ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ସଂକ୍ରମଣକୁ ସାମନା କରିବା ଦିଗରେ କାର୍ଯ୍ୟରତ 11ଟି କ୍ଷମତା ସମ୍ପନ୍ନ ଗୋଷ୍ଠୀର କାର୍ଯ୍ୟ ସମୀକ୍ଷା କଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

• ସକାରାତ୍ମକ ମନୋଭାବ ଦ୍ଵାରା ହିଁ ସଫଳ ପରିଚାଳନା ସମ୍ଭବ
• ତୃଣମୂଳ ସ୍ତରରେ ଆଞ୍ଚଳିକ ଭାଷାରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵ

Posted On: 10 APR 2020 2:39PM by PIB Bhubaneshwar

କୋଭିଡ-19କୁ ମୁକାବିଲା କରିବା ଦିଗରେ କାର୍ଯ୍ୟ କରୁଥିବା 11ଟି କ୍ଷମତା ସମ୍ପନ୍ନ ଗୋଷ୍ଠୀର ଅଧିକାରୀମାନଙ୍କ ସହ ଏକ ବୈଠକ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାମାରୀର ପ୍ରଭାବ ଆକଳନ କରିବା ପାଇଁ ସାମୁହିକ ସମୀକ୍ଷା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ଵ ନ୍ୟସ୍ତ ଅଧିକାରୀଙ୍କ କାର୍ଯ୍ୟର ସମୀକ୍ଷା କରିଛନ୍ତି ମହାମାରୀ ମୁକାବିଲା ଦିଗରେ ବିଭିନ୍ନ ସାମଗ୍ରୀ ଯୋଗାଣ କାର୍ଯ୍ୟର ସମୀକ୍ଷା, ସାମାଜିକ ଦୂରତ୍ଵ ରକ୍ଷା, ଫସଲ ଅମଳ କାର୍ଯ୍ୟରେ ସହାୟତା, ତୃଣମୂଳ ସ୍ତରରେ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ପାଳନ ଇତ୍ୟାଦି ବିଷୟରେ ବୈଠକରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଏବେସୁଦ୍ଧା 1,45,916ଟି ନମୁନା ପରୀକ୍ଷା ହୋଇଥିବାରୁ ବୈଠକରେ ସନ୍ତୋଷ ପ୍ରକାଶ ପାଇଥିଲା । ଦାଦନ ଶ୍ରମିକ ଓ ଅନ୍ୟାନ୍ୟ ନିରାଶ୍ରୟ ବ୍ୟକ୍ତିମାନଙ୍କ ରହିବାର ବନ୍ଦୋବସ୍ତ ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବୈଠକରେ ସୂଚନା ଦିଆଯାଇଥିଲା । କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟଗୁଡ଼ିକର ତଦାରଖ କରୁଥିବା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଚିକିତ୍ସକ ଓ ଆନୁଷଙ୍ଗିକ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇବା ନେଇ ବୈଠକରେ ସୂଚନା ଦିଆଯାଇଥିଲା । ସମ୍ବଳର ଯଥାର୍ଥ ବିନିଯୋଗ ତଥା ଅନ୍ୟାନ୍ୟ ବିଷୟର ସୁପରିଚାଳନା ପାଇଁ ଜିଲ୍ଲା ସ୍ତରରେ ସ୍ଵେଚ୍ଛାସେବୀ ସଙ୍ଗଠନମାନଙ୍କ ସହ ଯୋଗାଯୋଗ କରିବା ଉପରେ ପ୍ରମୁଖ ସଚିବ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ଉପରେ ମଧ୍ୟ ସମୀକ୍ଷା ହୋଇଥିଲା । ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ଯେପରି ଏହାର ସୁଫଳ ପହଞ୍ଚେ ସେଥିପାଇଁ ସଠିକ ହିତାଧିକାରୀ ଚୟନ ସୁନିଶ୍ଚିତ କରିବା ପାଇଁ ପ୍ରମୁଖ ସଚିବ ଗୁରୁତ୍ଵାରୋପ କରିଥିଲେ । ଦେଶବ୍ୟାପୀ ସଂକ୍ରମଣ ଜନିତ ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିବା ତଥା ସମସ୍ତ ଖବର ଓ ସଚେତନତାର ବାର୍ତ୍ତା ଆଞ୍ଚଳିକ ଭାଷାରେ ପ୍ରଚାର କରିବା ପାଇଁ ବୈଠକରେ ଗୁରୁତ୍ଵ ଦିଆଯାଇଥିଲା । ବୈଷୟିକ ତଥା ତଥ୍ୟ ପରିଚାଳନାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆରୋଗ୍ୟ ସେତୁ ଆପର ବହୁଳ ପ୍ରୟୋଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀମାନେ ମଧ୍ୟ ଯୋଗଦେଇଥିଲେ ।

 

**********



(Release ID: 1613063) Visitor Counter : 167