ଅର୍ଥ ମନ୍ତ୍ରଣାଳୟ
ଭାରତରେ କୋଭିଡ-19 ମୁକାବିଲା ଲାଗି ଭାରତ ସରକାର ଓ ଏଆଇଆଇବି ମଧ୍ୟରେ 50 କୋଟି ଡଲାର ଋଣଚୁକ୍ତି ସ୍ଵାକ୍ଷରିତ
प्रविष्टि तिथि:
08 MAY 2020 5:22PM by PIB Bhubaneshwar
କୋଭିଡ-19 ମହାମାରୀର ମୁକାବିଲା ଏବଂ ଜନ ସ୍ଵାସ୍ଥ୍ୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ଭାରତକୁ ସହାୟତା କରିବା ନିମନ୍ତେ ଆଜି ଭାରତ ସରକାର ଓ ଏସୀୟ ଭିତ୍ତିଭୂମି ନିବେଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ 50 କୋଟି ଆମେରିକୀୟ ଡଲାରର ଏକ ଋଣଚୁକ୍ତି ସ୍ଵାକ୍ଷରିତ ହୋଇଛି। “କୋଭିଡ-19 ଜରୁରିକାଳୀନ ମୁକାବିଲା ଏବଂ ସ୍ଵାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ରକଳ୍ପ” ନାମକ ଏହି ଚୁକ୍ତି ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାଙ୍କ ପକ୍ଷରୁ ଭାରତକୁ ମିଳିଥିବା ସର୍ବପ୍ରଥମ ସହଯୋଗ।
ଏହି ନୂଆ ସହଯୋଗ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ କାର୍ଯ୍ୟକାରୀ ହେବ। ଏହି ଅର୍ଥରେ ସଂକ୍ରମିତ ଲୋକ, ବିପଦ ଥିବା ଲୋକ, ଚିକିତ୍ସା ଓ ଜରୁରିକାଳୀନ ବ୍ୟକ୍ତି ଓ ସେବା ପ୍ରଦାନକାରୀ, ଡାକ୍ତରୀ ଓ ପରୀକ୍ଷଣ ସୁବିଧା ଓ ଜାତୀୟ ଓ ପଶୁ ଚିକିତ୍ସା ସଂସ୍ଥାଗୁଡ଼ିକର ଆବଶ୍ୟକତା ପୂରଣ କରାଯାଇପାରିବ।
ଭାରତ ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟ ଅଧୀନ ଆର୍ଥିକ ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଶ୍ରୀ ସମୀର କୁମାର ଖାରେ ଏବଂ ଏଆଇଆଇବି ପକ୍ଷରୁ କାର୍ଯ୍ୟକାରୀ ଡିଜି ରଜତ ମିଶ୍ର ଏହି ଚୁକ୍ତିରେ ସ୍ଵାକ୍ଷର କରିଥିଲେ।
ଏହି ଅବସରରେ ଶ୍ରୀ ଖାରେ କହିଥିଲେ ଯେ ଏଆଇଆଇବି ପକ୍ଷରୁ ଏହି ସହାୟତା କୋଭିଡ-19 ମୁକାବିଲା କ୍ଷେତ୍ରରେ ଭାରତର ଜାତୀୟ ସ୍ଵାସ୍ଥ୍ୟ ସେବା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏବଂ ମହାମାରୀ ମୁକାବିଲା ଦିଗରେ ଭାରତ ସରକାରଙ୍କ ପ୍ରୟାସରେ ସହାୟକ ହୋଇପାରିବ।
ଏଆଇଆଇବିର ଉପସଭାପତି (ନିବେଶ ପଦକ୍ଷେପ) ଡି.ଜେ. ପାଣ୍ଡିଆନ କହିଥିଲେ ଯେ ପ୍ରଭାବୀ ଢଙ୍ଗରେ କୋଭିଡ-19 ରୋଗୀଙ୍କୁ ଚିକିତ୍ସା କରିବା ଏବଂ ତୁରନ୍ତ ଏହାର ସଂକ୍ରମଣକୁ ରୋକିବା ଜରୁରି ପ୍ରାଥମିକତା। ଏହି ପାଣ୍ଠି ଭବିଷ୍ୟତର ସଂକ୍ରାମକ ରୋଗକୁ ପ୍ରଭାବୀ ଢଙ୍ଗରେ ମୁକାବିଲା ଦିନରେ ଭାରତର ସାମର୍ଥ୍ୟକୁ ବଢ଼ାଇବ।
ସୂଚନାଯୋଗ୍ୟ ଯେ ବିଶ୍ଵ ବ୍ୟାଙ୍କ ପକ୍ଷରୁ ଏହି ପ୍ରକଳ୍ପକୁ ପାଣ୍ଠିଯୋଗାଣ କରାଯାଉଛି । ପ୍ରକଳ୍ପ ବାବଦ ମୋଟ ବ୍ୟୟବରାଦ 150 କୋଟି ଡଲାର ମଧ୍ୟରୁ ବିଶ୍ଵବ୍ୟାଙ୍କ 100 କୋଟି ଡଲାର ଏବଂ ଏଆଇଆଇବି 50 କୋଟି ଡଲାର ଅର୍ଥ ଯୋଗାଇଦେବ । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଜାତୀୟ ସ୍ଵାସ୍ଥ୍ୟ ମିଶନ(ଏନଏଚଏମ), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି) ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।
*********
(रिलीज़ आईडी: 1622263)
आगंतुक पटल : 312