ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭର୍ଚୁଆଲ ବିଶ୍ୱ ଟିକା ସମ୍ମିଳନୀ 2020ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

• ଏହି ଆହ୍ୱାନପୂର୍ଣ୍ଣ ସମୟରେ ଭାରତ ବିଶ୍ୱ ସହିତ ଏକଜୁଟ ରହି ଛିଡ଼ା ହୋଇଛି : ପ୍ରଧାନମନ୍ତ୍ରୀ
• ଅନ୍ତର୍ଜାତୀୟ ଟିକା ମେଣ୍ଟ-ଗାଭିକୁ 15 ନିୟୁତ ଆମେରିକୀୟ ଡଲାର ଦେବାକୁ ଭାରତର ଶପଥ

Posted On: 04 JUN 2020 7:30PM by PIB Bhubaneshwar

ଅନ୍ତର୍ଜାତୀୟ ଟିକା ମେଣ୍ଟ-ଗାଭିକୁ 15 ନିୟୁତ ଆମେରିକୀୟ ଡଲାର ଦେବା ଲାଗି ଭାରତ ଆଜି ଶପଥ ନେଇଛି ।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ବିଶ୍ୱ ଟିକା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ । ଏହି ସମ୍ମିଳନୀରେ ବିଶ୍ୱର 50ଟି ଦେଶରୁ ବ୍ୟବସାୟ ନେତୃତ୍ୱ, ମିଳିତ ଜାତିସଂଘ ଏଜେନ୍ସି, ନାଗରିକ ସମାଜ, ସରକାରୀ ମନ୍ତ୍ରୀ, ରାଜ୍ୟ ଓ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ ।

ନିଜର ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଙ୍କଟ ସମୟରେ ଭାରତ ବିଶ୍ୱ ସହିତ ଏକଜୁଟ ହୋଇ ଛିଡ଼ା ହୋଇଛି ।

ଶ୍ରୀ ମୋଦୀ କହିଥିଲେ, ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଏକ ପରିବାର ଭାବେ ଦେଖିବା ନିମନ୍ତେ ଶିକ୍ଷା ଦେଇଛି ଏବଂ ଏହି ମହାମାରୀ ସମୟରେ ଏହି ଶିକ୍ଷାକୁ ପାଳନ କରିବା ଲାଗି ଆମେ ପ୍ରୟାସ ଜାରି ରଖିଛୁ । ସେ କହିଥିଲେ, ଏହି ସମୟରେ ଭାରତ ନିକଟରେ ମହଜୁଦ ଥିବା ଔଷଧ ଆବଶ୍ୟକତା ଅନୁସାରେ 120ଟି ଦେଶକୁ ଯୋଗାଇଛି । ପ୍ରଥମେ ପଡ଼ୋଶୀଙ୍କ ସହାୟତା କରିବା ପରେ ଅନ୍ୟ ଯେଉଁ ରାଷ୍ଟ୍ର ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଯୋଗାଇଛି, ଏହାଛଡ଼ା ଭାରତର ବିପୁଳ ଜନସଂଖ୍ୟା ପାଇଁ ମଧ୍ୟ ଯଥେଷ୍ଟ ଔଷଧ ମହଜୁଦ କରି ରଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କୋଭିଡ-19 ମହାମାରୀ କେତେକ କ୍ଷେତ୍ରରେ ବୈଶ୍ୱିକ ସହଯୋଗର ସୀମାକୁ ଉଜାଗର କରିଛି ଏବଂ ନିକଟ ଇତିହାସରେ ପ୍ରଥମ ଥର ଲାଗି ସମଗ୍ରୀ ମାନବ ସମାଜ ଏକ ସ୍ପଷ୍ଟ ସାଧାରଣ ଶତ୍ରୁକୁ ଦେଖିପାରିଛି ।

ଗାଭି ବିଷୟରେ ଉଲ୍ଲେଖ କରି ସେ କହିଥିଲେ ଏହା କେବଳ ଏକ ବୈଶ୍ୱିକ ମେଣ୍ଟ ନୁହେଁ ବରଂ ବୈଶ୍ୱିକ ଏକତାର ପ୍ରତୀକ । ଏହା ଆମକୁ ଚେତାଇ ଦେଉଛି ଯେ ଅନ୍ୟମାନଙ୍କୁ ସହାୟତା କରିବା ଦ୍ୱାରା ଆମେ ନିଜର ମଧ୍ୟ ସହାୟତା କରିପାରିବା ।

ସେ କହିଥିଲେ ଭାରତରେ ବିପୁଳ ଜନସଂଖ୍ୟା ଏବଂ ସୀମିତ ସ୍ୱାସ୍ଥ୍ୟ ସୁବିଧା ରହିଛି । ତେଣୁ ଆମ ଦେଶ ଟିକାକରଣର ଗୁରୁତ୍ୱକୁ ବୁଝିଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାରଙ୍କ ପ୍ରଥମ କାର୍ଯ୍ୟକ୍ରମ ଥିଲା ମିଶନ ଇନ୍ଦ୍ରଧନୁଷ, ଯାହା ସାରା ଦେଶର ଶିଶୁ ଓ ଗର୍ଭବତୀ ମହିଳାଙ୍କ ସମ୍ପୂର୍ଣ୍ଣ ଟିକାକରଣକୁ ସୁନିଶ୍ଚିତ କରିଥିଲା, ଏହି ଅଭିଯାନ ବିଶାଳ ରାଷ୍ଟ୍ରର ଉପାନ୍ତ କ୍ଷେତ୍ରରେ ମଧ୍ୟ ପହଁଚିଥିଲା ।

ସେ କହିଥିଲେ ଯେ ସୁରକ୍ଷାକୁ ବଢ଼ାଇବା ନିମନ୍ତେ ଭାରତ ନିଜର ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ 6ଟି ନୂଆ ଟିକା ସାମିଲ କରିଛି ।

ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବେ ସୂଚନା ଦେଇଥିଲେ ଯେ ଭାରତ ନିଜର ସମ୍ପୂର୍ଣ୍ଣ ଟିକା ଯୋଗାଣ ଲାଇନକୁ ଡିଜିଟାଲ କରିଛି ଏବଂ ଏକ ଇଲେକ୍ଟ୍ରୋନିକ ଟିକା ଗୁଇନ୍ଦା ନେଟୱର୍କ ବିକଶିତ କରିଛି ଯାହା ଏହାର କୋଲ୍ଡ ଚେନର ସ୍ୱଚ୍ଛତାକୁ ଅନୁଧ୍ୟାନ କରିବ ।

ଏହିସବୁ ଅଭିନବତ୍ୱ ଆବଶ୍ୟକ ପରିମାଣରେ, ସଠିକ ସମୟରେ, ଶେଷ ସୀମା ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ଶକ୍ତିଶାଳୀ ଟିକାର ଉପଲବ୍ଧତାକୁ ସୁନିଶ୍ଚିତ କରୁଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବିଶ୍ୱର ପ୍ରମୁଖ ଟିକା ଉତ୍ପାଦକ ଏବଂ ଏହା ବିଶ୍ୱର 60 ପ୍ରତିଶତ ଶିଶୁଙ୍କ ଟିକାକରଣରେ ଯୋଗଦାନ କରିବାର ସୌଭାଗ୍ୟ ପାଇଛି ।

ଶ୍ରୀ ମୋଦୀ କହିଥିଲେ ଯେ ଗାଭିର କାର୍ଯ୍ୟକୁ ଭାରତ ବିବେଚନା ଓ ଗୁରୁତ୍ୱ ଦେଇଥାଏ, ଏହି କାରଣରୁ ଏହା ଗାଭିର ସହଯୋଗ ପାଉନଥିଲେ ମଧ୍ୟ ଗାଭିକୁ ଆର୍ଥିକ ସହାୟତା ପ୍ରଦାନ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ କେବଳ ଆର୍ଥିକ ଦୃଷ୍ଟିରୁ ଗାଭିକୁ ସହଯୋଗ ଦେଉନାହିଁ ବରଂ ଭାରତର ବିପୁଳ ଚାହିଦା ସମସ୍ତଙ୍କ ପାଇଁ ଟିକାର ବୈଶ୍ୱିକ ଦରକୁ ହ୍ରାସ କରିପାରିଛି । ଫଳରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଗାଭିର ପାଖାପାଖି 400 ନିୟୁତ ଡଲାର ଅର୍ଥ ସଂଚୟ ହୋଇପାରିଛି ।

ଉନ୍ନତମାନର ଔଷଧ ଏବଂ ଟିକା କମ ମୂଲ୍ୟରେ ଉତ୍ପାଦନ କରିବା ଲାଗି ବିଶ୍ୱକୁ ଭାରତ ସହଯୋଗ କରିବା ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । ଦ୍ରୁତବେଗରେ ଟିକାକରଣ ଏବଂ ବଳିଷ୍ଠ ବୈଜ୍ଞାନିକ ଗବେଷଣା ପ୍ରତିଭା କ୍ଷେତ୍ରରେ ଭାରତର ଘରୋଇ ଅଭିଜ୍ଞତା ଏ କ୍ଷେତ୍ରରେ ସହାୟକ ହୋଇପାରିବ ।

ବୈଶ୍ୱିକ ସ୍ୱାସ୍ଥ୍ୟ ପ୍ରୟାସ ପାଇଁ ଭାରତର କେବଳ ସାମର୍ଥ୍ୟ ନାହିଁ ବରଂ ସହଭାଗିତା ଓ ଯତ୍ନର ଭାବନା ନେଇ କାର୍ଯ୍ୟ କରିବା ଲାଗି ମଧ୍ୟ ଦେଶ ପ୍ରସ୍ତୁତ ବୋଲି ସେ କହିଥିଲେ ।

 

**********

 



(Release ID: 1629471) Visitor Counter : 203