଅଧିକ ଲୋକଙ୍କୁ ମୁଣ୍ଡପିଛା ପ୍ରତି ମାସରେ 5 କେଜି ଗହମ କିମ୍ବା ଚାଉଳ ଓ ଏକ କେଜି ଡାଲି ପରିବାର ପିଛା ଯୋଗାଇ ଦିଆଯିବ ।

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଏ ସଂପର୍କରେ ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଖାଦ୍ୟଶସ୍ୟର ବ୍ୟୟ ଆକଳନ କରିଛି । ତଦନୁସାରେ ମୁଣ୍ଡପିଛା 5 କେଜି ଗହମ/ଚାଉଳ ଗତ 3ମାସ ମଧ୍ୟରେ (ଏପ୍ରିଲ, ମେ, ଜୁନ୍‌) ଯାହା ଯୋଗାଇ ଦିଆଯାଇଛି, ସେଥିରେ କେବଳ ସବ୍‌ସିଡି ବାବଦରେ ସରକାରଙ୍କର 44,131 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଚାଉଳ ବାବଦରେ ମେଟ୍ରିକ ଟନ ପିଛା ମୋଟ ଆର୍ଥିକ ଖର୍ଚ୍ଚ 37,267.60 ଟଙ୍କା ଓ ଗହମ ବାବଦରେ 26,838.40 ଟଙ୍କା ହିସାବ କରାଯାଇଛି ।

ଆହୁରି ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଯେଉଁ ଖାଦ୍ୟଶସ୍ୟ ବିଭିନ୍ନ ରାଜ୍ୟକୁ ପଠାଯାଉଛି ତାହାର ପରିବହନ ଓ ବୋଝେଇ ଖଲାସ ବାବଦ ଖର୍ଚ୍ଚ ଏବଂ ଡିଲର କମିସନ ବାବଦ ବ୍ୟୟକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିବା କଥା । ଏଥିପାଇଁ ଖାଦ୍ୟ ନିରାପତ୍ତା ଆଇନରେ ଅନୁପାତ ନିର୍ଦ୍ଧାରିତ ହୋଇଛି । ତେବେ କେନ୍ଦ୍ର ସରକାର ଏହି ଯୋଜନାରେ ବାବଦ ସମସ୍ତ ବ୍ୟୟ ବହନ କରୁଛନ୍ତି । ତେଣୁ ସେଥିପାଇଁ 1,930 କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ପରିବହନ ଓ ଅନ୍ୟାନ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡିବ । ତେଣୁ ଏସବୁକୁ ମିଶାଇ ଖାଦ୍ୟଶସ୍ୟ ସବ୍‌ସିଡି ଏହାର ପରିବହନ, ଡିଲର ଦେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର ମୋଟ 46,061 କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ହିସାବରେ  ଏପ୍ରିଲରୁ ଜୁନ୍‌ ତଥା ଜୁଲାଇରୁ ନଭେମ୍ବର ମୋଟ 32 ନିୟୁତ ଟନ ଚାଉଳ ଓ ଗହମ ସଂପୃକ୍ତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଦିଆଯାଉଥିବାରୁ ସେ ବାବଦରେ ସରକାର ପ୍ରାୟ 1,22,829 କୋଟି ଟଙ୍କା ଖର୍ଚ୍ଚ କରିବେ ।

ଖାଉଟି ବ୍ୟାପାର ବିଭାଗର ହିସାବ ଅନୁସାରେ ଏପ୍ରିଲ-ଜୁନ୍‌ ମଧ୍ୟରେ ଯୋଗାଇ ଦିଆଯାଇଥିବା ଡାଲି ମୂଲ୍ୟ 5 ହଜାର କୋଟି ଟଙ୍କା ହୋଇଥିବାବେଳେ ଜୁଲାଇରୁ ନଭେମ୍ବର ଶେଷଯାଏଁ ଯେଉଁ ଡାଲି ଦିଆଯିବ ତାହା 6,800 କୋଟି ଟଙ୍କା ବୃଦ୍ଧି ପାଇ ମୋଟ 11,800 କୋଟି ଟଙ୍କାରେ ପହଞ୍ଚିବ ।

ଏହା ସହିତ ପ୍ରବାସୀ ଶ୍ରମିକଙ୍କୁ ସରକାର ଦୁଇମାସ ପାଇଁ ଯେଉଁ ଖାଦ୍ୟଶସ୍ୟ ମାଗଣାରେ ଯୋଗାଇ ଦେଇଛନ୍ତି ସେ ବାବଦରେ ମୋଟ 3,109.52 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ କରାଯାଇଛି । କେନ୍ଦ୍ରୀୟ ଭଣ୍ଡାରରୁ ଏ ବାବଦ ଉଠାଯାଇଥିବା ଖାଦ୍ୟଶସ୍ୟର ମୂଲ୍ୟ ମାସିକ 1,400 କୋଟି ଟଙ୍କା ଥିବାବେଳେ ତାହା ଉପରେ 11,200 କୋଟି ଟଙ୍କାର ଖର୍ଚ୍ଚ ମାସିକ ଅତିରିକ୍ତ ପଡୁଛି । ତେଣୁ ଖାଦ୍ୟଶସ୍ୟ ଏବଂ ଡାଲି ବଣ୍ଟନ ବାବଦରେ ମୋଟ ଖର୍ଚ୍ଚ ପରିମାଣ 1,48,938 କୋଟି ଟଙ୍କା ହିସାବ କରାଯାଇଛି ।

 

**********

 



(Release ID: 1635728) Visitor Counter : 179