ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ଜୁଲାଇ 1ରୁ 15 ମଧ୍ୟରେ ହେବାକୁ ଥିବା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା କରୋନା ପରିସ୍ଥିତି ଯୋଗୁଁ ବାତିଲ

• ବାତିଲ ହୋଇଥିବା ପରୀକ୍ଷା ପାଇଁ ସିବିଏସ୍‌ଇ ଆସେସମେଣ୍ଟ ସ୍କିମ୍‌ ଅନୁସାରେ ପରୀକ୍ଷାର୍ଥୀଙ୍କୁ ଦିଆଯିବ ନମ୍ବର ବୋଲି କହିଲା ସିବିଏସ୍‌ଇ କମିଟି
• ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ଅଗ୍ରାଧିକାର ଦେଇଥିବାରୁ ସୁପ୍ରିମକୋର୍ଟକୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
• ଆସେସ୍‌ମେଣ୍ଟ ସ୍କିମ୍‌ର ସୁପାରିସ ଭିତ୍ତିରେ ପରୀକ୍ଷା ଫଳ ଜୁଲାଇ 15 ସୁଦ୍ଧା ପ୍ରକାଶ କରାଯିବ - ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ

Posted On: 26 JUN 2020 4:37PM by PIB Bhubaneshwar

ବିଭିନ୍ନ ରାଜ୍ୟ ସରକାରଙ୍କ ଅନୁରୋଧ ତଥା କରୋନା ମହାମାରୀ ଜନିତ ସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍‌ଇ ଚଳିତବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାକୁ ବାତିଲ କରିଦେଇଛି । ଏହିସବୁ ପରୀକ୍ଷା ଜୁଲାଇ 1ରୁ 15 ମଧ୍ୟରେ ହେବା ପାଇଁ ସ୍ଥିରୀକୃତ ହୋଇଥିଲା । ସିବିଏସ୍‌ଇର ଏହି ପରୀକ୍ଷା ବାତିଲ ପ୍ରସ୍ତାବରେ ସୁପ୍ରିମକୋର୍ଟ ଏକମତ ହୋଇଛନ୍ତି । ଏହାଛଡା ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବାକିଥିବା ପରୀକ୍ଷା ନକରି ପୂର୍ବ ଇଣ୍ଟରନାଲ ମାର୍କକୁ ବିଚାରକୁ ନେଇ ଆକଳନ ଭିତ୍ତିରେ ବାତିଲ ହୋଇଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ନମ୍ବର ପ୍ରଦାନ କରାଯିବା ନେଇ ସିବିଏସ୍‌ଇ  ଯେଉଁ ପ୍ରସ୍ତାବ ଦେଇଛି ତାହାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିଛନ୍ତି ।

ସିବିଏସ୍‌ଇର ପ୍ରସ୍ତାବ ସୁପ୍ରିମକୋର୍ଟ ଗ୍ରହଣ କରିଥିବାରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜୁଲାଇ 1ରୁ 15 ମଧ୍ୟରେ ହେବାକୁ ଥିବା ଏହିସବୁ ପରୀକ୍ଷାକୁ ସର୍ବୋଚ୍ଚ ଅଦାଲତ ପରୀକ୍ଷାର୍ଥୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବାତିଲ କରିବାକୁ ରାଜି ହେବା ଯଥାର୍ଥ ଓ ସ୍ୱାଗତଯୋଗ୍ୟ । କରୋନା ମହାମାରୀ ସମୟରେ ପରୀକ୍ଷା କରିବା ଠିକ୍‌ ନୁହେଁ ବୋଲି ମତଦେଇ ଶ୍ରୀ ନିଶଙ୍କ କହିଛନ୍ତି ଯେ ଯେଉଁସବୁ ପରୀକ୍ଷା ବାତିଲ ହେଲା ସେ ବିଷୟରେ ସିବିଏସ୍‌ଇର କ୍ଷମତାସମ୍ପନ୍ନ କମିଟି ଆସେସମେଣ୍ଟ ସ୍କିମ୍‌ ଅନୁସାରେ ନିଷ୍ପତ୍ତି ନେଇ ପରୀକ୍ଷାର୍ଥୀଙ୍କୁ ନମ୍ବର ଦେବା ବ୍ୟବସ୍ଥା କରିବ । ଏହି କମିଟିର ସୁପାରିସ ଭିତ୍ତିରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯିବ । କମିଟିର ନିଷ୍ପତ୍ତି ଚୂଡାନ୍ତ ଭାବେ ଗ୍ରହଣୀୟ ହେବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପାଇଁ ବାତିଲ ହୋଇଥିବା ପରୀକ୍ଷା ସ୍ଥାନରେ ଏକ ଇଛାଧୀନ ପରୀକ୍ଷା କରାଯିବ । ପରିସ୍ଥିତି ସୁବିଧାଜନକ ହେଲେ ଏହି ପରୀକ୍ଷା ଜୁଲାଇ ପହିଲାରୁ 15 ତାରିଖ ମଧ୍ୟରେ କରାଯିବ । ଆସେସମେଣ୍ଟ ପଦ୍ଧତିରେ ବାତିଲ ହୋଇଥିବା ବିଷୟରେ ନମ୍ବର ପାଇଥିବା ପରୀକ୍ଷାର୍ଥୀମାନେ ଚାହିଁଲେ ସେମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ଏହି ଇଛାଧୀନ ପରୀକ୍ଷାରେ ବସିପାରିବେ । ତେବେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ କୌଣସି ଇଛାଧୀନ ପରୀକ୍ଷା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଆସେସ୍‌ମେଣ୍ଟ ସ୍କିମ୍‌ରେ ବାତିଲ ହୋଇଥିବା ବିଷୟରେ ଛାତ୍ରଛାତ୍ରୀ ପାଇଥିବା ନମ୍ବରକୁ ଚୂଡ଼ାନ୍ତ ବୋଲି ଗ୍ରହଣ କରାଯିବ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବୋକ୍ତ ଆସେସ୍‌ମେଣ୍ଟ ସ୍କିମ୍‌ ଭିତ୍ତିରେ ଚୂଡାନ୍ତ ପରୀକ୍ଷା ଫଳ ଆସନ୍ତା ଜୁଲାଇ 15ରେ ଘୋଷଣା କରାଯିବ । ଫଳରେ ପରୀକ୍ଷାର୍ଥୀମାନେ ଉଚ୍ଚତର ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ଆବେଦନ କରିପାରିବେ । ମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ପରୀକ୍ଷାର୍ଥୀ ସେମାନଙ୍କର ପିତାମାତା ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଆମେ ବିଶେଷ ଗୁରୁତ୍ୱ ଦେଉଥିବାରୁ ଉପରୋକ୍ତ ପ୍ରସ୍ତାବ ସୁପ୍ରିମକୋର୍ଟଙ୍କ ଦେଇଥିଲୁ ।

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ବିଜ୍ଞପ୍ତି ପାଇଁ ଦୟାକରି ଏଠାରେ କ୍ଲିକ୍‌ କରନ୍ତୁ ।

 

**********

 



(Release ID: 1634629) Visitor Counter : 160