ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ମହାବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

• ମେ' 20ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫନ’

Posted On: 18 MAY 2020 7:16PM by PIB Bhubaneshwar

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ଫନଆଜି ମହାବାତ୍ୟାରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ, କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସିଗୁଡ଼ିକ ସହିତ ଏକ ଜରୁରି ବୈଠକରେ ଏହି ମହାବାତ୍ୟା ମୁକାବିଲାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ସମେତ ଆଇଏମଡି, ଏନଡିଏମଏ, ଏନଡିଆରଏଫ ଓ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ଅମ୍ଫନମହାବାତ୍ୟା 20 ତାରିଖ ଅପରାହ୍ଣରେ ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗ ଛୁଇଁବ । ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଅତ୍ୟଧିକ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇସାରିଥିବ ଏବଂ ପବନର ବେଗ ଘଣ୍ଟାପ୍ରତି 195 କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର, ଦକ୍ଷିଣ ଓ ଉତ୍ତର 24 ପ୍ରଗଣା, ହାଓଡ଼ା, ହୁଗଲି ଓ କୋଲକାତାରେ ଏହାର ଅଧିକ ପ୍ରଭାବ ଅନୁଭୂତ ହେବ । ଏହି ସାମୁଦ୍ରିକ ଝଡ଼ର ପ୍ରଭାବ ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ଅନୁଭୂତ ହେବ ।

ଏହି ଝଡ଼ ପ୍ରଭାବରେ ସମୁଦ୍ରରେ 4ରୁ 5ମିଟର ଉଚ୍ଚର ଜୁଆର ଉଠିପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲାରେ ଏହି ବାତ୍ୟା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ରହିଛି ।

ବାତ୍ୟା ପ୍ରଭାବିତ ଅଂଚଳରେ ଥିବା ଲୋକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସ୍ଥାନାନ୍ତର କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ କରି ରଖିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଷୟକ୍ଷତି ଘଟିବା ପରେ ବିଦ୍ୟୁତ, ଟେଲି ଯୋଗାଯୋଗ ଭଳି ଜରୁରି ସେବା ପୁନଃକାର୍ଯ୍ୟକ୍ଷମ କରିବା ଲାଗି ଯଥେଷ୍ଟ ପ୍ରସ୍ତୁତି କରିବା ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ପରାମର୍ଶ ଦିଆଯାଇଛି । କୌଣସି ପ୍ରକାରର ବାଧା ଉପୁଜିଲେ ଯଥାସମୟରେ ଏବଂ ତୁରନ୍ତ ଏହିସବୁ ସେବା ଚାଲୁ କରିବା ନିମନ୍ତେ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି ।

ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ଏବଂ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଜାହାଜ ଓ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି । ଏହିସବୁ ରାଜ୍ୟରେ ଥିବା ସ୍ଥଳସେନା ଓ ବାୟୁ ସେନା ୟୁନିଟଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏନଡିଆରଏଫ ପକ୍ଷରୁ 25ଟି ଦଳକୁ ପ୍ରସ୍ତୁତ ରଖାଯାଇଛି । ଏହାଛଡ଼ା 12ଟି ଅତିରିକ୍ତ ଦଳକୁ ପ୍ରସ୍ତୁତ ରଖାଯାଇଛି । ଏହି ଦଳ ନିକଟରେ ଡଙ୍ଗା, ଗଛ କଟା ଯନ୍ତ୍ର, ଟେଲି ଯୋଗାଯୋଗ ସରଞ୍ଜାମ ଆଦି ମହଜୁଦ ରହିଛି ।

ଆଇଏମଡି ପକ୍ଷରୁ ସଦ୍ୟତମ ପୂର୍ବାନୁମାନ ତଥ୍ୟ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିୟମିତ ବୁଲେଟିନ ଜରିଆରେ ଯୋଗାଇ ଦିଆଯାଉଛି । ଗୃହ ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାରଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରୁଛି ।

 

**********



(Release ID: 1624965) Visitor Counter : 152