ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସାମୁଦ୍ରିକ ଝଡ଼ ‘ନିସର୍ଗ’ ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଏନସିଏମସିର ବୈଠକ

Posted On: 02 JUN 2020 6:26PM by PIB Bhubaneshwar

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସାମୁଦ୍ରିକ ଝଡ଼ ନିସର୍ଗମୁକାବିଲା ନିମନ୍ତେ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି)ର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଅନୁଯାୟୀସାମୁଦ୍ରିକ ଝଡ଼ 3 ଜୁନ ଦ୍ୱିପ୍ରହର/ସନ୍ଧ୍ୟା ସୁଦ୍ଧା ମହାରାଷ୍ଟ୍ର ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି । ରାଜ୍ୟର ଉପକୂଳ ଜିଲ୍ଲାରେ ଘଂଟାପ୍ରତି 100-110 କିମି ବେଗରେ ପବନ ବୋହିବା ସହିତ ସ୍ଥଳବିଶେଷରେ ଏହା ଘଂଟାପ୍ରତି 120 କିମି ପର୍ଯ୍ୟନ୍ତ ଯିବାର ଆଶଙ୍କା ରହିଛି । ଏଥିସହିତ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବା ଏବଂ ସମୁଦ୍ରରେ 1-2 ମିଟର ଉଚ୍ଚତାର ଲହଡ଼ି ଆସିବାର ଆଶଙ୍କା ରହିଛି । ସାମୁଦ୍ରିକ ଝଡ଼ର ବ୍ୟାପକ ପ୍ରଭାବ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଜିଲ୍ଲା ରାୟଗଡ଼, ମୁମ୍ବାଇ, ଠାଣେ ଏବଂ ପାଲଘର ସହିତ ଗୁଜରାଟର ୱଲସାଡ଼, ନବସାରୀ, ସୁରତ, ଭାବନଗର ଏବଂ ଭରୁଚ ଜିଲ୍ଲା ଓ ଡାମନ, ଦାଦରା ଓ ନଗର ହାଭେଳୀ ଉପରେ ପଡ଼ିବାର ଆଶଙ୍କା ରହିଛି ।

ରାଜ୍ୟ ସରକାର/କେନ୍ଦ୍ରଶାସିତ ପ୍ରଦେଶର ଅଧିକାରୀମାନେ ଏନସିଏମସିକୁ ନିଜ ପକ୍ଷରୁ କରିଥିବା ଆଗୁଆ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ସେମାନ ଏହି ଆଶ୍ୱାସନା ମଧ୍ୟ ଦେଇଥିଲେ ଯେ ଆବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ଜରୁରିକାଳୀନ ସେବା ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଛି । ଦୂରସଂଚାର ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ଏସଏମଏସ ସୁବିଧା ଜରିଆରେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କ୍ଷେତ୍ରରେ ଆସୁଥିବା ଲୋକମାନଙ୍କୁ ସତର୍କ କରାଯାଉଛି । ଏଥିସହିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଉଛି ।

ଏସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଏନଡିଆରଏଫ ପକ୍ଷରୁ 40ଟି ଟିମ ନିୟୋଜିତ କରାଯାଇଛି ଏବଂ ଅତିରିକ୍ତ ଟିମଗୁଡ଼ିକୁ ମଧ୍ୟ ବିମାନ ମାର୍ଗରେ ପଠାଯାଉଛି । ସ୍ଥଳସେନା ଏବଂ ନୌସେନାର ଉଦ୍ଧାର ଏବଂ ରିଲିଫ ଦଳ ସହିତ ନୌସେନା ଏବଂ ବାୟୁସେନା ଜାହାଜ ଓ ବିମାନକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ତଟରକ୍ଷୀ ବାହିନୀର ଜାହାଜ ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀଙ୍କୁ ଆଣିବା କାର୍ଯ୍ୟ ପୂର୍ବରୁ ଆରମ୍ଭ କରିସାରିଛି ।

ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରି କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଥିଲେ ଯେ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ କ୍ଷେତ୍ରର ସମସ୍ତ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ ସମୁଦ୍ରରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବା ସୁନିଶ୍ଚିତ କରାଯାଉ । ଉଦ୍ଧାର କାର୍ଯ୍ୟ ସମୟରେ କୋଭିଡ ରୋଗୀଙ୍କ ଚିକିତ୍ସା ଯେପରି ବାଧାପ୍ରାପ୍ତ ନହୁଏ ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ନିମନ୍ତେ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ, ଦୂରସଂଚାର, ପରମାଣୁ, ରାସାୟନିକ, ବିମାନ ଚଳାଚଳ ଓ ଶିପିଂ ସମ୍ବନ୍ଧୀୟ ମୌଳିକ ଢାଂଚା ଓ ସମ୍ପତ୍ତି ସୁରକ୍ଷିତ ରଖିବା ନିମନ୍ତେ ଆକସ୍ମିକ ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।

ମହାରାଷ୍ଟ୍ର ଏବଂ ଗୁଜରାଟର ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ଦାଦ୍ରା ନଗର ହାଭେଳୀ ତଥା ଡାମନ ଡିଉ ପ୍ରଶାସନର ପରାମର୍ଶଦାତା ଭିଡିଓ କନଫରେନ୍ସ ଜରିଆରେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଗୃହ, ଜାହାଜ ଚଳାଚଳ, ବିଦ୍ୟୁତ, ରେଳବାଇ, ଦୂରସଂଚାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ପରମାଣୁ ଇନ୍ଧନ, ରସାୟନ ଏବଂ ପେଟ୍ରୋ ରସାୟନ, ବେସାମରିକ ବିମାନ ଚଳାଚଳ ଓ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସମେତ ଆଇଏମଡି, ଆଇଡିଏସ, ଏନଡିଏମଏ ତଥା ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଏନସିଏମସି ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା କରିବା ଲାଗି ପୁଣିଥରେ ବୈଠକ ଆୟୋଜନ କରିବ ।

 

**********

 



(Release ID: 1628820) Visitor Counter : 152