ଶକ୍ତି ମନ୍ତ୍ରଣାଳୟ

ଆତ୍ମନିର୍ଭରଶୀଳ ଭାରତ ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ 90 ହଜାର କୋଟି ଟଙ୍କାର ପ୍ୟାକେଜ

• 45 ହଜାର କୋଟି ଟଙ୍କା ଲେଖାଏଁ ମିଳିବ ଦୁଇଟି ପର୍ଯ୍ୟାୟରେ
• ଲକଡାଉନ କାଳରେ ପଇଠ ହେବାକୁ ଥିବା ଅର୍ଥକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ନିଷ୍ପତ୍ତି, ଲକଡାଉନ ପରେ 3ଟି କିସ୍ତିରେ ବିନା ସୁଧରେ ପଇଠ ହେବ ଅର୍ଥ
• କେନ୍ଦ୍ରୀୟ ଶକ୍ତି ଉତ୍ପାଦକ ଓ ଟ୍ରାନ୍ସମିସନ କମ୍ପାନୀଗୁଡ଼ିକ ଡ଼ିସକମକୁ ଶତକଡା 20 ରୁ 25 ଭାଗ ପର୍ଯ୍ୟନ୍ତ ରିହାତି ଦେବା ନେଇ ବିଚାର କରିବାକୁ ମନ୍ତ୍ରଣାଳୟର ପ୍ରସ୍ତାବ
• ଖାଉଟିମାନଙ୍କୁ ସଞ୍ଚିତ ଅର୍ଥ ଦେବାକୁ ଡ଼ିସକମକୁ ପରାମର୍ଶ

Posted On: 16 MAY 2020 6:53PM by PIB Bhubaneshwar

ଚାପଗ୍ରସ୍ତ ଡ଼ିସକମଗୁଡିକୁ ସହାୟତା ପ୍ରଦାନ ଲାଗି କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ 90 ହଜାର କୋଟି ଟଙ୍କାର ପ୍ୟାକେଜ ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପତ୍ର ଲେଖିଛନ୍ତି । ଗତ 14 ତାରିଖ ଦିନ ଏସଂକ୍ରାନ୍ତରେ ପତ୍ର ଲେଖାଯାଇଛି । ଶକ୍ତି କ୍ଷେତ୍ରରେ ଏହି ପ୍ୟାକେଜ ପ୍ରଦାନ ଯୋଗୁଁ ଡ଼ିସକମର ବିଦ୍ୟୁତ ବଣ୍ଟନ ନେଇ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଶ୍ରୀ ରାଜ କୁମାର ସିଂହ କହିଛନ୍ତି । ଆତ୍ମନିର୍ଭର ଭାରତ ଅଭିଯାନର ଅଂଶସ୍ଵରୂପ ଶକ୍ତି ଅର୍ଥ ନିଗମ (ପିଏଫସି) ଓ ଗ୍ରାମାଞ୍ଚଳ ବିଦ୍ୟୁତକରଣ ନିଗମ (ଆରଇସି) ଜରିଆରେ 90 ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଭାରତ ସରକାର ଗତ 13 ତାରିଖ ଦିନ ନିଷ୍ପତ୍ତି ନେଇଛନ୍ତି । ଉଭୟ ପିଏଫସି ଏବଂ ଆରଇସି ଡ଼ିସକମକୁ 10 ବର୍ଷ ପର୍ଯ୍ୟନ୍ତ ସ୍ଵତନ୍ତ୍ର ଦୀର୍ଘମିଆଦି ଋଣ ପ୍ରଦାନ କରିବେ ।

ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ଆରଇସି ଏବଂ ପିଏଫସି ତୁରନ୍ତ ଡ଼ିସକମକୁ ଋଣ ପ୍ରଦାନ କରିବେ । ଏହି ଋଣ ପ୍ରଦାନକାରୀ ଚଳନ୍ତି ପୁଞ୍ଜି ଉଦୟ (ୟୁଡିଏୱାଇ) ନିୟମାବଳୀ ଅନୁସାରେ ପ୍ରଦାନ କରାଯିବ । ଉଦୟ ଚଳନ୍ତି ପୁଞ୍ଜି ପରିସରଭୁକ୍ତ ହୋଇନଥିବା ଡ଼ିସକମଗୁଡିକ ମଧ୍ୟ ଏହି ଋଣ ପାଇପାରିବେ । ତେବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଠାରୁ ବିଦ୍ୟୁତ ଦେୟ ଓ ସବସିଡ ବାବଦ ଅର୍ଥ ମିଳୁଥିବ । ଏହି ଋଣଗୁଡିକ ଦୀର୍ଘମିଆଦି ଏବଂ ଡ଼ିସକମର ଚଳନ୍ତି ପୁଞ୍ଜି ଆବଶ୍ୟକତାର ବିରୁଦ୍ଧାଚରଣ କରୁନଥିବାରୁ ଋଣ ପ୍ରଦାନରେ କୌଣସି ଅସୁବିଧା ହେବନାହିଁ ।

ଏଥିସହିତ ଯେଉଁ ଡ଼ିସକମଗୁଡିକ ଉଦୟ ଦ୍ଵାରା ପ୍ରଣିତ ଚଳନ୍ତି ପୁଞ୍ଜି ପରିସରକୁ ଆସୁନଥିବେ ବା ରାଜ୍ୟ ସରକାରଙ୍କ ଠାରୁ କୌଣସି ଅର୍ଥ ପାଉନଥିବେ ସେ କ୍ଷେତ୍ରରେ ସମ୍ପୃକ୍ତ ରାଜ୍ୟଗୁଡିକ କଟକଣାରେ ରିହାତି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ । ଚିଠିରେ ଆହୁରି ଦର୍ଶାଯାଇଛି ଯେ, କୋଭିଡ-19 ବୈଶ୍ଵିକ ମହାମାରୀ ଓ ସେଥିପାଇଁ ଲାଗୁ ଲକଡାଉନ ଯୋଗୁଁ ଶକ୍ତି କ୍ଷେତ୍ରରେ ବ୍ୟାପକ ଆର୍ଥିକ ଅବ୍ୟବସ୍ଥା ଦେଖାଦେଇଛି । ଏଭଳି ପରିସ୍ଥିତିରେ ଶକ୍ତି କ୍ଷେତ୍ରକୁ ଆର୍ଥିକ ପ୍ୟାକେଜ ଏହାର ଆର୍ଥିକ ସ୍ଥିତିରେ ସୁଧାର ଆଣିବ । ଏହି ଅର୍ଥର ବିନିଯୋଗ କରି ଡ଼ିସକମ ଶକ୍ତି ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ଅଧିକାଂଶ ବକେୟା ଅର୍ଥ ପଇଠ କରିପାରିବ । ଏହା ଶକ୍ତି କ୍ଷେତ୍ରରେ ଆର୍ଥିକ ଦେଣନେଣ ସୁଚାରୁରୂପେ ସମ୍ପାଦନ ହେବାରେ ସାହାଯ୍ୟ କରିବ । ଏହି ଋଣ ପ୍ରଦାନ ଯୋଗୁଁ ଡ଼ିସକମ ବକେୟା ଅର୍ଥ ପରିଶୋଧ କରିପାରିବ । ପ୍ୟାକେଜ ବାବଦ ମୋଟ 90 ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ଦୁଇଟି କିସ୍ତିରେ 45 ହଜାର କୋଟି ଟଙ୍କା ଲେଖାଏଁ ପ୍ୟାକେଜ ଅର୍ଥ ଦିଆଯିବ ।  

ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ଲକଡାଉନ କାଳରେ ବନ୍ଦ ହୋଇଥିବାରୁ ଶକ୍ତି ଚାହିଦା ଅନେକ ହ୍ରାସ ପାଇଛି । ଶକ୍ତି କ୍ରୟ ରାଜିନାମା ଅନୁସାରେ ଡ଼ିସକମ ଶକ୍ତି ଉପଯୋଗ ନହେଲେ ମଧ୍ୟ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାକୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ପଇଠ କରିଥାଏ । ଲକଡାଉନ କାଳରେ ଶକ୍ତି ଉପଯୋଗ ନକରି ମଧ୍ୟ ଏହି ଅର୍ଥ ପଇଠ କରୁଥିବାରୁ ଡ଼ିସକମକୁ ଆର୍ଥିକ ବୋଝ ସମ୍ଭାଳିବାକୁ ପଡୁଛି । ସେ ଦୃଷ୍ଟିରୁ ଏହି ପ୍ୟାକେଜ ବେଶ ଉପଯୋଗୀ ହୋଇପାରିବ ।

 

**********



(Release ID: 1624535) Visitor Counter : 246