ନୀତି ଆୟୋଗ

ଭାରତ ସରକାରଙ୍କ ଦ୍ୱାରା ନୀତି ଆୟୋଗ ସିଇଓଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା କ୍ଷମତାପ୍ରାପ୍ତ ଗୋଷ୍ଠୀ

Posted On: 05 APR 2020 10:06AM by PIB Bhubaneshwar

ଦେଶରେ ଦେଖା ଦେଇଥିବା କୋଭିଡ଼-19 ମହାମାରୀ ମୁକାବିଲା ସଂପର୍କୀତ କାର୍ଯ୍ୟାନୁଷ୍ଠାନ ସକାଶେ ଘରୋଇ ସଂସ୍ଥା, ଏନଜିଓ ଏବଂ ଆନ୍ତର୍ଜାତିକ ସଂଗଠନମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ କ୍ଷମତାପ୍ରାପ୍ତ ଗୋଷ୍ଠୀ- 6 (Empowered Group # 6 )

1.  ସରକାରୀ ଆଦେଶନାମା ସଂଖ୍ୟା. 40-3/2020/ ଡିଏମ-ଆଇ (ଏ) ତାରିଖ 29/04/2020 ଦିନ ସରକାର କରୋନା ମହାମାରୀ ସଂକ୍ରାନ୍ତ ସମସ୍ୟାର ଚିହ୍ନଟ, ଏହାର ସଫଳ ସମାଧାନ ପନ୍ଥା ଓ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ନିମନ୍ତେ କ୍ଷମତାପ୍ରାପ୍ତ ଗୋଷ୍ଠୀ-6 ଗଠନ କରିଛନ୍ତି ଏବଂ ଏଥିରେ ହିତାଧିକାରୀମାନଙ୍କ ନିମ୍ନୋକ୍ତ ତିନିଗୋଟି ଗୋଷ୍ଠୀ ରହିଛି-

କ) ମିଳିତ ଜାତିସଂଘ ପରିସରଭୁକ୍ତ ବିଭିନ୍ନ ଏଜେନ୍ସି, ବିଶ୍ୱ ବ୍ୟାଙ୍କ୍‌, ଏସୀୟ ଉନ୍ନୟନ ବ୍ୟାଙ୍କ

ଖ) ସିଭିଲ ସୋସାଇଟି ସଂଗଠନ ଏବଂ ଅନ୍ୟାନ୍ୟ ବିକାଶ କାର୍ଯ୍ୟକ୍ରମ ସହଭାଗୀ

ଗ) ଶିଳ୍ପ ସଂଘ- ସିଆଇଆଇ, ଫିକି, ଆସୋଚାମ୍‌, ନାସକମ୍‌

ଏହି ନବ ଗଠିତ କ୍ଷମତାପ୍ରାପ୍ତ କମିଟି ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକରିବ ସେଥିରେ ପିଏସଏ ଡକ୍ଟର ବିଜୟ ରାଘବନ୍‌କମଲ କିଶୋର (ଏନଡ଼ିଏମଏର ସଦସ୍ୟ); ସନ୍ଦୀପ ମୋହନ ଭଟ୍ଟନାଗର (ସିବିଆଇସି, ସଦସ୍ୟ)ଅନୀଲ ମଲିକ (ଏଏସ, ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ); ବିକ୍ରମ ଦୁରାଇସ୍ୱାମୀ (ଏଏସ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ); ପି ହରିଶ (ଏଏସ, ବୈଦେଶକ ବ୍ୟାପାର ମନ୍ତ୍ରଣାଳୟ); ଗୋପାଲ ୱାଘଲେ (ଯୁଗ୍ମ ସଚିବ, ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ); ଐଶ୍ୱର୍ଯ୍ୟା ସିଂହ (ଡ଼େପୁଟୀ  ସେକ୍ରେଟାରୀ, ପିଏମଓ); ଟିନା ସୋନୀ (ଡ଼େପୁଟୀ ସେକ୍ରେଟାରୀ, କ୍ୟାବିନେଟ୍‌ ସଚିବାଳୟ) ରହିଛନ୍ତି ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀ-6ର ସମସ୍ତ ପ୍ରକାରର ପ୍ରଶାସନିକ କାର୍ଯ୍ୟ ସଂଯୁକ୍ତ ସମାଦାର (ଉପଦେଷ୍ଟା, ଏସଡ଼ିଜି, ନୀତି ଆୟୋଗ)ଙ୍କ ଦ୍ୱାରା ସଂପାଦିତ ହେବ ।

2.  ମାର୍ଚ୍ଚ 30 ତାରିଖ ଠାରୁ ଏପ୍ରିଲ 3 ତାରିଖ ପର୍ଯ୍ୟନ୍ତ ଏହି କ୍ଷମତାପ୍ରାପ୍ତ ଗୋଷ୍ଠୀର ଛଅଟି ବୈଠକ ଶିଳ୍ପ ସଂଘ, ଆଇଓ ଏବଂ ସିଏସଓମାନଙ୍କ ସହ ଅନୁଷ୍ଠିତ ହୋଇଯାଇଛି ସେମାନଙ୍କର ଆର୍ଥିକ ଅନୁଦାନ, ଆଗାମୀ ସପ୍ତାହମାନଙ୍କରେ ସେମାନଙ୍କର କାର୍ଯ୍ୟ ଯୋଜନା ଏବଂ ସେମାନେ ସାମ୍ନା କରୁଥିବା ବିଭିନ୍ନ ପ୍ରସଙ୍ଗ ତଥା ସରକାରଙ୍କ ଠାରୁ ସେମାନେ କି ପ୍ରକାର ସହଯୋଗ ଆଶା କରନ୍ତି, ସେ ସଂପର୍କରେ ଆଲୋଚନା ହୋଇଥିଲା ସମସ୍ତ ତିନୋଟି ଯାକ ଗୋଷ୍ଠୀ ସକାରାତ୍ମକ ଭାବେ କେଉଁ କେଉଁ କ୍ଷେତ୍ରରେ ସେମାନେ ସରକାରଙ୍କ ଠାରୁ  କି ପ୍ରକାର ସହଯୋଗ କାମନା କରନ୍ତି ସେ ସଂପର୍କରେ ସୂଚୀତ କରିଥିଲେ । ସରକାର ଏହା ଉପରେ ଏବେ କାର୍ଯ୍ୟରତ ଅଛନ୍ତି ଏହି କ୍ଷମତାପ୍ରାପ୍ତ ଗୋଷ୍ଠୀ ଏବେ ଅନ୍ୟାନ୍ୟ ଇଜିମାନଙ୍କ ସହ ସଂପର୍କରେ ଅଛନ୍ତି ଯାହା ଫଳରେ କି ତ୍ୱରିତ ତଥା ସଫଳତାର ସହ ସହଯୋଗ ଭିତ୍ତିରେ ଯେକୌଣସି ପରିସ୍ଥିତିର ମୁକାବିଲା କରାଯାଇପାରିବ । କ୍ଷମତାପ୍ରାପ୍ତ ଗୋଷ୍ଠୀ-6ର ସମସ୍ତ ଛଅଟି ଯାକ ବୈଠକରେ ଆଲୋଚିତ ପ୍ରସଙ୍ଗର ବିବରଣୀ ଜାରି କରାଯାଇଛି ।

3.  ଆନ୍ତର୍ଜାତିକ ସଂଗଠନ - ଏହି କ୍ଷମତାପ୍ରାପ୍ତ ଗୋଷ୍ଠୀ-6 ଭାରତରେ ଅବସ୍ଥାପିତ ମିଳିତ ଜାତିସଂଘର ଆବାସିକ ସଂଯୋଜକ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍‌, ୟୁଏନଏଫପିଏ, ୟୁଏନଡ଼ିପି, ଆଏଲଓ, ମିଳିତ ଜାତିସଂଘ ମହିଳା, ୟୁଏନ- ହାବିଟାଟ, ଏଫଏଓ, ବିଶ୍ୱ ବ୍ୟାଙ୍କ୍‌ ଏବଂ ଏସୀୟ ବିକାଶ ବ୍ୟାଙ୍କର କଣ୍ଟ୍ରି ମୁଖ୍ୟମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଏଭଳି ଆନ୍ତର୍ଜାତିକ ସଂଗଠନମାନଙ୍କ ସହ ଆଲୋଚନା ଫଳରେ ସେମାନେ କରୋନା ମହାମାରୀ ସଂପର୍କୀତ ମନିଟରିଂ ତଥା ସର୍ଭେଲାନ୍ସ ବ୍ୟବସ୍ଥା ସଂପର୍କୀତ ବୈଷୟିକ ସହାୟତା, ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ ସେବାକୁ ସୁଦୃଢ଼ କରିବା, କ୍ଷମତା ବୃଦ୍ଧି, ଆର୍ଥିକ ସମ୍ପତ୍ତି ଜନିତ ସହଯୋଗ ଏବଂ ଅତି ଜଟିଳ ଉପକରଣ ଜନିତ ସହାୟତା ଯୋଗାଇ ଦେବାକୁ ସହମତ ହୋଇଛନ୍ତି । ମିଳିତ ଜାତିସଂଘ ଭାରତରେ ଏକ ଯୁଗ୍ମ କାର୍ଯ୍ୟକ୍ରମ ରେସପନ୍ସ ଯୋଜନା ଗଠନ କରିଛି ଏବଂ ନୀତି ଆୟୋଗକୁ ତାହା ପ୍ରଦାନ କରିଛି ଯେଉଁଥିରେ ସେମାନେ ବିଭିନ୍ନ ରାଜ୍ୟରେ ଏବଂ ବିଭିନ୍ନ ସେକ୍ଟରରେ ଯେଉଁସବୁ କାର୍ଯ୍ୟ କରୁଛନ୍ତି ଓ କି ପ୍ରକାର ସେବା ଯୋଗାଇ ଦେଉଛନ୍ତି ତାହାର ବିସ୍ତୃତ ବିବରଣୀ ରହିଛି । ଏହିସବୁ କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ବିଭିନ୍ନ ଏଜେନ୍ସି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରମାନଙ୍କୁ ସହଭାଗୀ ଭାବେ ଗ୍ରହଣ କରିଛି ।

4. ସିଭିଲ ସୋସାଇଟି ସଂଗଠନ ଓ ବିକାଶ ସହଯୋଗୀ

କ) ଦେଶର ବିଭିନ୍ନ ଭାଗରେ ଏବଂ ନାନାଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ 40ଟି ସିଭିଲ ସୋସାଇଟି ସଂଗଠନ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହ କ୍ଷମତାପ୍ରାପ୍ତ ଗୋଷ୍ଠୀ-6 ବିସ୍ତୃତ ବିଚାରବିମର୍ଷ କରିଛନ୍ତି । ଏହି ଆଲୋଚନା ବେଳେ ସିଭିଲ ସୋସାଇଟି ସଂଗଠନମାନେ ସମ୍ମୁଖୀନ ହେଉଥିବା ଅନେକ ଚାଲେଞ୍ଜ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ ଯାହାକୁ କ୍ଷମତାପ୍ରାପ୍ତ ଗୋଷ୍ଠ-6 ସମାଧାନ କରିଛନ୍ତି । ଏଭଳି ସଂକଟର ଘଡ଼ିରେ ଦେଶର ବିଭିନ୍ନ କ୍ଷେତ୍ରରେ ସେମାନେ ଯେଭଳି ସୁଚାରୁରୂପେ ସେମାନଙ୍କର ସେବା କର୍ତ୍ତବ୍ୟ ସଂପାଦନ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

ଖ) ନୀତି ଆୟୋଗ ସିଇଓ ଇତି ମଧ୍ୟରେ ନୀତି ଆୟୋଗର ଦର୍ପଣ ପୋର୍ଟାଲରେ ପଞ୍ଜିକୃତ ପ୍ରାୟ 92,000 ଏନଜିଓ/ସିଏସଓଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ଯେ ସେମାନେ ଦେଶର କରୋନା ହଟସ୍ପଟକୁ ଚିହ୍ନଟ କରିବାରେ ସହଯୋଗର ହାତ ବଢ଼ାନ୍ତୁ ଏବଂ ବୟୋବୃଦ୍ଧ, ଭିନ୍ନକ୍ଷମ, ଶିଶୁ, ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଓ ଅନ୍ୟାନ୍ୟ ଆପଦାଗ୍ରସ୍ତ ଗୋଷ୍ଠୀଙ୍କୁ ସେବା ପ୍ରଦାନ ଲାଗି ସ୍ୱେଚ୍ଛାସେବୀ ଯୋଗାଇ ଦିଅନ୍ତୁ । ସେମାନେ କରୋନା ମହାମାରୀର ପ୍ରତିକାର, ସାମାଜିକ ଦୂରତା ରକ୍ଷା, ଏକାନ୍ତବାସ ଓ ସାମାଜିକ ଅନ୍ଧବିଶ୍ୱାସ ଭଳି ଚିନ୍ତାଧାରାକୁ ଲୋକମାନଙ୍କ ମନରୁ ଦୂର କରିବା ଦିଗରେ ମଧ୍ୟ ସହଯୋଗ କରନ୍ତୁ । ଏଥିସହ ବାସହୀନମାନଙ୍କୁ ଆଶ୍ରୟ ପ୍ରଦାନ, ଦିନ ମଜୁରିଆ, ସହରାଞ୍ଚଳର ଗରିବ ପରିବାରଙ୍କ ଆବଶ୍ୟକ ସାହାଯ୍ୟ କରନ୍ତୁ ଏବଂ ଦେଶାନ୍ତରରେ ଥିବା ଲୋକମାନଙ୍କ ପାଇଁ ଗୋଷ୍ଠୀ ରନ୍ଧନଶାଳାମାନ ବସାଇ ଖାଦ୍ୟ ଓ ଅନ୍ୟାନ୍ୟ ସେବା ଯୋଗାଇ ଦିଅନ୍ତୁ ।

ଗ) ଅଧିକନ୍ତୁ, ନୀତି ଆୟୋଗର ସିଇଓ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖି ପରାମର୍ଶ ଦେଇଛନ୍ତିଯେ ସେମାନେ ଜିଲ୍ଲା ସ୍ତରରେ ସ୍ଥାନୀୟ ପ୍ରଶାସନକୁ ଏନଜିଓ ଏବଂ ସିଏସଓମାନଙ୍କ ଦ୍ୱାରା ଉପଲବ୍ଧ କରାଯାଉଥିବା ଶାରୀରିକ ଓ ମାନବ ସମ୍ବଳକୁ ଉପଯୁକ୍ତ ଉପଯୋଗ କରିବା ନିମନ୍ତେ ନିର୍ଦ୍ଦେଶ ଦିଅନ୍ତୁ ।

5. ଶିଳ୍ପ ସଂଗଠନ- ସିଆଇଆଇ, ଫିକି, ଆସୋଚାମ୍‌, ନାସକମ୍‌ ଏବଂ ଶିଳ୍ପସଂସ୍ଥାମାନଙ୍କ ପ୍ରତିନିଧି

କ) କମିଟି ଘରୋଇ ଏବଂ ଷ୍ଟାର୍ଟ ଅପମାନଙ୍କ ମଧ୍ୟରେ ଏକ କ୍ରସ୍‌ ସେକ୍ଟୋରାଲ୍‌ ଆଲୋଚନା ଆରମ୍ଭ କରାଇଛି ଯାହା ଫଳରେ ସେମାନଙ୍କ ମଧ୍ୟରେ ସହଯୋଗର ବାତାବରଣ ସୃଷ୍ଟି ହୋଇପାରିବ ଓ ସେମାନେ ସ୍ୱାସ୍ଥ୍ୟ ଉପକରଣ ଓ ପିପିଇ ଉତ୍ପାଦନ କରିପାରିବେ । ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ କ୍ଷେତ୍ରରେ କାର୍ଯ୍ୟରତ 8ଟି ଷ୍ଟାର୍ଟ ଅପ୍‌, ସିଆଇଆଇର 12ଟି ବଡ଼ ଶିଳ୍ପ ନେତୃତ୍ୱ, ଫିକି ଶିଳ୍ପ ପାର୍ଟନରଙ୍କ 6 ଜଣ ସିଇଓ, ନାସକମ୍‌ର ବଡ଼ ବଡ଼ 14ଟି ପ୍ରଯୁକ୍ତିଭିତ୍ତିକ କମ୍ପାନୀର ସିଇଓ ଏଭଳି ଆଲୋଚନାରେ ଅଂଶଗ୍ରହଣ କରିବା ସହ ପିପିଇମାନଙ୍କ ଆବଶ୍ୟକତାର ଆକଳନ, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ମେଡ଼ିକାଲ ଉପକରଣ, ରେଟ୍ରୋଫିଟିଂ ଘରୋଇ ଉତ୍ପାଦନ ଧାରା ଯାହାକି ଆବଶ୍ୟକତାକୁ ପୂରଣ କରିପାରିବ, ଯୋଗାଣ ଚେନ୍‌ ପରିଚାଳନା ପ୍ରସଙ୍ଗ, ଅଭିନବ ପ୍ରଯୁକ୍ତି ଆଧାରିତ ସମାଧାନ ପନ୍ଥା ସ୍ଥିର କରିବା, ସାର୍ଟିଫିକେସନ, ଜିଏସଟି, ବିଭିନ୍ନ ଉପକରଣ ଉପରେ ଆମଦାନି ଶୁଳ୍କ, ଆହରଣ, ତାଲିମ ପ୍ରସଙ୍ଗ ତଥା ଲକ ଡାଉନ ପରବର୍ତ୍ତୀ ଅପରେଟିଂ ବିଧି ସଂପର୍କରେ ବିସ୍ତୃତ ଭାବ ବିନିମୟ କରିଛନ୍ତି ।

ଖ) ଷ୍ଟାର୍ଟ ଅପ୍‌ ଯଥା, ଏଜିଭିଏ, ଆୟୋଡ଼ିଜାଇନ୍‌ ଇନୋଭେସନ୍‌ ଲାବ୍‌, କାଇଆନାଟ୍‌, ଏଆଇଡ୍ରୋନା ମ୍ୟାପସ୍‌, ଏମଫାଇନ୍‌, ମାଇକ୍ରୋଗୋ, ଷ୍ଟାକ୍ୟୁ ଆଦି ଏବେ ଅଭିନବ ଭେଣ୍ଟିଲେଟର ଡ଼ିଜାଇନ ପ୍ରସ୍ତୁତି, ଟେଷ୍ଟିଂ ଉପକରଣ ଓ ସମାଧାନ ପନ୍ଥା ଟ୍ରାକିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ପୃଥକ୍‌ ଭାବେ ଯୋଗାଯୋଗ କରାଯାଇ ସେମାନଙ୍କର ଉତ୍ପାଦନ ମାତ୍ରା ଓ ସହଯୋଗର ସମ୍ଭାବନା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

 

ଗ) ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ, ଜନହିତକର କାର୍ଯ୍ୟକ୍ରମ, ସିଏସଆର ଯାହାକି ଏଭଳି ଶିଳ୍ପ ସଂସ୍ଥାମାନେ କରିଆସୁଛନ୍ତି ସେ ସଂପର୍କରେ ସେମାନଙ୍କର ପ୍ରତିନିଧିମାନେ ବିସ୍ତୃତ ଭାବେ ସୂଚୀତ କରିଥିଲେ । ସେଥିରେ ସ୍ଥାନୀୟ ପ୍ରଶାସନ ସହିତ ମିଲି ଫ୍ୟାକ୍ଟ୍ରି ରନ୍ଧନଶାଳାରେ ମାଗଣା ଖାଦ୍ୟ ରନ୍ଧନ ଓ ବିତରଣ; କାରଖାନା ହସପିଟାଲ/ ପରିସର/ ଅତିଥି ଭବନକୁ କ୍ୱାରେଣ୍ଟାଇନ୍‌ ଓ ଅନ୍ୟାନ୍ୟ ଆଶ୍ରୟସ୍ଥଳୀ ଭାବେ ଉପଯୋଗ କରିବା ସକାଶେ ଉପଲବ୍ଧ କରାଇବା ଆଦି ସାମିଲ ।

ଘ) ଶିଳ୍ପ ପ୍ରତିନିଧି ଏବଂ କ୍ଷମତାପ୍ରାପ୍ତ ଗୋଷ୍ଠୀ-6 ଏହି ସମସ୍ତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବା ସହ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ, ଭେଣ୍ଟିଲେଟର ଉତ୍ପାଦନ ଓ ଆହରଣ, ପିପିଇ, ଟେଷ୍ଟିଂ କିଟ୍‌, ଅନ୍ୟ କ୍ଷମତାପ୍ରାପ୍ତ ଗୋଷ୍ଠୀଙ୍କ ସହ ସହଯୋଗ ସ୍ଥାପନ କ୍ଷେତ୍ରରେ ଥିବା ଅନେକ ଜଟିଳ ପ୍ରସଙ୍ଗଓ ଚାଲେଞ୍ଜର ସମାଧାନ ସକାଶେ ସଂକଳ୍ପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ରିଲିଫ ଓ ପୁନର୍ବାସ ଓ ସୂଚନା ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ମଧ୍ୟ ଉପାୟମାନ ସ୍ଥିର କରିଛନ୍ତି ।

ଙ) କ୍ଷମତାପ୍ରାପ୍ତ ଗୋଷ୍ଠୀ-6 ସମସ୍ତ ସହଭାଗୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟସେବା ଜନିତ ସିଦ୍ଧାନ୍ତ ସଂପର୍କରେ ସୂଚୀତ କରିଥିଲେ । ସେଥି ମଧ୍ୟରେ ପିପିଇ ଏବଂ ଭେଣ୍ଟିଲେଟର ଆହରଣ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଭୂମିକା, ସମସ୍ତ ରାଜ୍ୟର ସିଭିଲ ସୋସାଇଟିମାନଙ୍କ ସହ ଯୋଗାଯୋଗ କରିବା, 92,000 ସିଏସଓଙ୍କୁ ପତ୍ର ଲେଖିବା, ପ୍ରତ୍ୟେକ ସହଭାଗୀଙ୍କୁ ପରସ୍ପର ସହ ସଂପର୍କ ସ୍ଥାପନର ବାତାବରଣ ଓ ସୁଯୋଗ ସୃଷ୍ଟି କରିବା, ଘରୋଇ ସେକ୍ଟର ଏଭଳି ସମନ୍ୱୟ ରେସପନ୍ସ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅନ୍ତରାୟକୁ ତୁରନ୍ତ ସମାଧାନ କରିବା ଅନ୍ୟତମ । ଅଧିକନ୍ତୁ, କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରାଯାଇଛି ଯଦ୍ୱାରା ଶିଳ୍ପସଂସ୍ଥାମାନେ ଅନ୍ୟାନ୍ୟ କ୍ଷମତାପ୍ରାପ୍ତ ଗୋଷ୍ଠୀଙ୍କ ସହ ଆହରଣ (ଇଜି-3), ଲଜିଷ୍ଟିକ୍ସ (ଇଜି-5) ଏବଂ ଅନ୍ୟାନ୍ୟ କ୍ଷମତାପ୍ରାପ୍ତ ଗୋଷ୍ଠୀଙ୍କ ସହ ସଂପର୍କ ସ୍ଥାପନ କରିପାରିବେ ।

 

**********

 



(Release ID: 1611501) Visitor Counter : 222