PIB Headquarters

ଜାତୀୟ ସମବାୟ ବିକାଶ ନିଗମର ସ୍ଵତନ୍ତ୍ର ପ୍ରୟାସ ‘ସହକାର ମିତ୍ର: ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ଯୋଜନା’ର ଶୁଭାରମ୍ଭ କଲେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର

• ସହକାର ମିତ୍ର ଯୋଜନା ଜରିଆରେ ସମବାୟ ସଂସ୍ଥାଗୁଡ଼ିକୁ ଯୁବ ପେସାଦାରମାନଙ୍କର ନୂଆ ଓ ଅଭିନବ ବିଚାର ମିଳିପାରିବ
• ଇଣ୍ଟର୍ଣ୍ଣମାନଙ୍କୁ ଆତ୍ମନିର୍ଭରଶୀଳ ହେବା ଲାଗି ଅଭିଜ୍ଞତା ମିଳିପାରିବ

Posted On: 12 JUN 2020 4:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ’ ନିର୍ମାଣ ଲାଗି ଆହ୍ବାନ କରିଛନ୍ତି ଏଥିରେ ସ୍ଵଦେଶୀ ଉତ୍ପାଦର ପ୍ରଚାର ପ୍ରସାର ଉପରେ ଗୁରୁତ୍ଵାରୋପ କରାଯାଇଛି। ଏହାକୁ ଧ୍ୟାନରେ ରଖି  କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ‘ସହକାର ମିତ୍ର : ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ଯୋଜନା (ସିପ)’ର ଶୁଭାରମ୍ଭ କରିଛନ୍ତି। ଏ ଯୋଜନାର ଶୁଭାରମ୍ଭ କରି ଶ୍ରୀ ତୋମର କହିଛନ୍ତି, ସମବାୟ କ୍ଷେତ୍ରର ଅଗ୍ରଣୀ ଆର୍ଥିକ ସଂଗଠନ ‘ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି) ପକ୍ଷରୁ ଯୁବକମାନଙ୍କୁ ବେତନ ସହିତ ଇଣ୍ଟର୍ଣ୍ଣସିପ ଏବଂ ଷ୍ଟାର୍ଟଅପ ମୋଡରେ ଯୁବ ସମବାୟ କର୍ମୀମାନଙ୍କୁ କୋହଳ ସର୍ତ୍ତରେ ସୁନିଶ୍ଚିତ ପ୍ରକଳ୍ପ ଋଣ ଯୋଗାଇ ଦେବା କ୍ଷେତ୍ରରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସମବାୟ କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗ ବିକଶିତ କରିବା ଉଦ୍ଦେଶ୍ୟରେ ଏସବୁ ପଦକ୍ଷେପ ନିଆଯାଇଛି।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଏନସିଡିସି ସମବାୟ କ୍ଷେତ୍ର ନିମନ୍ତେ ଅଭିନବ ଯୋଜନା ପ୍ରଦାନ କରିବା କ୍ଷେତ୍ରରେ ସକ୍ରିୟ ଭାବେ କାମ କରୁଛି । ଏହି ସଂଗଠନର ଅନେକ ଯୋଜନାଗୁଡ଼ିକ ମଧ୍ୟରୁ ଅନ୍ୟତମ ‘ସହକାର ମିତ୍ର : ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ଯୋଜନା (ସିପ)’ କାର୍ଯ୍ୟକାରୀ ହେବା ଫଳରେ ଯୁବ ପେସାଦାରମାନଙ୍କୁ ବେତନଯୁକ୍ତ ଇଣ୍ଟର୍ଣ୍ଣସିପ ମାଧ୍ୟମରେ ଏନସିଡିସି ଓ ସମବାୟ ସମିତିର କାର୍ଯ୍ୟପଦ୍ଧତି ସମ୍ପର୍କରେ ବ୍ୟବହାରିକ ଅଭିଜ୍ଞତା ଏବଂ ଶିଖିବାର ସୁଯୋଗ ମିଳିପାରିବ।

ଷ୍ଟାର୍ଟଅପ ସମବାୟ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ସକାଶେ ଏନସିଡିସି ପକ୍ଷରୁ ମଧ୍ୟ ଏକ ଅନୁରୂପ ଯୋଜନା ଆରମ୍ଭ କରାଯାଇଛି। କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଭଳି ସମବାୟ ସଂସ୍ଥା ମାଧ୍ୟମରେ ଶିକ୍ଷାନୁଷ୍ଠାନଗୁଡ଼ିକର ଯୁବ ପେସାଦାରମାନଙ୍କ ନେତୃତ୍ଵଶୈଳୀ ଓ ଉଦ୍ୟମିତା ଭୂମିକା ବିକଶିତ କରିବାରେ ସହକାର ମିତ୍ର ଯୋଜନା ଉପଯୋଗୀ ହୋଇପାରିବ।

ଏହା ମଧ୍ୟ ଆଶା କରାଯାଉଛି ଯେ ସହକାର ମିତ୍ର ଯୋଜନା  ଫଳରେ ସମବାୟ ସଂସ୍ଥାଗୁଡ଼ିକ ଯୁବ ପେସାଦାରମାନଙ୍କର ନୂଆ ଏବଂ ଅଭିନବ ବିଚାର ବଳରେ ସମୃଦ୍ଧ ହୋଇପାରିବେ। ଏହାଦ୍ଵାରା ମଧ୍ୟ ଇଣ୍ଟର୍ଣ୍ଣସିପ କରୁଥିବା ପେସାଦାରମାନେ କ୍ଷେତ୍ରସ୍ତରରେ କାମ କରିବାର ଅଭିଜ୍ଞତା ପାଇପାରିବେ ଏବଂ ସେମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳ ହେବାର ବିଶ୍ଵାସ ଉତ୍ପନ୍ନ ହୋଇପାରିବ। ତେଣୁ ସମବାୟ ସମିତି ଏବଂ ଯୁବ ପେସାଦାର ଉଭୟ ଏହାଦ୍ଵାରା ଲାଭବାନ ହେବେ ବୋଲି ଆଶା କରାଯାଉଛି।

ଏହି ଯୋଜନା ଅନ୍ତର୍ଗତ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଏବଂ ଆଇଟି ଭଳି ବିଷୟର ପେସାଦାର ସ୍ନାତକମାନେ ‘ଇଣ୍ଟର୍ଣ୍ଣସିପ’ ଲାଗି ଯୋଗ ହୋଇପାରିବ। ଏହାବ୍ୟତୀତ କୃଷି ବ୍ୟବସାୟ, ସମବାୟ, ଅର୍ଥ, ଅନ୍ତର୍ଜାତୀୟ ବାଣିଜ୍ୟ, ବ୍ୟବସାୟ, ଗ୍ରାମୀଣ ବିକାଶ, ପ୍ରକଳ୍ପ ପରିଚାଳନା, ଆଦିରେ ଏମବିଏ ପାଠ୍ୟକ୍ରମରେ ଶିକ୍ଷା ଲାଭ କରିସାରିଥିବା ପେସାଦାରମାନେ ମଧ୍ୟ ଏଥିପାଇଁ ଯୋଗ୍ୟ ହୋଇପାରିବେ।

ଏନସିଡିସି ପକ୍ଷରୁ ସମବାୟ ମିତ୍ର ବେତନଯୁକ୍ତ ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମ ଲାଗି ଅର୍ଥରାଶି ପୃଥକ ଭାବେ ଆବଣ୍ଟନ କରି ଦେଇଛି । ଏହାର ଅନ୍ତର୍ଗତ ପ୍ରତ୍ୟେକ ଇଣ୍ଟର୍ଣ୍ଣମାନଙ୍କୁ 4 ମାସର ଇଣ୍ଟର୍ଣ୍ଣସିପ ଅବଧି କାଳରେ ଆର୍ଥିକ ସହାୟତା ମିଳିପାରିବ। ଏନସିଡିସିର ୱେବସାଇଟରେ ଉପଲବ୍ଧ ଇଣ୍ଟର୍ଣ୍ଣସିପ ଆବେଦନ ଲାଗି ଅନଲାଇନ ଆବେଦନ ପୋର୍ଟାଲକୁ ମଧ୍ୟ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଉନ୍ମୋଚନ କରିଥିଲେ।

 

*********

 



(Release ID: 1631248) Visitor Counter : 207