ଶିକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ନମୋ ଘାଟରେ ଥିରୁକ୍କୁରଲ୍ ଆଧାରିତ ପ୍ରତିଯୋଗିତାରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ


କାଶୀ ତାମିଲ ସଙ୍ଗମମ୍‌ରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

୩୦ରୁ ବାରାଣସୀ, ପ୍ରୟାଗରାଜ ଓ ଅଯୋଧ୍ୟାରେ 'ଥିରୁକ୍କୁରଲ୍' ପଢ଼ାଇବେ ତାମିଲନାଡୁର ୫୦ ଶିକ୍ଷକ

ପୋଷ୍ଟ କରାଯିବା ଦିନାଙ୍କ: 29 NOV 2026 7:47PM by PIB Bhubaneswar

କାଶୀ ତାମିଲ ସଙ୍ଗମମ୍ ୫.୦ର ଅଂଶ ବିଶେଷ ଭାବେ ଆଜି ନମୋ ଘାଟରେ ଗଳ୍ପ କଥନ, ଚିତ୍ରାଙ୍କନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଭାରତୀୟ ଜାତୀୟ ପୁସ୍ତକ ନ୍ୟାସ (ଏନ୍‌ବିଟି) ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

କାଶୀ ତାମିଲ ସଙ୍ଗମମ୍‌ର ପଞ୍ଚମ ସଂସ୍କରଣର ବିଷୟବସ୍ତୁ ‘ତିରୁକ୍କୁରଳ ପୟିଲଭୋମ୍‌ - ଥିରୁକ୍କୁରଲ୍ ଅଭ୍ୟାସ କରେଁ’ ଆଧାରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗଳ୍ପ କଥନ ପ୍ରତିଯୋଗିତାରେ ଥିରୁକ୍କୁରଲରୁ ଅନୁପ୍ରାଣିତ ନୈତିକତା, ସଦାଚାର, ଜ୍ଞାନ, କରୁଣା ଓ ମାନବିକତା ଭଳି ମୂଲ୍ୟବୋଧ ଉପରେ ଆଧାରିତ ଗଳ୍ପ ପରିବେଷଣ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ପିଲାମାନେ ନିଜ କଳାକୃତି ମାଧ୍ୟମରେ ଏହି ସାହିତ୍ୟ କୃତିର ବିଚାର ଓ ବାର୍ତ୍ତାକୁ ଉପସ୍ଥାପନ କରିଥିଲେ। ସେହିପରି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ତିରୁକ୍କୁରଳ ଓ ଏହାର ଶିକ୍ଷା ଉପରେ ଛାତ୍ରଛାତ୍ରୀଙ୍କ ଜ୍ଞାନ ପରୀକ୍ଷା କରାଯାଇଥିଲା।

ଏହି ଅବସରରେ ଜାତୀୟ ପୁସ୍ତକ ନ୍ୟାସ ପକ୍ଷରୁ ଏହାର ସାହିତ୍ୟ ଓ ଶିକ୍ଷା ସମ୍ବନ୍ଧୀୟ ପଦକ୍ଷେପ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ୭ ହଜାରରୁ ଅଧିକ ପୁସ୍ତକ ଉପଲବ୍ଧ ଥିବା ଡିଜିଟାଲ ପାଠାଗାର ‘ରାଷ୍ଟ୍ରୀୟ ଇ-ପୁସ୍ତକାଳୟ’ ସମ୍ପର୍କରେ ସେମାନଙ୍କୁ ଜଣାଯାଇଥିଲା। ଏହି ମଞ୍ଚର ଉପଯୋଗ କରି ପଢ଼ିବା ଅଭ୍ୟାସ ଗଢ଼ିବା ସହ ଜ୍ଞାନର ପରିସର ବୃଦ୍ଧି କରିବାକୁ ପିଲାମାନଙ୍କୁ ଉତ୍ସାହିତ କରାଯାଇଥିଲା।

ନମୋ ଘାଟରେ ୫୦ରୁ ଅଧିକ ଷ୍ଟଲ୍‌ ଖୋଲାଯାଇଛି। ଏଥିରେ କାଶୀ ଓ ତାମିଲନାଡୁର ହସ୍ତଶିଳ୍ପ, ପାରମ୍ପରିକ ସାମଗ୍ରୀ ଓ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶିତ ହେଉଛି। ପ୍ରତିଦିନ ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। ଆଜି ତିରୁଚିରାପଲ୍ଲୀର ଲୋକନୃତ୍ୟ, ବାରାଣସୀର ଜଣେ କଳାକାରଙ୍କ ଭଜନ ପରିବେଷଣ ଏବଂ ଚେନ୍ନାଇର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ ଅନ୍ୟତମ ଆକର୍ଷଣ ଥିଲା।

କାଶୀ ତାମିଲ ସଙ୍ଗମମ୍ ୫.୦ର ଅଂଶବିଶେଷ ଭାବେ ତାମିଲନାଡୁର ୫୦ ଜଣ ପ୍ରଶିକ୍ଷିତ ଶିକ୍ଷକ ଆସନ୍ତା ନଭେମ୍ବର ୩୦ରୁ ବାରାଣସୀ, ପ୍ରୟାଗରାଜ ଓ ଅଯୋଧ୍ୟାର କିଛି ବଛା ବଛା ବିଦ୍ୟାଳୟଗୁଡ଼ିକର ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଥିରୁକ୍କୁରଲର ଶିକ୍ଷା ଓ ମୂଲ୍ୟବୋଧ ସମ୍ପର୍କରେ ପଢ଼ାଇବେ। ୧୦ଟି କାର୍ଯ୍ୟଦିବସ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ବାରାଣସୀ ପାଇଁ ୨୦ ଜଣ ଏବଂ ଅଯୋଧ୍ୟା ଓ ପ୍ରୟାଗରାଜ ପାଇଁ ୧୫ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତ ହେବେ। ଏହି ଶିକ୍ଷକମାନଙ୍କ ପାଇଁ ଆଜି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ଓରିଏଣ୍ଟେସନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।

***

TKM

 

 


(ରିଲିଜ ଆଡି: 2343616) ପରିଦର୍ଶକ କାଉଣ୍ଟର : 3