ପ୍ରତିରକ୍ଷା ମନ୍ତ୍ରଣାଳୟ

ସାର୍ବଜନୀନ ସ୍ଥାନର ସଫଳ ସ୍ୱଚ୍ଛକରଣ (ସାନିଟାଇଜେସନ) କରିବ ଡିଆରଡିଓ ନିର୍ମିତ ଉପକରଣ

Posted On: 03 APR 2020 6:27PM by PIB Bhubaneshwar

ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ସ୍ୱଦେଶୀ ଜ୍ଞାନକୌଶଳ ସମାଧାନ ସୂତ୍ରର ବିକାଶ ଘଟାଇବା ଲାଗି ଚାଲିଥିବା ପ୍ରୟାସରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ସଫଳ ହୋଇଛି । ବିଭିନ୍ନ ଆକାରର କ୍ଷେତ୍ରକୁ ସ୍ୱଚ୍ଛକରଣ (ସାନିଟାଇଜ) କରିବା ସକାଶେ ଡିଆରଡିଓ ଏକ ନୂତନ ପ୍ରଯୁକ୍ତିର ବିକାଶ ଘଟାଇଛି । ଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ଫାୟାର ଏକ୍ସପ୍ଲୋସିଭ୍‌ ଏଣ୍ଡ୍‌ ଏନଭିରନମେଣ୍ଟ ସେଫ୍ଟି (ସିଏଫଇଇଏସ) ଏଭଳି ସ୍ୱଚ୍ଛକରଣର ଦୁଇଟି ଉପକରଣର ବିକାଶ ଘଟାଇଛି । ଏହା ଅଗ୍ନି ନିର୍ବାପନ ପାଇଁ ବିକଶିତ ପ୍ରଯୁକ୍ତିର ଅଂଶବିଶେଷ ବୋଲି କୁହାଯାଇଛି ।

ହାଲୁକା ପିଠିରେ ପକା କ୍ଷେତ୍ର ସ୍ୱଚ୍ଛକରଣ ଉପକରଣ

ଦିଲ୍ଲୀର ସିଏଫଇଇଏସ ଏହାର ଶିଳ୍ପ ସହଯୋଗୀଙ୍କ ସହାୟତାରେ ହାଲୁକା ସ୍ୱଚ୍ଛକରଣ ଉପକରଣର ବିକାଶ ଘଟାଇଛି ଯାହା ଦ୍ୱାରା ଡ଼ିକଣ୍ଟାମିନେସନ ବିଶୋଧକକୁ ସହଜରେ ସିଞ୍ଚନ କରାଯାଇପାରିବ । ସେଥିରେ ଏକ ପ୍ରତିଶତ ହାଇପୋକ୍ଲୋରାଇଟ୍‌ (ହାଇପୋ) ସଲ୍ୟୁସନ ରହିବ ଏବଂ ଏହା ଦ୍ୱାରା ଦୂଷିତ ବୋଲି ସନ୍ଦେହ କରାଯାଉଥିବା ସ୍ଥାନର ଉପଯୁକ୍ତ ଶୋଧନ କରାଯାଇପାରିବ ।

ଏହି ହାଲୁକା ସିଷ୍ଟମକୁ ଜଣେ ବ୍ୟକ୍ତି କାନ୍ଧରେ ବ୍ୟାକପ୍ୟାକ ଭଳି ଝୁଲାଇ ପାରିବେ ଏବଂ ସହଜରେ ଏହାକୁ ଧରି ସିଞ୍ଚନ କରିପାରିବେ । ଏହି ସିଷ୍ଟମରେ ହାଲକୁ ଚାପଯୁକ୍ତ ଦୁଇଟି ଫ୍ଲୁଇଡ଼୍‌ (ବାୟୁ ଓ ବିଶୋଧକ ତରଳ ପଦାର୍ଥ) ପ୍ରଯୁକ୍ତିର ସମ୍ମିଶ୍ରଣ ଘଟାଯାଇଛି ଯଦ୍ୱାରା ଏଥିରୁ ଅତି ସୂକ୍ଷ୍ମ ଧୂଆଁ ଭଳି କୁହୁଡ଼ିଆ ସିଞ୍ଚନ ସମ୍ଭବପର ହୋଇପାରିବ । ଏହି ସିଷ୍ଟମ 300 ବର୍ଗ ମିଟର କ୍ଷେତ୍ରକୁ ବିଶୋଧନ ସିଞ୍ଚନ କରି ଏକା ଥରେ ଜୀବାଣୁମୁକ୍ତ କରିବାକୁ ସକ୍ଷମ । ଏହାର ଉପଯୋଗ ସ୍ଥାନ ମଧ୍ୟରେ ହସପିଟାଲ ଅଭ୍ୟର୍ଥନା ପ୍ରକୋଷ୍ଠ, ଡାକ୍ତରମାନଙ୍କ କୋଠରୀ, କାର୍ଯ୍ୟାଳୟ ସ୍ଥାନ ଯେଉଁଠାରେ କି ଜନସାଧାରଣଙ୍କ ଆତଯାତ ଲାଗି ରହିଥାଏ, କରିଡ଼ୋର, ପାଦଚଲା ବାଟ, ମେଟ୍ରୋ ଓ ରେଳ ଷ୍ଟେସନ, ବସ୍‌ ଷ୍ଟେସନ ଇତ୍ୟାଦି ସାମିଲ ।

ଟ୍ରଲିରେ ବାହିତ ବୃହତ୍‌ କ୍ଷେତ୍ର ବିଶୋଧନ ଉପକରଣ

ଏହି କେନ୍ଦ୍ର ଏହାର ସହଯୋଗୀ ଶିଳ୍ପସଂସ୍ଥାମାନଙ୍କ ସହାୟତାରେ ଆଉ ଗୋଟିଏ ଉଚ୍ଚ କ୍ଷମତାସମ୍ପନ୍ନ ମେସିନର ବିକାଶ ଘଟାଇଛି ଯାହାକୁ ଏକ ଟ୍ରଲିରେ ରଖି ବିଶୋଧନ କାର୍ଯ୍ୟ ସଂପାଦନ କରାଯାଇପାରିବ । ଏହି ସିଷ୍ଟମରେ ଏକ ସ୍ୱଳ୍ପ ଚାପଯୁକ୍ତ ଏକକ ତରଳ ବିଶୋଧକ (ବିଶୋଧକ ତରଳ ପଦାର୍ଥ) ପ୍ରଯୁକ୍ତି ରହିଥାଏ ଯାହା ତାକୁ ଅତି ସୂକ୍ଷ୍ମ କୁହୁଡ଼ି ଭାବେ ସିଞ୍ଚନ କରିଥାଏ । ଏହା ଏକା ଥରରେ 3000 ବର୍ଗ ମିଟର କ୍ଷେତ୍ରରେ ବିଶୋଧକ ସିଞ୍ଚନ କରିପାରିବ ।

ଏହି ମେସିନର ଟାଙ୍କିର କ୍ଷମତା 50 ଲିଟର ଏବଂ ଏହା 12-15 ମିଟର ପର୍ଯ୍ୟନ୍ତ ଦୂରତାକୁ ବିଶୋଧକ ସିଞ୍ଚନ କରିପାରିବଏହା ହସପିଟାଲ, ମଲ୍‌, ବିମାନବନ୍ଦର, ମେଟ୍ରୋ ରେଳ ଷ୍ଟେସନ, ଆଇସୋଲେସନ କ୍ଷେତ୍ର, କ୍ୱାରାଣ୍ଟାଇନ୍‌ କେନ୍ଦ୍ର ଓ ଅତି ରିସ୍କଯୁକ୍ତ ଆବାସିକ କ୍ଷେତ୍ରକୁ ବିଶୋଧନ କରିବା ପାଇଁ ବେଶ୍‌ ଉପକାରସିଦ୍ଧ ହେବ ।

ତୁରନ୍ତ ବ୍ୟବହାର ସକାଶେ ଏଭଳି ଦୁଇଟି ମେସିନ୍‌ ଦିଲ୍ଲୀ ପୁଲିସକୁ ଯୋଗାଇ ଦିଆଯାଇଛି । ଶିଳ୍ପ ସହଯୋଗୀଙ୍କ ମାଧ୍ୟମରେ ଏଭଳି ଅଧିକ ଯନ୍ତ୍ର ଅନ୍ୟମାନଙ୍କ ପାଇଁ ଉପଲବ୍ଧ କରାଯାଇ ପାରିବ ବୋଲି କୁହାଯାଇଛି ।

 

**********



(Release ID: 1610948) Visitor Counter : 147