ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡ଼େକରଙ୍କ ଦ୍ୱାରା କାନ୍‌ ଫିଲ୍ମ ମାର୍କେଟ 1920ରେ ଭର୍ଚୁଆଲ ଇଣ୍ଡିଆ ପାଭିଲିଅନ ଉଦ୍‌ଘାଟିତ

ପୋଷ୍ଟ କରାଯିବା ଦିନାଙ୍କ: 22 JUN 2020 6:59PM by PIB Bhubaneswar

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାୱେଡ଼କର ଆଜି ଭର୍ଚୁଆଲ ଇଣ୍ଡିଆ ପାଭିଲିଅନକୁ ଉଦ୍‌ଘାଟନ କରିଛନ୍ତି । କାନ୍‌ ଫିଲ୍ମ ମାର୍କେଟ 2020ରେ ଉଦ୍‌ଘାଟିତ ଏହି ପାଭିଲିଅନରେ ଭାଷା, ସଂସ୍କୃତି, ଆଞ୍ଚଳିକଭିତ୍ତିରେ ନିର୍ମିତ ହୋଇଥିବା ବିଭିନ୍ନ ଭାରତୀୟ ସିନେମା ସ୍ଥାନ ପାଇବ । ବିଦେଶରେ ଏହାର ବଜାର ସୃଷ୍ଟି ଏବଂ ଏଥିପାଇଁ ଆବଣ୍ଟନ, ଉତ୍ପାଦନ ଭାରତରେ ଚଳଚ୍ଚିତ୍ର ନିର୍ମାଣ, କାହାଣୀର ବିକାଶ, ନୂଆ ଟେକ୍ନୋଲଜିର ପ୍ରୟୋଗ, ଚଳଚ୍ଚିତ୍ରର ପ୍ରୋତ୍ସାହନ, ବିକ୍ରିବଟା ଆଦି ପାଇଁ ଆନ୍ତର୍ଜାତିକ ସ୍ତରରେ ଅଂଶୀଦାର ଯୋଗାଡ କରିବା ଏହାର ଲକ୍ଷ୍ୟ ।

ବିଶ୍ୱର ଚଳଚ୍ଚିତ୍ର ପ୍ରେମୀ ଓ ଚିତ୍ର ଦୁନିଆର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ଜାୱେଡ଼କର କହିଛନ୍ତି ଯେ ଏବେ ଭର୍ଚୁଆଲ ଉଦ୍‌ଘାଟନ ନୂଆ ସ୍ୱାଭାବିକତା ହୋଇଛି । ସେହିଭଳି ଭର୍ଚୁଆଲ ସ୍ଥାନ ବାସ୍ତବ ଅଂଶୀଦାରଙ୍କ ପାଇଁ ନୂତନ ଜାଗା ପାଲଟିଛି । ଚଳଚ୍ଚିତ୍ର ଭାରତର କୋମଳ ଶକ୍ତି । ଏଥିପାଇଁ ଚଳଚ୍ଚିତ୍ର ଫାସିଲିଟେସନ ଅଫିସ ଏବେ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶମତେ କାର୍ଯ୍ୟ କରିବ । ଏହି ଅବସରରେ ସେ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉଦ୍ୟୋଗୀଙ୍କୁ ଭାରତକୁ ଆସି ବିଶ୍ୱ ବଜାରର ପାଇଁ ଚିତ୍ର ଉତ୍ତୋଳନ, ନିର୍ମାଣ ତଥା ବିକ୍ରିବଟା ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ।  କାନ୍‌କୁ ଭାରତ ଯେଉଁ ଦୁଇଟି ଚଳଚ୍ଚିତ୍ର ପଠାଇଛି ତାହା ସମଗ୍ର ବିଶ୍ୱରେ ପ୍ରଶଂସିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

କାନ୍‌ ଇଣ୍ଡିଆ ପାଭିଲିଅନ ଏକ ସୂଚନା ପ୍ରସାରଣ କେନ୍ଦ୍ରଭାବେ କାର୍ଯ୍ୟ କରିବା ସହ ଭାରତ ଓ ଭାରତୀୟ ସିନେମା ସଂପର୍କରେ ବିଶ୍ୱ ସିନେମା ଜଗତକୁ ବାର୍ତ୍ତା ଦେବ । ଏହି ପାଭିଲିଅନ ମଧ୍ୟ ବ୍ୟବସାୟିକ ବୈଠକର ଆୟୋଜନ କରିବା ସହିତ ଚିତ୍ର ନିର୍ମାତା ଓ ଅନ୍ୟାନ୍ୟ ଗଣମାଧ୍ୟମ ତଥା ମନୋରଂଜନ ଉଦ୍ୟୋଗର ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷାକରିବ ।

ପ୍ରଥମଥର ପାଇଁ ଇଣ୍ଡିଆ ପାଭିଲିଅନ ମଧ୍ୟ ଦୁଇଟି ଚଳଚ୍ଚିତ୍ରର ପ୍ରଦର୍ଶନର ବ୍ୟବସ୍ଥା କରିବ । ଏହି ଚିତ୍ର ଦୁଇଟି ହେଲା ମରାଠି ଭାଷାର ମାଇଘାଟ: କ୍ରାଇମ ନଂ 103/200 ଏବଂ ଗୁଜରାଟି ଭାଷାର ହେଲାରୋ । ଉଭୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି ।

ପ୍ରଖ୍ୟାତ  ଚଳଚ୍ଚିତ୍ର  ନିର୍ମାତା ସତ୍ୟଜିତ ରାୟଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଭର୍ଚୁଆଲ ଇଣ୍ଡିଆ ପାଭିଲିଅନ ତାଙ୍କ ଦ୍ୱାରା ନିର୍ମିତ କେତେକ ଚର୍ଚ୍ଚିତ ଚଳଚ୍ଚିତ୍ର ପ୍ରଦର୍ଶନ କରୁଛିସେଗୁଡିକ ମଧ୍ୟରେ ଗଣଶତ୍ରୁ, ଘରେବାଇରେ, ଆଗନ୍ତୁକ ଆଦି ପାଭିଲିଅନ ୱେବସାଇଟରେ ପ୍ରଦର୍ଶିତ ହେଉଛି ।

ଏହି ଅବସରରେ ମନ୍ତ୍ରୀ ମଧ୍ୟ 2020 ଆନ୍ତର୍ଜାତିକ ଭାରତୀୟ ଫିଲ୍ମ ଫେଷ୍ଟିଭାଲର ବୁକ୍‌ଲେଟ ଓ ପୋଷ୍ଟରକୁ ଉନ୍ମୋଚନ କରିଥିଲେ । ଏହି ଚଳଚ୍ଚିତ୍ର ଉତ୍ସବ ନଭେମ୍ବର 20ରୁ 28 ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମିଡିଆ ଓ ମନୋରଂଜନ ଉଦ୍ୟୋଗର ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀ ଭର୍ଚୁଆଲ ଇଣ୍ଡିଆ ପାଭିଲିଅନରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଅମିତ ଖରେ, ଅତିରିକ୍ତ ସଚିବ ଶ୍ରୀ ଅତୁଲ କୁମାର ତିୱାରୀ, ଚଳଚ୍ଚିତ୍ର ବିଭାଗର ଯୁଗ୍ମ ସଚିବ ସୁଶ୍ରୀ ଟିସିଏ କଲ୍ୟାଣୀ, ଏନ୍‌ଏଫ୍‌ଡିର ପରିଚାଳନା ନିର୍ଦେଶକ ସୁଶ୍ରୀ ଶ୍ରୀଲା ଦତ୍ତ କୁମାର, ଫ୍ରାନ୍ସରେ ଥିବା ଭାରତୀୟ କନ୍‌ସୁଲାର ଅଫିସର ମିନିଷ୍ଟର ଶ୍ରୀ ପ୍ରସୁନ ଜୋଷୀ, ସିବିଏଫ୍‌ସିର ଅଧ୍ୟକ୍ଷ ଶ୍ରୀ ମଧୁର ଭଣ୍ଡାରକର, ଜାତୀୟ ସ୍ତରର ପୁରସ୍କୃତ ନିର୍ଦେଶକ ଶ୍ରୀ ସୁରେଶ ବାବୁ, ଜାତୀୟ ପ୍ରତିନିଧି ତଥା ତେଲୁଗୁ ଚିତ୍ର ନିର୍ମାତା କଲିନ୍‌ ବରୋଜ, ଚିତ୍ରତାରକା କଙ୍ଗନା ରାଣାୱତ ତଥା ମାଇଘାଟର ଅଭିନେତ୍ରୀ ଉଷା ଯାଧବ ପ୍ରମୁଖ ଅନ୍ୟତମ ।

 

**********


(ରିଲିଜ ଆଡି: 1633426) ପରିଦର୍ଶକ କାଉଣ୍ଟର : 284