କେନ୍ଦ୍ରୀୟ ଲୋକ ସେବା ଆୟୋଗ

ଚଳିତ ବର୍ଷର ୟୁପିଏସ୍‌ସି ସିଭିଲ ସର୍ଭିସେସ୍‌ (ପ୍ରିଲିମିନାରୀ) ଓ ଭାରତୀୟ ବନସେବା ପରୀକ୍ଷା 2020

ନିଜ ପସନ୍ଦର ପରୀକ୍ଷା କେନ୍ଦ୍ର ସଂପର୍କରେ ତଥ୍ୟ ପ୍ରଦାନ କରିବାକୁ ପ୍ରାର୍ଥୀମାନଙ୍କୁ ନୋଟିସ

Posted On: 01 JUL 2020 1:37PM by PIB Bhubaneshwar

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) 2020 ବର୍ଷର ସିଭିଲ ସର୍ଭିସେସ ଓ ଭାରତୀୟ ବନସେବା  ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଅକ୍ଟୋବର 4 ତାରିଖ ରବିବାର ସମଗ୍ର ଦେଶରେ କରିବାକୁ ନିଷ୍ପତ୍ତି ନେଇଛି । ଏହା ନୂତନ କାର୍ଯ୍ୟକ୍ରମ ଅନୁସାରେ କରାଯିବ ଏବଂ ଏଥିପାଇଁ ଚଳିତବର୍ଷ ଜୁନ୍‌ 5 ତାରିଖରେ ସଂଶୋଧିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଏହି ଦୁଇ ପରୀକ୍ଷା ପାଇଁ ଆବେଦନ କରିଥିବା ବହୁ ସଂଖ୍ୟକ ପ୍ରାର୍ଥୀ ସେମାନଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟୋଗ ସଂପୃକ୍ତ ପ୍ରାର୍ଥୀମାନଙ୍କୁ ନିଜ ନିଜର ପସନ୍ଦଯୋଗ୍ୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାର ସୁବିଧା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସଂପୃକ୍ତ ପ୍ରାର୍ଥୀମାନେ ସଂଶୋଧିତ ପ୍ରକ୍ରିୟାରେ ନିଜ ନିଜର ପସନ୍ଦ ମୁତାବକ କେନ୍ଦ୍ରର ନାମ ଜଣାଇବାକୁ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଇତିମଧ୍ୟରେ ସଂପୃକ୍ତ ଆବେଦନକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ତେବେ ଯେଉଁ କେନ୍ଦ୍ରରେ ସେମାନେ ପରୀକ୍ଷା ଦେବାକୁ ସାନି ମତାମତ ଦେଇଛନ୍ତି ସେ ସବୁ କେନ୍ଦ୍ରର ଅତିରିକ୍ତ ବା ପରିବର୍ଦ୍ଧିତ କ୍ଷମତାକୁ ବିଚାରକୁ ନେଇ ଏହା ଚୂଡାନ୍ତ ହେବ ।

ଏହି ସଂଶୋଧିତ ମନପସନ୍ଦ ପରୀକ୍ଷା କେନ୍ଦ୍ର ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବ ଅନ୍‌ଲାଇନରେ ଆୟୋଗର ୱେବସାଇଟ https://upsconline.nic.inରେ ଦାଖଲ କରିପାରିବେ । ଏହି ସୁବିଧା ଦୁଇଟି ପର୍ଯ୍ୟାୟରେ ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟଟି ଜୁଲାଇ 7ରୁ 13 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଏବଂ ଦ୍ୱିତୀୟଟି ଜୁଲାଇ 20ରୁ 24 ତାରିଖ ସନ୍ଧ୍ୟା 6ଟା  ପର୍ଯ୍ୟନ୍ତ ଉପଲବ୍‌ଧ ହେବ । ପ୍ରାର୍ଥୀମାନେ ଏହି ୱେବସାଇଟ ମାଧ୍ୟମରେ ନିଜର ମନପସନ୍ଦର ପରୀକ୍ଷା କେନ୍ଦ୍ର ସଂପର୍କରେ ଆବଶ୍ୟକ ମଣିଲେ ତଥ୍ୟ ଦେଇପାରିବେ । ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ ଫାଷ୍ଟ ଆପ୍ଲାଏ- ଫାଷ୍ଟ ଆଲଟ୍‌ ଭିତ୍ତିରେ ଏହି ଆବେଦନକାରୀମାନଙ୍କୁ ମନପସନ୍ଦର କେନ୍ଦ୍ର ପ୍ରଦାନ କରାଯିବ । କୌଣସି ଏକ ପରୀକ୍ଷା କେନ୍ଦ୍ରର କ୍ଷମତା ପୂରଣ ହୋଇଗଲେ ସେଥିରେ ଆଉ ଅଧିକ ପ୍ରାର୍ଥୀଙ୍କୁ ନିଆଯିବ ନାହିଁ । ସିଲିଂ ବ୍ୟବସ୍ଥା ଯୋଗୁଁ କୌଣସି ଆବେଦନକାରୀ ଯଦି ନିଜର ଇଛା ମୁତାବକ ପରୀକ୍ଷା କେନ୍ଦ୍ର ନପାଆନ୍ତି ତେବେ ତାଙ୍କୁ ଅବଶିଷ୍ଟ କେନ୍ଦ୍ରରୁ ଗୋଟିଏ ବାଛିବାକୁ ପଡିବ ।

ଚଳିତବର୍ଷ ଫେବୃୟାରୀ 12 ତାରିଖରେ ପ୍ରକାଶ ପାଇଥିବା ପରୀକ୍ଷା ବିଜ୍ଞପ୍ତି ନମ୍ବର 05/2020-ସିଏସ୍‌ପି ଅନୁସାରେ ପରୀକ୍ଷାର ଅନ୍ୟ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତି ରହିବ ।

ଏଥିସହିତ ଆୟୋଗ ନିଜର ୱେବସାଇଟରେ ୱିଥ୍‌ଡ୍ରୟାଲ ୱିଣ୍ଡୋ ସୁବିଧା ଯୋଗାଇ ଦେବେ । ଏହା ଅଗଷ୍ଟ ପହିଲାରୁ 8 ତାରିଖ ପର୍ଯ୍ୟନ୍ତ ଉପଲବ୍‌ଧ ହେବ । ଏଥିରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ସଂକ୍ରାନ୍ତ ସମସ୍ତ ସର୍ତ୍ତାବଳୀ ଅପରିବର୍ତ୍ତିତ ରହିବ । ପ୍ରାର୍ଥୀମାନେ ମନେ ରଖିବା ଉଚିତ ଯେ ଥରେ ଆବେଦନପତ୍ର ପ୍ରତ୍ୟାହାର କରିନେଲେ ଭବିଷ୍ୟତରେ କୌଣସି ପରିସ୍ଥିତିରେ ଏହା ଆୟୋଗ ଦ୍ୱାରା ବିଚାରକୁ ନିଆଯିବ ନାହିଁ ।

 

**********



(Release ID: 1635725) Visitor Counter : 238