ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ
ପବିତ୍ର ରମଜାନ ମାସ ପାଳନ ବେଳେ କରୋନା ମହାମାରୀ ସଂକ୍ରମଣ ଦୃଷ୍ଟିରୁ ଲକଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବାକୁ ଭାରତୀୟ ମୁସଲମାନ ସମ୍ପ୍ରଦାୟଙ୍କୁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀଙ୍କ ନିବେଦନ
• ପବିତ୍ର ରମଜାନ ମାସ ଅପ୍ରେଲ 24 ତାରିଖରୁ ଆରମ୍ଭ ହେବା ସମ୍ଭାବନା
• ନିଜ ଘରେ ରହି ପ୍ରାର୍ଥନା ଓ ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ସମ୍ପାଦନ ପାଇଁ ପରାମର୍ଶ
प्रविष्टि तिथि:
13 APR 2020 5:07PM by PIB Bhubaneshwar
ଦେଶରେ ଏବେ ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ପବିତ୍ର ରମଜାନ ମାସରେ ଲକଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବା ନିମନ୍ତେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବ୍ବାସ ନକଭୀ ଭାରତୀୟ ମୁସଲମାନ ସମ୍ପ୍ରଦାୟଙ୍କୁ ନିବେଦନ କରିଛନ୍ତି । ପବିତ୍ର ରମଜାନ ମାସ ଅପ୍ରେଲ 24 ତାରିଖ ଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଏହି ପବିତ୍ର ମାସ ପାଳନ ବେଳେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ନିଜ ଘରେ ସୁରକ୍ଷିତ ରହି ନମାଜ ପାଠ ତଥା ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ସମ୍ପାଦନ କରିବାକୁ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମନ୍ତ୍ରୀ ଶ୍ରୀ ନକଭୀ ଏବେ କେନ୍ଦ୍ରୀୟ ୱାକଫ ପରିଷଦର ଅଧ୍ୟକ୍ଷ ପଦରେ ମଧ୍ୟ ଅବସ୍ଥାପିତ ଅଛନ୍ତି । ଏହା ଭାରତରେ ରାଜ୍ୟ ୱାକଫ ବୋର୍ଡର ନିୟନ୍ତ୍ରକ ସଂସ୍ଥା ରୂପେ କାର୍ଯ୍ୟ କରିଥାଏ । ଶ୍ରୀ ନକଭୀ କହିଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡ଼ ଅଧିନରେ ସାରା ଦେଶରେ 7 ଲକ୍ଷରୁ ଅଧିକ ପଞ୍ଜିକୃତ ମସଜିଦ, ଇଦଗାହ, ଇମାମୱାଡା, ଦର୍ଘା ଏବଂ ଅନ୍ୟାନ୍ୟ ଧର୍ମୀୟ ଅନୁଷ୍ଠାନ ରହିଛି ।
ଏଠାରେ ସୂଚନାଯୋଗ୍ୟ ଯେ ସାଉଦି ଆରବ ସମେତ ଅଧିକାଂଶ ମୁସଲମାନ ରାଷ୍ଟ୍ର ରମଜାନ ମାସରେ ଧର୍ମୀୟ ପୀଠସ୍ଥଳୀଗୁଡ଼ିକରେ ଅଧିକ ସଂଖ୍ୟାରେ ରୁଣ୍ଡ ହେବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି ।
ଶ୍ରୀ ନଭକୀ କହିଛନ୍ତି ଯେ ସେ ଦେଶର ବିଭିନ୍ନ ଧର୍ମୀୟ ନେତୃବର୍ଗ, ବିଭିନ୍ନ ସାମାଜିକ ଓ ଧର୍ମାନୁଷ୍ଠାନର ପ୍ରତିନିଧି, ଅଧିକାରୀ ତଥା ରାଜ୍ୟ ୱାକଫ ବୋର୍ଡର ଅନ୍ୟାନ୍ୟ ପଦାଧିକାରୀମାନଙ୍କ ସହ ଏ ସଂପର୍କରେ କଥାବାର୍ତ୍ତା କରିଛନ୍ତି । ସେମାନେ ପବିତ୍ର ରମଜାନ ମାସରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଲକଡାଉନ୍ ତଥା ସାମାଜିକ ଦୂରତା ରକ୍ଷା ଭଳି ନିର୍ଦ୍ଦେଶନାମାକୁ ଗୁରୁତ୍ୱର ସହ ଉପଲବ୍ଧି କରି ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ସକାଶେ ସେ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ନିଜ ଘରେ ରହି ରମଜାନ ମାସରେ ସେମାନେ ନମାଜ ପାଠ ଏବଂ ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ପାଳନ ସୁନିଶ୍ଚିତ କରିବା ଲାଗି ସେ ସେମାନଙ୍କୁ ନିବେଦନ କରିଛନ୍ତି ।
ଶ୍ରୀ ନକଭୀ କହିଛନ୍ତି ଯେ କେନ୍ଦ୍ରୀୟ ୱାକଫ ବୋର୍ଡ଼ ମାଧ୍ୟମରେ ରାଜ୍ୟ ୱାକଫ ବୋର୍ଡଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ ପବିତ୍ର ରମଜାନ ମାସରେ ସେମାନେ ଯେଭଳି ଧର୍ମସ୍ଥଳୀ କିମ୍ବା ଅନ୍ୟାନ୍ୟ ସ୍ଥାନରେ ଅଧିକ ସଂଖ୍ୟାରେ ଠୁଳ ନହୁଅନ୍ତି ତାହା ସୁନିଶ୍ଚିତ କରିବା ଆବଶ୍ୟକ । ଏଥିନେଇ ବିଭିନ୍ନ ଧର୍ମୀୟ ତଥା ସାମାଜିକ ଅନୁଷ୍ଠାନ, ଜନସାଧାରଣ ତଥା ସ୍ଥାନୀୟ ପ୍ରଶାସନର ସହାୟତା ନିଆଯିବା ଜରୁରି । ଏଭଳି ଧର୍ମୀୟ ଓ ସାମାଜିକ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଏହି କାର୍ଯ୍ୟରେ ସ୍ଥାନୀୟ ପ୍ରଶାସନଙ୍କ ସହଯୋଗ କରିବା ଆବଶ୍ୟକ ଯଦ୍ୱାରା ରମଜାନ ମାସରେ ଲକଡାଉନ ଏବଂ ସାମାଜିକ ଦୂରତା ରକ୍ଷା ଭଳି ନିର୍ଦ୍ଦେଶାବଳୀକୁ ନିଷ୍ଠାର ସହ ପାଳନ କରାଯାଇ ପାରିବ ।
ଶ୍ରୀ ନକଭୀ କହିଲେ ଯେ ରାଜ୍ୟ ୱାକଫ ବୋର୍ଡ଼ ଏବଂ ଧର୍ମୀୟ- ସାମାଜି ଅନୁଷ୍ଠାନମାନଙ୍କ ସକାରାତ୍ମକ, ସଫଳ ତଥା ସକ୍ରିୟ ପ୍ରୟାସ ଦ୍ୱାରା ଦେଶର ମୁସଲମାନ ଭାଇଭଉଣୀମାନେ ଅପ୍ରେଲ 8 ଓ 9 ତାରିଖ ଦିନ ସାବ୍- ଏ- ବାରାତ ସହିତ ପ୍ରାର୍ଥନା ତଥା ଅନ୍ୟାନ୍ୟ ଧର୍ମୀୟ ରୀତିନୀତି ନିଜ ଘରେ ରହି ପାଳନ କରିପାରିଛନ୍ତି । କରୋନା ମହାମାରୀ ପରିପ୍ରେକ୍ଷୀରେ ଭାରତୀୟ ମୁସଲମାନ ଭାଇଭଉଣୀମାନେ ଲକଡାଉନ୍ ତଥା ସାମାଜିକ ଦୂରତା ରକ୍ଷା ଗାଇଡ଼ଲାଇନକୁ ନିଷ୍ଠାର ସହ ପାଳନ କରିବା ଦିଗରେ ସହଯୋଗ ପ୍ରଦର୍ଶନ କରିବା ଉଚିତ । ସାବ୍- ଏ- ବାରାତ ବେଳେ ସେମାନଙ୍କ ସହଯୋଗକୁ ସମସ୍ତେ ଭୂୟସୀ ପ୍ରଶଂସା କରିଛନ୍ତି ।
ମନ୍ତ୍ରୀ ଶ୍ରୀ ନକଭୀ କହିଲେ ଯେ ବୈଶ୍ୱିକ ମହାମାରୀ କୋଭିଡ-19 ପରିପ୍ରେକ୍ଷୀରେ ଦେଶର ସମସ୍ତ ମନ୍ଦିର, ମସଜିତ୍, ଗୁରୁଦ୍ୱାରା, ଚର୍ଚ୍ଚ ଓ ଅନ୍ୟାନ୍ୟ ଧର୍ମସ୍ଥଳୀମାନଙ୍କରେ ସବୁପ୍ରକାର ଧର୍ମାନୁଷ୍ଠାନକୁ ବାତିଲ କରାଯାଇଛି । ଏବେ ଦେଶରେ ସର୍ବତ୍ର ଲକଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
ଶ୍ରୀ ନକଭୀ କହିଲେ ଯେ ଭାରତରେ ପାରମ୍ପରିକ ଭାବେ ଲୋକମାନେ ମସଜିତ, ଦରଘା, ଇମାମ୍ବାଦା, ଇଦଘା, ମଦ୍ରାସା ଓ ଅନ୍ୟାନ୍ୟ ଧର୍ମପୀଠଗୁଡ଼ିକରେ ଲକ୍ଷ ଲକ୍ଷ ସଂଖ୍ୟାରେ ଏକତ୍ରିତ ହେବା ସହ ସମୂହ ନମାଜ ପାଠ କରିଥାନ୍ତି ଓ ଅନ୍ୟାନ୍ୟ ଧର୍ମକାର୍ଯ୍ୟ ରୀତିନୀତି ସମ୍ପାଦନ କରିଥାନ୍ତି । ସେଥି ମଧ୍ୟରେ ରମଜାନ ମାସରେ ‘ଇଫତାର’ ଆୟୋଜନ ମଧ୍ୟ କରାଯାଇଥାଏ । କିନ୍ତୁ କରୋନା ମହାମାରୀ ଯୋଗୁ ଏବେ ସର୍ବତ୍ର ଲକଡାଉନ୍, କର୍ଫ୍ୟୁ, ସାମାଜିକ ଦୂରତା ରକ୍ଷା ଭଳି ନିଷେଧାଦେଶ କେନ୍ଦ୍ର ସରକାର ତଥା ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାର ଜାରି କରାଯାଇଛି ।
ତେଣୁ ଲୋକମାନେ ଏ ସଂପର୍କରେ ସଂପୂର୍ଣ୍ଣ ରୂପେ ଅବଗତ ହେବା ଆବଶ୍ୟକ ଏବଂ ପବିତ୍ର ରମଜାନ ମାସରେ ନିଜ ଘରେ ରହି ଏଭଳି ପ୍ରାର୍ଥନା ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ କାର୍ଯ୍ୟ ସମାପନ କରିବା ଉଚିତ । ସେମାନେ ଏହି ସମୟରେ ଲକଡାଉନ୍ ଏବଂ ସାମାଜିକ ଦୂରତା ରକ୍ଷାକୁ ନିଷ୍ଠାର ସହ ପାଳନ କରିବା ବାଂଛନୀୟ । ଏହା କେବଳ ମସଜିଦରେ ଏବଂ ଅନ୍ୟାନ୍ୟ ଧର୍ମସ୍ଥଳୀମାନଙ୍କରେ ନୁହେଁ ବରଂ ଅନ୍ୟ ସମସ୍ତ ଜନସାଧାରଣ ସ୍ଥାନରେ ତଥା ବ୍ୟକ୍ତିଗତ ସ୍ଥାନ ଯେଉଁଠାରେ କି ମୁସଲମାନ ଭାଇମାନେ ଏକତ୍ରିତ ହୋଇ ରମଜାନ ମାସରେ ସେମାନଙ୍କର ଧର୍ମାନୁଷ୍ଠାନ ପାଳନ କରିଥାନ୍ତି, ସେଠାରେ ମଧ୍ୟ ଏଭଳି ନିୟମ ପାଳନ କରିବା ଆବଶ୍ୟକ ।
ଶ୍ରୀ ନକଭୀ କହିଲେ ଯେ ସମଗ୍ର ଦେଶ ଏବେ ଗୁରୁତ୍ୱ ତଥା ନିଷ୍ଠାର ସହ ଲକଡାଉନ୍ ଓ ସାମାଜିକ ଦୂରତା ରକ୍ଷାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପାଳନ କରୁଛି । ଏ ଦିଗରେ କୌଣସି ପ୍ରକାର ତ୍ରୁଟି ଆମକୁ, ଆମମାନଙ୍କ ପରିବାରଙ୍କୁ ତଥା ସମାଜକୁ ଓ ସମଗ୍ର ଦେଶକୁ ବଡ଼ ବିପଦରେ ପକାଇପାରେ । ତେଣୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ଦିଗରେ ସମସ୍ତେ ଗୁରତ୍ୱ ଓ ନିଷ୍ଠାର ସହ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
**********
(रिलीज़ आईडी: 1614096)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam