ପର୍ଯ୍ୟଟନ ମନ୍ତ୍ରଣାଳୟ

ଦେଶରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକଙ୍କୁ ସହୟତା ଯୋଗାଉଛି ପର୍ଯ୍ୟଟନ ମନ୍ତ୍ରଣାଳୟର ନୂଆ ପୋର୍ଟାଲ

• ପର୍ଯ୍ୟଟକଙ୍କୁ ନିୟମିତଭାବେ ସ୍ୱାସ୍ଥ୍ୟଗତ ପରାମର୍ଶ ପ୍ରଦାନ କରୁଛି ଏହି ପୋର୍ଟାଲ

Posted On: 03 APR 2020 12:50PM by PIB Bhubaneshwar

କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଭାରତରେ ଲକଡାଉନ ଘୋଷଣା ହେବା ପରେ ଦେଶର ବିଭିନ୍ନ ପ୍ରାନ୍ତରେ ଅନେକ ବିଦେଶୀ ପର୍ଯ୍ୟଟକ ଅଟକି ରହିଛନ୍ତି । ସେମାନେ ବିଭିନ୍ନ ହୋଟେଲ ଓ ଅନ୍ୟାନ୍ୟ ସ୍ଥାନରେ ରହିଛନ୍ତି । ଏହି ପର୍ଯ୍ୟଟକଙ୍କୁ ସାମ୍ପ୍ରତିକ ଜଟିଳ ପରିସ୍ଥିତିରେ ସରକାର ନୂଆକରି ପ୍ରବର୍ତିତ ହୋଇଥିବା ଷ୍ଟ୍ରାଣ୍ଡେଡ ଇନ୍ ଇଣ୍ଡିଆ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ପ୍ରକାର ତଥ୍ୟ ଯୋଗାଇ ସେମାନଙ୍କୁ ସହାୟତା କରୁଛନ୍ତି । ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି କାର୍ଯ୍ୟ ବେଶ ତତ୍ପରତାର ସହ କରୁଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କରୋନାକୁ ନେଇ ଯେଉଁସବୁ ପରାମର୍ଶ ଓ ନିର୍ଦ୍ଦେଶାବଳୀ ଜାରି କରାଯାଉଛି ତାହାକୁ ଏହି ଆପ୍ ମାଧ୍ୟମରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କ ପାଖରେ ନିୟମିତ ପହଂଚାଯାଉଛି । ବିଦେଶୀ ପର୍ଯ୍ୟଟକମାନେ ଏହି ସମୟରେ କଣ କରିବେ, ନିଜର ନିରାମୟ ପାଇଁ କି ପ୍ରକାର ପଦକ୍ଷେପ ନେବେ ସେ ସଂପର୍କରେ ସେମାନଙ୍କୁ ଅବଗତ କରାଯାଉଛି । ଆହୁରି ମଧ୍ୟ ବିଭିନ୍ନ ହୋଟେଲ ଓ ପର୍ଯ୍ୟଟନ ସହ ସଂପୃକ୍ତ ପକ୍ଷମାନେ କରୋନା ସଂକ୍ରମଣ କାଳରେ କି ପ୍ରକାର ସୁରକ୍ଷା ଓ ସ୍ୱାସ୍ଥ୍ୟରକ୍ଷା ପଦକ୍ଷେପମାନ ଗ୍ରହଣ କରିବେ ତଥା ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ କିପରି ସୁରକ୍ଷିତ ରଖିବେ ସେ ସଂପର୍କରେ ନିୟମିତ ଏହି ଆପ ଜରିଆରେ ସରକାରୀ ନିଷ୍ପତ୍ତି ଜଣାଇ ଦିଆଯାଉଛି । ଅଟକିଥିବା ପର୍ଯ୍ୟଟକମାନଙ୍କୁ ସମସ୍ତ ପ୍ରକାର ନିରାପତ୍ତା ଓ ସର୍ବନିମ୍ନ ସୁବିଧା ଯୋଗାଣ ଯୋଗାଇ ଦେବାକୁ ଆପ ମାଧ୍ୟମରେ ବାରମ୍ବାର ସୂଚିତ କରାଯିବା ସହ ନିଜ ନିଜ ମଧ୍ୟରେ ସରକାରୀ ନିର୍ଦ୍ଦେଶ ଓ କାର୍ଯ୍ୟର ବ୍ୟାପକ ପ୍ରସାର ପ୍ରଚାର କରିବାକୁ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସଂଘର କର୍ମକର୍ତ୍ତାଙ୍କୁ କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଏ ସଂକ୍ରାନ୍ତ ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶାବଳୀକୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଥିବା ଭାରତ ପର୍ଯ୍ୟଟନ ଅଫିସକୁ ସୂଚିତ କରାଯାଉଛି । ଫଳରେ ବିଭିନ୍ନ ପର୍ଯ୍ୟଟନ ଅଫିସ ଓ ହୋଟେଲ ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା କରାଯାଇପାରୁଛି । ଏହାଦ୍ୱାରା କେଉଁ ଅଂଚଳରେ କେଉଁ ଦେଶର ପର୍ଯ୍ୟଟନ ନିର୍ଦ୍ଦିଷ୍ଟ ଭାବେ କେଉଁ ହୋଟେଲ ବା ସ୍ଥାନରେ ଅଟକି ରହିଛନ୍ତି ସେ ସଂପର୍କରେ ତଥ୍ୟ ମିଳିବା ସହଜ ହୋଇଛି ।

ଏବେ ବିଶ୍ୱର ପ୍ରମୁଖ ସଂକ୍ରାମକ କେନ୍ଦ୍ର ପାଲଟିଥିବା ଦେଶଗୁଡ଼ିକରୁ କୌଣସି ଯାତ୍ରୀ ଯଦି ଭାରତ ଆସିଥାନ୍ତି ତେବେ ସେମାନଙ୍କ ବିଷୟରେ ଆଂଚଳିତ କେନ୍ଦ୍ରଗୁଡ଼ିକୁ ଖବର ତୁରନ୍ତ ଯୋଗାଇ ଦିଆଯାଉଛି । ସଂପୃକ୍ତ ନାଗରିକ ବା ପର୍ଯ୍ୟଟକଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ସେ ରହୁଥିବା ସ୍ଥାନ, ବୁଲିଥିବା ବିଭିନ୍ନ ଯାଗା ଓ ଭେଟିଥିବା ଲୋକଙ୍କ ସଂପର୍କରେ ତୁରନ୍ତ ତଥ୍ୟ ସଂଗ୍ରହ କରାଯାଇ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଉଛି । ସଂପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ଯୋଗାଇ ଦେବାକୁ ସେମାନେ ରହୁଥିବା ହୋଟେଲକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଆକ୍ରାନ୍ତ ଓ ସଂକ୍ରମିତଙ୍କ ପାଇଁ କ୍ୱାରେଂଟାଇନ ଓ ପୃଥକ ରଖିବା ବ୍ୟବସ୍ଥା କରିବାକୁ ହୋଟେଲ ଶିଳ୍ପକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ କାମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗ ସହ ମିଶି କାମ କରୁଛି ।

ଇତିମଧ୍ୟରେ ଷ୍ଟ୍ରାଣ୍ଡେଡ ଇଣ୍ଡିଆ ପୋର୍ଟାଲ ଭାରତରେ ଅଟକି ରହିଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଦେଶକୁ ନିରାପଦରେ ଫେରାଇଦେବା କାମ ସଫଳତାର ସହ ଆରମ୍ଭ କରିଛି । ଏହି ପୋର୍ଟାଲ ସହ ସଂପୃକ୍ତ ହୋଇ ବିଭିନ୍ନ ପକ୍ଷ ଓ ସଂସ୍ଥା ବହୁପାକ୍ଷିକ ସହଯୋଗ ଭିତିରେ ଅଟକିଥିବା ପର୍ଯ୍ୟଟକଙ୍କୁ ନିଜ ଦେଶକୁ ସେ ସୁବିଧାରେ ଫେରାଇବାରେ ସଫଳ ହେଲେଣି । ଏହି ପୋର୍ଟାଲଟି ଏକ ମଲ୍ଟିଏଜେନ୍ସି କୋର୍ଡିନେସନ ପ୍ଲାଟଫର୍ମରେ ପରିଣତ ହୋଇଛି ।

ଗୁଜରାଟରେ ଅଟକି ରହିଥିବା ଆମେରିକୀୟମାନଙ୍କ ପାଇଁ ସେଠା ରାଜ୍ୟ ସରକାର ଗାଡି ବସ୍ ସୁବିଧା କରିଛନ୍ତି । ଆଭ୍ୟନ୍ତରୀଣ ଭ୍ରମଣ ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଏସବୁ ପର୍ଯ୍ୟଟକଙ୍କୁ ଗୁଜରାଟ ସରକାରକୁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଏ କ୍ଷେତ୍ରରେ ଆବଶ୍ୟକ ସାହାଯ୍ୟ ସହଯୋଗ କରୁଛନ୍ତି । 

ବିହାରରେ ଅଟକି ରହିଥିବା ଜଣେ ଆମେରିକୀୟ ମହିଳାଙ୍କୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବାପାଇଁ ଟ୍ରାଭେଲ ପରମିଟର ବ୍ୟବସ୍ଥା ଯୋଗାଇ ଦିଆଯାଇଥିଲା । ଏହି ମହିଳା ପର୍ଯ୍ୟଟକ ଜଣକ ସୁବିଧାରେ ଦିଲ୍ଲୀରେ ପହଂଚି ନିଜ ଦେଶକୁ ବିମାନଯୋଗେ ଫେରି ଯାଇଥିଲେ ।

ସେହିଭଳି କଲକାମ ଓ ସିଲିଗୁଡ଼ିରେ ଅଟକି ରହିଥିବା ଅଷ୍ଟ୍ରେଲିଆର ତିନୋଟି ପର୍ଯ୍ୟଟକ ଦଳ ଉଦ୍ଧାର ପାଇଁ ଷ୍ଟ୍ରାଣ୍ଡେଡ୍ ଇନ୍ ଇଣ୍ଡିଆ ପୋର୍ଟାଲର ସହାୟତା ନେଇଥିଲେ । କୋଲକାତାସ୍ଥିତ ଭାରତ ପର୍ଯ୍ୟଟନ ଅଫିସ ତୁରନ୍ତ ଏ ନେଇ ଅଷ୍ଟ୍ରେଲିଆ ଦୂତାବାସ ସହ ସଂପର୍କ ରକ୍ଷାକରି ସେମାନଙ୍କୁ ନିରାପଦରେ ସ୍ୱଦେଶ ପଠାଇବାରେ ସଫଳ ହୋଇଥିଲା ।

 

**********

 



(Release ID: 1610946) Visitor Counter : 119