ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମହାମହିମ ୱେଲ୍ସର ରାଜକୁମାର ଏବଂ ରାଜକୁମାରୀ


ବିଶ୍ୱସ୍ତରୀୟ ପରିବେଶଗତ ଆହ୍ୱାନର ମୁକାବିଲା ପାଇଁ ଅଭିନବ ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ ଅର୍ଥସଟ୍ ପ୍ରାଇଜର ପ୍ରୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭାରତ-ୟୁକେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସମ୍ପର୍କରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2026 9:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ନଭେମ୍ବର ୨୦୨୬ରେ ନୂଆଦିଲ୍ଲୀରେ ମହାମହିମ ୱେଲସର ରାଜକୁମାର ଏବଂ ରାଜକୁମାରୀଙ୍କୁ ଭେଟିଛନ୍ତି ।

ପ୍ରଧାନମନ୍ତ୍ରୀ ଭାରତ-ୟୁକେ ଦ୍ୱିପାକ୍ଷିକ ସମ୍ପର୍କରେ ଦେଖାଦେଇଥିବା ବର୍ଦ୍ଧିତ ଗତିଶୀଳତାକୁ ସ୍ୱାଗତ କରିଛନ୍ତି । ଏହି ସମ୍ପର୍କ ଭାରତ-ୟୁକେ ଭିଜନ ୨୦୩୫ ଦ୍ୱାରା ପରିଚାଳିତ ହେଉଛି ଏବଂ ଜୁଲାଇ ୨୦୨୬ରେ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବା ଦ୍ୱାରା ଏହା ଆହୁରି ସୁଦୃଢ଼ ହୋଇଛି ।

ଜରୁରୀ ପରିବେଶଗତ ଆହ୍ୱାନ ଗୁଡ଼ିକର ମୁକାବିଲା ପାଇଁ ଅଭିନବ ସମାଧାନକୁ ଉତ୍ସାହିତ କରିବା କ୍ଷେତ୍ରରେ ଅର୍ଥସଟ୍ ପ୍ରାଇଜର କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ ଭାରତୀୟ ଉଦ୍ଭାବକମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା ଏବଂ ବିଶ୍ୱସ୍ତରୀୟ ପରିବେଶଗତ ସମସ୍ୟାର ସମାଧାନ ଦିଗରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି । ବିଶେଷ କରି ୧୭ ନଭେମ୍ବର ୨୦୨୬ରେ ମୁମ୍ବାଇରେ ଅନୁଷ୍ଠିତ ଅର୍ଥସଟ୍ ପ୍ରାଇଜ ପୁରସ୍କାର ପ୍ରଦାନ ଉତ୍ସବରେ ଏହି ସ୍ୱୀକୃତି ପ୍ରଦାନ କରାଯାଇଥିଲା ।

ଏହି ସାକ୍ଷାତକାର ସମୟରେ ଭାରତ-ୟୁକେ ବ୍ୟାପକ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ନେଇ ମତ ବିନିମୟ ହୋଇଥିଲା । ଏଥିରେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା,ଫିନଟେକ୍ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ବିଷୟ ଅନ୍ତର୍ଭୁକ୍ତ ଥିଲା ।

ଏହା ସହିତ, ପ୍ରଧାନମନ୍ତ୍ରୀ ମହାରାଜ ଚାର୍ଲସ ତୃତୀୟ ଏବଂ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମଙ୍କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ।

SR


(ରିଲିଜ ଆଡି: 2339710) ପରିଦର୍ଶକ କାଉଣ୍ଟର : 10