ସଂସ୍କୃତି ମନ୍ତ୍ରଣାଳୟ

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିର ସମେତ ଓଡ଼ିଶାର 46ଟି ପୀଠ

• ଆସନ୍ତାକାଲି ଠାରୁ ଖୋଲିବ ଉପାସନା ପୀଠ ମାନ୍ୟତାପ୍ରାପ୍ତ 820ଟି କିର୍ତ୍ତୀରାଜି : ଶ୍ରୀ ପ୍ରହ୍ଲାଦ ସିଂ ପଟେଲ
• ଏସବୁ କୀର୍ତ୍ତିରାଜି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଏସଆଇ ଅଧୀନରେ ସଂରକ୍ଷିତ
• ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସମସ୍ତ ନିୟମ ପାଳନ କରାଯିବ

Posted On: 07 JUN 2020 6:29PM by PIB Bhubaneshwar

ଆସନ୍ତାକାଲି ଅର୍ଥାତ ଜୁନ 8, 2020 ପରଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀନରେ ସଂରକ୍ଷିତ 820ଟି ଐତିହାସିକ କୀର୍ତ୍ତିରାଜି ଖୋଲିବ । ଏସବୁ କୀର୍ତ୍ତିରାଜି ଉପାସନା ପୀଠ ଭାବେ ମାନ୍ୟତା ଲାଭ କରିଛି । ତେବେ ଏସବୁ ସ୍ଥାନରେ କେନ୍ଦ୍ର ଗୃହ ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମକୁ ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ପ୍ରହ୍ଲାଦ ସିଂ ପଟେଲ ।

ଏହି 820ଟି ଉପାସନା ପୀଠ ତଥା ଐତିହାସିକ କୀର୍ତ୍ତିରାଜି ମଧ୍ୟରେ ଓଡ଼ିଶାରେ ଥିବା ଏଏସଆଇ ଅଧୀନ 46ଟି କୀର୍ତ୍ତିରାଜି ଖୋଳିବା ପାଇଁ ମଧ୍ୟ ଅନୁମତି ମିଳିଛି । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ହେଉଛି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, ରାଜଧାନୀ ଭୁବନେଶ୍ୱରସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର, ଅନନ୍ତ ବାସୁଦେବ ମନ୍ଦିର ଓ ଅନ୍ୟ ପ୍ରାଚୀନ ଶୈବପୀଠ, ଭୁବନେଶ୍ୱର ଉପକଣ୍ଠ ହୀରାପୁରସ୍ଥିତ 64 ଯୋଗିନୀ ପୀଠ, ଢେଙ୍କାନାଳର ପ୍ରସିଦ୍ଧ ଶ୍ରୀ କପିଳାସ ପୀଠ ଆଦି ଉପସନାସ୍ଥଳୀ ।

ତେବେ ଏସବୁ ସଂରକ୍ଷିତ କୀର୍ତ୍ତିରାଜି ଖୋଲାଯିବା ସମୟରେ 04.06.2020ରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ମାନକ ପରିଚାଳନା ପଦ୍ଧତି (ଏସଓପି)କୁ କଡ଼ାକଡ଼ି ଭାବେ ପାଳନ କରାଯିବ । କୋଭିଡ-19 ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସମସ୍ତ ଆବଶ୍ୟକ ସତର୍କତା ପଦକ୍ଷେପର କାର୍ଯ୍ୟାନ୍ୱୟନ ଏଏସଆଇ ପକ୍ଷରୁ ସୁନିଶ୍ଚିତ କରାଯିବ । ଆହୁରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଅନ୍ୟ ସମସ୍ତ ଦିଶାନିର୍ଦ୍ଦେଶ ପାଳନ ଏଏସଆଇ ଦ୍ୱାରା ସୁନିଶ୍ଚିତ କରାଯିବ ।

08.06.2020ରେ ଖୋଲିବାକୁ ଥିବା ଏହି 820ଟି ଉପାସନା ସ୍ଥଳୀ ତଥା କୀର୍ତ୍ତିରାଜିର ତାଲିକା ସମ୍ପୃକ୍ତ ରାଜ୍ୟ ଓ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେବା ନିମନ୍ତେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏଏସଆଇକୁ ଅନୁରୋଧ କରାଯାଇଛି । ଯାହାଫଳରେ କୋଭିଡ-19 ସଂକ୍ରମଣ ପ୍ରତିହତ ଓ ନିରାକରଣ ଲାଗି ସମସ୍ତ ପଦକ୍ଷେପ ସେମାନେ କାର୍ଯ୍ୟକାରୀ କରିପାରିବେ ।

 

**********

 



(Release ID: 1630124) Visitor Counter : 223