ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କରୋନା ଚିକିତ୍ସା ପାଇଁ ରେମ୍ଡିସିଭିର

Posted On: 14 JUN 2020 3:39PM by PIB Bhubaneshwar

କୋଭିଡ-19 ଚିକିତ୍ସା ପାଇଁ ରେମ୍ଡିସିଭିର ଔଷଧର ପ୍ରୟୋଗ ଓ ଏହାର ଉପଲବ୍ଧତା ନେଇ ଗଣମାଧ୍ୟମରେ କେତେକ ଖବର ପ୍ରକାଶ ପାଇଛି

କୋଭିଡ-19 ଚିକିତ୍ସା ନିମନ୍ତେ ଗତକାଲି (13.06.2020) କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ କେତେକ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି ସେଥିରେ ରେମ୍ଡିସିଭିର ଔଷଧକୁ ଅନୁସନ୍ଧାନମୂଳକ ଥେରାପି ଭାବେ ଅତ୍ୟନ୍ତ ଜରୁରି ପରିସ୍ଥିତିରେ ବ୍ୟବହାର କରିବାକୁ ଓ ଟୋସିଲିଯୁମେଭ ଏବଂ ପ୍ଲାଜମା ଚିକିତ୍ସା ସମ୍ପର୍କରେ ମଧ୍ୟ କୁହାଯାଇଛି । ତେବେ ଏଥିପାଇଁ ପ୍ରକାଶିତ ନିୟମାବଳୀରେ ଏ ସମସ୍ତ ଥେରାପିର ପ୍ରୟୋଗ ସୀମିତ ଭାବେ କରିବା ପାଇଁ କୁହାଯାଇଛି । କମ ଲକ୍ଷଣ ଥାଇ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ଅତି ଦରକାର ହେଲେ ରେମ୍ଡିସିଭିର ଔଷଧ ପ୍ରୟୋଗ କରିବା ପାଇଁ କୁହାଯାଇଛି ।

ଏହି ଔଷଧକୁ ଏପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ୟୁଏସଏଫଡିଏ) ଅନୁମୋଦନ କରିନାହିଁ । ମାତ୍ର ଭାରତରେ ଏହାକୁ ଅତି ଜରୁରି ପରିସ୍ଥିତିରେ ଉପଯୋଗ କରିବାକୁ ଅନୁମତି ଦିଆଯାଇଛି ।

କୋଭିଡ-19ର ବୟସ୍କ ଓ ପିଲାମାନଙ୍କ ଚିକିତ୍ସା ପାଇଁ ଜରୁରିକାଳୀନ ଔଷଧର ବ୍ୟବହାର କେତେକ ପରିସ୍ଥିତିରେ କରିବା ପାଇଁ କୁହାଯାଇଛି । ଏଥିପାଇଁ ପ୍ରତ୍ୟେକ ରୋଗୀର ଲିଖିତ ସମ୍ମତି, ପର୍ଯ୍ୟବେକ୍ଷଣ ତଥ୍ୟ ଇତ୍ୟାଦି ଆବଶ୍ୟକ । ବାହାରୁ ଅଣାଯାଇଥିବା ପ୍ରଥମ ତିନୋଟି ଔଷଧ ନମୁନାକୁ ପରୀକ୍ଷା କରାଯାଇ ତାହାର ବିବରଣୀ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସସିଓ)କୁ ତଦନ୍ତ ପାଇଁ ପଠାଯିବା ଆବଶ୍ୟକ ।

ଗିଲେଡ କମ୍ପାନୀ ରେମ୍ଡିସିଭିର ଔଷଧ ବାହାରୁ ଆମଦାନୀ କରି ବଜାରକୁ ଛାଡିବା ପାଇଁ ଗତ ମାସ 29 ତାରିଖ ଦିନ ଭାରତୀୟ ଔଷଧ ନିୟନ୍ତ୍ରକ ସଂସ୍ଥାକୁ ଅନୁମତି ମାଗିଛି । ଜୁନ ପହିଲାଠାରୁ ରୋଗୀଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ପରିସ୍ଥିତିରେ ଏହି ଔଷଧର ପ୍ରୟୋଗ ପାଇଁ ଅନୁମତି ପ୍ରଦାନ କରାଯାଇଛି ।

6ଟି ଭାରତୀୟ କମ୍ପାନୀ ଯଥା – ହେଟେରୋ, ସିପ୍ଲା, ବିଡିଆର, ଜୁବିଲାଣ୍ଟ, ମାଇଲାଣ୍ଟ ଏବଂ ଡଃ ରେଡ୍ଡୀ ଲାବୋରୋଟୋରୀ ଏହି ଔଷଧ ପ୍ରସ୍ତୁତ କରି ଭାରତୀୟ ବଜାରକୁ ଛାଡିବା ପାଇଁ ଅନୁମତି ଦେବାକୁ ସିଡିଏସସିଓକୁ ଆବେଦନ କରିଛନ୍ତି । ଏଥିରୁ 5ଟି କମ୍ପାନୀ ଗିଲେଡ ସହିତ ମଧ୍ୟ ରାଜିନାମା କରିଛନ୍ତି । ଏହି ଆବେଦନଗୁଡିକ ସିଡିଏସସିଓ ଦ୍ଵାରା ବିଚାର କରାଯାଉଛି । ଏହି କମ୍ପାନୀଗୁଡ଼ିକ ବିଭିନ୍ନ ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଏହା ଏକ ଇଞ୍ଜେକ୍ସନ ହୋଇଥିବାରୁ ଏହାର ବୀଜାଣୁଗତ ସଂକ୍ରମଣ ଜନିତ ସମସ୍ୟା, ଶୁଦ୍ଧତା, ରୋଗୀ ନିରାପତ୍ତା ସମ୍ପର୍କିତ ସମସ୍ତ ତଥ୍ୟ କମ୍ପାନୀଗୁଡ଼ିକୁ ଦେବାକୁ ପଡିବ । ସିଡିଏସସିଓ ଏହି ତଥ୍ୟଗୁଡିକ ପାଇବା ପରେ କମ୍ପାନୀଗୁଡ଼ିକୁ କି ପ୍ରକାରର ସୁବିଧା ଦିଆଯିବ ତାହାର ବିଚାର କରିବ ।    

 

**********

 



(Release ID: 1631579) Visitor Counter : 233