ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଭିଡ଼-19 ବିରୋଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ପ୍ରତିରକ୍ଷା ପିଏସୟୁ, ଓଏଫବି

Posted On: 05 APR 2020 10:38AM by PIB Bhubaneshwar

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନକାରୀ ସରକାରୀ ସଂସ୍ଥା (ଡ଼ିପିଏସୟୁ) ଏବଂ ଗୋଳାବାରୁଦ କାରଖାନା ବୋର୍ଡ଼ (ଓଏଫବି) ବୈଶ୍ୱିକ ମହାମାରୀ କୋଭିଡ଼-19 ବିରୋଧରେ ଦେଶବ୍ୟାପୀ ସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଛନ୍ତି ।

ମେଡ଼ିକାଲ ସୁବିଧା

ଦେଶର ଛଅଟି ରାଜ୍ୟରେ 10ଟି ହସ୍ପିଟାଲରେ ମୋଟ 280ଟି ଆଇସୋଲେସନ୍‌ ଶଯ୍ୟା ପ୍ରସ୍ତୁତ କରିବା ସକାଶେ ଗୋଳାବାରୁଦ କାରଖାନା ବୋର୍ଡ଼ (ଓଏଫବି) ଯୋଜନା କରିଛି । ସେହିସବୁ ଆଇସୋଲେସନ୍‌ ୱାର୍ଡ଼ ଜବଲପୁରସ୍ଥିତ ଯାନବାହନ ଫ୍ୟାକ୍ଟ୍ରି, ଇଚ୍ଛାପୁର (ପଶ୍ଚିମବଙ୍ଗ)ସ୍ଥିତ ମେଟାଲ ଆଣ୍ଡ ଷ୍ଟୀଲ୍‌ ଫ୍ୟାକ୍ଟ୍ରି; କାଶିପୁର (ପଶ୍ଚିମବଙ୍ଗ)ସ୍ଥିତ ଗନ୍‌ ଆଣ୍ଡ ସେଲ୍‌ ଫ୍ୟାକ୍ଟ୍ରି; ଖାଡ଼କି (ମହାରାଷ୍ଟ୍ର)ସ୍ଥିତ ଗୁଳିଗୋଳା କାରଖାନା, କାନପୁର (ଉତ୍ତର ପ୍ରଦେଶ)ସ୍ଥିତ ଗୋଳାବାରୁଦ କାରଖାନା; ଖମାରିଆ ସ୍ଥିତ ଗୋଳାବାରୁଦ କାରଖାନା, ଅଭଡ଼ି (ତାମିଲନାଡ଼ୁ)ସ୍ଥିତ ଭାରୀ ଯାନ କାରଖାନା ଏବଂ ମେଡ଼କ (ତେଲଙ୍ଗାନା)ସ୍ଥିତ ଗୋଳାବାରୁଦ କାରଖାନା ଅନ୍ୟତମ ।

ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ଼ରେ ଆଇସୋଲେସନ ବ୍ୟବସ୍ଥା ରହିଛି ଏବଂ ଏଠାରେ ତିନୋଟି ଇଣ୍ଟେନସିଭ୍‌ କେୟାର ୟୁନିଟ୍‌ ବେଡ଼ ରହିଛି ଏବଂ ୱାର୍ଡ଼ରେ ଅନ୍ୟ 30ଟି ବେଡ଼ ରହିଛି । ଏହାତିରିକ୍ତ, 30ଟି କୋଠରୀବିଶିଷ୍ଟ ଏକ ଭବନ ନିର୍ମାଣ ପ୍ରସ୍ତୁତ ହୋଇସାରିଛି । ସର୍ବମୋଟ, ହାଲରେ ଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ 90 ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇପାରିବ ।

ସ୍ୱଳ୍ପ ସମୟର ସୂଚନା ମଧ୍ୟରେ ଓଏଫବି ଅରୁଣାଚଳ ପ୍ରଦେଶ ସରକାରଙ୍କୁ କୋଭିଡ଼- 19 ରୋଗୀଙ୍କ ପାଇଁ 50ଟି ସ୍ୱତନ୍ତ୍ର ଟେଣ୍ଟ୍‌ ପ୍ରସ୍ତୁତ କରି ତାହା ପଠାଇଛି ।

ସାନିଟାଇଜର

ହାତଧୁଆ ସାନିଟାଇଜରର ବିକାଶ ଓ ଉତ୍ପାଦନ ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡ଼ବ୍ଲୁଏଚଓ) ମାନର ହୋଇଥିବ, ତାହା ଓଏଫବିର କାରଖାନାଗୁଡ଼ିକରେ ଉତ୍ପାଦନ ଆରମ୍ଭ ହୋଇଛି । ଏଥିପାଇଁ କାରଖାନା ନିକଟକୁ ଏଚଏଲଏଲ ଲାଇଫଲାଇନ ଲିମିଟେଡ଼ (ଏଚଏଲଏଲ)ଙ୍କ ଠାରୁ 13,000 ଲିଟର ସାନିଟାଇଜର ଯୋଗାଇ ଦେବାକୁ ଅର୍ଡ଼ର ଆସିଛି । ଏଚଏଲଏଲକୁ ଭାରତ ସରକାର କେନ୍ଦ୍ରୀୟ ଆହରଣ ପାଇଁ ନୋଡ଼ାଲ ଏଜେନ୍ସି ଭାବେ ଚୟନ କରିଛନ୍ତି । ତଦନୁସାରେ ମାର୍ଚ୍ଚ 31, 2020 ତାରିଖ ଦିନ ଆରୁଭାଙ୍କାଡ଼ୁ (ତାମିଲନାଡ଼ୁ) ସ୍ଥିତ କୋର୍ଡ଼ାଇଟ ଫ୍ୟାକ୍ଟ୍ରିରୁ ପ୍ରଥମ ଦଫାରେ 1,500 ଲିଟର ସାନିଟାଇଜର ପଠାଯାଇଛି । ଆଉ ଦୁଇଟି ଫ୍ୟାକ୍ଟ୍ରି ଯଥା, ଗୋଳାବାରୁଦ କାରଖାନା (ଓଏଫ) ଇଟାର୍ସି (ମଧ୍ୟପ୍ରଦେଶ) ଏବଂ ଗୋଳାବାରୁଦ କାରଖାନା ଭଣ୍ଡାରା (ମହାରାଷ୍ଟ୍ର) ଏହାର ବିପୁଳ ଉତ୍ପାଦନ ପାଇଁ ଏବେ ପ୍ରସ୍ତୁତ ରହିଛନ୍ତି । ଏହି ଦୁଇ କାରଖାନା ମିଶି ଦୈନିକ ପ୍ରାୟ 3000 ଲିଟର ସାନିଟାଇଜର ଉତ୍ପାଦନ କରିପାରିବେ ଯାହାକି ଜାତୀୟ ଆବଶ୍ୟକତାକୁ ମେଣ୍ଟାଇ ପାରିବ ।

ସୁରକ୍ଷା ଉପକରଣ : କଭରଅଲ୍‌ ଓ ମାସ୍କ

କାନପୁର, ଶାହାଜାହାନପୁର, ହଜରତପୁର (ଫିରୋଜାବାଦ), ଏବଂ ଚେନ୍ନାଇ ଠାରେ ଥିବା ଗୋଳାବାରୁଦ ଉପକରଣ କାରଖାନା ଏବେ କଭରଅଲ୍‌ ଏବଂ ମାସ୍କ ବିକାଶ ଦିଗରେ ନିୟୋଜିତ ଅଛନ୍ତି । ସେମାନେ ମଧ୍ୟ ବିଶେଷ ହିଟ୍‌ ସିଲିଂ ମେସିନ୍‌ର ଉପଯୋଗ କରି ଏଭଳି ପୋଷାକ ଅତି କମ୍‌ ସମୟ ମଧ୍ୟରେ ପ୍ରସ୍ତୁତ କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଫ୍ୟାକ୍ଟ୍ରି ବୋର୍ଡ଼ ଇତି ମଧ୍ୟରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନ, ଗ୍ୱାଲିଅରକୁ ଅନୁରୋଧ କରିଛି ଏବଂ ପ୍ରଥମ  ଦଫାର ନମୁନା ଓଭରଅଲ୍‌ ସଫଳତାର ସହ ପ୍ରାପ୍ତ ହୋଇଛି । ଏହି ଓଭରଅଲ୍‌କୁ ଗ୍ୱାଲିଅର ଠାରେ ପରୀକ୍ଷା ମଧ୍ୟ କରାଯାଇଛି । ସେହିଭଳି କୋଏମ୍ବାଟୁର ସ୍ଥିତ ସାଉଥ ଇଣ୍ଡିଆ ଟେକ୍ସଟାଇଲ୍‌ ରିସର୍ଚ୍ଚ ଆସୋସିଏସନ (ସିତ୍ରା)ଠାରେ ମାସ୍କ ପରୀକ୍ଷଣ ଜାରି ରହିବ । ଓଏଫବି ମଧ୍ୟ ଖୁବ୍‌ କମ୍‌ ସମୟର ସୂଚନା ମଧ୍ୟରେ ସପ୍ତାହକୁ 5,000ରୁ 6,000 ପର୍ଯ୍ୟନ୍ତ କଭରଅଲ୍‌ ଉତ୍ପାଦନ କରିପାରିବ । ଏଥିପାଇଁ ତିନୋଟି ମେସିନର ବିକାଶ ଘଟାଯାଇଛି ଏବଂ ସେଠାରୁ ପ୍ରସ୍ତୁତ କଭରଅଲ୍‌ ଓ ମାସ୍କର ପରୀକ୍ଷଣକୁ ସିତ୍ରାମଞ୍ଜୁର ପ୍ରଦାନ କରିଛି । ଏହାକୁ କଭରଅଲ୍‌ ଓ ମାସ୍କ ଉତ୍ପାଦନର ଗୁଣାତ୍ମକ ମାନ ରକ୍ଷା ପାଇଁ ଉପଯୋଗ କରାଯାଇପାରିବ ।

ଭେଣ୍ଟିଲେଟର

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନୁରୋଧ କ୍ରମେ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ (ବିଇଏଲ) ଭେଣ୍ଟିଲେଟର ଉତ୍ପାଦନ ସକାଶେ ଆଗେଇ ଆସିଛି ଏବଂ ଆଗାମୀ ଦୁଇ ମାସ ମଧ୍ୟରେ ଏହା ଆଇସିୟୁରେ ବ୍ୟବହାରକ୍ଷମ 30,000 ଭେଣ୍ଟିଲେଟର ଉତ୍ପାଦନ ସହ ଯୋଗାଇଦେବ । ଏହି ଭେଣ୍ଟିଲେଟରର ଡ଼ିଜାଇନ୍‌ ମୂଳତଃ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରତିଷ୍ଠାନର ଯାହାକୁ ପରେ ମହୀଶୂରର ମେସର୍ସ ସ୍କାନରେ ଉନ୍ନତି ଘଟାଇଥିଲା ଏବଂ ଏହି ସଂସ୍ଥା ସହ ବିଇଏଲ ସହଯୋଗୀତା ସଂପର୍କରେ ରହିଛି । ମେଡ଼କର ଗୋଳାବାରୁଦ କାରଖାନା ମଧ୍ୟ ହାଇଦ୍ରାବାଦର ବିଭିନ୍ନ ହସ୍ପିଟାଲରେ ବ୍ୟବହୃତ ଭେଣ୍ଟିଲେଟରର ମରାମତି କାର୍ଯ୍ୟ ହାତକୁ ନେଇଛି ।

 

**********



(Release ID: 1611503) Visitor Counter : 149