ଅର୍ଥ ମନ୍ତ୍ରଣାଳୟ
ଆତ୍ମନିର୍ଭର ଭାରତ ପାଇଁ ମାର୍ଗ ପ୍ରଶସ୍ତ ଆଠଟି କ୍ଷେତ୍ର ପାଇଁ ଅଭିବୃଦ୍ଧିର ନୂଆ ଦିଗ ଓ ଢାଞ୍ଚାଗତ ସଂସ୍କାର ଘୋଷଣା କଲେ ଅର୍ଥମନ୍ତ୍ରୀ
ପ୍ରମୁଖ ବୈଶିଷ୍ଟ୍ୟ
• କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖନନ ବ୍ୟବସ୍ଥା
• କୋଇଲା କ୍ଷେତ୍ରରେ ବିବିଧ ସୁଯୋଗ
• କୋଇଲା କ୍ଷେତ୍ରରେ ଉଦାର ବ୍ୟବସ୍ଥା
• ଖଣି କ୍ଷେତ୍ରରେ ଘରୋଇ ନିବେଶ ଓ ନୀତିଗତ ସଂସ୍କାର
• ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଢ଼ାଇବାକୁ ପ୍ରୟାସ
• ପ୍ରତିରକ୍ଷା ଉତ୍ପାଦନରେ ନୀତିଗତ ସଂସ୍କାର
• ବେସାମରିକ ବିମାନ ଚଳାଚଳ ପାଇଁ ଦକ୍ଷ ବାୟୁମାର୍ଗ ପରିଚାଳନା
• ପିପିପି ଜରିଆରେ ଅଧିକ ବିଶ୍ଵସ୍ତରୀୟ ବିମାନ ବନ୍ଦର
• ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ପାଇଁ ଭାରତ ହେବ ବୈଶ୍ୱିକ କେନ୍ଦ୍ର
• ଶକ୍ତି କ୍ଷେତ୍ରରେ ଟାରିଫ ନୀତି ସଂସ୍କାର; କେନ୍ଦ୍ରଶାସିତ ପ୍ରଦେଶରେ ବିତରଣର ଘରୋଇକରଣ
• ସାମାଜିକ କ୍ଷେତ୍ରରେ ପୁନର୍ଜିବିତ ବ୍ୟବହାରିକ ପାଣ୍ଠି ଅଭାବକୁ ଦୂର କରିବା କରିବା ଜରିଆରେ ଘରୋଇ କ୍ଷେତ୍ରର ନିବେଶକୁ ପ୍ରୋତ୍ସାହନ
• ମହାକାଶ କ୍ଷେତ୍ରରେ ଘରୋଇ ଅଂଶଗ୍ରହଣକୁ ପ୍ରୋତ୍ସାହନ
• ଆଣବିକ ଶକ୍ତି କ୍ଷେତ୍ରରେ ସଂସ୍କାର
Posted On:
16 MAY 2020 8:47PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର 10 ପ୍ରତିଶତ ସହିତ ସମାନ 20 ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ତଥା ବୃହତ ପ୍ୟାକେଜ- ‘ଆତ୍ମନିର୍ଭର ଭାରତ’ ଯୋଜନାର ଘୋଷଣା କରିଥିଲେ। ସେ ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଆହ୍ଵାନ କରିଥିଲେ । ସେ ମଧ୍ୟ ଆତ୍ମନିର୍ଭରଶୀଳ ଭାରତର 5ଟି ସ୍ତମ୍ଭ- ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ବ୍ୟବସ୍ଥା, ଉତ୍ସାହୀ ଜନସଂଖ୍ୟା ଏବଂ ଚାହିଦା ବିଷୟରେ ଉଲ୍ଲେଖ କରିଥିଲେ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଚତୁର୍ଥ ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ଯୋଜନାର ବିସ୍ତୃତ ବିବରଣୀ ପ୍ରଦାନ କରି କହିଥିଲେ ଯେ ଆଜିର ଘୋଷଣାର କେନ୍ଦ୍ରରେ ଢାଞ୍ଚାଗତ ସଂସ୍କାର ରହିଛି। ସେ କହିଥିଲେ ଯେ ଅଧିକାଂଶ କ୍ଷେତ୍ରରେ ନୀତିଗତ ସରଳତାର ଆବଶ୍ୟକତା ରହିଛି। ଏସବୁ କ୍ଷେତ୍ର କିଭଳି ଯୋଗଦାନ ଦେଇପାରିବ, କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବ ଏବଂ ପାରଦର୍ଶିତା ଆଣିପାରିବ ସେଥିପ୍ରତି ଲୋକମାନଙ୍କୁ ସହଜରେ ବୁଝାଇବା ଜରୁରି। ଆମେ ବିଭିନ୍ନ କ୍ଷେତ୍ରରେ ଜଟିଳତା ଦୂର କରିପାରିବେ ସେଗୁଡ଼ିକୁ ଅଭିବୃଦ୍ଧି ପାଇଁ ପ୍ରୋତ୍ସାହନ ଦେଇପାରିବା ବୋଲି ଅର୍ଥମନ୍ତ୍ରୀ ଉଲ୍ଲେଖ କରିଥିଲେ।
ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ସିଧାସଳଖ ଲୋକଙ୍କ ନିକଟକୁ ଟଙ୍କା ପଠାଇବା, ଜିଏସଟି ଜରିଆରେ ଗୋଟିଏ ଦେଶ, ଗୋଟିଏ ଟିକସ ବ୍ୟବସ୍ଥା, ଦେବାଳିଆ ଓ ଦେବାଳିଆପଣ ସଂହିତା କୋଡ ଏବଂ ବ୍ୟବସାୟିକ ସୁଗମତା ଦିଗରେ ପଦକ୍ଷେପ ଆଦି ବ୍ୟବସ୍ଥାଗତ ସଂସ୍କାର ଆଣିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଦୃଢ଼ ସଂସ୍କାର ରହିଛି।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଶ୍ରୀମତୀ ସୀତାରମଣ ନୀତିଗତ ସଂସ୍କାରର ଆବଶ୍ୟକତା ଏବଂ ଏ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସଚିବମାନଙ୍କର ଏକ କ୍ଷମତାପ୍ରାପ୍ତ ଗୋଷ୍ଠୀ ଜରିଆରେ ଦ୍ରୁତ କ୍ଲିୟରାନ୍ସ ପ୍ରଦାନ କରାଯାଉଛି, ନିବେଶଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବା ଲାଗି ପ୍ରତ୍ୟେକ ମନ୍ତ୍ରଣାଳୟରେ ଏକ ପ୍ରକଳ୍ପ ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ଏ ସଂକ୍ରାନ୍ତରେ ନିବେଶକ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରାଯିବ।
ଆତ୍ମ ନିର୍ଭର ଭାରତ ଦିଗରେ ଏକ ପ୍ରୟାସ ସ୍ଵରୂପ ଅର୍ଥମନ୍ତ୍ରୀ ଦ୍ରୁତ ନିବେଶ ଲାଗି ନିମ୍ନୋକ୍ତ ନୀତିଗତ ସଂସ୍କାର ଘୋଷଣା କରିଥିଲେ:
· କ୍ଷମତାପ୍ରାପ୍ତ ସଚିବ ଗୋଷ୍ଠୀ ଜରିଆରେ ନିବେଶ ପ୍ରସ୍ତାବର ଦ୍ରୁତ କ୍ଲିୟରାନ୍ସ ବ୍ୟବସ୍ଥା।
· ନିବେଶଯୋଗ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବା ଲାଗି ପ୍ରତ୍ୟେକ ମନ୍ତ୍ରଣାଳୟରେ ଏକ ପ୍ରକଳ୍ପ ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ ଏବଂ ନିବେଶକ ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରାଯିବ।
· ନିବେଶ ଆକୃଷ୍ଟ କରିବା କ୍ଷେତ୍ରରେ ରାଜ୍ୟଗୁଡ଼ିକୁ ନେଇ ଏକ ରାଙ୍କିଙ୍ଗ ବ୍ୟବସ୍ଥା କରାଯିବ ଯାହା ନୂଆ ନିବେଶ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ବୃଦ୍ଧି କରିବ
· ସୋଲାର ପିଭି ଉତ୍ପାଦନ, ଆଡଭାନ୍ସ ସେଲ ବ୍ୟାଟେରୀ ଷ୍ଟୋରେଜ ଆଦି କ୍ଷେତ୍ରରେ ନୂଆ ଚାମ୍ପିଅନ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯିବ।
ଶ୍ରୀମତୀ ସୀତାରମଣ ଆହୁରି ମଧ୍ୟ ଘୋଷଣା କରିଥିଲେ ଯେ ସାଧାରଣ ଭିତ୍ତିଭୂମି ସୁବିଧା ଏବଂ ଯୋଗାଯୋଗର ଶିଳ୍ପ କ୍ଲଷ୍ଟର ଉନ୍ନତିକରଣ ପାଇଁ ଚାଲେଞ୍ଜ ମୋଡରେ ରାଜ୍ୟଗୁଡ଼ିକରେ ଏକ ଯୋଜନା କାର୍ଯ୍ୟକାରୀ କରାଯିବ। ନୂତନ ନିବେଶକୁ ପ୍ରୋତ୍ସାହନ ଦେବା ଲାଗି ଶିଳ୍ପ ଜମି/ଜମି ବ୍ୟାଙ୍କ ଉପଲବ୍ଧ କରାଯିବ ଏବଂ ଜିଆଇଏସ ମ୍ୟାପିଂ ସହିତ ଇଣ୍ଡଷ୍ଟ୍ରିଆଲ ଇନଫର୍ମସେନ ସିଷ୍ଟମ (ଆଇଆଇଏସ) ଉପରେ ସୂଚନା ଉପଲବ୍ଧ କରାଯିବ। 5 ଲକ୍ଷ ହେକ୍ଟର ସ୍ଥାନରେ 3376 ଶିଳ୍ପ ପାର୍କ/ଇଷ୍ଟେଟ/ଏସଇଜେଡ ଆଦି ଆଇଆଇଏସରେ ମାପିଂ ହୋଇଛି। 2020-21ରେ ସମସ୍ତ ଶିଳ୍ପ ପାର୍କକୁ ମାନ୍ୟତା ପ୍ରଦାନ କରାଯିବ।
କୋଇଲା, ଖଣି, ପ୍ରତିରକ୍ଷା ଉତ୍ପାଦନ, ବେସାମରିକ ବିମାନ ଚଳାଚଳ, ଶକ୍ତି କ୍ଷେତ୍ର, ସାମାଜିକ ଭିତ୍ତିଭୂମି, ମହାକାଶ ଏବଂ ଆଣବିକ ଶକ୍ତି ଆଦି ଆଠଟି କ୍ଷେତ୍ରରେ ଅର୍ଥମନ୍ତ୍ରୀ ନିମ୍ନୋକ୍ତ ଢାଂଚାଗତ ସଂସ୍କାର ଘୋଷଣା କରିଥିଲେ। ଯାହାର ବିବରଣୀ ନିମ୍ନରେ ଦିଆଗଲା :
କ. କୋଇଲା କ୍ଷେତ୍ର
1. କୋଇଲା କ୍ଷେତ୍ରରେ ବାଣିଜ୍ୟିକ ଖନନ ଆରମ୍ଭ
ନିମ୍ନୋକ୍ତ ପଦକ୍ଷେପ ଜରିଆରେ ସରକାର କୋଇଲା କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା, ପାରଦର୍ଶିତା ଓ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଆରମ୍ଭ କରିବେ :
- ଧାର୍ଯ୍ୟ ଟଙ୍କା/ଟନ ବ୍ୟବସ୍ଥା ବଦଳରେ ଏକ ରାଜସ୍ଵ ବିତରଣ ବ୍ୟବସ୍ଥାର ଆରମ୍ଭ କରାଯିବ। ଯେକୌଣସି ପକ୍ଷ ଏକ କୋଇଲା ବ୍ଲକ ପାଇଁ ନିଲାମୀ ଗ୍ରହଣ କରିପାରିବେ ଏବଂ ଏହାକୁ ଖୋଲା ବଜାରରେ ବିକ୍ରି କରିପାରିବେ।
- ପ୍ରବେଶ ସର୍ତ୍ତାବଳୀ କୋହଳ କରାଯିବ। ପାଖାପାଖି 50ଟି କୋଇଲା ବ୍ଲକ ତୁରନ୍ତ ଆବଣ୍ଟନ କରାଯିବ। ଏଥିପାଇଁ କୌଣସି ଯୋଗ୍ୟତା ସର୍ତ୍ତାବଳୀ ରହିବ ନାହିଁ, କେବଳ ସିଲିଂ ସହିତ ଅପଫ୍ରଣ୍ଟ ପେମେଣ୍ଟ ଯୋଗାଇ ଦିଆଯିବ।
- ପୂର୍ବରୁ ସମ୍ପୂର୍ଣ୍ଣ କୋଇଲା ବ୍ଲକ ଖନନ ପାଇଁ ନିଲାମ ଡକାଯାଉଥିବା ବେଳେ ଏବେ ଆଂଶିକ ଭାବେ ଖନନ ହୋଇଥିବା ବ୍ଲକରୁ ଖନନ ଓ ଉତ୍ପାଦନ ପାଇଁ ବ୍ୟବସ୍ଥା ଆସିବ। ଏହା ଖନନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ପାଇଁ ଅନୁମତି ଦେବ।
- ରାଜସ୍ଵ ଅଂଶଧନରେ ରିବେଟ ପ୍ରଦାନ କରାଯାଇ ଧାର୍ଯ୍ୟ ସମୟ ପୂର୍ବରୁ ଉତ୍ପାଦନକୁ ପ୍ରୋତ୍ସାହନ ଦିଆଯିବ
2.କୋଇଲା କ୍ଷେତ୍ରରେ ବିବିଧ ସୁଯୋଗ
- ରାଜସ୍ଵ ଅଂଶଧନରେ ରିବେଟ ପ୍ରଦାନ କରାଯାଇ କୋଇଲା ବାଷ୍ପୀକରଣ/ତରଳୀକରଣକୁ ପ୍ରୋତ୍ସାହନ ଦିଆଯିବ। ଏହାଦ୍ଵାରା ପରିବେଶ ଉପରେ ହେଉଥିବା କ୍ଷତିକୁ ଗୁରୁତ୍ଵପୂର୍ଣ୍ଣ ଭାବେ ହ୍ରାସ କରାଯାଇପାରିବ ଏବଂ ଭାରତ ଏକ ଗ୍ୟାସ ଆଧାରିତ ଅର୍ଥବ୍ୟବସ୍ଥା ଦିଗରେ ଆଗେଇ ଯିବ।
- 2023-24 ସୁଦ୍ଧା କୋଲ ଇଣ୍ଡିଆ ଲିମିଟେଡର 1 ବିଲିୟନ ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ପୂରଣ ଏବଂ ଘରୋଇ ଖଣିରୁ କୋଇଲା ଉତ୍ପାଦନ ଲାଗି 50 ହଜାର କୋଟି ଟଙ୍କାର ଭିତ୍ତିଭୂମି ବିକାଶ କରାଯିବ। ଏଥିରେ ଖଣିଠାରୁ ଆରମ୍ଭ କରି ରେଳ ସାଇଡିଂ ପର୍ଯ୍ୟନ୍ତ କୋଇଲାର ବୈଷୟିକ ସ୍ଥାନାନ୍ତରରେ 18000 କୋଟି ଟଙ୍କାର ନିବେଶ ସାମିଲ ରହିଛି। ଏହି ପଦକ୍ଷେପ ମଧ୍ୟ ପରିବେଶଗତ ପ୍ରଭାବକୁ ହ୍ରାସ କରିବ।
3. କୋଇଲା କ୍ଷେତ୍ରରେ ଉଦାର ବ୍ୟବସ୍ଥା
- କୋଇଲା ଶଯ୍ୟା ମିଥେନ (ସିବିଏମ) ନିଷ୍କର୍ଷଣ ଅଧିକାର କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ) କୋଇଲା ଖଣିରୁ ନିଲାମ କରାଯିବ।
- ଖଣି ଯୋଜନା ସରଳୀକରଣ ଭଳି ବ୍ୟବସାୟିକ ସୁଗମତା ପଦକ୍ଷେପ ଗ୍ରହଣ କରାଯିବ। ଏହା ସ୍ଵୟଂକ୍ରିୟ ଭାବେ ବାର୍ଷିକ ଉତ୍ପାଦନରେ 40 ପ୍ରତିଶତ ବୃଦ୍ଧିରେ ସହାୟକ ହୋଇପାରିବ।
- ସିଆଇଏଲର ଉପଭୋକ୍ତାମାନଙ୍କୁ ବାଣିଜ୍ୟିକ ସର୍ତ୍ତରେ ରିହାତି (5ହଜାର କୋଟି ଟଙ୍କା ମୂଲ୍ୟର ରିହାତି ପ୍ରସ୍ତାବ)। ଅଣଶକ୍ତି ଉପଭୋକ୍ତାଙ୍କ ପାଇଁ ସଂରକ୍ଷଣ ମୂଲ୍ୟ ହ୍ରାସ କରାଯାଇଛି, ଋଣ ସର୍ତ୍ତ ସହଜ କରାଯାଇଛି ଓ ଉଠାଣ ଅବଧିକୁ ସମ୍ପ୍ରସାରିତ କରାଯାଇଛି।
4. ଖଣି କ୍ଷେତ୍ର
- ଖଣି କ୍ଷେତ୍ରରେ ଘରୋଇ ନିବେଶ ବୃଦ୍ଧି
- ଅଭିବୃଦ୍ଧି, ନିଯୁକ୍ତି ଓ ବିଶେଷ କରି ଖନନ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ପ୍ରଚଳନ କରିବା ପାଇଁ ଢାଞ୍ଚାଗତ ସଂସ୍କାର ଅଣାଯିବ।
- ଖନନ, ଉତ୍ତୋଳନ ଓ ଉତ୍ପାଦନ ବ୍ୟବସ୍ଥାର ଏକ ବାଧାମୁକ୍ତ ମିଶ୍ରଣ ବ୍ୟବସ୍ଥା ଆରମ୍ଭ କରାଯିବ
- ଏକ ଖୋଲା ଏବଂ ପାରଦର୍ଶୀ ନିଲାମ ପ୍ରକ୍ରିୟା ଜରିଆରେ 500 ଖଣି ବ୍ଲକର ନିଲାମ ଡକାଯିବ।
- ଆଲୁମିନିୟମ ଉଦ୍ୟୋଗ କ୍ଷେତ୍ରରେ ବୈଦ୍ୟୁତିକ ଖର୍ଚ୍ଚ ହ୍ରାସ କରିବା ଏବଂ ଏହି ଉଦ୍ୟୋଗର ପ୍ରତିଦ୍ଵନ୍ଦିତା ବୃଦ୍ଧି ଲାଗି ବକ୍ସାଇଟ ଓ କୋଇଲା ଖଣିର ଯୁଗ୍ମ ନିଲାମୀ କରାଯିବ।
5. ଖଣି କ୍ଷେତ୍ରରେ ନୀତିଗତ ସଂସ୍କାର
ଖଣି ଲିଜ ହସ୍ତାନ୍ତର କରିବା ଏବଂ ବଳକା ଅବ୍ୟବହୃତ ଖଣିଜର ବିକ୍ରିକୁ ଅନୁମତି ଦେବା ଲାଗି ତଥା ଖଣି ଖନନ ଓ ଉତ୍ପାଦନ କ୍ଷେତ୍ରରେ ଉନ୍ନତ ଦକ୍ଷତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କ୍ୟାପ୍ଟିଭ ଓ ଅଣକ୍ୟାପ୍ଟିଭ ଖଣି ମଧ୍ୟରେ ରହିଥିବା ବର୍ଗୀକରଣକୁ ଉଚ୍ଛେଦ କରାଯିବ। ବିଭିନ୍ନ ଖଣିଜ ଦ୍ରବ୍ୟ ପାଇଁ ଏକ ଖଣିଜ ସୂଚକାଙ୍କ ପ୍ରସ୍ତୁତ କରିବାର ପ୍ରକ୍ରିୟା ଖଣି ମନ୍ତ୍ରଣାଳୟ ପକ୍ଷରୁ ଜାରି ରହିଛି। ଖଣି ଲିଜ ଦେବା ସମୟରେ ପ୍ରଦାନ କରାଯାଉଥିବା ଷ୍ଟାମ୍ପ ଡ୍ୟୁଟିକୁ ଯୁକ୍ତିଯୁକ୍ତ କରାଯିବ।
ପ୍ରତିରକ୍ଷା କ୍ଷେତ୍ର
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭରାଶୀଳତା ବୃଦ୍ଧି
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳତା ବୃଦ୍ଧି ସକାଶେ “ମେକ୍ ଇନ୍ ଇଣ୍ଡିଆ”କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏଥି ନିମନ୍ତେ କେତେଗୁଡ଼ିଏ ଅସ୍ତ୍ରଶସ୍ତ୍ର/ ପ୍ଲାଟଫର୍ମର ତାଲିକା ବିଜ୍ଞପିତ କରାଯାଇ ଏହାର ଆମଦାନିକୁ ନିଷିଦ୍ଧ କରାଯିବ । ସେଥିପାଇଁ ବର୍ଷୱାରୀ ଟାଇମ୍ ଲାଇନ୍ ନିର୍ଦ୍ଧାରଣ, ବିଦେଶରୁ ଆମଦାନି କରାଯାଉଥିବା ଯନ୍ତ୍ରାଂଶର ସ୍ୱଦେଶୀକରଣ ଏବଂ ଘରୋଇ ପୁଞ୍ଜି ସଂଗ୍ରହ ସକାଶେ ବଜେଟରେ ପୃଥକ୍ ପ୍ରାବଧାନ କରାଯିବ । ଏହା ଫଳରେ ବିଦେଶରୁ କରାଯାଉଥିବା ପ୍ରତିରକ୍ଷା ସାମଗ୍ରୀର ବିପୁଳ ଆମଦାନି ପରିମାଣ ହ୍ରାସ ପାଇବ ଯାହା ଆମଦାନି ବିଲକୁ କମାଇବ ।
ଦେଶର ଗୋଳାବାରୁଦ କାରଖାନା ବୋର୍ଡ଼ ଦ୍ୱାରା ପ୍ରତିରକ୍ଷା ଯୋଗାଣ ବ୍ୟବସ୍ଥାର କର୍ପୋରେଟୀକରଣର ସ୍ୱାୟତ୍ତତାକୁ ବୃଦ୍ଧି କରାଯିବା ସହ ଯୋଗାଣକାରୀଙ୍କ ଉତ୍ତରଦାୟିତ୍ୱ ଓ ସକ୍ରିୟତା ବୃଦ୍ଧି ଉପରେ ଅଧିକ ଧ୍ୟାନ ଦିଆଯିବ ।
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ନୀତିଗତ ସଂସ୍କାର
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡ଼ିଆଇ) ସୀମାକୁ ସ୍ୱୟଂକ୍ରିୟ ମାର୍ଗରେ 49% ରୁ 74%କୁ ବୃଦ୍ଧି କରାଯିବ ।
ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ ପ୍ରକ୍ରିୟା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନିର୍ଦ୍ଧାରଣ କରାଯିବ ଏବଂ ଏଥିପାଇଁ ତ୍ୱରିତ ନିଷ୍ପତ୍ତି ଗ୍ରହଣ ସକାଶେ ପ୍ରକଳ୍ପ ପରିଚାଳନା ୟୁନିଟ୍ (ପିଏମୟୁ) ସ୍ଥାପନ କରାଯିବ ଯାହାକି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବ । ଏହା ଚୁକ୍ତିନାମା ପରିଚାଳନାକୁ ସମର୍ଥନ କରିବ ତଥା ଅସ୍ତ୍ରଶସ୍ତ୍ର/ ପ୍ଲାଟଫର୍ମ ପାଇଁ ଜେନେରାଲ ଷ୍ଟାଫ୍ କ୍ୱାଲିଟେଟିଭ୍ ରିକ୍ୱାରମେଣ୍ଟ (ଜିଏସକୁ୍ୟଆର)କୁ ବାସ୍ତବତା ଆଧାରରେ ସ୍ଥାପନ କରିବ ଏବଂ ଟ୍ରାଏଲ ଏବଂ ପରୀକ୍ଷର ପଦ୍ଧତିରେ ମଧ୍ୟ ଆମୂଳଚୂଳ ପରିବର୍ତ୍ତନ ଘଟିପାରିବ ।
ବେସାମରିକ ବିମାନ ଚଳାଚଳ କ୍ଷେତ୍ର
ସକ୍ରିୟ ଏୟାରସ୍ପେସ୍ ପରିଚାଳନା ବ୍ୟବସ୍ଥା ନିୟନ୍ତ୍ରଣ ସକାଶେ ସକ୍ରିୟ ଏୟାରସ୍ପେସ୍ ପରିଚାଳନା କରାଯିବ । ଭାରତୀୟ ଆକାଶ ସୀମାର ଉପଯୋଗ ଏହା ଦ୍ୱାରା ସହଜସାଧ୍ୟ ହୋଇପାରିବ ଯାହା ଫଳରେ ସାଧାରଣ ଲୋକଙ୍କ ବିମାନଯାତ୍ରା ଅଧିକ ତ୍ୱରାନ୍ୱିତ ହୋଇପାରିବ । ଏହା ଦ୍ୱାରା ବେସାମରିକ ବିମାନ ଚଳାଚଳ କ୍ଷେତ୍ର ବର୍ଷକୁ ପ୍ରାୟ 1000 କୋଟି ଟଙ୍କାର ମୋଟ ଲାଭ ଅର୍ଜନ କରିପାରିବ । ଫଳରେ ବାୟୁସୀମାର ସର୍ବାଧିକ ଉପଯୋଗ କରିହେବ; ଇନ୍ଧନ ବ୍ୟବହାର, ହ୍ରାସ ପାଇବ ଏବଂ ସମୟ ମଧ୍ୟ କମିବ ତଥା ପର୍ଯ୍ୟାବରଣ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ।
ପିପିପି ମାଧ୍ୟମରେ ଅଧିକ ବିଶ୍ୱସ୍ତରୀୟ ବିମାନ ବନ୍ଦର ସ୍ଥାପନ
ଅପରେସନ୍ ଏବଂ ରକ୍ଷଣାବେକ୍ଷଣ ସକାଶେ ସରକାରୀ- ଘରୋଇ ସହଭାଗୀତା (ପିପିପି)ରେ ଦ୍ୱିତୀୟ ପର୍ଯ୍ୟାୟ ନିଲାମ ଡ଼କା ସକାଶେ ଦେଶର 6ଟି ଅଧିକ ବିମାନ ବନ୍ଦରକୁ ଚିହ୍ନଟ କରାଯାଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର 12ଟି ବିମାନବନ୍ଦରରେ ଘରୋଇ ନିବେଶକାରୀମାନେ ପ୍ରାୟ 13,000 କୋଟି ଟଙ୍କାର ଅତିରିକ୍ତ ପୁଞ୍ଜି ଖଟାଇବେ । ଆଉ 6ଟି ବିମାନ ବନ୍ଦରକୁ ତୃତୀୟ ପର୍ଯ୍ୟାୟ ନିଲାମୀ ସକାଶେ ଚୟନ କରାଯିବ । ସେହିଭଳି ବିମାନଗୁଡ଼ିକର ରକ୍ଷଣାବେକ୍ଷଣ, ମରାମତି ଓ ସାମଗ୍ରିକ ସଂସ୍କାର (ଏମଆରଓ) କ୍ଷେତ୍ରରେ ଭାରତ ବିଶ୍ୱର ଏକ ପ୍ରାଣକେନ୍ଦ୍ରରେ ପରିଣତ ହୋଇପାରିବ ।
ଏମଆରଓ ଇକୋସିଷ୍ଟମ ସକାଶେ ଟିକସ ବ୍ୟବସ୍ଥାକୁ ସୁସଂଗତ କରାଯାଇଛି । ବିମାନମାନଙ୍କ ଯନ୍ତ୍ରାଂଶ, ମରାମତି ଏବଂ ଏୟାରଫ୍ରେମ୍ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ଗତ ତିନିବର୍ଷ ମଧ୍ୟରେ 800 କୋଟି ଟଙ୍କାରୁ 2,000 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆଶା କରାଯାଉଛି ଯେ ବିଶ୍ୱର ପ୍ରମୁଖ ବିମାନ ଇଂଜିନ୍ ଉତ୍ପାଦନକାରୀମାନେ ଆଗାମୀ ବର୍ଷମାନଙ୍କରେ ଭାରତରେ ସେମାନଙ୍କର ଇଞ୍ଜିନ ମରାମତି ବ୍ୟବସ୍ଥା ସ୍ଥାପନ କରିବେ । ପ୍ରତିରକ୍ଷା ସେକ୍ଟର ଏବଂ ବେସାମରିକ ଏମଆରଓ ମଧ୍ୟରେ ମିଶ୍ରଣ ବ୍ୟବସ୍ଥା ସ୍ଥାପନ ଦ୍ୱାରା ଏହା ଅର୍ଥନୀତିକୁ ଏକ ନୂତନ ଶୀର୍ଷରେ ପହଞ୍ଚାଇପାରିବ । ଏହା ଫଳରେ ବିମାନସଂସ୍ଥାମାନଙ୍କର ବିମାନ ମରାମତି ଖର୍ଚ୍ଚ ହ୍ରାସ ପାଇବ ।
ଶକ୍ତି କ୍ଷେତ୍ର
1)ମୂଲ୍ୟ ନୀତିରେ ସଂସ୍କାର
ମୂଲ୍ୟ ନୀତି ନିଦ୍ଧାରଣ ବେଳେ ନିମ୍ନ ଲିଖିତ ସଂସ୍କାର କାର୍ଯ୍ୟକାରୀ କରାଯିବ:
କ)ଖାଉଟି ଅଧିକାର
ଡିସକମର ଅସକ୍ରିୟତା ଖାଉଟିମାନଙ୍କ ଉପରେ ବୋଝ ହେବନାହିଁ । ଡିସକମ୍ ମାନଙ୍କ ପାଇଁ ସେବାର ମାନ ଏବଂ ଦଣ୍ଡବିଧାନର ବ୍ୟବସ୍ଥା କରାଯିବ । ଡ଼ିସକମ୍ ପର୍ଯ୍ୟାପ୍ତ ଶକ୍ତି ଯୋଗାଣକୁ ସୁନିଶ୍ଚିତ କରିବ ଏବଂ ଲୋଡ଼ ସେଡ଼ିଂ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିବ ।
ଖ)ଶିଳ୍ପକୁ ପ୍ରୋତ୍ସାହନ ଯୋଗାଣ
କ୍ରସ୍ ସବସିଡ଼ିମାନ ପ୍ରଗତିଶୀଳ ଧାରାରେ ହ୍ରାସ କରାଯିବ
ମୁକ୍ତ ଉପଲବ୍ଧତା ନିମନ୍ତେ ସମୟ ନିର୍ଦ୍ଧାରିତ ଗ୍ରାଣ୍ଟ୍ ପ୍ରଦାନ
ପ୍ରତିଯୋଗିତାମୂଳକ ଭାବେ ଶକ୍ତି ଉତ୍ପାଦନ ଏବଂ ସରବରାହ ପ୍ରକଳ୍ପର ବିକାଶ ଚୟନକୃତ ଭାବେ କାର୍ଯ୍ୟକାରୀ ହେବ ।
ଗ) ଶକ୍ତି କ୍ଷେତ୍ରକୁ ଦୀର୍ଘସ୍ଥାୟୀ କରାଯିବ
ଏଥିରେ କୌଣସି ନିୟନ୍ତ୍ରଣ ଆସେଟ ରହିବନାହିଁ
ଜେନକୋମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ ପେମେଣ୍ଟ ପ୍ରଦାନ କରାଯିବ ।
ସବସିଡ଼ି ପାଇଁ ଡ଼ିବିଟି; ସ୍ମାର୍ଟ ପ୍ରିପେଡ଼୍ ମିଟର ବ୍ୟବସ୍ଥା
2.କେନ୍ଦ୍ରଶାସିତ କ୍ଷେତ୍ରରେ ଶକ୍ତି ବିତରଣ ବ୍ୟବସ୍ଥାର ଘରୋଇକରଣ
କେନ୍ଦ୍ରଶାସିତ କ୍ଷେତ୍ରଗୁଡ଼ିକର ଶକ୍ତି ବିଭାଗ/ ୟୁଟିଲିଟିଗୁଡ଼ିକର ଘରୋଇକରଣ କରାଯିବ । ଏହା ଫଳରେ ଉପଭୋକ୍ତା ମାନଙ୍କୁ ଉତ୍ତମ ସେବା ମିଳିବ ଏବଂ ଶକ୍ତି ବିତରଣରେ ଅପରେସନାଲ ଏବଂ ଆର୍ଥିକ ସକ୍ରିୟତା ବୃଦ୍ଧି ପାଇବ । ଏହା ଦେଶର ଅନ୍ୟାନ୍ୟ ୟୁଟିଲିଟିକୁ ଏଭଳି ମଡ଼େଲ ଆପଣାଇବା ସକାଶେ ପ୍ରୋତ୍ସାହନ ଯୋଗାଇବ ।
ସାମାଜିକ ଭିତ୍ତିଭୂମି : ସଂସ୍କାରିତ ସମ୍ଭାବ୍ୟ ବୈଷମ୍ୟ ଫଣ୍ଡିଂ ଯୋଜନା ମାଧ୍ୟମରେ ଘରୋଇ ସେକ୍ଟର ନିବେଶକୁ ପ୍ରୋତ୍ସାହନ ଯୋଗାଣ - 8,100 କୋଟି
ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ)ର ପରିମାଣ ରେ 30% ପର୍ଯନ୍ତ ବୃଦ୍ଧି କରିବେ । ପ୍ରତ୍ୟେକ ପ୍ରକଳ୍ପର ମୋଟ ମୂଲ୍ୟ ହିସାବରେ ଏହା ଧରାଯିବ ଯାହାକୁ କେନ୍ଦ୍ର ଓ ରାଜ୍ୟ/ ଷ୍ଟାଚୁଟାରୀ ସଂସ୍ଥାମାନେ ଭିଜିଏଫ ଭାବେ ଗ୍ରହଣ କରିବେ । ଅନ୍ୟାନ୍ୟ କ୍ଷେତ୍ର ପାଇଁ ବର୍ତ୍ତମାନର ଭିଜିଏଫ୍ ସମର୍ଥନ ପ୍ରତ୍ୟେକେ 20% ରହିବ ଯାହା ଭାରତ ସରକାର ଏବଂ ରାଜ୍ୟମାନେ/ ଷ୍ଟାଚୁଟାରୀ ସଂସ୍ଥାମାନେ ଜାରି ରଖିବେ । ଏଥିପାଇଁ ମୋଟ 8,100 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ର ମନ୍ତ୍ରଣାଳୟ/ ରାଜ୍ୟ ସରକାର/ ଷ୍ଟାଚୁଟାରୀ ସଂସ୍ଥାମାନଙ୍କ ଦ୍ୱାରା ଏଭଳି ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଆଗତ କରାଯିବ ।
ମହାକାଶ କ୍ଷେତ୍ର ; ମହାକାଶ ଅଭିଯାନରେ ଘରୋଇ ଅଂଶଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ
ଉପଗ୍ରହ, ଉପଗ୍ରହ ଉତକ୍ଷେପଣ ଓ ମହାକାଶ ଆଧାରିତ ସେବା କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କୁ ସମାନ ଭାବେ ସହଭାଗୀତାର ସୁଯୋଗ ପ୍ରଦାନ କରାଯିବ । ଘରୋଇ କମ୍ପାନୀମାନଙ୍କ ସକାଶେ ଅନୁମାନଯୋଗ୍ୟ ନୀତି ଏବଂ ନିୟାମକ ବାତାବରଣ ଯୋଗାଇ ଦିଆଯିବ । ଘରୋଇ କମ୍ପାନୀମାନଙ୍କୁ ଇସ୍ରୋ ବ୍ୟବସ୍ଥା ଓ ଅନ୍ୟାନ୍ୟ ସଂପୃକ୍ତ ସଂସାଧନ ବ୍ୟବହାର ସକାଶେ ଅନୁମତି ପ୍ରଦାନ କରାଯିବ ଯଦ୍ୱାରା ସେମାନଙ୍କର କ୍ଷମତା ବୃଦ୍ଧି ପାଇବ । ଗ୍ରହୀୟ ଅଭିଯାନ, ମହାକାଶ ଯାତ୍ରା ଇତ୍ୟାଦି ପାଇଁ ଭବିଷ୍ୟତର ପ୍ରକଳ୍ପମାନ ଘରୋଇ ସେକ୍ଟରମାନଙ୍କ ପାଇଁ ଉନ୍ମୁକ୍ତ ରହିବ । ପ୍ରଯୁକ୍ତି ଭିତ୍ତିକ ଉଦ୍ୟୋଗମାନଙ୍କୁ ରିମୋଟ ସେନ୍ସିଂ ଡ଼ାଟା ଯୋଗାଣ ସକାଶେ ସରଳ ଜିଇ ସ୍ପାଟିଆଲ୍ ଡ଼ାଟା ନୀତି ଆପଣାଯିବ ।
ଆଣବିକ ଶକ୍ତି ସଂପର୍କୀତ ସଂସ୍କାର ପ୍ରକ୍ରିୟା
ମେଡ଼ିକାଲ୍ ଆଇସୋଟୋପ୍ ଉତ୍ପାଦନ ନିମନ୍ତେ ଗବେଷଣା ରିଆକ୍ଟରର ପିପିପି ମୋଡ଼୍ ପ୍ରତିଷ୍ଠା କରାଯିବ ଏବଂ ତାହାକୁ ମାନବ ସମାଜର କଲ୍ୟାଣ ନିମନ୍ତେ ପ୍ରୋତ୍ସାହିତ କରାଯିବ ଯାହାକି କ୍ୟାନସର ଏବଂ ଅନ୍ୟାନ୍ୟ ରୋଗର ଚିକିତ୍ସାକୁ ସୁଲଭ କରିପାରିବ । ଖାଦ୍ୟ ସଂରକ୍ଷଣ ସକାଶେ ଇରରାଡ଼ିଏସନ୍ ପ୍ରଯୁକ୍ତି ବ୍ୟବହାର ଲାଗି ପିପିପି ବ୍ୟବସ୍ଥା ପ୍ରତିଷ୍ଠା କରାଯିବ- ଏହା କୃଷି କ୍ଷେତ୍ରରେ ଘଟାଯାଉଥିବା ସଂସ୍କାରକୁ ସହାୟକ ହେବ ଏବଂ କୃଷକମାନେ ମଧ୍ୟ ଏହା ଦ୍ୱାର ଉପକୃତ ହୋଇପାରିବେ । ଭାରତର ବିଶାଳ ଷ୍ଟାର୍ଟ ଅପ୍ ଇକୋସିଷ୍ଟମକୁ ଆଣବିକ ଶକ୍ତି କ୍ଷେତ୍ର ସହ ସଂଯୋଗ କରାଯିବ ଏବଂ ସେଥିପାଇଁ ପ୍ରଯୁକ୍ତି ବିକାଶ ତଥା ଇନକୁବେସନ୍ କେନ୍ଦ୍ରମାନ ସ୍ଥାପନ କରାଯିବ । ଏଭଳି କେନ୍ଦ୍ର ଗବେଷଣା ସୁବିଧା ଏବଂ ପ୍ରଯୁକ୍ତି ଭିତ୍ତିକ ଉଦ୍ୟୋଗୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାରେ ସହାୟକ ହେବ ।
**********
(Release ID: 1624578)
Visitor Counter : 459
Read this release in:
Gujarati
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam