ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ସ୍ଥାନୀୟରୁ ବୈଶ୍ୱିକ : ଖୁବ୍‌ ଶୀଘ୍ର ଖଦି ମାସ୍କ ବଜାରରେ ହେବ ଉପଲବ୍ଧ

Posted On: 21 MAY 2020 4:06PM by PIB Bhubaneshwar

ଖୁବ୍‌ ଶୀଘ୍ର ବ୍ୟାପକ ମାତ୍ରାରେ ଲୋକପ୍ରିୟ ଖଦି ମାସ୍କ ବୈଶ୍ୱିକହେବାକୁ ଯାଉଛି । ଅର୍ଥାତ୍‌, ଏହା ବଜାରରେ ସର୍ବତ୍ର ଉପଲବ୍ଧ ହେବ । ଖଦି ଓ ଗ୍ରାମୋଦ୍ୟୋଗ ଶିଳ୍ପ କମିଶନ୍‌ (କେଭିଆଇସି) ଏ ଖଦି ସୂତା ଓ ସିଲ୍କର ମୁହଁବନ୍ଧା ମାସ୍କ ବିଦେଶକୁ ରପ୍ତାନି କରିବାର ସମ୍ଭାବନା ସଂପର୍କରେ ଅନୁସନ୍ଧାନ କରିବ । ଅଣ ମେଡ଼ିକାଲ/ ଅଣ ସର୍ଜିକାଲ୍‌ ମାସ୍କ ଉପରୁ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କଟକଣା ଉଠିବା ପରେ କେଭିଆଇସି ଏଭଳି ଉପାୟ ଚିନ୍ତା କରୁଛି । ଏହି ପରିପ୍ରେକ୍ଷୀରେ ମେ16 ତାରିଖ ଦିନ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ  (ଡ଼ିଜିଏଫଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାଲ୍‌ ଟୁ ଗ୍ଲୋବାଲ୍‌ପାଇଁ ତାଙ୍କର ଆତ୍ମନିର୍ଭର ଭାରତ ଅଭିଯାନଘୋଷଣା କରାଯିବାର ମାତ୍ର କେଇଦିନ ପରେ ଏଭଳି ପଦକ୍ଷେପ ନିଆଯାଇଛି । ବୈଶ୍ୱିକ ମହାମାରୀ କୋଭିଡ଼-19 ପରିପ୍ରେକ୍ଷୀରେ ଏବେ ବିଶ୍ୱ ବଜାରରେ ମୁହଁବନ୍ଧା ମାସ୍କର ବହୁଳ ଚାହିଦା ଥିବା ଦୃଷ୍ଟିରୁ କେଭିଆଇସି ଏବେ ଦୁଇପରସ୍ତଯୁକ୍ତ ଏବଂ ତିନିପରସ୍ତଯୁକ୍ତ କପଡ଼ା ତିଆରି ମାସ୍କ ପ୍ରସ୍ତୁତ କରୁଛି । ସିଲ୍କ କପଡ଼ାରେ ମଧ୍ୟ ଏଭଳି ମାସ୍କ ପ୍ରସ୍ତୁତ କରାଯାଇଛି । ଏହା ଉଭୟ ପୁରୁଷମାନଙ୍କ ପାଇଁ ଦୁଇଟି ରଙ୍ଗରେ ଏବଂ ମହିଳାମାନଙ୍କ ନିମନ୍ତେ ବିବିଧ ରଙ୍ଗଯୁକ୍ତ କପଡ଼ାରେ ଉପଲବ୍ଧ ।

କେଭିଆଇସି ଏଥି ନିମନ୍ତେ ପ୍ରାୟ 8 ଲକ୍ଷ ମାସ୍କ ପାଇଁ ଅର୍ଡ଼ର ପାଇସାରିଛି ଏବଂ ସେଥି ମଧ୍ୟରୁ ପ୍ରାୟ 6 ଲକ୍ଷ ମାସ୍କ ଲକଡାଉନ୍‌ ସମୟରେ ପ୍ରସ୍ତୁତ କରି ଯୋଗାଇ ସାରିଛି । କେଭିଆଇସି ଏଥିପାଇଁ ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ଜମ୍ମୁ କଶ୍ମୀର ସରକାର ଓ ଅନ୍ୟମାନଙ୍କ ଠାରୁ ତଥା ଇ-ମେଲ୍‌ ମାଧ୍ୟମରେ ସାଧାରଣ ଜନତାଙ୍କ ଠାରୁ ଅର୍ଡ଼ର ପାଇଥିଲା । ବିକ୍ରୟ ବ୍ୟତୀତ, ପ୍ରାୟ 7.5 ଲକ୍ଷରୁ ଅଧିକ ଖଦି ମାସ୍କ ଦେଶବ୍ୟାପୀ ଖଦି ଅନୁଷ୍ଠାନମାନଙ୍କ ଦ୍ୱାରା ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ମାଗଣାରେ ବଣ୍ଟନ କରାଯାଇଛି ।

କେଭିଆଇସି ଏବେ ଦୁବାଇ, ଆମେରିକା, ମରିସସ୍‌, ଅନେକ ୟୁରୋପୀୟ ରାଷ୍ଟ୍ର ଓ ମଧ୍ୟପ୍ରାଚ୍ୟର ରାଷ୍ଟ୍ରକୁ ମୁହଁବନ୍ଧା ଖଦି ମାସ୍କ ଯୋଗାଣ ସକାଶେ ଯୋଜନା କରିଛି । ଏହିସବୁ ରାଷ୍ଟ୍ରମାନଙ୍କରେ ଖଦିର ଯଥେଷ୍ଟ ଲୋକପ୍ରିୟତା ଓ ଚାହିଦା ରହିଛି । ଗତ କିଛି ବର୍ଷ ମଧ୍ୟରେ ଏହା ବହୁ ମାତ୍ରାରେ ବୃଦ୍ଧି ପାଇଛି । କେଭିଆଇସି ଏହିସବୁ ରାଷ୍ଟ୍ରରେ ଭାରତୀୟ ଦୂତାବାସ ମାଧ୍ୟମରେ ଖଦି ମାସ୍କ ବିକ୍ରୟ କରିବାର ମସୁଧା ରଖିଛି ।

ଏ ସଂପର୍କରେ କେଭିଆଇସିର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ସାକ୍ସେନା କହିଛନ୍ତି ଯେ ବିଦେଶକୁ ଖଦି ମାସ୍କ ରପ୍ତାନି କରିବା ଲୋକାଲ୍‌ ଟୁ ଗ୍ଲୋବାଲର ପ୍ରକୃଷ୍ଟ ଉଦାହରଣ ହେବ । ଖଦି କପଡ଼ା ପ୍ରସ୍ତୁତ ସାମଗ୍ରୀର ଲୋକପ୍ରିୟତା ଏବଂ ଖଦି ଉତ୍ପାଦ ବିଗତ କିଛି ବର୍ଷ ମଧ୍ୟରେ, ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ପର୍ଯ୍ୟାପ୍ତ ମାତ୍ରାରେ ବୃଦ୍ଧି ପାଇଛି । ବିଦେଶକୁ ଖଦି ମାସ୍କ ରପ୍ତାନି କରାଗଲେ ଏହାର ଉତ୍ପାଦନ ବୃଦ୍ଧି ପାଇବ ଏବଂ ସର୍ବୋପରି ଏହା ଭାରତର କାରିଗରମାନଙ୍କ ପାଇଁ ବ୍ୟାପକ ମାତ୍ରାରେ କର୍ମସଂସ୍ଥାନର ସୁଯୋଗ ସୃଷ୍ଟି କରିବ । କରୋନା ମହାମାରୀରୁ ବର୍ତ୍ତିବା ପାଇଁ ମୁହଁବନ୍ଧା ମାସ୍କ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ । ଏଭଳି ମାସ୍କକୁ ଦୁଇପରସ୍ତଯୁକ୍ତ ଭାବେ ଖଦି କପଡ଼ାରେ ପ୍ରସ୍ତୁତ କରାଯାଉଛି । ଗୁଣାତ୍ମକ ମାନ ଦୃଷ୍ଟିରୁ ଏହାର ପଟ୍ଟାନ୍ତର ନାହିଁ ଏବଂ ଏହାର ଚାହିଦା ମଧ୍ୟ ଯଥେଷ୍ଟ । ସେହିଭଳି ଏହା ଯେତିକି ଶସ୍ତା, ସହଜରେ ଏହା ପିନ୍ଧି ନିଶ୍ୱାସପ୍ରଶ୍ୱାସ ନେଇହେବ, ସଫେଇଯୋଗ୍ୟ ଏବଂ ପୁନଃବ୍ୟବହାରଯୋଗ୍ୟ ତଥା ଜୈବକ୍ଷୟୀ, ଏହା ସହ ଅନ୍ୟ କୌଣସି ମାସ୍କ କଦାପି ତୁଳନା କରାଯାଇ ନପାରେ,” ବୋଲି ଶ୍ରୀ ସାକ୍ସେନା କହିଛନ୍ତି ।

କେଭିଆଇସି ବିଶେଷ ଭାବେ ଦୁଇପରସ୍ତଯୁକ୍ତ ଖଦି କପଡ଼ାକୁ ମାସ୍କ ପ୍ରସ୍ତୁତ କରିବା ନିମନ୍ତେ ବ୍ୟବହାର କରୁଛି । ଏହା ମାସ୍କ ତଳେ ସମସ୍ତ ବାଷ୍ପୀୟ ପଦାର୍ଥକୁ ଧରି ରଖୁଛି ଏବଂ ବ୍ୟବହାରକରୀଙ୍କ ନିଶ୍ୱାସପ୍ରଶ୍ୱାସ ପାଇଁ ମଧ୍ୟ ଏହା ସହଜସାଧ୍ୟ । ଯେହେତୁ ଏହି କପଡ଼ା ହାତରେ ପ୍ରସ୍ତୁତ ସୂତା ଓ ହାତବୁଣା କପଡ଼ାରେ ତିଆରି ଓ ଏହା ତୁଳା ଓ ସିଲ୍କରେ ପ୍ରସ୍ତୁତ ଏହାର ବିଶେଷତା ଅନ୍ୟ କୌଣସି ମାସ୍କରେ ନାହିଁ । ତୁଳା ହେଉଛି ଏକ ମେକାନିକାଲ୍‌ ପ୍ରତିରୋଧକ ଏବଂ ସିଲ୍କର ଇଲେକ୍ଟ୍ରୋଷ୍ଟାଟିକ୍‌ ପ୍ରତିରୋଧ କ୍ଷମତା ରହିଛି ।

 

**********

 



(Release ID: 1625912) Visitor Counter : 246