ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

Posted On: 14 APR 2020 11:15AM by PIB Bhubaneshwar

ମୋର ପ୍ରିୟ ଦେଶବାସୀଗଣ,

କରୋନା ବୈଶ୍ଵିକ ମହାମାରୀ ବିରୁଦ୍ଧରେ ଭାରତ ଏବେ ଅଦମ୍ୟ ସାହସ ଓ ଶକ୍ତିର ସହ ମୁକାବିଲା କରୁଛି ଏହା କେବଳ ଆମର ସଂଯମ, ତ୍ୟାଗ ଓ ତପସ୍ୟା ଯୋଗୁଁ ବହୁ ପରିମାଣରେ ପ୍ରତିହତ ହୋଇପାରିଛି । ଆପଣମାନେ ନିଜର ଦେଶ ତଥା ଭାରତବର୍ଷକୁ ରକ୍ଷା କରିବା ପାଇଁ ଅନେକ ଯନ୍ତ୍ରଣା ସହିଛନ୍ତି

ମୁଁ ଜାଣେ ଆପଣମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିଏ ଖାଦ୍ୟ ପାଇଁ ତ କିଏ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଯିବା ପାଇଁ ଏବଂ କିଏ ନିଜ ଘରଦ୍ଵାର ଛାଡି ଦୂରରେ ରହୁଥିବା ଯୋଗୁଁତେବେ ଆପଣମାନେ ଦେଶ ପାଇଁ ଜଣେ ଶୃଙ୍ଖଳିତ ସୈନିକ ଭାବେ କେବଳ କର୍ତ୍ତବ୍ୟ ସମ୍ପାଦନ କରି ଚାଲିଛନ୍ତି ଏହା ହେଉଛି ଆମର ସାମୁହିକ ଶକ୍ତି । ଆମେ ଭାରତୀୟ ଆମ ସମ୍ବିଧାନରେ ସନ୍ନିବେଶିତ ହୋଇ ରହିଛେ ଭାରତବାସୀଙ୍କ ଦ୍ଵାରା ଏହିଭଳି ଏକତା ପ୍ରଦର୍ଶନ ଡଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ତାଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି । ବାବାସାହେବଙ୍କ ଜୀବନ କଠିନ ପରିଶ୍ରମ ଓ ଦୃଢ ପ୍ରତିଜ୍ଞ ମନୋଭାବ ନେଇ ସମସ୍ତ ଆହ୍ଵାନ ବିରୁଦ୍ଧରେ ଲଢେଇ କରିବାକୁ ପ୍ରେରଣା ଦେଇଥାଏ । ଦେଶବାସୀଙ୍କ ପକ୍ଷରୁ ମୁଁ ବାବାସାହେବଙ୍କ ନିକଟରେ ନତମସ୍ତକ ହେଉଛି ।

ବନ୍ଧୁଗଣ, ଦେଶର ବିଭିନ୍ନ ଭାଗରେ ଏବେ ବିଭିନ୍ନ ପର୍ବପର୍ବାଣୀର ସମୟ । ବୈଶାଖୀ, ପୋହେଲା ବୈଶାଖ, ପୁଥାନ୍ଦୁ ଏବଂ ବିଷୁ ଭଳି ପର୍ବ ବିଭିନ୍ନ ରାଜ୍ୟରେ ନୂଆ ବର୍ଷ ଭାବେ ପାଳନ କରାଯାଉଛି । ଲକଡାଉନ କାଳରେ ଲୋକମାନେ ଯେପରି ଆଇନ କାନୁନ ମାନି ନିଜେ ଘରେ ରହି କଠୋର ସଞ୍ଜମର ସହ ପର୍ବ ପର୍ବାଣି ପାଳନ କରୁଛନ୍ତି, ତାହା ବାସ୍ତବିକ ପ୍ରଶଂସନୀୟ । ନୂଆ ବର୍ଷ ଅବସରରେ ମୁଁ ଆପଣ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି    

ବନ୍ଧୁଗଣ, ଆପଣମାନେ ସମସ୍ତେ ବିଶ୍ଵବ୍ୟାପୀ କରୋନା ମହାମାରୀର ପ୍ରଭାବ ସମ୍ପର୍କରେ ଅବଗତ । ଅନ୍ୟ ଦେଶଗୁଡିକ ତୁଳନାରେ ଭାରତ କିଭଳି ସଂକ୍ରମଣ ରୋକିବାରେ ଅନେକାଂଶରେ ସଫଳ ହୋଇଛି, ଆପଣମାନେ ତାହାର ପ୍ରତ୍ୟକ୍ଷ ସାକ୍ଷୀ ଦେଶରେ ଜଣେ ମଧ୍ୟ ସଂକ୍ରମିତ ହେବା ପୂର୍ବରୁ ଭାରତ କରୋନା ସଂକ୍ରମିତ ଦେଶରୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବିମାନବନ୍ଦରରେ ଆରମ୍ଭ କରିଦେଇଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା 100 ପହଞ୍ଚିବା ପୂର୍ବରୁ ବାହାରୁ ଆସୁଥିବା ସମସ୍ତଙ୍କ ପାଇଁ ଭାରତ 14 ଦିନିଆ ଏକାନ୍ତବାସ ବାଧ୍ୟତାମୂଳକ କରିଥିଲା କ୍ଲବ, ମଲ ଓ ବ୍ୟାୟାମଶାଳାଗୁଡିକୁ ଅଧିକାଂଶ ଜାଗାରେ ବନ୍ଦ କରିଦିଆଯାଇଥିଲା । ଯେତେବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି 500ରେ ପହଞ୍ଚିଲା, ସେତେବେଳେ ଭାରତ 21 ଦିନିଆ ସଂପୂର୍ଣ୍ଣ ଲକଡାଉନ ଭଳି ବିରାଟ ପଦକ୍ଷେପ ନେଇଥିଲା । ଭାରତ ସମସ୍ୟା ବେଶୀ ବଢିବାକୁ ଦେଇ ନଥିଲା ବରଂ ତ୍ଵରିତ ନିଷ୍ପତ୍ତି ନେଇ ସମସ୍ୟାକୁ ଆରମ୍ଭରୁ ହିଁ ସମାଧାନ କରିବା ପାଇଁ ଆମେ ପ୍ରୟାସ ଆରମ୍ଭ କରିଥିଲୁ ।

ବନ୍ଧୁଗଣ, ଏଭଳି ଏକ ଜଟିଳ ସ୍ଥିତିରେ ଆମକୁ ଅନ୍ୟ ଦେଶର ପରିସ୍ଥିତି ସହିତ ତୁଳନା କରିବା ଠିକ ନୁହେଁ ।  ଏକଥା ସତ୍ୟ ଯେ, ଯଦି ଆମେ ବିଶ୍ଵର ବୃହତ ଶକ୍ତିଶାଳୀ ଦେଶମାନଙ୍କର ସଂକ୍ରମଣ ହାରକୁ ତୁଳନା କରୁ, ତେବେ ଭାରତ ଆଜି ଏକ ଭଲ ସ୍ଥିତିରେ ଅଛି । ପ୍ରାୟ ମାସେ ଦେଢ ମାସ ପୂର୍ବରୁ ଅନେକ ଦେଶର କରୋନା ସଂକ୍ରମଣ ସଂଖ୍ୟା ଭାରତ ସହିତ ପ୍ରାୟ ସମାନ ଥିଲା । କିନ୍ତୁ ଆଜି ଭାରତ ତୁଳନାରେ ସେସବୁ ଦେଶରେ ଏହି ସଂଖ୍ୟା ପ୍ରାୟ 25 ରୁ 30 ଗୁଣ ଅଧିକ ହୋଇଛି । ଏସବୁ ଦେଶରେ ହଜାର ହଜାର ଲୋକଙ୍କର ଦୁଃଖଦ ମୃତ୍ୟୁ ଘଟିଛି ଭାରତ ଯଦି ଏକ ସମନ୍ଵିତ ଢାଞ୍ଚାରେ ଶୀଘ୍ର ଓ ନିଷ୍ପତ୍ତିମୂଳକ ପଦକ୍ଷେପ ନେଇନଥାନ୍ତା, ତେବେ ଭାରତର ପରିସ୍ଥିତି ଆଜି ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା

ଆହୋରାତ୍ର ପରିଶ୍ରମ କରି ଦେଶର ରାଜ୍ୟ ସରକାରଗୁଡିକ ମଧ୍ୟ ପରିସ୍ଥିତିକୁ ସମ୍ଭାଳିବାରେ ଦାୟିତ୍ଵବାନ ଭାବେ କାର୍ଯ୍ୟ କରିଛନ୍ତି । ତେବେ ବନ୍ଧୁଗଣ, ସମସ୍ତ ପ୍ରଚେଷ୍ଟା ସତ୍ଵେ କରୋନା ମହାମାରୀ ଯେପରି ତାହାର କାୟା ବିସ୍ତାର କରି ଚାଲିଛି ତାହା ବିଶ୍ଵର ସ୍ୱାସ୍ଥ୍ୟ ବିଶାରଦ ଓ ସରକାରଗୁଡିକୁ ଅଧିକ ସତର୍କ କରାଇଛି କରୋନାର ସଂକ୍ରମଣ ଯେପରି ରୋକିହେବ ସେନେଇ ମୁଁ ରାଜ୍ୟଗୁଡିକ ସହିତ ନୀରବଚ୍ଛିନ୍ନ ଭାବେ ସମ୍ପର୍କରେ ରହିଛି ସମସ୍ତେ ଲକଡାଉନକୁ ବଳବତ୍ତର ରଖିବାକୁ ପ୍ରସ୍ତାବ ଦେଇଛନ୍ତି । ଅନେକ ରାଜ୍ୟ ଲକଡାଉନ ଅବଧି ବଢାଇବାର ନିଷ୍ପତ୍ତି ନେଇସାରିଛନ୍ତି ।

ବନ୍ଧୁଗଣ, ସମସ୍ତ ପ୍ରସ୍ତାବକୁ ଦୃଷ୍ଟିରେ ରଖି, ଭାରତରେ ଏହି ଲକଡାଉନ ଅବଧିକୁ ମେ’ 3 ତାରିଖ ପର୍ଯ୍ୟନ୍ତ ବଢାଯାଉଛି । ତା’ର ଅର୍ଥ ମେ’ 3 ତାରିଖ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ଲକଡାଉନ ଭିତରେ ରହିବାକୁ ପଡିବ । ଏହି ସମୟ ମଧ୍ୟରେ ବର୍ତ୍ତମାନ ଯେପରି କରୁଛୁ, ସେହିପରି ଶୃଙ୍ଖଳା ଆମକୁ ମାନିବାକୁ ହେବ ।

ମୋର ସମସ୍ତ ଦେଶବାସୀଙ୍କୁ ଅନୁରୋଧ ତଥା ପ୍ରାର୍ଥନା ଯେ, ଆମେ କୌଣସି ନୂଆ ଅଞ୍ଚଳକୁ କରୋନା ଭୂତାଣୁ ବ୍ୟାପିବାକୁ ଦେବା ନାହିଁ । ଏକ କ୍ଷୁଦ୍ରାତି କ୍ଷୁଦ୍ର ସ୍ଥାନରେ ମଧ୍ୟ ଗୋଟିଏ ନୂଆ ରୋଗୀ ଚିହ୍ନଟ ହେଲେ ତାହା ଆମ ପାଇଁ ଗମ୍ଭୀର ସମସ୍ୟା ହେବ । କରୋନା ଭୂତାଣୁ ଜନିତ ଜଣେ ରୋଗୀର ମୃତ୍ୟୁ ଆମର ଏହି ଗମ୍ଭୀରତାକୁ ଆହୁରି ବୃଦ୍ଧି କରିବ ।

ସେ ଦୃଷ୍ଟିରୁ ହଟ ସ୍ପଟ ଗୁଡିକୁ ନେଇ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଯେଉଁ ଅଞ୍ଚଳଗୁଡିକ ହଟ ସ୍ପଟ ହେବାର ସମ୍ଭାବନା ରହିଛି ସେଗୁଡିକ ଉପରେ ଆମକୁ ତୀକ୍ଷଣ ନଜର ରଖିବାକୁ ପଡିବ । ନୂଆ ହଟ ସ୍ପଟ ବାହାରିଲେ ତାହା ଆମର କଠିନ ପରିଶ୍ରମ ଓ ତପସ୍ୟା ପ୍ରତି ଏକ ଆହ୍ଵାନ ସୃଷ୍ଟି କରିବ । ତେଣୁ ଆଗାମୀ ସପ୍ତାହରେ ଆସନ୍ତୁ ଆମେ ସମସ୍ତ ସତର୍କତା ଓ କଠୋରତାର ସହ କରୋନା ବିରୁଦ୍ଧରେ ଆମର ସଂଗ୍ରାମ ଜାରି ରଖିବା

ଏପ୍ରିଲ 20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସହର, ଥାନା, ଜିଲ୍ଲା ଓ ପ୍ରତ୍ୟେକ ରାଜ୍ୟରେ ଲକଡାଉନ କିପରି ପାଳନ କରାଯାଉଛି ତାହାର ଆକଳନ କରାଯିବ । କେତେଦୂର ପର୍ଯ୍ୟନ୍ତ ଏହି ଅଞ୍ଚଳଗୁଡିକ କରୋନା ଭୂତାଣୁରୁ ନିଜକୁ ସୁରକ୍ଷିତ ରଖିଛନ୍ତି ତାହାର ଅନୁଧ୍ୟାନ କରାଯିବ

ଏହି କଠିନ ପରୀକ୍ଷାରୁ ଯେଉଁ ଅଞ୍ଚଳ ମୁକୁଳିବ ବା ହଟ ସ୍ପଟ ଶ୍ରେଣୀରେ ନରହିବ ବା ହଟ ସ୍ପଟ ହେବାର ସମ୍ଭାବନା ନଥିବ ସେଠାରେ 20 ଏପ୍ରିଲ ଠାରୁ ସାଧାରଣ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁଯୋଗ ଦିଆଯାଇପାରେ । ତେବେ ଏକଥା ମଧ୍ୟ ମନେ ରଖିବାକୁ ହେବ ଯେ, ଏହି ଅନୁମତି ସର୍ତ୍ତମୂଳକ ଏବଂ ବାହାରକୁ ବାହାରିବାର ନିୟମ ଖୁବ କଡା କଡି ହେବ । ଲକଡାଉନ ନିୟମ ଭଙ୍ଗ ହେଲେ କିମ୍ବା ପୁନଃସଂକ୍ରମଣର କୌଣସି ସମ୍ଭାବନା ଦେଖାଦେଲେ ସଙ୍ଗେ ସଙ୍ଗେ ଅନୁମତି ପ୍ରତ୍ୟାହାର କରିନିଆଯିବ ସେ ଦୃଷ୍ଟିରୁ ଆମକୁ ନିଶ୍ଚିତ ହେବାକୁ ପଡିବ ଯେ, ଆମେ ନିଜେ ନିଜକୁ କୋହଳ କରିବା ନାହିଁ ବା ସେପରି କାହାକୁ ହେବାକୁ ଦେବା ନାହିଁ ଏଦିଗରେ ଏକ ସବିଶେଷ ନିୟମାବଳୀ ଆସନ୍ତାକାଲି (15.04.2020) ସରକାର ଜାରି କରିବେ ।

ବନ୍ଧୁଗଣ, ଏପ୍ରିଲ 20 ତାରିଖ ପରେ କେତେକ ନିର୍ଦ୍ଦିଷ୍ଟ ଜାଗାରେ ଏହି ସୀମିତ ଛାଡ ପ୍ରକ୍ରିୟା ଆମର ହଜାର ହଜାର ଭାଇଭଉଣୀମାନଙ୍କ ଜୀବନଜୀବିକାକୁ ଆଖିଆଗରେ ରଖି କରାଯାଇଛି । ଯେଉଁମାନେ ସବୁଦିନ ଖଟିଲେ ଖାଆନ୍ତି, ସେମାନେ ମୋ ପରିବାର ଭଳି । ସେମାନଙ୍କ ଜୀବନରେ ଏହି ବାଧାବିଘ୍ନକୁ ଦୂର କରିବା ମୋର ସର୍ବୋଚ୍ଚ ପ୍ରାଥମିକତା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରିଛନ୍ତି ନୂଆ ନିର୍ଦ୍ଦେଶାବଳୀ ସେମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଜାରି କରାଯାଇଛି । ଏବେ ହେଉଛି ରବି ଫସଲ ଅମଳର ସମୟ । ଚାଷୀମାନଙ୍କର ସମସ୍ୟା ଯଥାସମ୍ଭବ ହ୍ରାସ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଚେଷ୍ଟା କରୁଛନ୍ତି ।

ଦେଶରେ ପର୍ଯ୍ୟାପ୍ତ ଔଷଧ, ଖାଦ୍ୟପଦାର୍ଥ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରହିଛି ଓ ସେଗୁଡିକର ଯୋଗାଣ ଦିଗରେ ଥିବା ବାଧାବିଘ୍ନକୁ ନୀରବଚ୍ଛିନ୍ନ ଭାବେ ଦୂର କରାଯାଉଛି । ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବାଧାବିଘ୍ନଗୁଡିକୁ ଦୂର କରିବା ଦିଗରେ ମଧ୍ୟ ଦ୍ରୁତ ପ୍ରଗତି ହାସଲ କରିଛୁ । ଜାନୁଆରୀ ମାସରେ ଗୋଟିଏ ମାତ୍ର କରୋନା ଭୂତାଣୁ ପରୀକ୍ଷଣ କେନ୍ଦ୍ର ଥିବା ବେଳେ ବର୍ତ୍ତମାନ ଏହା 220କୁ ବୃଦ୍ଧି ପାଇଛି । ବିଶ୍ଵବ୍ୟାପୀ ମହାମାରୀକୁ ଅନୁଧ୍ୟାନ କଲେ ପ୍ରତି 10 ହଜାର ରୋଗୀଙ୍କ ପାଇଁ 1500 ରୁ 1600 ଶଯ୍ୟା ଦରକାର ହୋଇଥାଏ । ଭାରତରେ ଆଜିସୁଦ୍ଧା ଆମେ 1 ଲକ୍ଷ ଶଯ୍ୟାର ବ୍ୟବସ୍ଥା କରିପାରିଛୁ । କେବଳ ସେତିକି ନୁହେଁ, କରୋନା ଚିକିତ୍ସା ପାଇଁ 600ରୁ ଅଧିକ ଉତ୍ସର୍ଗୀକୃତ ହସ୍ପିଟାଲ ଆମର ଏବେ ରହିଛି । କହିବାକୁ ଗଲେ, ଏହି ସୁବିଧା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ବନ୍ଧୁଗଣ, ଭାରତର ସୀମିତ ସମ୍ବଳ ଯୋଗୁଁ ଆଜି ମୁଁ ଦେଶର ଯୁବ ବୈଜ୍ଞାନିକମାନଙ୍କୁ ସ୍ଵତନ୍ତ୍ର ଭାବେ ଅନୁରୋଧ କରୁଛି, ବିଶ୍ଵ ତଥା ସମଗ୍ର ମାନବ ଜାତିର କଲ୍ୟାଣ ଦିଗରେ ସେମାନେ କରୋନା ଭୂତାଣୁ ଭାକ୍ସିନ ବାହାର କରିବା ଲାଗି ଶୀଘ୍ର ଆଗେଇ ଆସନ୍ତୁ ।  

ବନ୍ଧୁଗଣ, ଆମେ ଯଦି ଧୈର୍ଯ୍ୟର ସହିତ ନିୟମ ପାଳନ କରିବା ତେବେ କରୋନା ମହାମାରୀକୁ ନିଶ୍ଚିତ ହରାଇବାରେ ସମର୍ଥ ହେବା । ଏହି ବିଶ୍ଵାସର ସହ ମୁଁ ପରିଶେଷରେ ଆପଣମାନଙ୍କ ଠାରୁ 7ଟି ବିଷୟରେ ସମର୍ଥନର ଆଶା କରୁଛି ।

ପ୍ରଥମ ବିଷୟ:

ଘରେ ଥିବା ବୟସ୍କ ଓ ବିଶେଷ କରି ନୀରବଚ୍ଛିନ୍ନ ବ୍ୟାଧିରେ ପୀଡିତ ବ୍ୟକ୍ତିମାନଙ୍କର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । କରୋନା ସଂକ୍ରମଣରୁ ସେମାନଙ୍କୁ ନିରାପଦ ରଖିବା ପାଇଁ ଆମକୁ ଅତିରିକ୍ତ ଯତ୍ନ ନେବାକୁ ପଡିବ

ଦ୍ଵିତୀୟ ବିଷୟ:

ଲକଡାଉନର ଲକ୍ଷ୍ମଣ ରେଖା ଓ ସାମାଜିକ ଦୂରତ୍ଵର କଡାକଡି ଅନୁପାଳନ । ଘରତିଆରି ମାସ୍କର ନିଶ୍ଚିତ ବ୍ୟବହାର । 

ତୃତୀୟ ବିଷୟ:

ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ରୋଗ ପ୍ରତିଷେଧକ ନିୟମାବଳୀର ଅନୁପାଳନ । ନିୟମିତ ଭାବେ ଗରମ ପାଣି ଓ କାଢା ପିଇବାର ଅନୁପାଳନ

ଚତୁର୍ଥ ବିଷୟ:

କରୋନା ସଂକ୍ରମଣର ପ୍ରସାର ରୋକିବା ଦିଗରେ ଆରୋଗ୍ୟ ସେତୁ ଆପ କୁ ଡାଉନଲୋଡ କରିବା ଓ ଅନ୍ୟମାନଙ୍କୁ ଏହାକୁ ଡାଉନଲୋଡ କରିବା ପାଇଁ ପ୍ରବର୍ତ୍ତାଇବା ।

ପଞ୍ଚମ ବିଷୟ:

ଯଥା ସମ୍ଭବ ଗରିବ ପରିବାରଗୁଡିକୁ ସାହାଯ୍ୟ କରିବା । ବିଶେଷକରି ସେମାନଙ୍କର ଖାଦ୍ୟ ଆବଶ୍ୟକତାକୁ ପୁରଣକରିବା

ଷଷ୍ଠ ବିଷୟ:

ବ୍ୟବସାୟ ଓ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକଙ୍କ ପ୍ରତି ଦୟା ପ୍ରଦର୍ଶନ କରି ସେମାନଙ୍କୁ ଜୀବିକାରୁ ବଞ୍ଚିତ ନକରିବା ।

ସପ୍ତମ ବିଷୟ:

ଆମର ଡାକ୍ତର, ନର୍ସ, ସଫେଇ ଓ ପୁଲିସ କର୍ମଚାରୀମାନଙ୍କ ଭଳି କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ।

ବନ୍ଧୁଗଣ, ମୁଁ ଆପଣମାନଙ୍କୁ ଲକଡାଉନର ନିୟମଗୁଡିକୁ ମେ’ 3 ତାରିଖ ପର୍ଯ୍ୟନ୍ତ କଡାକଡି ଭାବେ ପାଳନ କରିବାକୁ ଅନୁରୋଧ କରୁଛି । ଆପଣମାନେ ଯେଉଁଠି ଥିଲେ ମଧ୍ୟ ସୁରକ୍ଷିତ ରୁହନ୍ତୁ ।

VayamRashtreJagrutyaa”

 

ଆମେ ଆମର ଦେଶକୁ ଚିରନ୍ତନ ଜାଗ୍ରତ ରଖିବାଏହି ଭାବନା ସହିତ ମୁଁ ରହୁଛି ଆପଣମାନଙ୍କୁ ବିଶେଷ ଧନ୍ୟବାଦ

 

*********

 

 

 

 



(Release ID: 1614289) Visitor Counter : 272