PIB Headquarters

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାରେ 5ବର୍ଷରେ 20,000 କୋଟି ଟଙ୍କା ନିବେଶ କରାଯିବ
• ମତ୍ସ୍ୟ ଉତ୍ପାଦନ 220 ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ଲକ୍ଷ୍ୟ
• ନୀଳ ବିପ୍ଳବ ମାଧ୍ୟମରେ ଆସିବ ଆର୍ଥିକ ବିପ୍ଳବ : କେନ୍ଦ୍ର ମତ୍ସ୍ୟ ସମ୍ପଦ ମନ୍ତ୍ରୀ
• ପ୍ରଥମ ଥର ପାଇଁ ମାଛଧରା ଡଙ୍ଗା ପାଇଁ ହେବ ବୀମା ବ୍ୟବସ୍ଥା
• ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଗ୍ରାମରେ 3477 ‘ସାଗର ମିତ୍ର’ଙ୍କ ପଞ୍ଜିକରଣ ଏବଂ ମାଛଚାଷୀ ଉତ୍ପାଦକ ସଂଗଠନ (ଏଫଏଫପିଓ)ଗୁଡ଼ିକୁ ପ୍ରୋତ୍ସାହନ ଦେବେ ସରକାର : ଗିରିରାଜ ସିଂ

Posted On: 26 MAY 2020 6:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ) ଯୋଜନାରେ 2024-25 ସୁଦ୍ଧା ମାଛ ଉତ୍ପାଦନ 220 ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖାଯାଇଛି। 2018-19 ଆର୍ଥିକ ବର୍ଷରେ ବାର୍ଷିକ ମାଛ ଉତ୍ପାଦନ 137.58 ଲକ୍ଷ ମେଟ୍ରିକ ଟନ ଥିବା ବେଳେ ବାର୍ଷିକ ଅଭିବୃଦ୍ଧି ହାର 9ପ୍ରତିଶତ ରହିଛି। କେନ୍ଦ୍ର ମତ୍ସ୍ୟଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ କହିଛନ୍ତି ଯେ, ମହାତ୍ଵାକାଂକ୍ଷୀ ଯୋଜନା ମାଧ୍ୟମରେ ଆସନ୍ତା ପାଞ୍ଚ ବର୍ଷରେ ରପ୍ତାନି ପରିମାଣ ଦ୍ଵିଗୁଣିତ କରି ଏହାକୁ 1 ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବା ସହିତ 55 ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି । ଶ୍ରୀ ସିଂ ଆଜି ପିଏମଏମଏସୱାଇକୁ ମତ୍ସ୍ୟଜୀବୀ, ମାଛ ଚାଷୀ, ବ୍ୟବସାୟୀ ଓ ମତ୍ସ୍ୟଚାଷ କ୍ଷେତ୍ରର ଅନ୍ୟ ଅଂଶୀଦାରମାନଙ୍କୁ ସମର୍ପିତ କରି କହିଥିଲେ ଯେ ପ୍ରଥମ ଥର ପାଇଁ ମାଛଧରା ଡଙ୍ଗା ପାଇଁ ବୀମା ବ୍ୟବସ୍ଥା କରାଯିବ।

କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନା ବିଷୟରେ ସୂଚନା ଦେଇଥିଲେ। ପିଏମଏମଏସଓ୍ବାଇ ଯୋଜନାକୁ 20 ମେ, 2020ରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା। ଏହି ଯୋଜନାରେ 20,050 କୋଟି ଟଙ୍କା ବ୍ୟୟ କରାଯିବ। ଏଥିରେ କେନ୍ଦ୍ର ସରକାର 9,407 କୋଟି, ରାଜ୍ୟ ସରକାର 4,880 କୋଟି ଏବଂ ହିତାଧିକାରୀ 5,763 କୋଟି ଟଙ୍କା ବିନିଯୋଗ କରିବେ। ପିଏମଏମଏସୱାଇ ଯୋଜନା 2020-21 ଆର୍ଥିକ ବର୍ଷ ଠାରୁ 2024-25 ପର୍ଯ୍ୟନ୍ତ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ସିଂ କହିଥିଲେ।

ଶ୍ରୀ ସିଂ ଆହୁରି କହିଥିଲେ ଯେ ପିଏମଏମଏୱାଇ ଯୋଜନାରେ ମାଛ ଉତ୍ପାଦନ ଏବଂ ଉତ୍ପାଦକତା, ଗୁଣବତ୍ତା, ସ୍ଥାୟୀତ୍ଵ, ପ୍ରଯୁକ୍ତି ପ୍ରୟୋଗ, ଚାଷ ପରବର୍ତ୍ତୀ ଭିତ୍ତିଭୂମି, ଆଧୁନିକୀକରଣ ଓ ମୂଲ୍ୟଶୃଙ୍ଖଳ ସୁଦୃଢ଼ୀକରଣ, ମାଛଧରାଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ମାଛଚାଷ କ୍ଷେତ୍ରରେ ଗୁଣବତ୍ତା ଏବଂ ଅନୁସନ୍ଧାନ, ଏକ ସୁଦୃଢ଼ ମତ୍ସ୍ୟଚାଷ ପରିଚାଳନା ବ୍ୟବସ୍ଥା, ମତ୍ସ୍ୟଜୀବୀଙ୍କ କଲ୍ୟାଣ, ମାଛ ରପ୍ତାନିରେ ପ୍ରତିଦ୍ଵନ୍ଦିତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାର ପାଖାପାଖି 42ପ୍ରତିଶତ ନିବେଶ ମତ୍ସ୍ୟଚାଷ ଭିତ୍ତିଭୂମି ସୁବିଧା ସୃଷ୍ଟି ଓ ଉନ୍ନତିକରଣ କ୍ଷେତ୍ରରେ କରାଯିବ। ମାଛଧରା ବନ୍ଦର ଏବଂ ଲ୍ୟାଣ୍ଡିଂ ସେଣ୍ଟର, ମାଛ ଚାଷ ପରବର୍ତ୍ତୀ ଏବଂ ଶୀତଳ ଭଣ୍ଡାର ଭିତ୍ତିଭୂମି, ମାଛ ବଜାର ଏବଂ ବିପଣନ ଭିତ୍ତିଭୂମି, ସମନ୍ୱିତ ଆଧୁନିକ ଉପକୂଳ ମାଛଧରା ଗ୍ରାମ ଏବଂ ଗଭୀର ସମୁଦ୍ର ମାଛଧରା ବିକାଶ କ୍ଷେତ୍ରରେ ଅଧିକ ଗୁରୁତ୍ଵ ଦିଆଯିବ।

ସ୍ଵାସ୍ଥ୍ୟ ଲାଭ ସହିତ ଘରୋଇ ମାଛ ଉପଯୋଗ ବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ ଯେ ସରକାର ‘ସାଗର ମିତ୍ର’ ମାନଙ୍କର ପଞ୍ଜୀକରଣ ଏବଂ ମାଛ ଚାଷୀ ଉତ୍ପାଦକ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଜରିଆରେ ପିଏମଏମଏସୱାଇର ଲକ୍ଷ୍ୟ ହାସଲ କରିବା ଲାଗି ପ୍ରୟାସ କରିବେ। ଉପକୂଳ ମତ୍ସ୍ୟଜୀବୀ ଗ୍ରାମରେ 3477 ସାଗର ମିତ୍ରମାନଙ୍କୁ ସୃଷ୍ଟି ନିମନ୍ତେ ଯୁବକମାନଙ୍କୁ ନିୟୋଜିତ କରାଯିବ।

ବିଶ୍ବ ମତ୍ସ୍ୟ ଉତ୍ପାଦନରେ ଭାରତର ଯୋଗଦାନ 7.73% ରହିଛି। ଏଥିରୁ ବାର୍ଷିକ (2018-19) 46,589 କୋଟି ଟଙ୍କା ଆୟ ହୋଇଛି। ସମଗ୍ର ବିଶ୍ଵରେ ଜଳଜକୃଷି କ୍ଷେତ୍ରରେ ଭାରତ ବିଶ୍ଵରେ ଦ୍ଵିତୀୟ ଏବଂ ମାଛ ରପ୍ତାନି କ୍ଷେତ୍ରରେ ଚତୁର୍ଥ ବୃହତମ ଦେଶର ମାନ୍ୟତା ପାଇପାରିଛି। ଦେଶ ନିକଟରେ ସର୍ବାଧିକ ମାଛ ଉତ୍ପାଦନ ଓ ରପ୍ତାନିକାରୀ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂ କହିଥିଲେ। ମାଛ ଚାଷ କ୍ଷେତ୍ରରେ ବିକାଶର ବ୍ୟାପକ ସୁଯୋଗକୁ ଦେଇ ଡିସେମ୍ବର 2014ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଛ ଚାଷ କ୍ଷେତ୍ରରେ “ନୀଳ ବିପ୍ଳବ” ପାଇଁ ଆହ୍ଵାନ କରିଥିଲେ। କେନ୍ଦ୍ର ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ କେନ୍ଦ୍ର ମତ୍ସ୍ୟ, ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୀବ କୁମା ବାଲ୍ୟାଁ ଓ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ମତ୍ସ୍ୟ ବିଭାଗ ସଚିବ ଡ. ରାଜୀବ ରଞ୍ଜନ ଉପସ୍ଥିତ ଥିଲେ। ଅତିଥିମାନେ ପିଏମଏମଏସୱାଇ ଉପରେ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ।

 

***********

 



(Release ID: 1627002) Visitor Counter : 22