ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ସବୁ ପ୍ରତିବନ୍ଧକ ଦୂରକରି ଏମ୍‌ଏସ୍‌ଏମ୍‌ଇକୁ ଚମ୍ପିଆନ କରିବାର ବାଟ ଦେଖାଇଲା ସଂପୃକ୍ତ ମନ୍ତ୍ରଣାଳୟ

• ନୂଆ ବର୍ଗୀକରଣ ନିୟମ ନିବେଶ ସୀମା ବଢ଼ାଇଲା, ଅନ୍ୟ ଏକ ସର୍ତ୍ତଭାବେ ଜୋଡିହେଲା କାରବାର; ଏହାଦ୍ୱାରା ଉଦ୍ୟୋଗର ଆଶା ଆକାଂକ୍ଷା ବଢ଼ିଲା
• ପ୍ରବେଶ ନିୟମ ଅତି ସହଜ ହେଲା, ନୂଆ ବ୍ୟବସ୍ଥା ‘ଉଦ୍ୟମ’ ମାଧ୍ୟମରେ ବିନା କାଗଜପତ୍ରରେ ଏମ୍‌ଏସ୍‌ଏମ୍‌ଇ ପଞ୍ଜୀକରଣ ହୋଇପାରିବ
• ପଞ୍ଜୀକରଣ ସ୍ତରରୁ ସୁବିଧା ପ୍ରଦାନ ବ୍ୟବସ୍ଥା ପ୍ରଭାବଶାଳୀ ହେଲା

Posted On: 26 JUN 2020 5:34PM by PIB Bhubaneshwar

ଉଦ୍ୟୋଗଗୁଡିକର ବର୍ଗୀକରଣ ଏବଂ ପଞ୍ଜୀକରଣ ନିମନ୍ତେ ଏକ ଏକୀକୃତ ବିଜ୍ଞପ୍ତି ପ୍ରକାଶ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଏହି ଦୃଢ଼ ଏବଂ ନିର୍ଣ୍ଣାୟକ ନିଷ୍ପତ୍ତି ଫଳରେ ଏହି ଉଦ୍ୟୋଗର ପ୍ରଗତି କ୍ଷେତ୍ରରେ ଏକ ନୂଆ ଆଶା ସଞ୍ଚାର ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ଜୁନ୍‌ ପହିଲାରେ ମନ୍ତ୍ରଣାଳୟ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଏକ ନୂଆ ବର୍ଗୀକରଣ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଉଭୟ ନିବେଶ ଓ କାରବାରକୁ ବିଚାରକୁ ନିଆଯାଇ ଉଦ୍ୟୋଗର ବର୍ଗ ନିର୍ଣ୍ଣୟ ବ୍ୟବସ୍ଥା  ଥିଲା । ଏଥିରେ ଆହୁରି କୁହାଯାଇଥିଲା ଯେ ନୂଆ ବିଜ୍ଞପ୍ତି 2020 ଜୁଲାଇ ପହିଲାରୁ କାର୍ଯ୍ୟକାରୀ ହେବ ।

ଏହି ବିଜ୍ଞପ୍ତି ଅନୁସାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଆସନ୍ତା ମାସଠାରୁ ନୂଆ ନୀତି କାର୍ଯ୍ୟକାରୀ କରିବ । ଏଥିପାଇଁ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି, ଆୟକର ବିଭାଗ ଅଧିକାରୀ, ଜିଏସ୍‌ଟି କର୍ତ୍ତୃପକ୍ଷ, ବିଭିନ୍ନ ରାଜ୍ୟ ସରକାର, ଏମ୍‌ଏସ୍‌ଏମ୍‌ଇ ସଂଘ ତଥା ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ସହିତ ଜୁନ୍‌ ମାସସାରା ଆଲୋଚନା କରିଥିଲା । ଏହିସବୁ ଆଲୋଚନା ଓ ପରାମର୍ଶ ପରେ ମନ୍ତ୍ରଣାଳୟ ପକ୍ଷରୁ ଏକ ସବିଶେଷ ବିଜ୍ଞପ୍ତି 26 ଜୁନ୍‌ 2020ରେ ପ୍ରକାଶ ପାଇଛି ।

ସେ ସଂପର୍କରେ ନିମ୍ନରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଇଛି-

  • ଏହି ବିଜ୍ଞପ୍ତି ଏମ୍‌ଏସ୍‌ଏମ୍‌ଇର ବର୍ଗୀକରଣ ପାଇଁ ସବିଶେଷ ମାନଦଣ୍ଡ ନିର୍ଦ୍ଧାରଣ କରିଛି । ଏଥିରେ ପଞ୍ଜୀକରଣ ଏବଂ ଫାସିଲିଟେସନ (ସୁବିଧା) ପ୍ରକ୍ରିୟା ପାଇଁ ମନ୍ତ୍ରଣାଳୟର ବିଧିବ୍ୟବସ୍ଥା ଉଲ୍ଲେଖ କରାଯାଇଛି ।
  • ଏହି ବିଜ୍ଞପ୍ତିର ଆଉ ଏକ ଉଲ୍ଲେଖନୀୟ ବିଶେଷତ୍ୱ ହେଲା ଯେ ଏହା ଲାଗୁ ହେବା ସହିତ ବର୍ଗୀକରଣ ଓ ପଞ୍ଜୀକରଣ ସଂକ୍ରାନ୍ତ ପୂର୍ବର ସମସ୍ତ ନୀତି ନିୟମ ଅକାମୀ ହେବ ଏବଂ ନୂଆ ବ୍ୟବସ୍ଥାରେ ସବୁ କରାଯିବ । ସବୁ ଉଦ୍ୟମୀ ତଥା ଏମ୍‌ଏସ୍‌ଏମ୍‌ଇ  ସହ ସଂପୃକ୍ତ ସମସ୍ତ ପକ୍ଷ ବର୍ଗୀକରଣ ଓ ପଞ୍ଜୀକରଣ ପାଇଁ ନୂଆ ବିଜ୍ଞପ୍ତି ଅନୁସାରେ କାର୍ଯ୍ୟ କରିବେ ।
  • ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଏଣିକି ଏମ୍‌ଏସ୍‌ଏମ୍‌ଇ ଉଦ୍ୟମନାମରେ ପରିଚିତ ହେବ । ଉଦ୍ୟୋଗ ସହ ଉଦ୍ୟମ ଶବ୍ଦର ଅର୍ଥଗତ ସଂପର୍କ ଅଧିକ ଥିବାରୁ ଏହି ନୂଆ ନାମକରଣ କରାଯାଇଛି । ଅତଏବ ଏଣିକି ପଞ୍ଜୀକରଣ ପ୍ରକ୍ରିୟା ଉଦ୍ୟମ ପଞ୍ଜୀକରଣ ନାମରେ ପରିଚିତ ହେବ ।
  • ଅନ୍ୟ ଏକ ଐତିହାସିକ ଦୃଢ ନିଷ୍ପତ୍ତି ନେଇ ମନ୍ତ୍ରଣାଳୟ ପ୍ରକାଶ କରିଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଉଦ୍ୟମ ପଞ୍ଜୀକରଣ ପ୍ରକ୍ରିୟା ଏଣିକି ଆତ୍ମଘୋଷିତ ତଥ୍ୟ ପ୍ରଦାନ ପୂର୍ବକ ଅନ୍‌ଲାଇନରେ ଫାଇଲ କରିହେବ । ଏଥିପାଇଁ କାଗଜପତ୍ର, ନଥି, ପ୍ରମାଣପତ୍ର କିମ୍ବା ସାର୍ଟିଫିକେଟ ଆଦି ଅପ୍‌ଲୋଡ କରିବାର ଆବଶ୍ୟକତା ନାହିଁ । 
  • ସରକାରୀ ଅଧିକାରୀମାନେ କହିଛନ୍ତି ଉଦ୍ୟମ ପଞ୍ଜୀକରଣ ପ୍ରକ୍ରିୟା ଆୟକର ଏବଂ ଜିଏସ୍‌ଟି ବ୍ୟବସ୍ଥା ସହ ସଂପୂର୍ଣ୍ଣଭାବେ ସମନ୍ୱିତ ହୋଇଥିବାରୁ ଏହା ସମ୍ଭବ ହୋଇଛି । ଅତଏବ ପ୍ରଦାନ କରାଯାଇଥିବା ସବିଶେଷ ତଥ୍ୟ ପ୍ୟାନ୍‌ ନମ୍ବର ଏବଂ ଜିଏସ୍‌ଟିଆଇଏନ୍‌ ତଥ୍ୟ ସହ ମିଳାଇ ସମସ୍ତ ସୂଚନାର ସତ୍ୟାସତ୍ୟ ନିର୍ଣ୍ଣୟ କରିହେବ ।

ବିଜ୍ଞପ୍ତିର ଅନ୍ୟାନ୍ୟ ବିଶେଷତ୍ୱ

  • ଜଣେ ଉଦ୍ୟୋଗୀ ଏଣିକି ନିଜର ଆଧାର ନମ୍ବର ଭିତ୍ତିରେ ପଞ୍ଜୀକରଣ କରିପାରିବେ । ଅନ୍ୟାନ୍ୟ ସବିଶେଷ ତଥ୍ୟ ସେ ଆତ୍ମଘୋଷଣା (ସେଲ୍‌ଫ ଡିକ୍ଲାରେସନ) ଭିତ୍ତିରେ ଦେଇପାରିବେ । ସେଥିପାଇଁ ତାଙ୍କୁ କୌଣସି କାଗଜପତ୍ର ବା ସାର୍ଟିଫିକେଟର ପ୍ରମାଣ ଅପ୍‌ଲୋଡିଂ କରିବାକୁ ପଡିବ ନାହିଁ । ମୋଟାମୋଟି କହିବାକୁ ଗଲେ ଏହା ଏକ ପେପରଲେସ୍‌ ପ୍ରକ୍ରିୟା ।
  • ପୂର୍ବ ଘୋଷଣା ମତେ ପ୍ଲାଣ୍ଟ ଓ ମେସିନାରୀ କିମ୍ବା ଯନ୍ତ୍ରାଂଶରେ ପୁଞ୍ଜି ନିବେଶ ଏବଂ ମୋଟ ବାର୍ଷିକ କାରବାର ବା ଟର୍ଣ୍ଣଓଭର ଏମ୍‌ଏସ୍‌ଏମ୍‌ଇ ବର୍ଗୀକରଣର ମାନଦଣ୍ଡ ହେବ ।
  • ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ ସାମଗ୍ରୀ କିମ୍ବା ସେବାର ରପ୍ତାନୀ ଅଥବା ଉଭୟକୁ ଏଣିକି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ଟର୍ଣ୍ଣଓଭର ହିସାବ କଲାବେଳେ ବିଚାରକୁ ନିଆଯିବ ନାହିଁ ।
  • ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନରେ ପଞ୍ଜୀକରଣ କାର୍ଯ୍ୟ କରିହେବ । ଏହି ପୋର୍ଟାଲ ସଂପର୍କରେ ଆସନ୍ତା ଜୁଲାଇ ପହିଲା ପୂର୍ବରୁ ସର୍ବସାଧାରଣଙ୍କୁ ଅବଗତ କରାଯିବ ।
  • ଆଉ ଏକ ପ୍ରଥମ ଘଟଣାରେ ମନ୍ତ୍ରଣାଳୟ ପକ୍ଷରୁ ଏକ ଦୃଢ ଫାସିଲିଟେସନ ମେକାନିଜମ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକ ପାଇଁ କରାଯାଇଛି । ଏଥିପାଇଁ ଜିଲା ଏବଂ ଆଞ୍ଚଳିକ ସ୍ତରରେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଛି । ଯେଉଁମାନେ ଉଦ୍ୟମ ରେଜିଷ୍ଟ୍ରେସନ ଫାଇଲ କୌଣସି କାରଣ ବଶତଃ କରିପାରିବେ ନାହିଁ ସେମାନଙ୍କୁ ଏହି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସାହାଯ୍ୟ କରିବ । ଜିଲାସ୍ତରରେ ଜିଲା ଶିଳ୍ପ କେନ୍ଦ୍ରଗୁଡିକୁ ଉଦ୍ୟୋଗୀଙ୍କ ଫାସିଲିଟେସନ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିଭଳି ମନ୍ତ୍ରଣାଳୟର ନିକଟ ଅତୀତର ଉଦ୍ୟମ ଚମ୍ପିଆନ କଣ୍ଟ୍ରୋଲ ରୁମ୍‌ଯାହା ଦେଶବ୍ୟାପୀ ଖୋଲାଯାଇଛି, ସେଗୁଡିକ ଉପରେ ମଧ୍ୟ ଏହି ଉଦ୍ୟୋଗୀ ପଞ୍ଜୀକରଣ ଏବଂ ଫାସିଲେଟସନ ଦାୟିତ୍ୱ ଅର୍ପଣ କରାଯାଇଛି । ପରବର୍ତ୍ତୀ ସମୟରେ ମଧ୍ୟ ସେମାନେ ସାହାଯ୍ୟ ସହଯୋଗ ଜାରି ରଖିବେ । ଯେଉଁମାନଙ୍କର ବୈଧ ଆଧାର କାର୍ଡ ନାହିଁ ସେମାନେ ଫାସିଲିଟେସନ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାର ସହାୟତା ନେଇପାରିବେ । ତେବେ ସେମାନଙ୍କୁ ଆଧାର କାର୍ଡ ସଂକ୍ରାନ୍ତ ଆବେଦନ ପ୍ରତ୍ର କିମ୍ବା ପରିଚୟପତ୍ର, ବ୍ୟାଙ୍କ ପାସ୍‌ବୁକ୍‌ର ଫଟୋ, ଭୋଟର ପରିଚୟପତ୍ର, ପାସ୍‌ପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନସ ଆଦି ଦେଖାଇବାକୁ ପଡିବ । ଏବୁକୁ ବିଚାରକୁ ନେଇ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଆବେଦନକାରୀଙ୍କୁ ଫାସିଲିଟେସନ ସୁବିଧା ଯୋଗାଇଦେବେ । ଆବେଦନକାରୀ ଆଧାର ନମ୍ବର ପାଇବା ପରେ ସେମାନଙ୍କ ନାମ ପଞ୍ଜୀକରଣ କରାଯିବ । ବିଭାଗୀୟ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଆଜି ଏହି ନୂଆ ନିର୍ଦେଶାବଳୀ ପ୍ରକାଶ କରିବା ଅବସରରେ କହିଛନ୍ତି ଯେ ନୂଆ ବର୍ଗୀକରଣ ବ୍ୟବସ୍ଥା, ରେଜିଷ୍ଟ୍ରେସନ ଓ ଫାସିଲିଟେସନ ଆଦି ଅତି ସରଳ, ବେଗଗାମୀ ଏବଂ ବିଶ୍ୱସ୍ତରୀୟ ହୋଇଛି । ସହଜ ବେପାର ବଣିଜ (ଇଜ୍‌ ଅଫ୍‌ ଡୁଇଂ ବିଜିନେସ) ପାଇଁ ଏହି ନୂଆ ପ୍ରକ୍ରିୟା ଏକ ବୈପ୍ଲିବିକ ପଦକ୍ଷେପ । ଏହା ମଧ୍ୟ ଆହୁରି ବାର୍ତ୍ତା ଦେଉଛି ଯେ ସାଂପ୍ରତିକ ସମୟରେ ଯେଉଁ ସବୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ନାନାବିଧ ସମସ୍ୟାର ସମ୍ମୁଖୀନ, ସେମାନଙ୍କ ସମସ୍ୟା ଦୂର କରିବା ପାଇଁ ତାଙ୍କ ମନ୍ତ୍ରଣାଳୟ ଦୃଢଭାବରେ ସେମାନଙ୍କ ପଛରେ ଛିଡା ହୋଇଛି ।

ମନ୍ତ୍ରଣାଳୟର ଅଧିକାରୀମାନେ ଏହି ପଦକ୍ଷେପରେ ବିଶେଷ ଖୁସୀ ଓ ଆଶାବାଦୀ । ଏହା ମନ୍ତ୍ରଣାଳୟରେ ଏକ ଇତିହାସ ସୃଷ୍ଟି କରିଛି ବୋଲି ସେମାନେ ମତ ଦେଇଛନ୍ତି । ଆଉ କେତେକ କହିଛନ୍ତି ଯେ ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ଜାତୀୟ ଓ ଅନ୍ତର୍ଜାତୀୟ ଚମ୍ପିଆନ କରିବାରେ ମନ୍ତ୍ରଣାଳୟ ଯେଉଁ ଅଙ୍ଗୀକାର ରଖିଥିଲା ତାହାକୁ ସାକାର କରିବା ଦିଗରେ ଏହା ଆଉ ଏକ ପଦକ୍ଷେପ । ଏହି ନୂଆ ବ୍ୟବସ୍ଥା ସଂପୃକ୍ତ ଉଦ୍ୟୋଗର ପ୍ରତିବନ୍ଧକଗୁଡିକ ଦୂରକରି ଆନ୍ତର୍ଜାତିକ ବଜାର ଦଖଲ କରିବାରେ ସହାୟକ ହେବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି ।

 

**********



(Release ID: 1634645) Visitor Counter : 241