ପ୍ରତିରକ୍ଷା ମନ୍ତ୍ରଣାଳୟ
ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଜଲ୍ସା ଯୋଗେ ମାଳଦୀପରୁ କୋଚି ପହଂଚିଲେ ପ୍ରବାସୀ ଭାରତୀୟ
Posted On:
10 MAY 2020 8:49PM by PIB Bhubaneshwar
‘ଅପରେସନ ସମୁଦ୍ର ସେତୁ’ ପାଇଁ ନିୟୋଜିତ ଆଇଏନ୍ଏସ୍ ଜଲ୍ସା ମହିଳା, ବୟସ୍କ ଓ ଶିଶୁଙ୍କ ସମେତ ମାଳଦୀପରେ ଅଟକିଥିବା ମୋଟ 698 ଜଣ ଭାରତୀୟ ନାଗରିକଙ୍କୁ ନେଇ ମେ’ 10 ସକାଳ 10ଟା ବେଳକୁ କୋଚି ହାର୍ବରରେ ପହଂଚିଛି । ସମସ୍ତ ପ୍ରକାର ଫର୍ମାଲିଟି ପୂରଣ କରିବା ପରେ ଜାହାଜଟି ମେ’ 8ରେ ମାଳଦୀପ ଛାଡ଼ିଥିଲା । ସର୍ବନିମ୍ନ ସାମାଜିକ ଦୂରତା ବଜାୟ ରଖି ଲୋକମାନଙ୍କୁ ନିରାପଦ ଭାବେ ଜାହାଜରେ ଚଢ଼ାଇବା ପାଇଁ ଉଦ୍ଧାରକାରୀ ଟିମ୍ ସବୁ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ । ଯାତ୍ରା କାଳରେ ବୟସ୍କ, ଗର୍ଭବତୀ ମହିଳା ଓ ପିଲାମାନଙ୍କ ଯଥେଷ୍ଟ ଯତ୍ନ ନିଆଯାଇଥିଲା । ଭାରତୀୟ ନୌସେନାର ପ୍ରଶିକ୍ଷିତ ଅଧିକାରୀମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ପିନ୍ଧି ସମସ୍ତ ଯାତ୍ରୀଙ୍କୁ ପରିଚାଳନା କରିଥିଲେ । ଭାରତ ସରକାରଙ୍କ ଦ୍ୱାରା ଜାରି ସମସ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍ଓପି) ଓ ନିୟମାବଳି ଆଧାରରେ ଏହି ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
କୋଚିନ୍ ପୋର୍ଟ ଟ୍ରଷ୍ଟର କ୍ରୁଜ୍ ଟର୍ମିନାଲରେ ଜାହାଜ ପହଂଚିବା ପରେ ଉପସ୍ଥିତ ନୌସେନା ଓ ସ୍ଥାନୀୟ ପ୍ରଶାସନ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ଗ୍ରହଣ କରିଥିଲେ । କ୍ରୁଜ ଟର୍ମିନାଲରେ ତୁରନ୍ତ ଯାତ୍ରୀମାନଙ୍କର କୋଭିଡ୍ ସ୍କ୍ରିନିଂ ଓ ଇମିଗ୍ରେସନ ଫର୍ମାଲିଟି ଶେଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମେଡିକାଲ ପ୍ରୋଟୋକଲ ଆଧାରରେ କଷ୍ଟମ, ଇମିଗ୍ରେସନ, ପୁଲିସ, ସ୍ୱାସ୍ଥ୍ୟ ବିଭାଗ, ବିଏସ୍ଏନ୍ଏଲ୍ ଓ ଜିଲ୍ଲା ପ୍ରଶାସନ ପାଇଁ ଟର୍ମିନାଲରେ ସ୍ୱତନ୍ତ୍ର ଗ୍ଲାସ୍ କାଉଂଟର ଖୋଲାଯାଇଛି । ଏହା ବ୍ୟତୀତ କୋଚିନ୍ ଇଂଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ (ସିଆଇଏଏଲ୍) ନିକଟରୁ ଯାତ୍ରୀମାନଙ୍କ ପାଇଁ ବ୍ୟାଗେଜ୍ ଟ୍ରଲି ବ୍ୟବସ୍ଥା କରାଯାଇଥିବା ବେଳେ ଜାହାଜରୁ ଯାତ୍ରୀମାନଙ୍କୁ ଶୀଘ୍ର ଖଲାସ, ପୃଥକୀକରଣ ଓ ସମସ୍ତ ସ୍ୱାସ୍ଥ୍ୟ ଓ ମେଡିକାଲ ଫର୍ମାଲିଟି ଶେଷ କରିବା ପାଇଁ ବ୍ୟବସ୍ଥା କରାଯାଇଛି ।
ବିଶାଖାପାଟନମରେ ଅବସ୍ଥାପିତ ଆଇଏନ୍ଏସ୍ ଜଲ୍ସା ଭାରତୀୟ ନାଗରିକଙ୍କର ଏଭଳି ଉଦ୍ଧାର କାର୍ଯ୍ୟ ତଥା ଭାରତୀୟ ନୌସେନାର ପ୍ରମୁଖ ମାନବୀୟ ସହାୟତା ଓ ବିପର୍ଯ୍ୟୟ ରିଲିଫ୍ (ଏଚ୍ଏଡିଆର୍) କାର୍ଯ୍ୟରେ ସବୁବେଳେ ଆଗରେ ରହିଥାଏ । ସୈନିକ ପରିବହନ ପାଇଁ ଡିଜାଇନ୍ ହୋଇଥିବା ଏହି ଜାହାଜରେ ଚଳିତ ଉଦ୍ଧାର କାର୍ଯ୍ୟ ନିମେନ୍ତ ପରିବର୍ତ୍ତନ କରାଯାଇଥିଲା । ଏହି ଅପରେସନ ପାଇଁ ଜାହାଜରେ ଭାରତୀୟ ନୌସେନାର ପ୍ରଶିକ୍ଷିତ ମେଡିକାଲ ଟିମ୍ ରହିଥିଲେ ।
ଆଜି ଶେଷ ହୋଇଥିବା ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଏହି ଅପରେସନର ପ୍ରଥମ ଭାଗ ରହିଥିଲା । ଏହାକୁ ଜାରି ରଖି କୋଚିରେ ଅବସ୍ଥାପିତ ଅନ୍ୟ ଏକ ଜାହାଜ ଆଇଏନ୍ଏସ୍ ମଗର ଆଜି 202 ଜଣ ଭାରତୀୟଙ୍କ ସହ ମାଲେ ଛାଡ଼ିଛି । କୋଭିଡ୍ ମହାମାରୀ କାରଣରୁ ମଧ୍ୟ ପ୍ରାଚ୍ୟ ଓ ମାଳଦୀପରେ ଫସିଥିବା ଭାରତୀୟ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବନ୍ଦେ ଭାରତ ମିସନର ଅଂଶସ୍ୱରୂପ ଏହି ସମ୍ପୂର୍ଣ୍ଣ କର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
**********
(Release ID: 1622893)
Visitor Counter : 162